ହେଡଲାଇନସ୍:

 ବରଷା ଦେଖି ଯେ ବୁଲାଏ ଛତା, ସିଏ ତ ବୋଲାଏ ଅସଲ ନେତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଲି ବିଜେଡ଼ିର ହାତ ଛାଡ଼ି ବିଜେପିରେ ମିଶିବା ପରେ ଆଜି ପୁଣି ବିଜେଡ଼ିରେ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜିର ରାଜନୀତିରେ ସବୁ କିଛି ସମ୍ଭବ । ନୀତି ଆଦର୍ଶ ବୋଲି ଗୋଟାଏ ଶବ୍ଦ  ଥିବା ଭଳି ମନେ ହୁଏ ନାହିଁ । ଚାଲିଛି ଏଡ଼ାଳରୁ ସେ ଡ଼ାଳକୁ ଡ଼ିଆଁ ଡେ଼ଇଁ ପର୍ବ । ଅବଶ୍ୟ ଯୁଆଡ଼ୁ ବରଷା ସିଆଡେ ଛତା, ଯିଏ ଦେଖାଇଲା ସିଏ ଅସଲ ନେତା ପଦବାଚ୍ୟ, ସିଏ ସେତେ ସଫଳ | ଗତ କାଲି ବିଜେଡ଼ିରେ ଥିଲେ | କଣ ହେଲା କେଜାଣି ବିଜେଡି  ହାତ ଛାଡ଼ି ବିଜେପିରେ ମିଶିଲେ | ସେଠି କି ପ୍ରକାର ମୋହ ଭଙ୍ଗ ହେଲା ତାଙ୍କୁ ଜଣାଥିବ,  ଆଜି ପୁଣି ବିଜେପି ତ୍ୟାଗ କରି ବିଜେଡ଼ିରେ ଯୋଗ  ଦେଲେ  । ଏହି ପ୍ରକାରର ଦଳ ଅଦଳ ବଦଳ ରାଜନୀତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । 

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ଜୁନ ୧୧ ସନ୍ଧ୍ୟା ସମୟରେ ରାଜ୍ୟ ବିଜେପିର ନୂଆ ଟିମ ଘୋଷିତ ହେବା ପରେ ଜୁନ ୧୩ରେ ରାଇରଙ୍ଗପୁର ବିଜେପି କାର୍ଯ୍ୟାଳୟ ଉତ୍ସବ ମୁଖରିତ ହୋଇପଡ଼ିଥିଲା । ନବ ନିଯୁକ୍ତ ରାଜ୍ୟ ଏସଟି ମୋର୍ଚ୍ଚା ସଭାପତି ତଥା ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ ଓ ରାଜ୍ୟ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପଶ୍ଚିମ ସଙ୍ଗଠନ ସଭାପତି ନବୀନ ରାମ ପ୍ରମୁଖଙ୍କୁ ଦଳୀୟ ନେତା, କର୍ମୀ ଓ ସମର୍ଥକମାନେ ଶୁଭେଚ୍ଛା ଜଣାଉଥିବା ବେଳେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଭାଇସ ଚେୟାରମେନ ଶାଗରାମ ମୁର୍ମୁ ବିଜେପିରେ ଯୋଗ ଦେଇଥିଲେ । ଏହି ସମୟରେ ସାଂସଦ ଇଂ ଟୁଡ଼ୁ, ରାଜ୍ୟ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପଶ୍ଚିମ ସଙ୍ଗଠନ ସଭାପତି ଶ୍ରୀ ରାମ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ଜାମଦା ବ୍ଲକ ଅଧ୍ୟକ୍ଷ ମାଳତୀ ଆଲଡା, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ବାସନ୍ତୀ ହେମ୍ବ୍ରମ, ଏସସି ମୋର୍ଚ୍ଚା ସଭାନେତ୍ରୀ ମିଥିଲା ଟୁଡ଼ୁ, ଜିଲ୍ଲା ପରିଷଦ ସଦସ୍ୟା ଶୁକ୍ରୁମଣି ଟୁଡ଼ୁ ପ୍ରମୁଖ ଜାମଦା ବ୍ଲକ ଭାଇସ ଚେୟାରମେନ ଶାଗରାମ ମୁର୍ମୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମ ସହିତ ସାମାଜିକ ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ୨୪ ଘଣ୍ଟା ନ ପୁରୁଣୁ ବାରିପଦା ସାର୍କିଟ ହାଉସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାମଦା ବ୍ଲକ ଭାଇସ ଚେୟାରମେନ ଶାଗରାମ ମୁର୍ମୁ ପ୍ରକାଶିତ ଅଥବା ଚର୍ଚ୍ଚିତ ଖବର ଏକ ଗୁଜବ ବୋଲି କହି ବିଜେପିରେ ମିଶିବାକୁ ଖଣ୍ଡନ କରିବା ସଂଗେସଂଗେ ସେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ରହିଛନ୍ତି ଏବଂ ବିଜେଡ଼ି ଦଳରେ ଜଣେ ଶୃଙ୍ଖଳିତ ସୈନିକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ଉକ୍ତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ତଥା ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡି, ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଡ଼ା ଦେବାଶିଷ ମାର୍ଣ୍ଡି, ମୟୂରଭଞ୍ଜ ପଶ୍ଚିମ ସଙ୍ଗଠନ ସଭାପତି କାଶିନାଥ ହେମ୍ବ୍ରମ, ଜିଲ୍ଲା ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଓ ଭାଦବ ହାଁସଦାଃ, ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ଜିଲ୍ଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି, ପ୍ରିୟବ୍ରତ ମାଝି, ଅରୁଣ ବରାଡ଼, ସୁନୀଲ ନାୟକ, ଆଶୀର୍ବାଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।  

ଜାମଦା ବ୍ଲକ ଭାଇସ ଚେୟାରମେନ ଶଗରାମ ମୁର୍ମ୍ମୁ, ବିଜେପିରେ ଯୋଗ ଦେବା ଫଟୋ
0
0
0
s2sdefault