ଷୋଡଶ ବାର୍ଷିକ ବଳାଙ୍ଗୀ ମହୋତ୍ସବ ଉଦଯାପିତ
ବାରିପଦା (ଦିଲ୍ଲୀପ ମହାନ୍ତି) ମୟୂରଭଞ୍ଜ ଜିଲ୍ଲାରେ ଅବଲୁପ୍ତ ପ୍ରାୟ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ନିମନ୍ତେ ୨୦୦୩ ମସିହା ଠାରୁ ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ ଅବସରରେ ବାରିପଦାର ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡି ନଦୀର ତ୍ରିବେଣୀ ସଂଗମସ୍ଥଳ ଠାରେ ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ଚଳିତ ବର୍ଷ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟୀର ଚେୟାରପର୍ସନ ଶ୍ରୀନିବାସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଯୋଗଦେଇ ସାହିତ୍ୟ ସମାଜର ଦର୍ପଣ ହେଲେ ସଂସ୍କୃତି ଦର୍ପଣରେ ଦିଶୁଥିବା ସମାଜର ପ୍ରତିଛବି ଏବଂ ସାଂସ୍କୃତିକ ଜାଗରଣ ହିଁ ଆଜିର ଅବକ୍ଷୟିତ ସମାଜକୁ ଶୃଙ୍ଖଳିତ କରିପାରିବ । ଏହି ପରିପ୍ରେକ୍ଷୀରେ ସଂସ୍କୃତିର ସୁରକ୍ଷା ନିମନ୍ତେ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ନିଜ ବକ୍ତବରେ କହିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବରେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ, ବାରିପଦା ଉପନଗରପାଳ ଜିତେନ୍ଦ୍ର କୁମାର ମହାନ୍ତି,ବାରିପଦା ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମର ଅଧ୍ୟକ୍ଷା ବୀଣା ଦାଶ, ବିଶିଷ୍ଟ ସର୍ବଦୋୟ ନେତା ସମାଜସେବୀ ମଧୁସୁଦନ ଦାସ ପ୍ରମୁଖ ଯୋଗଦେଇ କଳା ସଂସ୍କୃତିର ସୁରକ୍ଷା କରାନଗଲେ ଆଜିର ଅବକ୍ଷୟମୁଖି ସମାଜ ଖୁବଶୀଘ୍ର ବିନାଶ ପଥରେ ଆଗେଇଯିବ । ଏଣୁ ଆଜିର ଯୁବପିଢୀଙ୍କ ମଧ୍ୟରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରାଯିବା ଦରକାର ବୋଲି ମତବକ୍ତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ବୀବରଣୀ ପାଠ ମାଧ୍ୟମରେ ବଳାଙ୍ଗୀକୁ କେବଳ ଏକ ମହୋତ୍ସବ ମଧ୍ୟରେ ସୀମିତ ରଖା ନଯାଇ ଏହାକୁ ଏକ ସାଂସ୍କୃତିକ ଆନେ୍ଦାଳନରେ ପରିଣତ କରାଯିବାର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଧିରେଧିରେ ସଫଳ ହେଉଥିବାର କହିବା ସହିତ ଜିଲ୍ଲାରେ ସାଂସ୍କୃତିକ ଜାଗରଣ ସୃଷ୍ଟି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ବଳାଙ୍ଗୀ ମହୋତ୍ସବର ବାର୍ଷିକ ସ୍ମରଣିକା ବଳାଙ୍ଗୀକୁ ଅତିଥି ମାନେ ଉନ୍ମୋଚିତ କରିବା ପରେ ସାଂସ୍କୃତିକ ଜାଗରଣ ଯାତ୍ରାର ଜିଲ୍ଲା ପରିକ୍ରମାରେ ସାମିଲ ହୋଥିବା ବଳାଙ୍ଗୀ ସେନାର ସଂସ୍କୃତି ସୈନିକମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ଟେଲେଣ୍ଟ ହଣ୍ଟ ଫାଇନାଲ ରାଉଣ୍ଡରେ ଚମ୍ପିୟନ ଓ ରନର୍ସଅପ ହୋଇଥିବା ପ୍ରତିଯୋଗିମାନଙ୍କୁ ଟ୍ରଫି ଓ ପୁରସ୍କାର ରାଶିର ଚେକ ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମୁରିଆ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିବେଶିତ ମୟୂରଭଞ୍ଜର ପ୍ରସିଦ୍ଧ ଝୁମର ନୃତ୍ୟ ଉପସ୍ଥିତ ଦର୍ଶକମାନ ମନ୍ତ୍ରମୁଗ୍ଧ କରାଇଦେଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବଳାଙ୍ଗୀ ମହୋତ୍ସବର କର୍ମକର୍ତା ତଥା ବଳାଙ୍ଗୀ ସେନାର ସଂସ୍କୃତି ସୈନିକମାନେ ସହଯୋଗ କରିଥିଲେ ।
ବଳାଙ୍ଗୀ ମହୋତ୍ସବ ଉପଲକ୍ଷେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦଯାପିତ
ଉତ୍ତର ଓଡ଼ିଶା ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବ ଉପଲକ୍ଷେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ଦ୍ୱାରା ଉଦ୍ୟାପିତ ହୋଇଯାଇଛି । ଏହି ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ୧୩ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଳାଙ୍ଗୀ ମହୋତ୍ସବରେ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଦେବା ସହିତ, ଆବଶ୍ୟକ ସ୍ଥଳେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବେ । ସ୍ୱଚ୍ଛ ଭାରତ ଏବଂ ବେଟି ବଚା ଓ ବେଟି ପଢାଓ କାର୍ଯ୍ୟକ୍ରମ ଆୟୋଜନ କରି ଜନସାଧାରଣ ଓ ନିକଟସ୍ଥ ଚିପଟଅସ୍ତିଆ ଓ ତେନ୍ତୁଳଡିଙ୍ଗା ଲୋକମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଛି । ଜାତୀୟ ସେବା ଯୋଜନା ଉଦ୍ଯାପନୀ କାର୍ଯ୍ୟକ୍ରମରେ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ମୀରା ସେନାପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ବିଜୟା ନାୟକ ଧନ୍ୟବାଦ ଦେଇଥିଲେ । ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅଧ୍ୟାପିକା ସୀମା ଦାସ, ଶତାବ୍ଦିକା ମହାନ୍ତି, ମଦନ ମୋହନ ସାହୁ, ବିବେକ କୁମାର ବେହେରା, ଅଭିଜିତ ପାତ୍ର, ଗଣେଶ ଚନ୍ଦ୍ର ପରିଡା, କୁମାରେଶ ନାୟକ ଏବଂ ସ୍ୱେଚ୍ଛାସେବୀ ପ୍ରବୀଣ କୁମାର ଦାସ, ଜଗନ୍ନାଥ ସେନ, ସରିତ ଆଚାର୍ଯ୍ୟ, ଅମିତାଭ ପଣ୍ଡା, ବିରେନ୍ଦ୍ର ହାଁସଦା, ଚନ୍ଦ୍ରଶେଖ ପାଲ, ଅଭିଷେକ ପାତ୍ର, ଜ୍ୟୋତିପ୍ରଜ୍ଞା ଦାସବାବୁ, ମନାଲି ପଲେଇ, ମୌସୁମୀ ମହାରଣା, ସସ୍ମିତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।