ପୂର୍ବ ଭଳି  କେବଳ ଧର୍ମକୁ ଆଖିଠାର ହେବନି ତ ବିଡ଼ିଓଙ୍କ ବଦଳି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଡ଼ିଓ ସରୋଜ ଦାଶଙ୍କ ବଦଳିକୁ ନେଇ ଜନସାଧାରଣରେ ପ୍ରତିକ୍ରିୟା 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଏଏସ୍ ସରୋଜ କୁମାର ଦାଶ ବାରିପଦା ବ୍ଲକର ବିଡ଼ିଓ ଭାବେ ୨୦୧୭ ମେ ୪ରେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ । ଏଥି ସହିତ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂହଙ୍କ ବଦଳି ପରେ ୨୦୧୮ ଜୁନ ୧୪ଠାରୁ ପୌରପରିଷଦର ନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଆସୁଥିବା ସମୟରେ ଗତ ଏପ୍ରିଲ ୨୮ରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା PR-BDO-ESTT-0018-2019-7840/PR&DW,/28.04.2020 ଅନୁସାରେ ବାରିପଦା ବ୍ଲକ ବିଡ଼ିଓ ଶ୍ରୀଦାଶଙ୍କ ବଦଳି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକକୁ ହୋଇଛି । ଉକ୍ତ ବଦଳି ଆଦେଶନାମାରେ ମେ ୫ରେ ବାରିପଦା ବ୍ଲକରୁ ରିଲିଭ(ଭାରମୁକ୍ତ) ହୋଇ ୮ତାରିଖରେ ବିଶ୍ରା ବ୍ଲକରେ ଜଏନ(ଯୋଗ) ଦେବାକୁ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ବାରିପଦା ବ୍ଲକ ବିଡ଼ିଓ ଓ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ରହିଥିବା ଶ୍ରୀଦାଶଙ୍କ ବଦଳି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ବାରିପଦା ବ୍ଲକ ଅଧୀନରେ ଥିବା ଶଙ୍ଖାଭଙ୍ଗା ପଞ୍ଚାୟତର ସରପଞ୍ଚ କାରୁ ସୋରେନ ନିଜ ପ୍ରତିକ୍ରିୟାରେ କହିଛନ୍ତି ବର୍ତ୍ତମାନ କୋଭିଡ଼-୧୯କୁ ନେଇ ଏକ ମାସରୁ ଅଧିକ ଦିନ ଧରି ଲକ୍ ଡ଼ାଉନ ଚାଲିଥିବା ବେଳେ ବିଡ଼ିଓ ଶ୍ରୀଦାସ ଏହାର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଜନସାଧାରଣ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ବିଡ଼ିଓ ଶ୍ରୀଦାଶ ନିଘା ନାହିଁ କି ପଘା ନାହିଁ ନୀତିକୁ ଆପଣେଇ ନେଇଥିଲେ । ସେହିପରି ଶ୍ରୀଦାଶ ବାରିପଦା ବ୍ଲକର ବିଡ଼ିଓ ଭାବେ ଦାୟିତ୍ୱ ଭାର ସମ୍ଭାଳିବାର ପରବର୍ତ୍ତି ସମୟଠାରୁ ବ୍ଲକରେ ଉନ୍ନୟକ ମୂଳକ କାର୍ଯ୍ୟ ଭୁଷୁଡ଼ି ପଡ଼ିଛି । ମନରେଗା କାର୍ଯ୍ୟ ହେଉ ଅଥବା ବିଭିନ୍ନ ପ୍ରକାରର ରୁରାଲ କନଷ୍ଟ୍ରାକସନ କାର୍ଯ୍ୟ ହେଉ ସବୁକିଛି ପରିଚାଳନାରେ ବିଫଳ ହୋଇଛନ୍ତି । ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରସ୍ତାବ ବିଡ଼ିଓଙ୍କ ନିକଟରେ ଦାଖଲ କରାଯାଉଥିଲେ ମଧ୍ୟ ଫାଇଲକୁ ଡ଼ିଆରଡ଼ିଏରୁ ପାଶ କରାଇବା କ୍ଷେତ୍ରରେ ବହୁ ବିଳମ୍ବ ହେଉଥିଲା । ବିଡ଼ିଓ ଶ୍ରୀଦାଶ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟମାନଙ୍କ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାର ଦକ୍ଷତାର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । ବାରିପଦା ବ୍ଲକ ଜିଲ୍ଲାର ସଦର ମହକୁମା ହୋଇଥିବାରୁ ଜଣେ ଦକ୍ଷ ବିଡ଼ିଓଙ୍କ ଆବଶ୍ୟକତା ରହିଛି ବୋଲି ଶଙ୍ଖାଭଙ୍ଗା ସରପଞ୍ଚ ଶ୍ରୀ ସୋରେନ ପ୍ରକାଶ କରିଛନ୍ତି । ସେହିପରି ବାରିପଦା ପୌରପରିଷଦର ୨୬ ନମ୍ବର ୱାଡର଼୍ର ପୂର୍ବତନ କାଉନସିଲର ଲକ୍ଷ୍ମୀଧର ହାବୁଡ଼ା ଶ୍ରୀଦାଶଙ୍କ ବଦଳିକୁ ସ୍ୱାଗତ କରିବା ସହିତ ସମାନ ପ୍ରକାରର ଅଭିଯୋଗ ବାଢ଼ିଛନ୍ତି । ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ ଶ୍ରୀଦାଶ ଦାୟିତ୍ୱ ସମ୍ଭାଳିବା ପରବର୍ତ୍ତି ସମୟଠାରୁ ସାମଗ୍ରୀକ ବିକାଶ ବାଧାପ୍ରପ୍ତ ହେବା ସହିତ ଦୁର୍ନୀତି ସମସ୍ତ ସୋପାନକୁ ଅତିକ୍ରମ ସାରିଛି । ବିଶେଷ କରି ପୌରପରିଚାଳନା ପରିଷଦ ବୋଡର଼୍ ଭାଙ୍ଗିବା ପରେ ବିରାଡ଼ି କପାଳକୁ ସିକା ଛିଣ୍ଡିଯିବା ସଦୃଶ୍ୟ ହୋଇଛି । କାର୍ଯ୍ୟାଳୟର କର୍ମଚାରୀମାନେ ସ୍ୱେଚ୍ଛାଚାରୀ ହୋଇପଡ଼ିଛନ୍ତି । ଦିନେ ବାରିପଦା ପୌରପରିଷଦ ପରିମଳ ବ୍ୟବସ୍ଥାକୁ ନେଇ ଗର୍ବ କରୁଥିବା ବେଳେ ଏବେ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ସ୍ଥାନାନ୍ତରିତ ହୋଇ ନ ପାରି ପରିବେଶକୁ କଳୁଷିତ କରାଉଛି । ବିଭିନ୍ନ ୱାର୍ଡ ଗୁଡିକରେ ପାନୀୟ ଜଳ ଯୋଗାଣ ବାଧା ପ୍ରାପ୍ତ ହେଉଥିବାରୁ ୱାର୍ଡ ବାସି  ଆନ୍ଦୋଳନକୁ ଉହ୍ଲାଇ ଆସିଥିବାର ଅନେକ ନଜିର ରହିଛି । ବର୍ତ୍ତମାନ କରୋନାକୁ ନେଇ ସମସ୍ତେ ଭୟଭିତ ହୋଇପଡ଼ିଥିବା ବେଳେ  ନାଳ ନର୍ଦ୍ଧମା, ରାସ୍ତାଘାଟ ଆଦିରେ ବ୍ଲିଚିଂ ପଡ଼ିପାରୁ ନାହିଁ । ପୌରପରିଷଦରେ କେବଳ ସମସ୍ୟା ହିଁ ସମସ୍ୟା । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ତେଣୁ ଏ ଭଳି ନିର୍ବାହୀ ଅଧିକାରୀ ଯେତେଶୀଘ୍ର ବଦଳି ହେବେ ପୌରବାସୀଙ୍କ ପାଇଁ ମଙ୍ଗଳଦାୟକ ହେବ ବୋଲି ପୂର୍ବତନ କାନସିଲର ଶ୍ରୀହାବଡ଼ା କହିଛନ୍ତି ।  ଦଳିତ ଆଦିବାସୀ ମହାସଂଘର ସଭାପତି ତଥା ସମାଜସେବୀ ରାକେଶ ସିଂ ବାରିପଦା ବ୍ଲକ ବିଡ଼ିଓ ଓ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ ସରୋଜ କୁମାର ଦାଶ ଦାୟିତ୍ୱ ଭାର ସମ୍ଭାଳିବା ପରଠାରୁ ବ୍ଲକ ଓ ପୌରପରିଷଦର ପ୍ରଗତିର ଚକ ଆଗକୁ ଆଗେଇବା ପରିବର୍ତ୍ତେ ପଛେଇ ଯାଇଛି । କିଛି ମାସ ପୂର୍ବେ ଶ୍ରୀଦାଶଙ୍କର ପଦୋନ୍ନତି ସହିତ ବଦଳି ହୋଇଥିଲେ ମଧ୍ୟ କୌଣସି କାରଣରୁ ତାହାକୁ ଠୁକରାଇ ବାରିପଦାରେ ରହିଥିଲେ । ଏଥର ଯେଉଁ ବଦଳି ଆଦେଶ ନାମାରେ ୫ ତାରିଖରେ ରିଲିଭ ହେବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲେ ମଧ୍ୟ ସେ ରିଲିଭ ହେଉଛନ୍ତି ଅଥବା ଚାପ ପ୍ରୟୋଗ କରି ବଦଳି ଆଦେଶକୁ ବାତିଲ କରାଇବାରେ ସଫଳ ହେଉଛନ୍ତି ତାହା ସମୟ ହିଁ କହିପାରିବ ବୋଲି ଦଳିତ ଆଦିବାସୀ ମହାସଂଘ ସଭାପତି ତଥା ସମାଜସେବୀ ଶ୍ରୀସିଂ ପ୍ରକାଶ କରିଛନ୍ତି । 

 

 

 

0
0
0
s2sdefault