କରୋନା ଲଢେ଼ଇ ,୪୧୫୯ ଜଣଙ୍କ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୟୂରଭଞ୍ଜକୁ ଫେରିବା ନିମନ୍ତେ  ୩୫୦୨୧ ପ୍ରବାସୀ ଓଡ଼ିଆଙ୍କ ନାମ ପଞ୍ଜିକରଣ

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ଲଢେ଼ଇକୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ ଚାଲିଛି । ଏହି ସମୟରେ ଓଡ଼ିଶା ବାହାରକୁ ଯାଇ ଫେରିନ ପାରି ଫଶି ରହିଥିବା  ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବର୍ଗର ଜନସାଧାରଣଙ୍କୁ ନିଜ ନିଜ ଘରକୁ ଫେରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେବା ସହିତ ଏକ ଗାଇଡ଼ ଲାଇନ ଜାରି କରିବା ପରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନାମ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇ ଏପ୍ରିଲ ୨୯ ମଧ୍ୟରେ ମୋଟ ୩୫ ହଜାର ୨୧ ଜଣ  ନାମ ପଞ୍ଜିକରଣ କରାଯାଇଛି । 

            ଆଦିବାସୀ ଅଧ୍ୟୁଷିତ ପଛୁଆ ମୟୂରଭଞ୍ଜ ଜିଲ୍ଲାର ସମସ୍ତ  ୨୬ଟି ବ୍ଲକ, ଦୁଇଟି ପୌରପରିଷଦ ଓ ଦୁଇଟି ଏନ୍ଏସିରେ ନାମ ପଞ୍ଜିକରଣ ଜାରି ରହିଥିବା ସମୟରେ ଶୁଳିଆପଦା ବ୍ଲକରେ ସର୍ବାଧିକ ୩,୧୮୯ ଜଣଙ୍କର, ମୋରଡ଼ା ବ୍ଲକରେ ୨,୮୭୭ ଜଣ, କପ୍ତିପଦା ବ୍ଲକରେ ୨,୨୧୫ ଜଣ, ବାଙ୍ଗିରିପୋଷିରେ ୧,୮୦୪ ଜଣ, ଠାକୁରମୁଣ୍ଡା ବ୍ଲକରେ ୧,୭୧୩ ଓ କରଞ୍ଜିଆ, ଉଦଳା ଏନ୍ଏସିରେ ଯଥାକ୍ରମେ ୩୬ ଓ ୪୨ ଜଣଙ୍କ ନାମକୁ ପଞ୍ଜିକରଣ କରାଯାଇଥିବାର ଜଣାପଡ଼ିଛି । ତେବେ ଏହି ସମସ୍ତ ପ୍ରବାସୀ ଓଡ଼ିଆମାନେ ଜିଲ୍ଲାକୁ ଫେରିଆସିବା ପରେ ସେମାନଙ୍କୁ ୧୪ ଦିନ ଏକାନ୍ତ ଗୃହ(କ୍ୱରେଣ୍ଟାଇନ)ରେ ରଖାଯିବା ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରିଥିବା ଗାଇଡ଼ ଲାଇନ ପ୍ରଶାସନ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  କ୍ରମେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକଗୁଡ଼ିକରେ ଥିବା ୪୦୪ଟି ପଞ୍ଚାୟତରେ ଅସ୍ଥାୟୀ ମେଡ଼ିକାଲ କେନ୍ଦ୍ର(ଟିଏମ୍ସି) କାର୍ଯ୍ୟ ଆରମ୍ଭ କରିଛି । ଉକ୍ତ  ଟିଏମସିରେ ୫,୦୮୫ ବେଡ଼ ଆବଶ୍ୟକ ରହିଥିବା ବେଳେ  ୪,୧୫୯ ଜଣଙ୍କ ନିମନ୍ତେ ଆବଶ୍ୟକୀୟ ଭିତ୍ତଭୂମି ପ୍ରସ୍ତୁତି ଶେଷ ହୋଇଛି  । ସେହିପରି ବାରିପଦା ଓ ରାଇରଙ୍ଗପୁର ପୌରପରିଷଦ ସହିତ କରଞ୍ଜିଆ ଓ ଉଦଳା ଏନଏସି ଆଦି ୪ଟି ସହରାଞ୍ଚଳଗୁଡ଼ିକରେ ଥିବା ୭୦ଟି ୱାଡର଼୍ରେ ୬ଟି ଟିଏମସି ଖୋଲାଯିବା ନିମନ୍ତେ ପ୍ରସ୍ତାବ ରହିଥିବା ବେଳେ ୫ଟି କାର୍ଯ୍ୟ ଆରମ୍ଭ କରିଛି । ଏଥିରେ ୨୨୬ଟି ବେଡ଼ର ଆବଶ୍ୟକତା ରହିଥିବା ବେଳେ ୨୦୬ଟି ବେଡ଼ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ଜିଲ୍ଲାର ବାରିପଦା, ରାଇରଙ୍ଗପୁର ପୌରପରିଷଦ ଏବଂ କରଞ୍ଜିଆ, ଉଦଳା ଏନଏସି ସହିତ ୨୬ଟି ବ୍ଲକରେ ମୋଟ ୪୧୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସର୍ବମୋଟ ୫,୩୧୧ଟି ବେଡ଼ର ବ୍ୟବସ୍ଥା କରାଯାଉଥିବା ସମୟରେ ଏପ୍ରିଲ ୨୯ ପର୍ଯ୍ୟନ୍ତ ଜିଲ୍ଲାକୁ ଫେରି ଆସିବା ନିମନ୍ତେ ୩୫ ହଜାର ୨୧ ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି ଏବଂ ପ୍ରକ୍ରିୟା ଜାରି ରହିଛି ଏବଂ  ଆଗକୁ ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।                  

                  ଜିଲ୍ଲାକୁ ଫେରୁଥିବା ପ୍ରବାସୀମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯିବ ।  ଜିଲ୍ଲାପାଳ ଭାବେ ସ୍ୱତନ୍ତ୍ର କ୍ଷମତା ପ୍ରାସ୍ତ  ସ୍ଥାନୀୟ ସରପଞ୍ଚ ତତ୍ୱାବଧାନରେ ଏକ ୯ ଜଣିଆ କମିଟି ଗଠିତ ହୋଇଛି ଏବଂ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହ ସ୍ଥାନୀୟ ଶିକ୍ଷକମାନଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି  । ଜଣେ ନୋଡ଼ାଲ ଅଫିସର ଏହାର ସର୍ବେକ୍ଷଣ ଦାୟିତ୍ୱରେ ରହିଛନ୍ତି । ଏକାନ୍ତଗୃହର ପରିସରର ସମ୍ପୂର୍ଣ୍ଣ ଭାବେ ଆଇସୋଲେଟେଡ଼ ହେବା ସାଙ୍ଗକୁ ୨୪ ଘଣ୍ଟିଆ ବିଜୁଳି ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉତ୍ତମ ଶୌଚାଳୟ, ଫ୍ୟାନ, ଲାଇଟ, ଇନଭେଟର ବ୍ୟବସ୍ଥା ରହିବ । ସେହିପରି ଖଟ, ବିଛଣା ଚଦର, ତକିଆ, ବାଲଟି, ମଗ ସହିତ  ଟୁଥ ବ୍ରସଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର ସକାଳ ଜଳଖିଆ, ମଧ୍ୟାହ୍ନ ଓ ରାତି ଭୋଜନ ଆଦି ସରକାରଙ୍କ ପକ୍ଷରୁ ମାଗଣାରେ  ଅନ୍ତେବାସୀମାନଙ୍କୁ ଯୋଗାଇ ଦିଆଯିବ ।  ତେବେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରିଥିବା ଗାଇଡ଼ ଲାଇନ ଜିଲ୍ଲା ପ୍ରଶାସନକୁ ଅଡ଼ୁଆ ମଧ୍ୟକୁ ଟାଣି ନେଇଛି । ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆମାନେ ପଞ୍ଚାୟତ ଓ ସହରାଞ୍ଚଳଗୁଡ଼ିକରେ ପ୍ରସ୍ତୁତ ହୋଇଥିବା ଟିଏମସି ସେଣ୍ଟରରେ ରହିବେ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଥିବା ବେଳେ ଟିଏମସି ସେଣ୍ଟରଗୁଡ଼ିକରେ ଉପଲବ୍ଧ ବେଡ଼କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

0
0
0
s2sdefault