ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରି କରୋନା ଭୁତାଣୁ ସଂକ୍ରମିତରୁ ସୁରକ୍ଷିତ ରହିବା ଏବଂ ଏହା ଅନ୍ୟ ଦ୍ୱାରା ଯେପରି ଜଣକୁ ନ ବ୍ୟାପିବ , ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଘୋଷଣା କରାଯାଇଛି ।
ଏଥିପାଇଁ ପ୍ରଶାସନ ସମେତ ସବୁ ମହଲରେ ସରକାରଙ୍କ ଏଭଳି ଘୋଷଣା ପ୍ରତି ସ୍ୱାଗତ କରାଯାଇଛି । ଅନ୍ୟ ପକ୍ଷରେ ପ୍ରଶାସନ ଓ ପୋଲିସ ପକ୍ଷରୁ ମଧ୍ୟ ସମସ୍ତେ ଯେଭଳି ବାଧ୍ୟତା ମୂଳକ ଭାବେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ , ସେଥିପାଇଁ ଏହି ନିୟମକୁ କଡାକଡି କରାଯାଇଛି । ପାରଳାଖେମୁଣ୍ଡି ପୌର ପରିଷଦରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ସହ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପ୍ରତିଦିନ ନିୟମିତ ଭାବେ ଡାକବାଜି ଯନ୍ତ୍ର (ମାଇକିଙ୍ଗ) ଦ୍ୱାରା ସମସ୍ତଙ୍କୁ ସଚେତନ କରାଯାଉଛି ।
ଦୈନିକ ହାଟ , କିରାଣୀ ଦୋକାନ , ଓ ପେଟ୍ରୋଲ ବାଙ୍କରେ ମାସ୍କ ପିନ୍ଧିବା ପ୍ରତି ଅଧିକ ଗୁରୁତ୍ଵ ଦିଆଯାଉଛି । ପନିପରିବା ହାଟରେ ଓ କିରାନି ଦୋକାନରେ ଉଭୟ ବିକାଳୀ ଓ ଗ୍ରାହକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରୁଥିବା ଦେଖାଯାଇଛି । ସେହିଭଳି ପେଟ୍ରୋଲ ବାଙ୍କ ମାନଙ୍କରେ "ନୋ ମାସ୍କ ନୋ ପେଟ୍ରୋଲ" ଲେଖାଯାଇ ଯେଉଁ ମାନେ ମାସ୍କ ପିନ୍ଧି ପେଟ୍ରୋଲ ପାଇଁ ଆସୁଛନ୍ତି ସେହି ମାନଙ୍କୁ କେବଳ ପେଟ୍ରୋଲ ଦିଆ ହେଉଛି ।
ସରକାରଙ୍କ ପକ୍ଷରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୁଳକ କରାଯିବା ପରେ ସମସ୍ତେ ମାସ୍କ ପିନ୍ଧାକୁ ଅଧିକ ଗୁରୁତ୍ୱ ଦେଇ ମାସ୍କ ପିନ୍ଧୁଛନ୍ତି । ପାରଳାଖେମୁଣ୍ଡି ସହରରେ ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି ଶ୍ରୀ କେ:- ନାରାୟଣ ରାଓଙ୍କ ନେତୃତ୍ୱରେ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସମସ୍ତ ପ୍ରକାରର ଶତାଧିକ କର୍ମଚାରୀଙ୍କୁ ସେନିଟାଇଜର ଓ ମାସ୍କ ବଣ୍ଟନ କରିଥିଲେ ।
ସେହିଭଳି ମାସ୍କର ଘୋର ଅଭାବ ଏବଂ ଗ୍ରାମାଞ୍ଚଳରେ ରହୁଥିବା ଗରିବ ଦୁଖୀ ଓ ଅସହାୟ ଲୋକଙ୍କୁ ଏହିଭଳି ଅଭାବି ପୁରାଣ କରିବା ପାଇଁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବି-ସୀତାପୁର ଗ୍ରାମର ଅଙ୍ଗନବାଡି ଦିଦି ପୁଷ୍ପାଞ୍ଜଳି ପଣ୍ଡା ଆଗେଇ ଆସି ନିଜସ୍ୱ ଖର୍ଚ୍ଚରେ ୨୦୦ ରୁ ଅଧିକ ମାସ୍କ ଗ୍ରାମର ମା କୁଠାରୀ ମହିଳା ମଣ୍ଡଳୀ ଗ୍ରୁପ ମାଧ୍ୟମରେ ତିଆରି କରାଇ ବଣ୍ଟନ କରୁଛନ୍ତି ।
ସେହିଭଳି ନିଜସ୍ୱ ଖର୍ଚ୍ଚରେ ମାସ୍କ ତିଆରି କରାଇ କିଭଳି ଓ କାହାକୁ ବଣ୍ଟନ କରୁଛନ୍ତି , ସେ ସମ୍ପର୍କରେ ଅଙ୍ଗନବାଡି ଦିଦି ପୁଷ୍ପାଞ୍ଜଳୀ ପଣ୍ଡା କହିଥିଲେ ।