ହେଡଲାଇନସ୍:

 "ଦେଶ ଏକ ସାମାଜିକ ଜରୁରିସ୍ଥିତି ଦେଇ ଗତି କରୁଛି, କଠୋର ନିଷ୍ପତ୍ତି ସହ ସତର୍କ ଜରୁରୀ" :  – ପ୍ରଧାନମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜନୈତିକ ଦଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

• ପ୍ରତ୍ୟେକଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା

• ସଂକ୍ରମଣ ରୋକିବା ପାଇଁ ରାଜ୍ୟ, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ଲକଡାଉନ ଅବଧି ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି

• ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ବିଭିନ୍ନ ପରାମର୍ଶ ଓ ସମ୍ଭାବ୍ୟ ପଦକ୍ଷେପ ନେଇ ପ୍ରସ୍ତାବ ଦେଲେ ନେତୃବୃନ୍ଦ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଆଜି ସଂସଦର ବିଭିନ୍ନ ରାଜନୈତିକ ଦଳ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ସମଗ୍ର ବିଶ୍ଵ ବର୍ତ୍ତମାନ କୋଭିଡ-19ର ଜଟିଳ ପରିସ୍ଥିତି ସାମନା କରୁଛି । ବର୍ତ୍ତମାନର ପରିସ୍ଥିତି ମାନବ ଜାତିର ଇତିହାସକୁ ମଧ୍ୟ ପରିବର୍ତ୍ତନ କରିଦେଇପାରେ । ଏହାକୁ ପ୍ରତିହତ କରିବା ପାଇଁ ଆମକୁ ସର୍ବବିଧ ଉଦ୍ୟମ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଗୁଡିକ କେନ୍ଦ୍ର ସହ ସମତାଳରେ କରୋନା ସଂକ୍ରମଣର ପ୍ରତିକାର ପାଇଁ କାମ କରୁଥିବାରୁ ସେ ରାଜ୍ୟ ସରକାରଗୁଡିକୁ ପ୍ରଶଂସା କରିଛନ୍ତି । ପ୍ରତ୍ୟେକ ନାଗରିକ ଏହି ସଂଗ୍ରାମର ମୁକାବିଲା କରିବା ପାଇଁ ଲକଡାଉନ ଓ ଜନତା କର୍ଫ୍ୟୁ ସମୟରେ ସାମାଜିକ ଦୁରତ୍ଵକୁ ଅତ୍ୟନ୍ତ ଶୃଙ୍ଖଳା ଓ ନିଷ୍ଠାର ସହ ପାଳନ କରିଥିବାରୁ ସେମାନେ ପ୍ରଶଂସାର ପାତ୍ର ବୋଲି ଶ୍ରୀ ମୋଦୀ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ ଉତ୍ପନ୍ନ ସ୍ଥିତିର ପ୍ରଭାବ ସମ୍ପର୍କରେ ସୂଚନା ଦେବା ସହ ପୃଥିବୀର କେତେକ ଦେଶ ମଧ୍ୟରେ ଭାରତ ଏପର୍ଯ୍ୟନ୍ତ ସଂକ୍ରମଣର ପ୍ରଭାବକୁ ରୋକିବାରେ ସମର୍ଥ ହୋଇଛି ବୋଲି କହିଥିଲେ । ମାତ୍ର ପରିସ୍ଥିତି ସବୁବେଳେ ବଦଳୁଥିବାରୁ ଆମକୁ ସବୁବେଳେ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ବର୍ତ୍ତମାନ ଏକ ସାମାଜିକ ଜରୁରିସ୍ଥିତି ଦେଇ ଗତି କରୁଛି । ଦେଶକୁ କଠୋର ନିଷ୍ପତ୍ତି ନେବା ସହ ସତର୍କ ରହିବାକୁ ପଡିବ । ଲକଡାଉନର ଅବଧି ବଢେଇବା ପାଇଁ କେତେକ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଦେଶକୁ ଏହାର କାର୍ଯ୍ୟ ସଂସ୍କୃତି ଓ କାମ କରିବା ଢଙ୍ଗରେ ପରିବର୍ତ୍ତନ ଆଣିବାକୁ ପଡିବ । ପ୍ରତ୍ୟେକ ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ସରକାର ପ୍ରାଥମିକତା ଦେଉଥିବା ବେଳେ କୋଭିଡ-19 ଯୋଗୁଁ ଦେଶ ଗୁରୁତର ଆର୍ଥିକ ଆହ୍ୱାନର ସମ୍ମୁଖିନ ହେଉଛି ବୋଲି ସେ କହିଛନ୍ତି । ତେବେ ସରକାର ଏହି ଆହ୍ଵାନକୁ ମୁକାବିଲା କରିବା ଲାଗି ଅଙ୍ଗୀକାରବଦ୍ଧ ।

ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଏହାର ସୁବିଧା ଦେବାଠୁ ଆରମ୍ଭ କରି ଏଭଳି ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ଆବଶ୍ୟକ ପଦକ୍ଷେପଗୁଡିକ ଉପରେ ବିସ୍ତ୍ରୁତ ସୂଚନା ଦେଇଥିଲେ ।     ଆଲୋଚନାରେ ଯୋଗଦେଇଥିବା ନେତାମାନେ ସମୟୋଚିତ ପଦକ୍ଷେପ ନେଇଥିବାରୁ ଏହାର ପ୍ରଶଂସା କରିବା ସହ ସମଗ୍ର ଦେଶ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ସହିତ ରହିଛି ବୋଲି କହିଥିଲେ । ସେମାନେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନଙ୍କର ନୈତିକ ମନୋଭାବ ବୃଦ୍ଧି, ପରୀକ୍ଷା ନିରୀକ୍ଷା ସୁଯୋଗ ବୃଦ୍ଧି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କ୍ଷୁଧା ଓ ଅପପୃଷ୍ଟିର ଆହ୍ଵାନକୁ ସାମ୍ନା କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନେ ଲକଡାଉନ ଅବଧି ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ଏଭଳି ଗଠନମୂଳକ ପ୍ରସ୍ତାବ ଓ ନିଆଯାଇଥିବା ପଦକ୍ଷେପ ପାଇଁ ନେତାମାନଙ୍କୁ ଧନ୍ୟବାଦ ଦେବା ସହ ଦେଶର ଗଣତାନ୍ତ୍ରିକ, ଭିତ୍ତିଭୂମି ଓ ସମନ୍ଵୟ ଭିତ୍ତିକ ସଂଘୀୟ ପରମ୍ପରା ଦୃଷ୍ଟିରୁ ସରକାର ଏସମସ୍ତ ଦିଗରେ ନିଶ୍ଚିତ ଦୃଷ୍ଟି ଦେବେ ବୋଲି କହିଥିଲେ ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ, ଦେଶର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ବରିଷ୍ଠ ପଦାଧିକାରୀମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

0
0
0
s2sdefault