ଖାଦ୍ୟ ବଣ୍ଟନ ଉପରେ ଲାଗିଲା ପ୍ରଶାସନିକ କଟକଣା
ବାରିପଦା(ଦିଲ୍ଲୀପ ମହାନ୍ତି)- ଲକ୍ ଡ଼ାଉନ ଅବଧି ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ କେହି ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିପାରିବେ ନାହିଁ । ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସ୍ୱେଚ୍ଛାସେବୀ ସଙ୍ଗଠନ, ଏନ୍ଜିଓ ଅଥବା ନାଗରିକ ସଙ୍ଗଠନ ଆଦି ପକ୍ଷରୁ ସାଧାରଣ ରନ୍ଧା କିମ୍ବା ଶୁଖିଲା ଖାଦ୍ୟ ବଣ୍ଟନ କରିପାରିବେ ନାହିଁ ବୋଲି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୭୧୦/ଇଏମ୍ଜି ୦୩.୦୪.୨୦୨୦ ଅନୁସାରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ କୌଣସି ସ୍ୱେଚ୍ଛାସେବୀ ସଙ୍ଗଠନ, ଏନ୍ଜିଓ ଅଥବା ନାଗରିକ ସଙ୍ଗଠନ ଆଦି ଲକ୍ ଡ଼ାଉନ ସମୟରେ ଜନସାଧାରଣଙ୍କ ମଧ୍ୟରେ ରନ୍ଧା ଅଥବା ଶୁଖିଲା ଖାଦ୍ୟ ବଣ୍ଟନ କରିବାକୁ ଆଗ୍ରହୀ ରହିଥାନ୍ତି ତେବେ ସମ୍ପୃକ୍ତ ବ୍ଲକ, ଏନଏସି, ପୌରପରିଷଦ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି କାର୍ଯ୍ୟାଳୟର କର୍ମଚାରୀଙ୍କ ସହାୟତାରେ ଖାଦ୍ୟ ବଣ୍ଟନ କାର୍ଯ୍ୟ କରାଇବାକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଦେଶନାମାରେ ଦର୍ଶାଇଛନ୍ତି । ସୂଚନା ଯୋଗ୍ୟ ଯେ, ଲକ୍ ଡ଼ାଉନ ସମୟରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସଂସ୍ଥା, ସଙ୍ଗଠନ ପକ୍ଷରୁ ଘୁରି ଘୁରି ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିଲା । ଏହି ସମୟରେ ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ସର୍ବନିମ୍ନ ଏକ ମିଟର ବ୍ୟବଧାନକୁ ପାଳନ କରାନଯିବା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଲକ୍ ଡ଼ାଉନର ମାର୍ଗଦର୍ଶୀକାକୁ ଅଣଦେଖା ପ୍ରଦର୍ଶନକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନା ହେବାପରେ ଆଜି ଜିଲ୍ଲାପାଳଙ୍କ ନିଦେ୍ର୍ଧଶରେ ଏହି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ।












