ହେଡଲାଇନସ୍:

ପରୀକ୍ଷାର୍ଥୀଙ୍କୁ କରୋନା ମାଡ଼, ଆନ୍ଧ୍ରରେ ଅଟକି ରହିଛନ୍ତି ୪୨ ଛାତ୍ରଛାତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସହାୟତା ପାଇଁ ସୋସିଆଲ୍ ମିଡିଆରେ ନିବେଦନ, ଆଗେଇ ଆସିଲେ ସାଂସଦ

ବାରିପଦା(ଦିଲ୍ଲୀପ ମହାନ୍ତି) : ପରୀକ୍ଷାର୍ଥୀଙ୍କୁ ଦାଉ ସାଜିଛି କରୋନା। କରୋନା ପାଇଁ ହୋଇଥିବା ଲକ୍ଡାଉନ୍ କାରଣରୁ ଆନ୍ଧ୍ରପ୍ରଦେଶରେ ଅଟକି ରହିଛନ୍ତି ୪୨ ଜଣ ଛାତ୍ରଛାତ୍ରୀ। ଚଳିତ ମାସ ୧୩ରେ ବାରିପଦାର ଜଣେ ଛାତ୍ରଙ୍କ ସମେତ ପଡ଼ୋଶୀ ବାଲେଶ୍ବର ଜିଲ୍ଲାରୁ ୧୮ ଛାତ୍ରୀ ଏବଂ ୨୪ ଛାତ୍ର ଆନ୍ଧ୍ରକୁ  ବିଇଡି  ପରୀକ୍ଷା ଦେବାକୁ ଯାଇଥିଲେ । ୨୧ରେ ପରୀକ୍ଷା ସରିବା ପରେ ୨୨ରେ ଘରକୁ ଫେରିବା ନିମନ୍ତେ ଟିକେଟ୍ ହୋଇଥିଲା। ମାତ୍ର ରେଳ ବିଭାଗ ପକ୍ଷରୁ ଟିକେଟ୍ ବାତିଲ୍ ହୋଇଥିଲା। ପରେ ୨୩ରେ ହୋଇଥିବା ଟିକେଟ୍ ମଧ୍ୟ ବାତିଲ୍ ହୋଇଥିଲା। ଅଟକ ରହିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣେ ପ୍ରସୂତୀ ମଧ୍ୟ ଥିବା ଜଣାପଡ଼ିଛି। ତେବେ ଚଳିତ ମାସ ୩୧ ପର୍ଯ୍ୟନ୍ତ  ଦେଶରେ ରେଳ ଗମନାଗମନ ବାତିଲ୍ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଅସହାୟ ହୋଇପଡ଼ିଛନ୍ତି। ତେଣୁ ଛାତ୍ରଛାତ୍ରୀମାନେ ସହଯୋଗ ନିମନ୍ତେ ସୋସିଆଲ୍ ମିଡିଆରେ ନିବେଦନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ନିକଟରେ ଖାଦ୍ୟ ପଦାର୍ଥ ମଧ୍ୟ ନାହିଁ। ତେଣୁ ସେଠାରୁ ସେମାନଙ୍କୁ ଉଦ୍ଧାର ନିମନ୍ତେ ବାରିପଦାର ଛାତ୍ରଙ୍କ ଅଭିଭାବକ ପଙ୍କଜ କୁମାର ଦାସ ଅନୁରୋଧ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କୁ ସହାୟତା ପାଇଁ ଆଗେଇଆସିଛନ୍ତି ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ। ଅଟକ ଛାତ୍ରଛାତ୍ରୀଙ୍କୁ ଫେରେଇଆଣିବାକୁ ଜିଲ୍ଲାପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ସମାଲୋଚନା କରିଥିଲେ। ରାଜ୍ୟ ବାହାରେ ଥିବା ଏହି ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ସେ ଚେଷ୍ଟା କରିବେ। ତେବେ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କୁ ଫେରାଇ ନ ଆଣିପାରିଲେ ଆନ୍ଧ୍ରପ୍ରଦେଶର ସେହି ସ୍ଥାନରେ ଛାତ୍ରଛାତ୍ରୀଙ୍କର ରହିବା ଖାଇବାର ସୁବନ୍ଦୋବସ୍ତ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ। ଏନେଇ ସେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ଆଲୋଚନା ମଧ୍ୟ କରିଥିବା ପ୍ରକାଶ କରିଛନ୍ତି। 

 

0
0
0
s2sdefault