ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ): ପ୍ରସିଦ୍ଧ ନେମାଳୋ ପୀଠର ବିକାଶ ସଂପର୍କରେ ପଂଚାୟତିରାଜ,ପାନୀୟ ଜଳ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳୋ ପଂଚାୟତର ଏକ ତୀର୍ଥସ୍ଥାନ ଯାହା ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠ ସ୍ଥଳୀ ଭାବେ ପରିଚିତ । ଅନେକ ଏହାକୁ ପଦ୍ମବନ ଭାବେ ଅବିହିତ କରିଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥିବା ଏହି ପୀଠକୁ ଦୈନନ୍ଦିନ ପର୍ଯ୍ୟଟକ , ଶ୍ରଦ୍ଧାଳୁଙ୍କ ଆଗମନ ଏବଂ ଏଠାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣିରେ ଜନସମାଗମକୁ ଆଦିକୁ ଦୃଷ୍ଟିରୁ ଏହି ପୀଠର ବିକାଶ ପାଇଁ ଆଜିର ବୈଠକରେ ଗୁରୁତ୍ୱ ଆରୋପ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତି ହୋଇଛି । ଏହି ପୀଠ ଏବଂ ଏହାର ଚତୁର୍ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ଜନସାଧାରଣଙ୍କ ସୁବିଧା, ଆନନ୍ଦ ବଜାରର ଉନ୍ନତିକରଣ , ଆଲୋକୀକରଣ, ରହିବାର ବ୍ୟବସ୍ଥା ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଆର୍ଥିକ ବ୍ୟବସ୍ଥା ସହିତ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବାକୁ ସ୍ଥିର ହୋଇଛି । ଏ ନେଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଚୁଡାନ୍ତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି।
ବିଧାନସଭାସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ଦେବୋତର କମିଶନର, ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ, କଟକ ଉପଜିଲ୍ଲାପାଳ, ନିଶ୍ଚନ୍ତକୋଇଲି ବ୍ଲକ୍ ଚେୟାରମ୍ୟାନ ଅଶୋକ କୁମାର ଓଝା. ବିଡିଓ ଏବଂ କଟକ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।