ସ୍ୱଚ୍ଛତା ଉପରେ ଗୁରୁତ୍ୱ: ଶ୍ରୀମନ୍ଦିର ଭିତରକୁ ପାନ ଖାଇ ଗଲେ ଜରିମାନା
ପୁରୀ(ଶାସକ ପ୍ରଶାସକ) ) ସେ ଯିଏ ହୁଅନ୍ତୁ ନା କାହିଁକି ଆଉ ନିସ୍ତାର ନାହିଁ | ସେ ଭକ୍ତ ହୁଅନ୍ତୁ କି ସେବାୟତ | ଯିଏ ପାନ ଖାଇ ମନ୍ଦିର ଭିତରେ ପଶିବ ସିଏ ତଣ୍ଡ ଗଣିବ | ଶ୍ରୀମନ୍ଦିର ପରିସରକୁ ସ୍ୱଚ୍ଛ ତଥା ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଖରୁ ଆଜି ଛତିଶା ନିଯୋଗ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | ଆସନ୍ତା ଏପ୍ରିଲ ପହିଲାରୁ ଶ୍ରୀମନ୍ଦିର ଭିତରେ ପାନ ଖାଇ ପସିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଆଜି ଏଠାରେ ଅନୁଷ୍ଠିତ ଛତିଶା ନିଯୋଗ କମିଟି ବୈଠକରେ ନିଷ୍ପତି ହୋଇଛି ।ବିଶ୍ୱ ମାନଚିତ୍ରରେ ଗୁରୁତ୍ୱପୂର୍ଣ ସ୍ଥାନ ଗ୍ରହଣ କରୁଥିବା ପୁରୀ ଶ୍ରୀମନ୍ଦିର ବାହାରକୁ ପର୍ଯ୍ୟଟକଙ୍କ ଆକର୍ଷଣ ଅନୁରୂପ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ମନ୍ଦିର ଭିତର ବି ଚକାଚକ ରଖିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ କମିଟିର ବୈଠକ ଏହି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଉପରେ ଲାଗିଛି ମୋହର |
ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଭିତରକୁ ପାନ ଘୁଟୁକା ଖାଇ ଯିବାରେ ଆଗରୁ କଟକଣା ନଥିଲା | ହେଲେ ତାହାର ପରିଣାମ ସ୍ୱରୂପ ମନ୍ଦିର ଭିତରେ କେତେକ ସ୍ଥାନରେ ପାନ ଛିପ ଝୋଟି ଦେଖିବାକୁ ମିଳି ଆସୁଛି | କିଛି ଦିନ ତଳେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଶ୍ରୀମନ୍ଦିର ଯାଇଥିଲେ ପ୍ରଭୁଙ୍କ ଦର୍ଶନ ପାଇଁ | ଆଉ ମନ୍ଦିର ବେଢା ବୁଲିବା ବେଳେ ଗୋଟିଏ ସ୍ଥାନରେ ପାନ ଛେପ ପଡିଥିବା ଦେଖି ନାପସନ୍ଦ କରିଥିଲେ | ସଂଗେ ସଂଗେ ସେ ସ୍ଥାନଟିକୁ ସଫା କରାଯାଇଥିଲା | ହେଲେ ସେଦିନ ସେଠାରେ ଉପସ୍ଥିତ ସେବାୟତ ଓ କର୍ମଚାରୀଙ୍କୁ ଶ୍ରୀ ପାଣ୍ଡିଆନ କହିଥିଲେ " ଆସନ୍ତା ଥର ମୁ ଆସିଲେ ଯଦି କେଉଁଠି ପାନ ଛେପ ଯଦି ଦେଖେ, ତେବେ ମୁ ନିଜେ ତାକୁ ଧୋଇ ସଫା କରିବି" | ଆଜି ବୈଠକରେ ଡ଼ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୋଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଦାୟିତ୍ୱ ସମ୍ପନ୍ନ କରିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି |
ଆଜିର ବୈଠକରେ ନିଆଯାଇଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗୁଡିକ ମଧ୍ୟରେ ଭୋଗମଣ୍ଡପରୁ ଧାର୍ୟ୍ୟ ସମୟ ଆଗରୁ ଅବଢ଼ା ବାହାରିବା ନେଇ ପଦକ୍ଷେପ ନିଆଯିବାକୁ ନିଷ୍ପତି ହୋଇଛି । ଏହାସହ ଏପ୍ରିଲ ୧ରୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ ମୁକ୍ତ କରାଯିବ ବୋଲି ମଧ୍ୟ ସ୍ଥିର ହୋଇଛି ।
ଏହି ବୈଠକରେ ଆସନ୍ତା ୯ତାରିଖରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଆଦି ଉପରେ ଆଲୋଚନା କରାଯାଇଛି। ଏଥିସହ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂହ, ଏସ୍ପିଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।