ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ୧୦ମ ଜାତୀୟ ମତଦାତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା-ପ୍ରଶାସନ ପକ୍ଷରୁ  ଜିଲ୍ଲା ସ୍ତରୀୟ ୧୦ମ ଜାତୀୟ  ମତଦାତା ଦିବସ  ପାଳିତ ହୋଇଯାଇଛି ।

   ଏହି ଅବସରରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା । ଏହାକୁ ଜିଲ୍ଲା ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

   ସଚେତନତା ଶୋଭାଯାତ୍ରାରେ  ବିଦ୍ୟାଳୟର ପିଲାମାନେ ପ୍ଲା-କାର୍ଡ ଧରି  ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ । ପରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ସଭା-ମଞ୍ଚ ଠାରେ ନିର୍ବାଚନ ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁଙ୍କ ସଭାପତିତ୍ୱରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତର ନାଗରିକ ଭାବେ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରା ବଜାୟ ରଖିବାକୁ କହିଥିଲେ । ଅନ୍ୟ ପକ୍ଷରେ ମୁକ୍ତ , ଅବାଧ ଓ ନିରପେକ୍ଷ ଭାବେ ଜାତି , ଧର୍ମ , ବର୍ଣ୍ଣ , ଗୋଷ୍ଠି ଓ ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ କରିଥିଲେ। ପରେ ଏଥି ନେଇ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇ ଥିଲେ। ।

  ରିଟର୍ଣ୍ଣିଙ୍ଗ ଅଧିକାରୀ ରଜନୀ କାନ୍ତ ସ୍ବାଇଁ ଏବଂ ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଅଚ୍ୟୁତା ନନ୍ଦ ଜାନି ଅନ୍ୟତମ ମଞ୍ଚସୀନ ଭାବେ ଯୋଗଦେଇ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ଥିଲେ  ।

ମୁଖ୍ୟତଃ ୧୮ ବର୍ଷ ବୟସରୁ ଅଧିକ ଯେଉଁ ସାବାଳକ ଅଛନ୍ତି , ସେମାନେ ନିଜ ନାମ ପଞ୍ଜିକରଣ କରି ବିଶ୍ବର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ଭୋଟର ହିସାବରେ ନିଜକୁ ଗୌରାବନ୍ବିତ କରନ୍ତୁ । ଜିଲ୍ଲାରେ ସ୍ବତନ୍ତ୍ର ଭୋଟର ତାଲିକା ପ୍ରକ୍ରିୟା ପ୍ରତିବର୍ଷ ହୋଇଥାଏ। ଏହି ପ୍ରକ୍ରିୟାରେ ନୂତନ ଭୋଟର ମାନଙ୍କ ନାମ ଯୋଗ କରାଯାଇଥାଏ ।ଯେଉଁମାନେ ମୃତ ହୋଇ ଯାଇଛନ୍ତି କି ସ୍ଥାନ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି , ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଥାଏ ।

   ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟରଙ୍କ ଦାୟିତ୍ୱ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଆମେ ନିଜେ ଭୋଟଟିଏ ହେବା ଏବଂ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜେ ସାମିଲ ହୋଇ ଦେଶକୁ ଠିକ ବାଟରେ ପରିଚାଳନା କରିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ହେଉ ବୋଲି କହିଥିଲେ ।

   ଏହି ଜାତୀୟ କାର୍ଯ୍ୟକ୍ରମ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ , ସର୍ବଶ୍ରେଷ୍ଠ ବିବେଚିତ ବିଏଲଓ , ସୁପ୍ରଭାଇଜର ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ବେଳେ ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା ।

   ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ  ନିର୍ବାଚନ ପ୍ରକ୍ରିୟାରେ ଭୋଟର ମାନଙ୍କ  ରହିଥିବା ଦାୟିତ୍ୱ ଓ କର୍ତ୍ତବ୍ୟର ବିଭିନ୍ନ ଦିଗ ସମ୍ପର୍କରେ   ବିସ୍ତୃତ ଭାବେ ଆଲୋଚନା କରି ଏକ ସୁଦୃଢ ଗଣତନ୍ତ୍ର ଗଠନ ନିମନ୍ତେ ଭଲ ସ୍ଵଛ ପ୍ରତିନିଧି ବାଛି ମତଦାନ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ ।

    ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ବୃଷକେତୁ ଦାସ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault