ହେଡଲାଇନସ୍:

ଚକମକ ହେବ ରୌପ୍ୟନଗରୀ,ବଦଳିବ ଚେହେରା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମହାନଦୀ କୂଳେ କୂଳେ ବୁଲିଲେ ମୁଖ୍ୟମନ୍ତ୍ରୀ : କଲେ କଟକ ବିକାଶ କାର୍ଯ୍ୟର ସମୀକ୍ଷା

  • ସହରରେ ମୁକ୍ତ ପରିବେଶ ସହିତ  ବିକାଶ କରାଯିବା ରିଭର୍ ପ୍ରଣ୍ଟ୍ 

  • ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ  ୬ ଥାକିଆ ହେବ ରିଙ୍ଗ ରୋଡ୍

  • ଜନସାଧାରଣଙ୍କ ମତକୁ ଗୁରୁତ୍ୱ ଦେଇ ପ୍ରସ୍ତୁତ ହେବ ସିଟୀଜେନ ପ୍ଲାନ   

  •  ଏସସିବିକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ 

ଭୁବନେଶ୍ୱର/ କଟକ (ଶାସକ ପ୍ରଶାସକ) ବଦଳିବ ସିଲଭର ସିଟିର ଚେହେରା | ଭାଇଚାରାର ସହର, ଭାବସଂପ୍ରିତିର ସହର, ଅନେକ ଐତିହ୍ୟର ସହର, ହଜାରେ ବର୍ଷର ସହର, ବୀର ଓଡ଼ିଆ ଜାତିର ଵୀରଗାଥାକୁ ଉଦଘୋଷିତ କରୁଥିବା ଭଗ୍ନ ବାରବାଟୀ ଦୁର୍ଗକୁ ସଗରବେ ଛାତିରେ ଧରିଥିବା ସହର,  କଳା ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ପରିଚିତ ସହର, ତାରକସି କାମ ପାଇଁ ସାରା ବିଶ୍ବରେ ପରିଚିତି ପାଇଥିବା ସହର ରୌପ୍ୟନଗରୀର ରୂପ ରୁପା ପରି ଝଲମଲ ହେବ | ଆଉ କଟକ ସହରର ବିକାଶ ପାଇଁ ମନ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ବିଳମ୍ବ ହେଲେ ବି ବିଭିନ୍ନ ପ୍ରମୁଖ ସହରକୁ ସୁନ୍ଦର କରି ଗଢି ତୋଳିବାର ଯେଉଁ ସ୍ବପ୍ନକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଆଉ ଯାହାର କାର୍ଯ୍ୟକାରିତା ଭାର ନେଇଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଭି କାର୍ତିକେୟନ ପାଣ୍ଡିୟାନ, ସେହି ଅନ୍ତର୍ଗତ କଟକବାସୀଙ୍କୁ ସରକାର ଖୁବ ଶୀଘ୍ର ଭେଟି ଦେବାକୁ ଯାଉଛନ୍ତି ଏକ ରୂପାନ୍ତରିତ ତଥା ପରିବର୍ଦ୍ଧିତ ଚେହେରା | କିଛି ଦିନ ତଳେ  ୫ଟି ସଚିବଙ୍କ ଗସ୍ତ ପରେ କଟକ ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବା ପାଇଁ ବିପୁଳ ପରିମାଣର ଅର୍ଥରାଶି ମଂଜୁର କରିଥିବା ମୁଖ୍ୟମନ୍ତ୍ରୀ ଆଜି କଟକର ସୁନ୍ଦରତା ବୃଦ୍ଧି କରିବା ପାଇଁ ତାଙ୍କ ନକ୍ସା ବା ପରିକଳ୍ପନା କଟକ ବାସୀଙ୍କ ନିକଟରେ ରଖିଛନ୍ତି | ଆଉ କଟକ ବାସୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ | 

   କଟକ ବଡ଼ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ (ଏସସିବି)କୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ । ଏସସିବିର ବିଶ୍ୱସ୍ତରୀୟ ନବକଳେବର ସେହି ମୂଳ ଜାଗାରେ ହିଁ ହେଉଛି । ସେଥିପାଇଁ ଜଳସମ୍ପଦ, ଦକ୍ଷତା ବିକାଶ ଏବଂ ମତ୍ସ୍ୟ ବିଭାଗର ଅତିରିକ୍ତ ଜମିକୁ ଅଧିଗ୍ରହଣ କରାଯାଇଛି । ଏଥିସହ କଟକ ସହରର ବିକାଶ ହୋଇ ନୂଆ ରୂପ ଦିଆଯିବ । କଟକ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ବୁଧବାର ଦିନ  ଭୋରରୁ   ୫-ଟି ସଚିବ ଭି.କେ.ପାଣ୍ଡିଆନ୍ କଟକ ଆସି ମହାନଦୀର ହାଡ଼ିଆ ପଠା ଓ ସିସୋର ପଠା ଅଞ୍ଚଳ ପରିଦର୍ଶନ କରିଥିଲେ । କଟକ ସହର ଓ ଏସସିବି ନବକଳେବର ପାଇଁ ଆବଶ୍ୟକ ଅଞ୍ଚଳ ବୁଲି ଦେଖିଥିଲେ ।

ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଯାଇ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ପରେ ସହରର ବିକାଶ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  କଟକ ସହର ପାଇଁ ଏକ ବିଧିବଦ୍ଧ ଯୋଜନା କରାଯିବ । ଏଥିରେ ରାସ୍ତାଘାଟର ପ୍ରଶସ୍ତିକରଣ ସହିତ ମୁକ୍ତ ପରିବେଶ, ଉଦ୍ୟାନ ଏବଂ ସବୁଜିମା ସହିତ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯାଇ ସହରକୁ ନୂଆ ରୂପ ଦିଆଯିବ । ଏସସିବି ମେଡ଼ିକାଲ୍ କଲେଜର ଉନ୍ନତିକରଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚରେ ଆରମ୍ଭ କରାଯିବ । ଏଥିସହ କଟକ ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ରିଙ୍ଗ ରୋଡ୍ କୁ ୬ ଥାକିଆ କରାଯିବ | ହଜାର ବର୍ଷର ଆମ କଟକ ସହର ଅନେକ ଐତିହାସିକ ସ୍ମୃତି ବହନ କରୁଛି । ତେଣୁ ଏହାର ସମୁଚିତ ବିକାଶ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ବିକାଶ ପ୍ରକ୍ରିୟାରେ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ।

ଆଜି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଏହି ଐତିହାସିକ ସହର ଦେଇ ବହୁଥିବା ପବିତ୍ର ମହାନଦୀ ହେଉଛି ଓଡିଶା ବାସୀଙ୍କ ଜୀବନ ରେଖା |  ମହାନଦୀର ପୁନଃରୁଦ୍ଧାର ଜମିର ଉପଯୋଗ କରି କଟକ ସହରରେ ମୁକ୍ତ ପରିବେଶ ସହିତ ରିଭର୍ ପ୍ରଣ୍ଟ୍ ର ବିକାଶ କରାକରାଯାଇ ଏଥିରେ ପର୍ଯ୍ୟଟନର ସୁଯୋଗ ସୃଷ୍ଟି କରାଯିବ ।  ପୁନଃରୁଦ୍ଧାର ହୋଇଥିବା ୪୨୪ ଏକର ପରିମିତ ଜମିର ପ୍ରତିଟି ଇଂଚ୍ ଜମିକୁ ସହରବାସୀଙ୍କ ସୁଖ, ସୁବିଧା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କ୍ରାଡ଼ାଠାରୁ ଆରମ୍ଭ କରି ସାଂସ୍କୃତିକ ତଥା ଅବସର ବିନୋଦନ ସର୍ବୋପରି ପରିବେଶର ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯିବ । ଉକ୍ତ ଜମିର ଅଧିକାଂଶ ଅଞ୍ଚଳ ସବୁଜିମା ସୃଷ୍ଟି ପାଇଁ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |  କଟକ ସହରର ଉନ୍ନତିକରଣ ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଅଭିଜ୍ଞ ସହରାଞ୍ଚଳ ପ୍ରସ୍ତୁତିକାରୀଙ୍କୁ ନିୟୋଜିତ କରାଯିବ । ହେଲେ ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ମତକୁ ଗୁରୁତ୍ୱ ଦିଆଯିବ ବା ସିଟୀଜେନ ପ୍ଲାନ ପ୍ରସ୍ତୁତ କରାଯିବ  | ସେମାନଙ୍କ ସହର କେମିତି ହେବ, ସେଥିପାଇଁ  ଜନସାଧାରଣଙ୍କ ମତାମତକୁ ଗ୍ରହଣ କଲା ପରେ ଯାଇ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ କରାଯିବ । କଟକ ସହରର ବିକାଶ ପାଇଁ  ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି  ।

 

0
0
0
s2sdefault