ହେଡଲାଇନସ୍:

ବ୍ୟାଙ୍କ ଋଣ, କୃଷି ଋଣ ଆଦି କରିଦେବା ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲା ଧରୁଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋକଙ୍କ ଅଭିଯୋଗ ପରେ ପଡିଲା ନୂଆପଡା ପୋଲିସ ଖାପଚରେ : ବନ୍ଧାହେଲା, ୧୩ଲକ୍ଷ ଟଙ୍କା ଜବତ ବି ହେଲା 

ନୂଆପଡ଼ା(ଅମିତ ପୁରୋହିତ) ଜିଲ୍ଲାର କୋମନା ଓ ସିନାପାଲି ଥାନା ଅଚଂଳରେ ଲୋକମାନଙ୍କୁ ସବସିଡି ସହିତ ବ୍ୟାଙ୍କ ଋଣ, କୃଷି ଋଣ ଆଦି କରିଦେବା ଲୋଭ ଦେଖାଇ ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲ ତୁରେକେଲା ଗ୍ରାମର ମୂଳ ନିବାସୀ ନକୁଳ ବେନିଆ ଓରଫ ନରେନ୍ଦ୍ର ନାୟକ, ଧରୁଆ ବାବୁ (୪୦)ଙ୍କୁ କୋମନା ଥାନା ପୁଲିସ ଗିରଫ କରିବାସହ ତାଙ୍କ ଠାରୁ ୧୩ଲକ୍ଷ ୫୩ହଜାର ୯ଶହ ଟଙ୍କା ଜବତ କରିଛି । 

ଆଜି ସଦର ଥାନାରେ ନୂଆପଡ଼ା ଜିଲ୍ଲା ଆରକ୍ଷୀଅଧିକ୍ଷକ ବିନୀତ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, ତୁରେକେଲା ଅଚଂଳର ନକୁଳ ବେନିଆ ବହୁଦିନ ହେବ ଖଡିଆଳ ଅଚଂଳରେ ରହିଆସୁଛି । ସେ ସିନାପାଲି ଓ କୋମନା ଅଚଂଳରେ ଲୋକମାନଙ୍କ ସହିତ ମିଶି ନିଜକୁ ବ୍ୟାଙ୍କ କର୍ମଚାରୀ, କୃଷି ଅଧିକାରୀ ଯୋଗାଣ ନିରୀକ୍ଷକ, ଜିଲ୍ଲାପାଳଙ୍କ କିରାଣୀ ପରିଚୟ ଦେଇ ବିଭିନ୍ନ ନାଁରେ ଲୋକଙ୍କର ନିକଟତର ହୋଇ ସବସିଡିରେ ବହୁ ମାତ୍ରାଯୁକ୍ତ ଟଙ୍କା ଋଣ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷଲକ୍ଷ ଟଙ୍କା ଠକେଇ କରୁଥିଲା । ଏପରିକି ଲୋକଙ୍କର ବିଶ୍ୱାସ ଭାଜନ ପାଇଁ ସେମାନଙ୍କର ଆଧାର କାର୍ଡ, ଭୋଟର କାର୍ଡ, ବ୍ୟାଙ୍କପାସ ବୁକ ଆଦି ସଂଗ୍ରହ କରୁଥିଲା । ଫର୍ମ ପୂରଣ ଠୁନେଇ ତଦନ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ଅଲଗା ଅଲଗା ବାହାନାରେ ଟଙ୍କା ନେଉଥିଲା । ଲୋକମାନେ ସବସିଡିରେ ଋଣ ପାଇବା ଆଶାରେ ପ୍ରଲୋଭିତ ହୋଇ ନିଜର ସୁନା ଗହଣା ଠାରୁ ନେଇ ଜମିଜମା ପର୍ଯ୍ୟନ୍ତ ବନ୍ଧକ ରଖି ଅଭିଯୁକ୍ତକୁ ଟଙ୍କା ଦେଉଥିଲେ । ଠକାମୀର ଶିକାର ହୋଇଥିବା ସିନାପାଲିର ରୁପଧର ମାଝୀ ଓ କୋମନା ଥାନା ଅଚଂଳର ନିତ୍ୟାନନ୍ଦ ଜାନୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସିନାପଲି ଥାନା କେଶ ନଂ ୨୪/୨୦ ଓ କୋମନା ଥାନା ପକ୍ଷରୁ କେଶ ନଂ ୨୧/୨୦ ଧାରା ୪୧୯,୪୨୦ ରେ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଆରମ୍ଭ କରି ଗତ ୨୨/୧/୨୦ ତାରିଖ ଦିନ ତାଙ୍କୁ ଗିରଫ କରିଥିଲା  । ଗିରଫ ପରେ ଅଭିଯୁକ୍ତଙ୍କ ଠାରୁ ୧୩ଲକ୍ଷ ୫୩ହଜାର ୯ଶହ ଟଙ୍କା ସହ ୬ଟି ମୋବାଇଲ ଫୋନ,ରୁପଧର ମାଝୀ ଓ ନିତ୍ୟାନନ୍ଦ ଜାନୀ ଙ୍କର ବ୍ୟାଙ୍କ ପାସବୁକ, ଅଧାରକାର୍ଡ,ଭୋଟର କାର୍ଡ ଜବତ କରିଥିଲା । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବଲାଙ୍ଗିର ଜିଲ୍ଲାର ତୁରେକେଲା ଓ ବଙ୍ଗୋମୁଣ୍ଡା ଥାନାରେ ଭିନ୍ନଭିନ୍ନ ମାମଲା ରୁଜୁ ହୋଇ ବିଚାରାଧିନ ଥିବା ଏସପି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି । ସମ୍ମିଳନୀରେ ଏଏସପି ସୁନୀଲ କୁମାର ଆଚାର୍ଯ୍ୟ, ଏସଡିପିଓ ନୂଆପଡ଼ା ପ୍ରଶାନ୍ତ କୁମାର ପଟ୍ଟନାୟକ, ଏସଡିପିଓ ଖଡିଆଳ ବିରଚିଂ ପ୍ରସାଦ ଦେହୁରୀ, ସିନାପାଲି ଆଇଆଇସି ଜ୍ୟୋତିରଞନ ଗୈାଡ, କୋମନା ଆଇଆଇସି ନିର୍ମଳ ପାଣିଗ୍ରହୀ, ନୂଆପଡ଼ା ଆଇଆଇସି ଆଦିତ୍ୟ ମହାକୁଡ ଉପସ୍ଥିତ ଥିଲେ । 

0
0
0
s2sdefault