ହେଡଲାଇନସ୍:

୨୦ରୁ  ଜନତା ମୈଦାନରେ ୫ ଦିନିଆ “କୃଷି ଓଡିଶା”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃଷିକ୍ଷେତ୍ରରେ ରାଜ୍ୟ କରିଥିବା ପ୍ରଗତିର ଏକ ପ୍ରତିଛବି ଜନସାଧାରଣଙ୍କ ସମ୍ମୁଖରେ ତୋଳି ଧରିବ "କୃଷି ଓଡିଶା" : ଡ଼ ଅରୁଣ

  • କୃଷକ ମାନଙ୍କ ପାଇଁ ଅଧିକ ଉପଯୋଗୀ ଓ ଲାଭଦାୟକ କରିବା ସକାଶେ  ଏଥରର  "କୃଷି ଓଡିଶା" ହେବ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ

  • କୃଷି ବିଜ୍ଞାନୀ, କୃଷି ଛାତ୍ର ଓ କୃଷକ ମାନଙ୍କ ମଧ୍ୟରେ ନୂତନ କୃଷି ପଦ୍ଧତି ସମ୍ପର୍କରେ ହେବ  ମତର ଆଦାନ ପ୍ରଦାନ

  • ସ୍ୱତନ୍ତ୍ର ଥିମକୁ ନେଇ ପାଳିତ ହେବ ସ୍ୱତନ୍ତ୍ର ଦିବସ, ଆୟୋଜିତ ହେବ ତତସଂପର୍କିତ ଅଧିବେଶନ 

  • ଋଣ ଯୋଗାଣ ସୁଗମ କରାଇବା ସକାଶେ ୨୨ରେ ୫୦୦ରୁ ଉର୍ଦ୍ଧ୍ବ ବ୍ୟାଙ୍କ ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ଅଧିବେଶନ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ଅର୍ଥନୀତିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ରାଜ୍ୟର ପ୍ରାୟ ୬୨ ପ୍ରତିଶତ ଜନସାଧାରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରିଥାଆନ୍ତି I କୃଷକମାନଙ୍କ ଆୟକୁ ଦ୍ଵିଗୁଣିତ / ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ଯୋଜନା ପ୍ରଣୟନ କରି ଚାଷୀମାନଙ୍କୁ ଏହାର ଲାଭ ସିଧାସଳଖ ଯୋଗାଇ ଦେଉଛନ୍ତି I ଫଳତଃ ଆମେ ଆଜି କୃଷି କ୍ଷେତ୍ରରେ ଏକ ପ୍ରଗତିଶୀଳ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛେ I ବିଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶା କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଦୃଶ୍ୟମାନ ଅଗ୍ରଗତି ଲାଭ କରିଛି ଏବଂ କେତେକ କ୍ଷେତ୍ରରେ ଏହା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି I ଯେଉଁଥିପାଇଁ ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ଲାଭ କରିଛି I ଏଥିସହିତ  କୃଷି କର୍ମଣ ପୁରସ୍କାର ଅନ୍ତର୍ଗତ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବାରୁ ଚଳିତ ବର୍ଷ ରାଜ୍ୟ “Commendation” ଆୱାର୍ଡ ଲାଭ କରିଛି | କୃଷିକ୍ଷେତ୍ରରେ ରାଜ୍ୟ କରିଥିବା ପ୍ରଗତିର ଏକ ପ୍ରତିଛବି ଜନସାଧାରଣଙ୍କ ସମ୍ମୁଖରେ ତୋଳି ଧରିବା ସହିତ ରାଜ୍ୟର କୃଷକମାନଙ୍କୁ କୃଷିକ୍ଷେତ୍ରରେ ଘଟୁଥିବା ଓ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ "କୃଷି ଓଡିଶା" ଆୟୋଜନ କରାଯାଉଛି I କୃଷି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ସହିତ ପ୍ରତିବର୍ଷ “କୃଷି ଓଡିଶା” ତାର କଳେବର ବୃଦ୍ଧି କରିଚାଲିଛି I ଚଳିତ ବର୍ଷ କୃଷି ଓଡିଶାକୁ କୃଷକ ମାନଙ୍କ ପାଇଁ ଅଧିକ ଉପଯୋଗୀ ଓ ଲାଭଦାୟକ ନିମନ୍ତେ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବା ଦିଗରେ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୁଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି |   

ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡ଼ ସାହୁ କହିଛନ୍ତି ଯେ , ଜାନୁଆରୀ  ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ଜନତା ମୈଦାନରେ ଆୟୋଜିତ ହେଉଥିବା ୫ ଦିନିଆ “କୃଷି ଓଡିଶା”କୁ  ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଜାନୁଆରୀ ୨୦ ତାରିଖ ପୂର୍ବାହ୍ନ ୧୧.୪୫ ମିନଟ ରେ ଶୁଭ ଉଦଘାଟନ କରିବେ I ସେହିପରି ଜାନୁଆରୀ ୨୪ ତାରିଖରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ I 

ଚଳିତ ବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ଜାତୀୟ ବ୍ୟାଙ୍କ, ପଞ୍ଚାୟତିରାଜ ଜନପ୍ରତିନିଧି ଏବଂ ମହିଳାମାନଙ୍କର ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ ଦିବସ, ୨୨ ତାରିଖକୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି I ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିବା କ୍ଷେତ୍ରରେ ୨୨ ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି I ଏଥିରେ ରାଜ୍ୟର ପ୍ରାୟ ୫୦୦ ବ୍ୟାଙ୍କ ଅଧିକାରୀ ମାନେ ଯୋଗଦେବେ ବୋଲି ମନ୍ତ୍ରୀ ଡ଼ ସାହୁ କହିଛନ୍ତି |

କୃଷିର ଗୁରୁତ୍ୱ ଏବଂ କୃଷକ ମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଚଳିତ ବର୍ଷ ୨୨୮ ଟି ଷ୍ଟଲ ନିର୍ମାଣ କରାଯାଇଛି I ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ ଟି କମ୍ପାନୀ ଯୋଗଦେବେ I ଦେଶବିଦେଶରେ କୃଷିକ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀ ମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନା ଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି I ପ୍ରତିଦିନ ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଏହି ଆଲୋଚନା ଚକ୍ରର ଆୟୋଜନ କରାଯିବ ଯେଉଁଥିରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ପଦାଧିକାରୀ ମାନେ ଯୋଗଦେବେ | ଏହି ଆଲୋଚନା ଚକ୍ରରେ ମୁଖ୍ୟତଃ ଜଳବାୟୁ ଆଧାରିତ କୃଷି ଜ୍ଞାନ କୌଶଳ, ଜଳସଂପଦର ସୁବିନିଯୋଗ, ବିଭିନ୍ନ କୃଷି ସମସ୍ୟାର ସ୍ଥାୟୀ ସମାଧାନ, ମୂଲ୍ୟଯୁକ୍ତ ଉତ୍ପାଦ ପାଇଁ ବଜାର ସଂଯୋଗ, କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ମୂଲ୍ୟ ଶୃଙ୍ଖଳ ପରିଚାଳନା, ଫସଲ ଅମଳ ପରବର୍ତ୍ତୀ ଯତ୍ନ ଓ ପରିଚାଳନା, କୃଷିକ୍ଷେତ୍ରରେ ବିମାଭିତ୍ତିକ ଆପଦକାଳୀନ ସ୍ଥିତି ପରିଚାଳନା, ଲାଭପ୍ରଦ କୃଷି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯିବ I  ଏହି ଅବସରରେ କୃଷି ଓ ଆନୁଷଙ୍ଗିକ କୃଷି ସମ୍ବନ୍ଧିତ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ତଥ୍ୟ ଭିତ୍ତିକ ଆକର୍ଷଣୀୟ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି I ଏଥିସହିତ କୃଷି ବିଜ୍ଞାନୀ, କୃଷି ଛାତ୍ର ଓ କୃଷକ ମାନଙ୍କ ମଧ୍ୟରେ ମତର ଆଦାନ ପ୍ରଦାନ ହେବ ଯଦ୍ୱାରା କୃଷକମାନେ ନୂତନ କୃଷି ପଦ୍ଧତି ସମ୍ବନ୍ଧରେ ଅବଗତ ହୋଇପାରିବେ I କୃଷି ଓଡ଼ିଶାରେ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରୁ ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜ଼ିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଅଗ୍ରଣୀ ଚାଷୀମାନେ ଯୋଗଦେବେ ବୋଲି ମନ୍ତ୍ରୀ ଡ଼ ସାହୁ କହିଛନ୍ତି |

   କୃଷି ଓଡିଶା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ଚାଷୀ ଓ ଉତ୍ପାଦକ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ I ଏଥିସହିତ ପ୍ରତିଦିନ ସନ୍ଧ୍ୟାରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା ସହିତ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ ମଧ୍ୟ ମନ୍ତ୍ରୀ ଡ଼ ସାହୁ ସୂଚନା ଦେଇଛନ୍ତି |

0
0
0
s2sdefault