ହେଡଲାଇନସ୍:

ପିଲାଙ୍କ ଜୀବନ ସହ ଖେଳ, ହେଲେ ଗୁହାରି ଶୁଣିଲେନି ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଆପତ୍ତି କରିବାକୁ ଆସିଥିବା ଛାତ୍ରୀ ଓ ଅଭିଭାବକ ଦେଖାଣାପାଇଁ ଫେରିଗଲେ 

 ମେଟ୍ରିକ୍ ପରୀକ୍ଷାରେ ଭୁଲ ପ୍ରଶ୍ନପତ୍ର ପ୍ରଦାନକୁ ନେଇ ଉଦବେଗ 

ବାଲେଶ୍ୱରରୁ ଉଜ୍ଜ୍ୱଳ କର : ମେଟ୍ରିକ୍ ପରୀକ୍ଷାରେ ଅଧଘଣ୍ଟାଏ ଉତ୍ତର ଲେଖିବା ପରେ ପ୍ରଶ୍ନପତ୍ର ବଦଳ କରାଯିବା ଘଟଣାକୁ ନେଇ ପରୀକ୍ଷାର୍ଥୀମାନେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରେ ଅଭିଯୋଗ କରିଛନ୍ତି । ଏହିଭଳି ସ୍ପର୍ଶକାତର ଘଟଣା ଘଟିଛି ସଦର ବ୍ଲକ ଅନ୍ତର୍ଗତ ସିନ୍ଧିଆ ରାଧାମୋହନ ଜୀଉ ହାଇସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ । ଏହି କେନ୍ଦ୍ରରେ ଦୁବୁଲାଗଡ଼ି ୟୁନିୟନ ହାଇସ୍କୁଲ ଓ କୁଡ଼ିଆ ହାଇସ୍କୁଲର ୨୦୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ମଙ୍ଗଳବାର  ଥିବା ବିଜ୍ଞାନ ପରୀକ୍ଷାରେ ଅଧଘଣ୍ଟାଏ ଲେଖିବା ପରେ ଛାତ୍ରଛାତ୍ରୀଙ୍କଠାରୁ ଉଭୟ ପ୍ରଶ୍ନପତ୍ର ଓ ଉତ୍ତରପତ୍ର ନେଇଯାଇ ପରୀକ୍ଷକମାନେ ସେମାନଙ୍କୁ ଅନ୍ୟଏକ ସେଟ୍ ପ୍ରଶ୍ନପତ୍ର ଏବଂ ଉତ୍ତର ଲେଖିବାକୁ କାଗଜ ଦେଇଥିଲେ । ନୂଆ ପ୍ରଶ୍ନପତ୍ର ପାଇ ତାହାକୁ ପଢ଼ି ଉତ୍ତର ଲେଖିବାକୁ ପରୀକ୍ଷାର୍ଥୀଙ୍କୁ ଆହୁରି ଅଧିକ ୧୫ ମିନିଟ୍ ସମୟ ଯାଇଥିଲ । ୪୫ ମିନିଟରୁ ଅଧିକ ସମୟ ନଷ୍ଟ ହୋଇଥିଲେ ବି ଛାତ୍ରଛାତ୍ରୀଙ୍କୁ ଗୋଟିଏ ମିନିଟ୍ ଅଧିକ ସମୟ ଦିଆଯାଇ ନଥିଲା ବୋଲି ସେମାନେ ଆରୋପ କରିଛନ୍ତି । ସମୟ ଅଭାବରୁ ଛାତ୍ର ଛାତ୍ରୀମାନେ ଉତ୍ତର ଜାଣି ସୁଦ୍ଧା ଲେଖିପାରି ନଥିବା ସେମାନେ କହିଛନ୍ତି । ଏହି ସେଣ୍ଟରରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ । ପରୀକ୍ଷା କେନ୍ଦ୍ର ପରିଚାଳନାରେ ପରୀକ୍ଷକଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ଶତାଧିକ ଛାତ୍ରଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କର୍ତ୍ତବ୍ୟରେ ଅବହେଳା କରିଥିବା ପରରୀକ୍ଷକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ  ପାଇଁ ଶ୍ରୀ ଦତ୍ତ ଦାବି କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଆସନ୍ତାକାଲି ପରୀକ୍ଷା ଥିବା ବେଳେ ପାଠପଢ଼ା ଛାଡ଼ି ଛାତ୍ରଛାତ୍ରୀଙ୍କ ସମେତ ବହୁ ଅଭିଭାବକ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ଆସିଥିଲେ । ତେବେ ବିଡ଼ମ୍ବନାର ବିଷୟ ଯେ ସେମାନେ ଦୀର୍ଘ ସମୟ ଅପେକ୍ଷା କରି ଶେଷରେ ଫେରି ଯାଇଥିଲେ ।

0
0
0
s2sdefault