ସରକାରୀ କୋଠାରେ ଅନ୍ୱେଷା କାର୍ଯ୍ୟକାରୀ କରିବା ଦାବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦାବି ପୁରଣ ନ ହେଲେ ଆନ୍ଦୋଳନ ଚେତାବନୀ  ଦେଲା ଜିଲ୍ଲା କଂଗ୍ରେସ

ନୂଆପଡ଼ା,(ଅମିତ ପୁରୋହିତ ):  ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କୁ ଆବାସିକ ଭାବେ ଇଂରାଜୀ ମାଧ୍ୟମ ସ୍କୁଲରେ ମୁକ୍ତ ଶିକ୍ଷା ବ୍ୟବସ୍ଥା କରିବାକୁ ଅନ୍ୱେଷା ଯୋଜନାକୁ ସରକାର କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ଆଜକୁ ୫/୬ ବର୍ଷ ହେବ ବେସରକାରୀ ବ୍ୟବସ୍ଥାରେ ଶିଶୁମାନେ ରହି ସ୍କୁଲକୁ ଯାଉଛନ୍ତି । ସେମାନଙ୍କ ପାଇଁ ସରକାର କୋଟିଏ ଟଙ୍କାର ଅନୁଦାନରେ କୋଠା ଗୃହ ମଞୁରୀ କରିଛନ୍ତି । ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିଛନ୍ତି । ହେଲେ ଠିକଣା ସମୟରେ ସ୍ଥାନାନ୍ତର କରାଯାଇ ନ ଥିବାରୁ ଛେଳିଗୋରୁ ଭଳି ବେସରକାରୀ ଜାଗାରେ ଅସୁରକ୍ଷିତ ଭାବେ ପିଲାମାନେ ଦିନ କାଟୁଛନ୍ତି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝିଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ  କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ  ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଦାବି ଅନୁସାରେ ଅନ୍ୱେଷା କାର୍ଯ୍ୟକ୍ରମରେ ଏକ ଘରୋଇ ସଂସ୍ଥାକୁ ଦାୟୀତ୍ୱ ଦିଆଯାଇଛି । ସେଠାରେ ୭ ଶହ ପିଲା ରହୁଛନ୍ତି । ସମ୍ପୃକ୍ତ ସଂସ୍ଥା ନିକଟରେ ସମୁଚିତ ସ୍ଥାନାଭାବରୁ ନୂଆପଡ଼ା ବିଜ୍ଞାନ କଲେଜ, ଖରିଆରରୋଡ ଗୋପବନ୍ଧୁ ବିଦ୍ୟାପୀଠରେ ଥିବା ହଷ୍ଟେଲରେ ରଖାଯାଉଛି । ଏଭଳି ସ୍ଥିତିକୁ ଏଡାଇବାକୁ ରାଜ୍ୟ ସରକାର କୋଟିଏ ଟଙ୍କାର ଅନୁଦାନରେ ସିଲଦାଠାରେ ଆବସିକ ଗୃହ ନିର୍ମାଣ କାମ ଆରମ୍ଭ କରିଥିଲେ । ଖୋଦ ବିଭାଗୀୟ ମନ୍ତ୍ରୀ ଆସି  ଉଦ୍ଘାଟନ  କରିବେ ବୋଲି ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାମ ଶେଷ କରିବାକୁ  ନିର୍ଦ୍ଦେଶ ଦେଇଥିଲେ । ତଦନୁସାରେ କାମ ଶେଷ ମଧ୍ୟ ହୋଇଛି । ନିକଟରେ ବିଭାଗୀୟ ମନ୍ତ୍ରୀ ଆସି ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା । ହେଲେ ଜିଲ୍ଲା ପ୍ରଶାସନ ଜାଣିଶୁଣି ଜଣେ ଶାସକ ଦଳର ନେତାଙ୍କୁ ସୁହାଇଲାଭଳି ଏହାକୁ ଉଦ୍ଘାଟନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିବା ଅଭିଯୋଗ କରିଛନ୍ତି । ଏହି ଆବସିକ ଗୃହକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝିଙ୍କୁ ଲିଖିତ ଭାବେ ଦାବି କରାଯାଇଛି । ଅନ୍ୟପକ୍ଷେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ  ସକାଶେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । 

 

 

 

0
0
0
s2sdefault