ହେଡଲାଇନସ୍:

"ମୋ ସରକାର"ରେ ପୁଣି ଏକ୍ସପାଇରୀ ସାଲାଇନ ରୋଗୀଙ୍କୁ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏକ୍ସପାଇରୀ ସାଲାଇନକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ବାରିପଦା(ଦିଲ୍ଲୀପ ମହାନ୍ତି )-   ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ବିବାଦ ଥମିବାର  ନାଁ ଧରୁନାହିଁ  । ପୁଣି ଏକ ଅସହାୟ ରୋଗୀକୁ ଡାକ୍ତର ଦେଲେ ଏକ୍ସପେରି ସାଲାଇନ। ଚିକିତ୍ସା ନାମରେ ରୋଗୀର ଜୀବନ ସହ ଚାଲିଛି ଖେଳ। ଖେଳଖେଳୁଛନ୍ତି ଖୋଦ  ଡାକ୍ତର। ଯାହାକୁନେଇ କପ୍ତିପଦା ଡାକ୍ତରଖାନାରେ  ଉତ୍ତେଜନା  ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଖଲାଡି ପଞ୍ଚାୟତ ଦୁଣ୍ଡରିଆ ଗ୍ରାମର ନରେନ୍ଦ୍ର ମହାନ୍ତି ଝାଡ଼ାରେ ଆକ୍ରାନ୍ତ ହୋଇଥିଲେ। ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ପରିବାର ଲୋକେ ଏବଂ ଡାକ୍ତରଖାନାରେ ମଧ୍ୟ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ  ଡାକ୍ତରଖାନା ତରଫରୁ ଡ୍ୟୁଟିରେ ଥିବା ଡାକ୍ତର ଉମାକାନ୍ତ ବାସ୍କେ ସିଫ୍ରୋଫ୍ରକ୍ସାସିନ ସାଲାଇନ ଦେବାକୁ ପରାମର୍ଶ ଦେଇଥିଲେ।  ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଡ୍ୟୁଟିରେ ଥିବା ନର୍ସ ରୋଗୀକୁ ସାଲାଇନ ଲଗାଇଥିଲେ। ମାତ୍ର  ସାଲାଇନ ବୈଧ ସମୟ ଅତିକ୍ରମ କରିଥିବା ସାଲାଇନରେ ସୂଚିତ ହୋଇଥିବା ତାରିଖରୁ ଜଣାପଡିଥିଲା। ତେଣୁ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ପ୍ରକଟ କରି ପରିବାର ଲୋକେ ଡାକ୍ତରଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ଅଭିଯୋଗକୁ ଅସ୍ବୀକାର କରିଥିଲେ ସମ୍ପୃକ୍ତ ଡାକ୍ତର। ତେବେ ଉକ୍ତ ସାଲାଇନଟି ନଭେମ୍ବର ୨୦୧୬ରେ ପ୍ରସ୍ତୁତ ହୋଇଥିଲା ବେଳେ ୨୦୧୯ ଅକ୍ଟୋବରରେ ବୈଦ୍ଧସୀମା ଅତିକ୍ରମ କରିସାରିଛି। ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଏକ୍ସପେରି ସାଲାଇନ ଲଗାଇବାକୁ ବିରୋଧ କରି ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପଟେ ଡ୍ୟୁଟି ରୁମରୁ ସମାନ ଆଊ ୪ଟି ସାଲାଇନ ମିଳିବା ପରେ ପରିସ୍ଥିତି  ଉଗ୍ରରୂପ ନେଇଥିଲା । ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଖବରପାଇ କପ୍ତିପଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଡ୍ୟୁଟିରେ ଥିବା ଡାକ୍ତରଙ୍କ ମନମୁଖୀ କର୍ତ୍ତବ୍ୟ ସମ୍ପାଦନ ସରକାରଙ୍କ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରାଇଛି । 

ଓଡିଶା ସରକାର ସ୍ଵାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଉଥିବାରୁ ଉକ୍ତ ଘଟଣା ଉପରେ ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କିମ୍ବା ଡାକ୍ତର ଅଭାବ ଆଳରେ ଘଟଣାକୁ ଏଡାଇ ଯିବେ ଏହା ଦେଖିବାକୁ ବାକି ରହିଛି । ଅନ୍ୟପକ୍ଷରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଉ ଥିବା ବେଳେ ଏଭଳି ଖାମଖିଆଲି ଓ ସ୍ବେଚ୍ଛାଚାର ମନୋଭାଵ ନେଇ ଚିକିତ୍ସା ନାମରେ ରୋଗୀର ଜୀବନ ସହ ଖେଳକୁ ସବୁ ମହଲରେ ନିନ୍ଦା କରାଯାଉଥିବା ଦେଖିବାକୁ ମିଳୁଛି। ସେହି ପରି ଏହି ସମ୍ବେଦନଶୀଳ ଘଟଣାକୁ ସରକାର ଓ ସ୍ୱାସ୍ଥ୍ୟ ବିଭାଗ କେଉଁ ଦୃଷ୍ଟିକୋଣରେ ଦେଖୁଛନ୍ତି ବା ଗୁରୁତ୍ୱ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

0
0
0
s2sdefault