ଓଡ଼ଗାଁ, ୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅନ୍ତର୍ଗତ ପ୍ରବେଶଦ୍ୱାର ନିକଟରେ ଅବସ୍ଥିତ କଦଳୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୮ ବର୍ଷ ପରେ ବିଦ୍ୟୁତ୍ ସଂଯୋଗ ହୋଇଛି। ୨୦୦୮ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସୁବିଧା ନଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ବିଦ୍ୟୁତ୍ ସଂଯୋଗ ହେବା ପରେ ଗ୍ରୀଷ୍ମ ପ୍ରବାହ ସମୟରେ ହେଉଥିବା ଅସୁବିଧାରୁ ମୁକ୍ତି ମିଳିଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଖୁସିର ପରିବେଶ ଦେଖାଦେଇଛି। ଏହି କାର୍ଯ୍ୟ ସଫଳ ହେବାରେ ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣାଙ୍କ ଉଦ୍ୟମ ମୁଖ୍ୟ ଭୂମିକା ନେଇଥିବାରୁ ଅଭିଭାବକମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସହ କଦଳୀବନ୍ଧ ଓ ରଗଡ଼ିସାହି ଗ୍ରାମବାସୀମାନେ ଦୀର୍ଘଦିନ ଧରି ଏହି ସମସ୍ୟା ସମାଧାନ ପାଇଁ ପ୍ରୟାସ ଜାରି ରଖିଥିଲେ। ଏନେଇ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଦୁଇଥର ଅଭିଯୋଗ ମଧ୍ୟ କରାଯାଇଥିଲା। ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ହେବା ପରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶ, ସହକର୍ମୀ ଶିକ୍ଷୟିତ୍ରୀ ରୀତା ପଣ୍ଡା ଏବଂ ସହଯୋଗ କରିଥିବା ପ୍ରଶାସନିକ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଯାଇଛି। ତେବେ ବିଦ୍ୟାଳୟରେ ପାନୀୟଜଳ ସୁବିଧା ଓ ମୁଖ୍ୟ ଫାଟକଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କେବେ ସମ୍ପୂର୍ଣ୍ଣ ହେବ, ସେନେଇ ଏବେ ମଧ୍ୟ ସ୍ଥାନୀୟ ଲୋକଙ୍କ ଅପେକ୍ଷା ଜାରି ରହିଛି।
ରାଜ୍ୟ
ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ପରେ ପାନୀୟଜଳ ଓ ରାସ୍ତା ନିର୍ମାଣକୁ ଅପେକ୍ଷା
- Hits: 82







