ହେଡଲାଇନସ୍:

"କାହାର ଦୟାର ପାତ୍ର ନ ହୋଇ ନିଜ ସୁରକ୍ଷା ନିଜେ କରିବା ପାଇଁ ଚେଷ୍ଟା କରିବା ଉଚିତ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ରୀଙ୍କୁ ଆତ୍ମ-ସୁରକ୍ଷା କୌଶଳର ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ +୩ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ନିମନ୍ତେ ଏକ ମାସ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଆତ୍ମ-ସୁରକ୍ଷା କୌଶଳର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଉଦ୍ ଘାଟିତ ହୋଇଯାଇଛି ।

   +୩ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ରୀନା ସାହୁଙ୍କ ସଭାପତିତ୍ୱରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଆତ୍ମ-ସୁରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । 

   ଏହି ଅବସରରେ ପ୍ରଶିକ୍ଷାର୍ଥୀ ଛାତ୍ରୀ ମାନଙ୍କୁ ତାଙ୍କର ଅଭିଭାଷଣରେ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କହିଥିଲେ ଯେ , କାହାର ଦୟାର ପାତ୍ର ନ ହୋଇ ନିଜ ସୁରକ୍ଷା ନିଜେ କରିବା ପାଇଁ ଚେଷ୍ଟା କରିବା ଉଚିତ । ଏଥିପାଇଁ ଦୃଢ଼ମନ ହୋଇ ଶୃଙ୍ଖଳିତ ଭାବେ ଅଭ୍ୟାସ ଜାରି ରଖିବାକୁ ହେବ ।     ଏହାଦ୍ୱାରା ଶରୀର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିବା ସହ ଆବଶ୍ୟକ ସ୍ଥଳେ ନିଜେ ନିଜର ଆତ୍ମା-ସୁରକ୍ଷା କରି ପାରିବେ ଏବଂ ଅନ୍ୟ ମା ଓ ଭଉଣୀ ମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ସୁରକ୍ଷା ଦେଇ ପାରିବାରେ ସହାୟକ ହୋଇପାରିବେ ।     ତେଣୁ ପାଠ ପଢା ସହିତ ଆଜିକାଲି  ଶାରୀରିକ ବ୍ୟାୟାମ ଓ ଖେଳକୁଦ ସମେତ ଆତ୍ମ-ସୁରକ୍ଷାର ନିହାତି ଆବଶ୍ୟକତା ରହିଛି । 

  ଆତ୍ମ-ସୁରକ୍ଷା କୌଶଳର ତାଲିମ ଯେଉଁ ଦିଆଯାଉଛି , ଏହାକୁ ହାତଛଡା ନ କରି ଏହାର ବିଶେଷ ସୁଯୋଗ ନିଅନ୍ତୁ ଯାହାକି ଏହି କୌଶଳ ଶିକ୍ଷା ଆବଶ୍ୟକ ସ୍ଥଳେ କାମରେ ଲାଗିବ ବୋଲି କହିଥିଲେ । 

 

ଅନ୍ୟମାନଙ୍କ ମଧ୍ୟରେ  ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆତ୍ମ-ସୁରକ୍ଷା ସଂଯୋଜିକା ଡ଼ଃ ସୁନନ୍ଦା ପଟ୍ଟନାୟକଙ୍କ ସମେତ +୩ ମହିଳା ମହାବିଦ୍ୟାଳୟ ର ଆତ୍ମ-ସୁରକ୍ଷା ସଂଯୋଜିକା ସୌଦାମିନୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଆତ୍ମ-ସୁରକ୍ଷାର ବିଭିନ୍ନ ଦିଗ ଉପରେ କହିଥିଲେ ।

 ସଭା କାର୍ଯ୍ୟ ପରେ ଆତ୍ମ-ସୁରକ୍ଷା କୌଶଳର ତିନି ଜଣ ପ୍ରଶିକ୍ଷକ ସୁମିତା ପରିଛା, ଏସ୍ . ମାଧୁରୀ ଦୀକ୍ଷିତ ଏବଂ ଦିପ୍ତୀ ରାଣୀ ନାୟକ ପ୍ରମୁଖ ଛାତ୍ରୀ ମାନଙ୍କୁ ଆତ୍ମ-ସୁରକ୍ଷା କୌଶଳର ବିଭିନ୍ନ ଦିଗ  ସମ୍ପର୍କରେ କହିବା ସହ ବିଭିନ୍ନ ବୈଷୟିକ କୌଶଳ ପ୍ରଦର୍ଶନ ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ ।

   ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା  ଡ଼ଃ. ଜୟନ୍ତୀ ରଥ , ଡ଼ଃ. ଭାରତୀ ପାଣିଗ୍ରାହୀ , ଡ଼ଃ .କଲ୍ୟାଣୀ ମିଶ୍ର , ସିଏଚ୍ . ନିର୍ମଳା , ମଧୁସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ରଞ୍ଜିତ ପଟ୍ଟନାୟକ ଏବଂ ରାଜା ପାତ୍ରଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

0
0
0
s2sdefault