ହେଡଲାଇନସ୍:

କୃଷି ଇଞ୍ଜିନିୟରିଂ ସେବା ସଂଘର ସାଧାରଣ ଅଧିବେଶନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, (ଶାସକ ପ୍ରଶାସକ) : କୃଷି ଇଞ୍ଜିନିୟରିଂ ସେବା ସଂଘର ସାଧାରଣ ଅଧିବେଶନ ସ୍ଥାନୀୟ ସତ୍ୟନଗରସ୍ଥିତ ଓଡ଼ିଶା କୃଷି ଯନ୍ତ୍ରପାତି ଗବେଷଣା ଓ ଉନ୍ନୟନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଥିଲା । କୃଷି ନିର୍ଦ୍ଦେଶାଳୟର  ମୁଖ୍ୟଯନ୍ତ୍ରୀ ମନୋଜ କୁମାର ଦାସ କୃଷି ଯନ୍ତ୍ରୀମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସଂପର୍କରେ ଆଲୋକପାତ କରିବା ସହିତ କୃଷି ଇଞ୍ଜିନିୟରିଂ ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନାର ସଠିକ ରୂପାୟନ କିପରି କରାଯାଇପାରିବ ସେ ଦିଗରେ ନାନା ଉପଦେଶ ଦେଇଥିଲେ । ସରକାରୀ ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଲାଗି ଜିଲ୍ଲାସ୍ତରରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । 

ସେଚାଞ୍ଚଳ ଉନ୍ନୟନର ମୁଖ୍ୟଯନ୍ତ୍ରୀ ରାଜେନ୍ଦ୍ର ବେସ୍ରା ସେଚାଞ୍ଚଳ ନିର୍ଦ୍ଦେଶାଳୟର କାର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ବିଭାଗୀୟ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଯନ୍ତ୍ରୀମାନଙ୍କୁ କୃଷକମାନଙ୍କ ହିତରେ ସର୍ବଦା କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । 

ସଂଘର ସଭାପତି ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ସମ୍ମିଳନୀରେ କୃଷି ଇଞ୍ଜିନିୟରମାନଙ୍କର ନିଯୁକ୍ତି, ପଦୋନ୍ନତି ଓ ଚାକିରି ସର୍ତ୍ତାବଳୀ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କୃଷକଙ୍କ ବନ୍ଧୁ ଭାବରେ କାର୍ଯ୍ୟ କରିବାକୁ ଏବଂ ଆଧୁନିକ କୃଷି ଯନ୍ତ୍ରପାତିର ସଦୁପଯୋଗ ଦ୍ୱାରା କୃଷକଙ୍କ ସମସ୍ୟା ଦୂର କରିବା ପାଇଁ ସମସ୍ତ କୃଷି ଯନ୍ତ୍ରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ସଭା ପ୍ରାରମ୍ଭରେ ସଂଘର ଯୁଗ୍ମ ସଂପାଦକ ଶ୍ରୀନିବାସ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସଂଘର ସଭାପତି ଜ୍ୟୋତିପ୍ରକାଶ ରାଏ ସଂଘର ଏହି ଅବଧିରେ ହୋଇଥିବା କାର୍ଯ୍ୟର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ସମସ୍ତ ସଦସ୍ୟଙ୍କୁ ସଂଘ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମିଳନୀରେ ସଂଘର ଅବସରପ୍ରାପ୍ତ ପୁରାତନ ସଭାପତି ଇଂ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ । କୃଷି ଯନ୍ତ୍ରୀ ସେବା ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତା ଆସନ୍ତା ଦୁଇବର୍ଷ ପାଇଁ ଚୟନ କରାଯାଇଥିଲା । ଇଂ ଶ୍ରୀନିବାସ ନାୟକ ସଭାପତି, ଇଂ ଦୁର୍ଯ୍ୟୋଧନ ନାୟକ ଉପସଭାପତି, ଇଂ ଜ୍ୟୋତିପ୍ରକାଶ ରାଏ ସାଧାରଣ ସଂପାଦକ, ଇଂ ସମର ମହାପାତ୍ର ଯୁଗ୍ମ ସଂପାଦକ ଏବଂ ଇଂ ପୂର୍ଣ୍ଣଚନ୍ଦ୍ର ବାସା କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ଇଂ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସର୍ବକାଳୀନ ଉପଦେଷ୍ଟା ଭାବେ ମନୋନୀତ କରାଗଲା । ଶେଷରେ ସଂଘର ଉପସଭାପତି ଇଂ ରାଜେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault