ନୟାଗଡ଼ (ବିଶ୍ୱଜିତ ନାୟକ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ପଞ୍ଚୁପାଣ୍ଡବ ଠାରେ ଏକ ଘରୋଇ ବସ୍ ଓଲଟି 15 ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଛି। ଆଜି ସକାଳ ପ୍ରାୟ ୮ଟା ବେଳେ ‘ଫ୍ରେଣ୍ଡସ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ନୂଆଗାଁ ପଞ୍ଚୁପାଣ୍ଡବ ଠାରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା ଓ ତା’ପରେ ବସଟି ଓଲଟି ରାସ୍ତା ତଳକୁ ପଡ଼ିଯାଇଥିଲା । ଯାତ୍ରୀ ମାନେ କହିବା ଅନୁଯାୟୀ ବସ୍ରେ ପ୍ରାୟ 50 ରୁ 60 ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ 12 ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।ନୂଆଗାଁ ଓ ଦଶପଲ୍ଲା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ନୂଆଗାଁ ଦମକଳ ବାହିନୀ ଏବଂ 108 ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ବସ୍ରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ଆହତମାନଙ୍କୁ ପାଖରେ ଥିବା ନୂଆଗାଁ ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।