ହେଡଲାଇନସ୍:

ମୟୁରଭଞ୍ଜ : ଦୋହଲିଯାଇଛି ଝାମୁମୋର ମୂଳଦୁଆ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସତ୍ତାହୀନ ହେବା ଅପେକ୍ଷାରେ କଂଗ୍ରେସ :ଉପରମୁହାଁ ବିଜେପି ବିଜେଡି

ବାରିପଦା(ଦିଲ୍ଲୀପ ମହାନ୍ତି)- ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ଆସନ ମଧ୍ୟରୁ ସଦର ମହକୁମା ବାରିପଦା, ରାଇରଙ୍ଗପୁର, ଯଶୀପୁର, ସାରସକଣା, ଉଦଳା ଓ ବଡ଼ସାହି ଏହିପରି ୬ଟି ବିଧାନସଭା ଆସନ ସହ ମୟୂରଭଞ୍ଜ ଲୋକସଭା ଆସନକୁ ଭାଜପା ବିଜଦ ନିକଟରୁ ଛଡ଼ାଇ ନେଇଥିବା ବେଳେ ବିଜଦ ମୋରଡ଼ା, ବାଙ୍ଗିରିପୋଷି ଓ କରଞ୍ଜିଆ  ଆସନକୁ ରକ୍ଷା କରିବାରେ ସଫଳ ହୋଇଥିଲା । ସେହିପରି କଂଗ୍ରେସ – ଜେଏମଏମ ମେଣ୍ଟ ଖାତା ଖୋଲିବାରେ ବିଫଳ ହୋଇଛି । ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ଭାଜପାର ଭୋଟର ହାର ଆଶାତୀତ ଭାବେ ବୃଦ୍ଧି ପାଇଥିବା ସମୟରେ ବିଜଦର ଭୋଟର ହାରରେ ସାମାନ୍ୟ ବୃଦ୍ଧି ଏବଂ କଂଗ୍ରେସ-ଜେଏମଏମ ମେଣ୍ଟ ସହ ଅନ୍ୟମାନଙ୍କ ଭୋଟର ହାର ମାତ୍ରାଧିକ ତଳକୁ ଖସି ଆସିଥିବାର ପରିଲକ୍ଷିତ ହୋଇଛି । ୨୦୧୪ ବିଧାନସଭା ନିର୍ବାଚନରେ ଭାଜପା ୨୨.୬୧ ପ୍ରତିଶତ ହାରରେ ମୋଟ ୨,୯୬,୫୩୬ ଖଣ୍ଡ ଭୋଟ ପାଇ କୌଣସି ପ୍ରାର୍ଥୀ ବିଜୟୀ ହୋଇପାରିନଥିବା ସମୟରେ ବିଜଦ ୩୪.୦୯ ପ୍ରତିଶତ ହାରରେ ୪,୪୭,୦୪୪ ଭୋଟ ପାଇ ସମସ୍ତ ୯ଟି ଆସନକୁ ଦଖଲକୁ ନେଇଥିଲା । ସେହିପରି କଂଗ୍ରେସ ୧୫.୨୬ ପ୍ରତିଶତ ହାରରେ ୨,୦୦୧୧୪ ଖଣ୍ଡ, ଝାମୁମୋ ୧୪.୯୨ ପ୍ରତିଶତ ହାରରେ ୧,୭୫,୬୫୩ ଖଣ୍ଡ ଏବଂ ଅନ୍ୟମାନେ ୧୪.୬୫ ପ୍ରତିଶତ ହାରରେ ୧,୯୨,୧୮୭ ଖଣ୍ଡ ଭୋଟ ପାଇଥିଲେ । କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନରେ ଭାଜପା ଭୋଟର ହାର ୧୬.୮୪ ପ୍ରତିଶତ ବୃଦ୍ଧି ଘଟି ୩୯.୪୫ ପ୍ରତିଶତରେ ପହଁଞ୍ଚିଛି ଏବଂ ଦଳକୁ ମୋଟ ୫,୫୭,୧୮୨ ଖଣ୍ଡ ଭୋଟ ମିଳିଛି । ସେହିପରି ବିଜଦର ଭୋଟର ହାରରେ ୩.୭୪ ପ୍ରତିଶତ ବୃଦ୍ଧିପାଇ ୩୭.୮୩ ପ୍ରତିଶତରେ ପହଁଞ୍ଚିଛି ଏବଂ ବିଜଦ ଖାତାକୁ ମୋଟ ୫,୩୪,୩୧୮ ଖଣ୍ଡ ଭୋଟ ଆସିଛି । ଏହି ସାମସ୍ତ ଭୋଟର ସିଂହ ଭାଗ କଂଗ୍ରେସ ଓ ଝାମୁମୋ ଦଳର ବୋଲି ଜଣାପଡ଼ିଛି । ୨୦୧୯  ନିର୍ବାଚନରେ କଂଗ୍ରେସ- ଝାମୁମୋ ମେଣ୍ଟକୁ ଶକ୍ତ ଧକ୍କା ଲାଗିଛି ଏବଂ କଂଗ୍ରେସ-ଝାମୁମୋ ଭୋଟର ହାର ୧୬.୯୮ ପ୍ରତିଶତ ତଳକୁ ଖସିଆସିଛି । ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ୧୩.୨୦ ପ୍ରତିଶତ ହାରରେ ମୋଟ ୧,୮୬,୪୭୬ ଖଣ୍ଡ ଭୋଟ ଆସିଛି । ଅନ୍ୟାନ୍ୟ ରାଜନୈତିକ ଦଳ ସହ ସ୍ୱାଧୀନ ପ୍ରାର୍ଥୀମାନଙ୍କ ଭୋଟର ହାର ମଧ୍ୟ ୩.୬୦ ପ୍ରତିଶତ ହ୍ରାସ ପାଇଛି ଏବଂ ଏମାନଙ୍କୁ ମୋଟ ୧,୩୪,୩୪୦ ଖଣ୍ଡ ଭୋଟ ମିଳିଛି । ସେହିପରି ୨୦୧୪ ଓ  ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ମଧ୍ୟ ବିଧାନସଭା ନିର୍ବାଚନର ଫଳାଫଳ ସହ ପାଖାପାଖି ସମାନ ରହିଛି । ୨୦୧୪ରେ ବିଜଦ ୩୭.୩୮ ପ୍ରତିଶତ ହାରରେ ୩,୯୩,୭୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲା ଏବଂ ଭାଜପା ୨୫.୭୨ ପ୍ରତିଶତ ହାରରେ ୨,୭୦,୯୧୩ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ଝାମୁମୋ ୧୬.୪୨ ପ୍ରତିଶତ ହାରରେ ୧,୭୨,୯୮୪ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୩.୫୦ ପ୍ରତିଶତ ହାରରେ ମୋଟ ୧,୪୨,୧୬୫ ଖଣ୍ଡ ଭୋଟପାଇ ଚତୃର୍ଥ ସ୍ଥାନରେ ରହିଥିବା ସମୟରେ ୨୦୧୯ରେ ଭାଜପାର ଭୋଟର ହାର ୧୬.୩୪ ପ୍ରତିଶତ ବୃଦ୍ଧିପାଇ ୪୨.୦୬ ପ୍ରତିଶତ ହାରରେ ମୋଟ ୪,୮୩,୮୧୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛି । ନିର୍ବାଚନରେ ବିଜେଡ଼ିର ଭୋଟ ୨.୪୮ ପ୍ରତିଶତ ବୃଦ୍ଧି ପାଇଛି ଏବଂ ୩୯.୮୬ ପ୍ରତିଶତ ହାରରେ ମୋଟ ୪,୫୮,୫୫୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ , ମେଣ୍ଟ ପ୍ରାର୍ଥୀକୁ ୧୧.୭୮ ପ୍ରତିଶତ ହାରରେ ୧,୩୫,୫୫୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ମେଣ୍ଟକୁ ୨୦୧୪ ତୁଳନାରେ ୧୮.୧୪ ପ୍ରତିଶତ ହାରରେ ୧,୭୯,୫୯୭ ଖଣ୍ଡ କମ ଭୋଟ ମିଳିଛି । ସେହିପରି ଅନ୍ୟାନ୍ୟ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କ ଭୋଟର ହାର ୦.୩୧ ପ୍ରତିଶତ ଓ ନୋଟା ହାର  ୦.୩୭ ପ୍ରତିଶତ ହ୍ରାସ ପାଇଛି ।
          କେନ୍ଦ୍ରରେ ଝାମୁମୋ ଉପା ମେଣ୍ଟରେ ସାମିଲ ହୋଇଥିବା କାରଣରୁ ଝାଡ଼ଖଣ୍ଡ ଓ ଓଡ଼ିଶାରେ କଂଗ୍ରେସ – ଝାମୁମୋ ମେଣ୍ଟ ହୋଇଥିଲା । ଉଭୟଙ୍କ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଆଧାରରେ କଂଗ୍ରେସ ଜିଲ୍ଲାର କରଞ୍ଜିଆ, ଯଶୀପୁର, ବାରିପଦା, ଉଦଳା, ବଡ଼ସାହି ଓ ମୋରଡ଼ା ଆସନ ନେଇଥିବା ବେଳେ ଝାମୁମୋକୁ ରାଉରଙ୍ଗପୁର, ସାରସକଣା ଓ ବାଙ୍ଗିରିପୋଷି ଆସନ ଛାଡ଼ି ଦେଇଥିଲା ; ମାତ୍ର ପରବର୍ତ୍ତି ସମୟରେ ମୋରଡ଼ା ଆସନରେ କଂଗ୍ରେସ ପ୍ରାର୍ଥୀ ଛିଡ଼ା କରାଇ ସେଠାରେ ବନ୍ଧୁତ୍ୱପୂର୍ଣ୍ଣ ଲଢେ଼ଇରେ ଅବତ୍ତୀର୍ଣ୍ଣ ହୋଇଥିଲା । ଜିଲ୍ଲାରେ କଂଗ୍ରେସ ଝାମୁମୋ ସହିତ ମେଣ୍ଟ ସପକ୍ଷରେ ନଥିଲା । ଫଳରେ ନିର୍ବାଚନରେ କଂଗ୍ରେସ ଓ ଝାମୁମୋ ମଧ୍ୟରେ ସମନ୍ୱୟର ଘୋର ଅଭାବ ରହିଥିବାରୁ ପରସ୍ପର ମଧ୍ୟରେ ଏକ ବୃହତ୍ତ ଫାଙ୍କ ରହିଯାଇଥିଲା । ଉପରେ ମେଣ୍ଟ ଭିତରେ ଫାଟ ରହିଯାଇଥିଲା । ଫଳରେ ନିର୍ବାଚନ ପ୍ରଚାର ସହ ଭୋଟରମାନଙ୍କୁ ମେଣ୍ଟ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ପ୍ରଭାବିତ କରାଇବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । କଂଗ୍ରେସର ନିର୍ବାଚନୀ ଇସ୍ତାହାର ଭୋଟରମାନଙ୍କୁ ଆକୃଷ୍ଟ କରାଇବା ଭଳି ରହିଥିଲେ ମଧ୍ୟ କଂଗ୍ରେସ ସେଥିରୁ ଫାଇଦା ଉଠାଇପାରିନଥିଲା । ପୁଣି ନିର୍ବାଚନ ପ୍ରଚାରରେ ଭାଜପା ଓ ବିଜଦଠାରୁ ବହୁ ପଛକୁ ଠେଲି ହୋଇଯାଇଥିଲା ।
               ସେହିପରି ଜିଲ୍ଲାରେ କଂଗ୍ରେସ-ଝାମୁମୋ ମେଣ୍ଟକୁ ଭୋଟରମାନେ ପ୍ରତ୍ୟାଖ୍ୟାନ କରିବା ନିମନ୍ତେ ମନସ୍ଥିର କରିସାରିଥିବା ବେଳେ ଉକ୍ତ ଭୋଟକୁ ବିଜଦ ଧରିବାରେ ସକ୍ଷମ ହୋଇପାରିନଥିଲା । ପୁଣି ୨୦୧୪ ନିର୍ବାଚନ ସମୟରେ ୯ଟି ବିଧାନସଭା କ୍ଷେତ୍ରରେ ଥିବା ୧୬,୫୮,୬୭୪ ଭୋଟରମାନଙ୍କ ସଂଖ୍ୟା ୨୦୧୯ ମଧ୍ୟରେ ୧,୦୦,୭୮୨ ବୃଦ୍ଧି ପାଇ ୧୮,୬୬,୫୫୮ ଅତିକ୍ରମ କରିସାରିଥିଲେ ମଧ୍ୟ ନୂତନ ଭୋଟରମାନେ ମେଣ୍ଟ ପ୍ରାର୍ଥୀଙ୍କ ନିକଟରୁ ମୁହଁ ଫେରାଇ ନେଇଥିବା ବେଳେ ବିଜଦ ମଧ୍ୟ ଉକ୍ତ ଭୋଟକୁ ଧରିବାରେ ବିଫଳ ହୋଇଥିବାର ପରିଲକ୍ଷିତ ହୋଇଛି । ଫଳରେ ଭାଜପା ଏଥିରୁ ଫାଇଦା ଉଠାଇ ଜିଲ୍ଲାରେ ଲୋକସଭା ଆସନ ସହ ୬ଟି ବିଧାନସଭାକୁ ଅତି ସହଜରେ  ଦଖଲ କରିପାରିଥିଲା ।

0
0
0
s2sdefault