ହେଡଲାଇନସ୍:

ବିଜେଡି ପାଇଁ ଏବେ ସଂଗଠନ ପ୍ରାଥମିକତା : ଛାମୁଆ ମୁଖିଆ ବଦଳାଇଲେ କାହାକୁ କରିବେ “ଚିନ୍ତା”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁୁବନେଶ୍ୱର() - ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଛି ବିଜୁ ଜନତା ଦଳ  । ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ  । ମୋଦୀ ଲହରୀରେ କଂଗ୍ରେସ ଭୁଇଁ ଚାଟିଥିବା ବେଳେ ବିଜେପି ୮ଟି ଲୋକସଭା ଆସନ ହାତେଇ ନେଇଛି । ହେଲେ କାରଣ ଯାହା ବି ହେଉ ବିଧାନସଭା ନିର୍ବାନନରେ ମୋଦି ଲହର ପ୍ରଭାବିତ କରିପାରିନି ନବୀନଙ୍କ ଲୋକପ୍ରିୟତାକୁ  । ହଁ,କଂଗ୍ରେସର ଜାଗା ନେବାକୁ ସକ୍ଷମ ହୋଇପାରିଛି ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ଦୀର୍ଘ ତିନି ଚାରିବର୍ଷର ବଳିଷ୍ଠ  ସେନା ପରିଚାଳନା ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ।  ମିଶନ ୧୨୦ ଯଦିଓ ଗିମିକ୍ ଥିଲା, ହେଲେ ସୁପ୍ତ ଆଗ୍ନେୟଗିରି ଭଳି ରହିଥିବା ବିଜେପି ଗତ କିଛି ବର୍ଷ ହେଲା ଅଗ୍ନି ଉଦ୍ଗୀରଣ କରିବାରେ ସକ୍ଷମ ହୋଇଛି ଆଉ ସଫଳ ହୋଇଛି ୨୩ଟି ବିଧାନସଭା ଆସନ ହାତେଇ ତୃତୀୟରୁ ଦ୍ୱୀତିୟ ସ୍ଥାନ ହାସଲ କରିବାରେ । ସବୁଠାରୁ ବଡ କଥା ହେଉଛି ପ୍ରାୟତଃ ଅଧିକାଂଶ ନିର୍ବାଚନମଣ୍ଡଳୀରେ ସିଧାସଳଖ ବିଜେପି ବିଜେଡି ଫାଇଟ୍ ଓ ଭୋଟ ହାର ବି ବିଜେପିର ବଢିଛି ଉତ୍ସାହଜନକ ଭାବେ । ପୂର୍ବାପେକ୍ଷା ପ୍ରଭାବଶାଳୀ ଭାବେ ନିଜକୁ ପ୍ରମାଣିତ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଯେ କି ଆଭିମୁଖ୍ୟ ଗ୍ରହଣ କରିବେ ବା କି ରଣନୀତି ଆଦରିବେ ତାହା ଆଗକୁ ଜଣାପଡିବ  । ହେଲେ ୨୦୨୪ ବା ୬ଷ୍ଠ ଥର କଥା ଚିନ୍ତା କରିବାକୁ ହେଲେ ବିଜେଡିକୁ ସତର୍କ ରହିବାକୁ ପଡିବ ଆଉ ରଣନୀତି ପରିବର୍ତ୍ତନ ପୂର୍ବକ କେବିକେ, ପଶ୍ଚିମ ଓଡିଶା ଓ ଉତ୍ତର ଓଡିଶାରେ ଦଳ ପ୍ରତି ସୃଷ୍ଟି ହୋଇଥିବା ଆହ୍ୱାନକୁ ମୁକାବିଲା କରିବାକୁ ପଡିବ  । ଆଉ ଏଥିପାଇଁ ଅସଜଡା ଛାମୁଆ ସଙ୍ଗଠନକୁ ସଜାଡିବାକୁ ପଡିବ ଆଞ୍ଚଳିକ ବା ସ୍ଥାନୀୟ ଆବଶ୍ୟକତା ଓ ଭାବପ୍ରବଣତାକୁ ଭିତ୍ତି କରି  ।
ସଂଗଠନ ଦକ୍ଷତା ପାଇଁ ନୁହେଁ, ବରଂ ଏତେବଡ ସଫଳତା କେବଳ ନବୀନ ବାବୁଙ୍କ ନାଁରେ ଓ ତାଙ୍କ ଅଦୃଶ୍ୟ ସେନାପତିଙ୍କ ସେନା ପରିଚାଳନା ଯୋଗୁ ସମ୍ଭବ ହୋଇପାରିଛି । ଆଗକୁ ପାଟକୁରା ସହ ବିଜେପୁର ନିର୍ବାଚନ, ପୌର ନିର୍ବାଚନ | ସହରାଞ୍ଚଳରେ ଅନେକ ଜାଗାରେ ବିଲେପି ଭଲ ଭୋଟ ପାଇଛି | ତେଣୁ ବିଜେଡି ପାଇଁ ଏହା ଆକଗଉ ଚାଲେଞ୍ଜ ସୃଷ୍ଟି କରିପାରେ |
 କିଏ ମାନନ୍ତୁ ନମାନନ୍ତୁ, ମୋଟା ମୋଟି ଭାବେ ଦେଖିବାକୁ ଗଲେ ଗତ ନିର୍ବାଚନ ବେଳେ ବିଜେଡିର ଯୁବ ଛାତ୍ର ମହିଳା ସଙ୍ଗଠନ କାମ ଆକ୍ଟିଭ ନଥିଲା କହିଲେ ଚଳେ ।  ମହିଳା ବିଜେଡି ଦାୟିତ୍ୱ ମହିଳା ଏସଏଚଜି ମାନେ ପରୋକ୍ଷରେ ତୁଲାଇଦେଲେ । ହେଲେ ଯୁବ ଛାତ୍ର ସଂଗଠନ କିନ୍ତୁ ବେଙ୍ଗା ହୋଇଗଲା । ବିଜେଡିର ଛାତ୍ର, ଯୁବ ମହିଳା ରାଜନୀତି ଖାସକରି ରାଜଧାନୀ କୈନ୍ଦ୍ରିକ ହୋଇଯାଇଛି, ଯାହାକି ସବୁ ଜିଲ୍ଲାକୁ ବ୍ୟାପିବା ଦରକାର । ତାକୁ ସଜାଡିବାର ଆବଶ୍ୟକତା ରହିଛି । କାରଣ ଛାତ୍ର ସଂଗଠନ ମୋଟା ମୋଟି ଭାବେ ରଞ୍ଜିତ ମହାପାତ୍ରଙ୍କ ପରଠାରୁ ଯେମିତି ଢଙ୍ଗରେ କାମ କରିବା କଥା କରୁନି । ପୂର୍ବରୁ ଛାତ୍ର ସଭାପତି ଅରୁଣ ସାହୁ, ରଞ୍ଜିତ ମହାପାତ୍ର ବିଭିନ୍ନ ଜିଲ୍ଲା ଗସ୍ତ କରି ଛାତ୍ରସଂଗଠନକୁ ମଜଭୁତ କରିବା ଯେଉଁ ଭଳି ଉଦ୍ୟମ କରିଥିଲେ , ତାହା ଗତ ଦୁଇ ଛାତ୍ର ସଭାପତିଙ୍କ ବେଳେ ହୋଇପାରିନାହିଁ । ଅନ୍ତତଃ ଛାତ୍ର ଓ ଯୁବ ସଂଗଠନକୁ ବିଧାୟକମାନଙ୍କ ହାତରେ ଛାଡିନଦେଇ ଅଣ ବିଧାୟକଙ୍କୁ ଛାତ୍ର ଯୁବ ଦାୟିତ୍ୱ ଦେବା ସହ ସେମାନଙ୍କୁ ପ୍ରଭୁତ ଆର୍ଥିକ ତଥା ରାଜନୈତିକ କ୍ଷମତା ଦିଆନଗଲେ ଛାତ୍ର ଓ ଯୁବ ସଂଗଠନ ଦଳ ଆଗେଇ ନିଆଯାଇପାରିବ ଫୁଲ ଟାଇମର ସଭାପତିଙ୍କ ଦ୍ୱାରା  । କାରଣ ବିଧାୟକ ଯୁବ ଛାତ୍ର ସଭାପତି ହେଲେ ନିଜ ନିର୍ବାଚନମଣ୍ଡଳୀ ସମ୍ଭାଳିବା କାଠିକର ପାଠ, ଆଉ ରାଜ୍ୟ ଯୁବ ବା ଛାତ୍ର ସଂଗଠନର ନେତୃତ୍ୱ ନେବେ କେତେବେଳେ ?
 ଗତ କିଛି ବର୍ଷର କଲେଜ ନିର୍ବାଚନ ଫଳର ଗହନ କଥାକୁ ଦେଖିଲେ ଜାଣିହେବ ଛାତ୍ର ଓ ଯୁବ ସଂଗଠନ କେମିତି ଚାଲିଛି । ଦଳ ଭିତରେ ଅସନ୍ତୋଷ, ଆଞ୍ଚଳିକ ବୈଷମ୍ୟତା କାରଣରୁ ଦଳ ଭିତରେ ଚାଲିଥିବା ଚାପା ଚଳନ ବିରାଟ ଭୂଚଳନର ରୂପ ନେବା ପୂର୍ବରୁ ଛାମୁଆ ସଂଗଠନଗୁଠିକୁ ଗୁରୁତ୍ୱ ଦେବାର ବେଳ ଆସିଛି । ଆଉ ଯେଉଁଭଳି ଭାବେ ଯୁବଛାତ୍ର ଭୋଟ ଅତଡା ଖସିଲା ପରି ମୋଦି ମୁହାଁ, ସେଭଳି ପରିସ୍ଥିତିରେ ସେମାନଙ୍କୁ ବିଜେଡି ମୁହାଁ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ  । ଉପକୁଳ ଜିଲ୍ଲାରେ ଯଥାକଥା ନିଜ ସ୍ଥିତି ନବୀନ ବାବୁଙ୍କ ନାଁରେ ବିଜେଡି ବଞ୍ଚାଇ ରଖିଥିବା ବେଳେ ପଶ୍ଚିମ ଓଡିଶାରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି  । କୋଶଳ ଆନେ୍ଦାଳନ ପୁଣି ମୁଣ୍ଡ ଟେକୁଥିବା ବେଳେ ଉପକୂଳ ନେତାମାନଙ୍କ ପ୍ରତି ପଶ୍ଚିମ ଓଡିଶା ବାସୀଙ୍କ ସେଭଳି ଭଲ ମାନସିକତା ନାହିଁ  । କେହି ମାନନ୍ତୁ ବା ମାନନ୍ତୁ, ପଶ୍ଚିମ ଓଡିଶାରେ ବିଜେଡି ସାମାନ୍ୟ ଅସ୍ତିତ୍ୱ ସଙ୍କଟରେ ପଡିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ଠିଆ ହେବାପରେ ପଶ୍ଚିମ ଓଡିଶାବାସୀଙ୍କ ମନରେ ଏକ ଆସ୍ଥା ଆସିଥିଲା ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି  । ହେଲେ ନିର୍ବାଚନ ପରେ ବିଜେପୁର ଆସନରୁ ଇସ୍ତଫା ଦେଇ ସେ ପଶ୍ଚିମ ଓଡିଶାବାସୀଙ୍କ ମନରେ ଦୁଃଖ ସୃଷ୍ଟି କରିଛନ୍ତି ବୋଲି ସମାଲୋଚକ ମାନେ ଅଭିଯୋଗ କରିଛନ୍ତି  । ତେଣୁ ତାହା ନୂଆ ନୂଆ  କରି ଭୋଟର ହେଉଥିବା ବା ହେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ମନରେ ପ୍ରତିକୂଳ ପ୍ରଭାବ ପକାଇବା ସ୍ୱାଭାବିକ । ଆଉ ଏବେ କୋଶଳ ଆନେ୍ଦାଳନ, ଟିଟିଲାଗଡ ଜିଲ୍ଲା ଦାବି,ପଦ୍ମପୁର ଜିଲ୍ଲା ଦାବି, ହାଇକୋର୍ଟ ବେଞ୍ଚ ଦାବି ଆଦିକୁ ନେଇ ଆନେ୍ଦାଳନ ସରକାର ଓ ବିଜେଡିକୁ  କିଛିଟା ସମସ୍ୟାରେ ପକାଇପାରେ ।
ତେଣୁ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ନିହାତି ମଜଭୁତ କରିବା ଆବଶ୍ୟକତା ରହିଛି କାରଣ ତାହା ହେଉଛି ମୂଳଦୂଆ । ତେଣୁ ଏହାର ଗୁରୁତ୍ୱ ଉପଲବ୍ଧି କରି ଏବେ ଛାମୁଆ ସଂଗଠନରେ ଆମୂଳଚୂଳ ପରିବର୍ତ୍ତନ କରିବା ବିଷୟରେ ବିଜେଡି ଚିନ୍ତା କରୁଥିବା ବେଳେ ପଶ୍ଚିମ ଓଡିଶାକୁ ପ୍ରାଧାନ୍ୟ ଦିଆଯିବ ବୋଲି ଶୁଣିବାକୁ ମିଳୁଛି । ମୋଟା ମୋଟି ଭାବେ ପଶ୍ଚିମ ଓଡିଶାରୁ ମୋଟା ମୋଟି ଭାବେ ମହିଳା ସଭାନେତ୍ରୀ ଭାବେ ଆକ୍ରମକ ଆଭିମୁଖ୍ୟ ରଖୁଥିବା ପଶ୍ଚିମ ଓଡିଶାର ଟାଣୁଆ ଯୁବ ନେତ୍ରୀ ତଥା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ମହିଳ ଜନତା ଦଳ ସଭାନେତ୍ରୀ କରିବାକୁ ଦଳ ଚିନ୍ତା କରୁଥିବା ଜଣାପଡିଛି । ଯଦି ପଶ୍ଚିମ ଓଡିଶା କଥା ବିଚାରକୁ ନନେଇ ଉପକୂଳକୁ ଗୁରୁତ୍ୱ ଦିଆଯାଏ ତେବେ ସୁଲତା  ଦେଓ ବା ସୁଲୋଚନା ଦାସଙ୍କ କଥା ଚିନ୍ତା କରାଯାଇପାରେ ।
ସେହିପରି ଯୁବ ବିଜେଡି ସଭାପତି ଯଦି ପରିବର୍ତ୍ତନ କରାଯାଏ ତେବେ ସେଥିପାଇଁ ଯେଉଁ କେତେ ଜଣ ନେତା ଦାବିଦାର ରହିବେ ବିଧାୟକ ବ୍ୟୋମକେଶ ରାୟ, ଯୁବ ବିଜେଡି ପରାମର୍ଶଦାତା ରଣଜିତ ମହାପାତ୍ର, ଛାତ୍ର ବିଜେଡିର ପରାମର୍ଶଦାତା ଚିନ୍ମୟ ସାହୁଙ୍କ ନାମ ଶୁଣାଯାଉଛି  । ଆଉ ମୋଟାମୋଟି ଭାବେ ବ୍ୟୋମକେଶ ରାୟଙ୍କ ନାମ ପ୍ରାୟତଃ ଶୁୁଣାଯାଉଛି  । ତେଣୁ ମୋଟାମୋଟି ଭାବେ ଯୁବ ସଭାପତି ଉପକୂଳ ଓଡିଶାରୁ କରିବା ଆପାତତଃ ନିଷ୍ପତ୍ତି ନେଇଛି ଦଳ  ।
ସେହିପରି ଛାତ୍ର ସଭାପତି ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ପ୍ରବଳ  । ସେମାନଙ୍କ ମଧ୍ୟରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳ, ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ବିଶ୍ୱପ୍ରତାପ ସାହୁଙ୍କ, ହରିଶଙ୍କର ରାଉତ, କଳ୍ପତରୁ ଓଝା ଓ ଉପଦେଷ୍ଟା ତନ୍ମୟ ସାହୁଙ୍କ ନାମ ଚର୍ଚ୍ଚା ହେଉଛି । ମୋଟା ମୋଟି ଭାବେ ଦେବୀ ଓ ସୌଭିକଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ଯଦି ଅଣ ଏମଏଲଏଙ୍କୁ ଛାତ୍ର ସଭାପତି କରିବାକୁ ଦଳ ଚାହିଁବ ଆଉ ଉପକୂଳର ଛାତ୍ରନେତାଙ୍କୁ ଦେବାକୁ ଚାହିଁବ ତେବେ ହରିଶଙ୍କର ରାଉତ, କଳ୍ପତରୁ ଓଝା ଓ ତନ୍ମୟ ସାହୁଙ୍କ ନାମ ବିଚାରକୁ  ନେଇପାରେ । ଗତ ଛାତ୍ର ଆଉ ଯୁବ ସଭାପତି ନିଯୁକ୍ତି ଦୁଇ ଯୁବନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୋଇଥିବା କାରଣରୁ କିଛି ଯୋଗ୍ୟ ଛାତ୍ର ଓ ଯୁବ ନେତା ବଂଚିତ ହୋଇଥିବା ବେଳେ ସେ ଅସଂଗତି ଦୂର କରିବା ପାଇଁ  ସେମାନଙ୍କ କଥାକୁ ବି ବିଚାର କରାଯାଇପାରେ ବୋଲି ବି ଚର୍ଚ୍ଚା ହେଉଛି ।

ନାଇଁ ଯଦି ତତଲା ତାୱା ଉପରେ ଥିବା ପଶ୍ଚିମ ଓଡିଶାରୁ କାହାକୁ ଯଦି ସଭାପତି କରିବାକୁ ଚିନ୍ତା କରାଯାଏ ତେବେ ବିଶ୍ୱପ୍ରତାପଙ୍କ ନାମ ସର୍ବାଗ୍ରେ ଚିନ୍ତା କରାଯାଇପାରେ । ଶୁଣିବାକୁ ମିଳୁଛି ପଶ୍ଚିମ ଓଡିଶାରେ ଯେଉଁଭଳି ଭାବେ ଯୁବ ଛାତ୍ର ଗୋଷ୍ଠୀ ବିଜେଡି ଠାରୁ ମୁହଁ ମୋଡିବା ଆରମ୍ଭ କରିବା ଆରମ୍ଭ କରିଛନ୍ତି ସେଥିରେ ବ୍ରେକ ଲଗାଇବା ପଶ୍ଚିମ ଓଡିଶାରେ ଛାତ୍ର ଓ ଯୁବ ସଂଗଠନକୁ ମଜଭୁତ କରିବା ପାଇଁ ଦଳ ଚିନ୍ତା କରୁଛି । ସବୁବେଳେ ଛାତ୍ର ଯୁବ ଓ ମହିଳା ସଂଗଠନର ନେତୃତ୍ୱରେ ଉପକୁୂଳକୁ ଗୁରୁତ୍ୱ ଦେଇ ଆସୁଥିବା କାରଣରୁ ଦଳୀୟ ସଂଗଠନେରେ ବି ଚାପା ବିଦ୍ୱେଷ ଅଛି  । ତାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାରୁ ମହିଳା, ଯୁବ ଅବା ଛାତ୍ର ସଭାପତି କରାଯାଏ ତେବେ ପଶ୍ଚିମ ଓଡିଶାର ମହିଳା ସଭାପତି ଭାବେ ଶ୍ରୀମୟୀ ମିଶ୍ର, ଛାତ୍ର ସଭାପତି ଭାବେ ଛାତ୍ରନେତା ବିଶ୍ୱପ୍ରତାପଙ୍କ କଥା ବି ଦଳ ଚିନ୍ତା କରିପାରେ  ।

ଦେଖାଯାଉ ଦଳ ସବୁଦିଗକୁ ଚିନ୍ତାକରି ଛାମୁଆ ସଂଗଠନ ଗୁଡିକର ପୁନର୍ବିନ୍ୟାସ କରୁଛି ନା ସବୁଥର ପରି ଉପର ଠାରିଆ ଭାବେ କରୁଛି ।

0
0
0
s2sdefault