ହେଡଲାଇନସ୍:

ନିର୍ବାଚନ ପୋଷ୍ଟମର୍ଟମ : ମୟୂରଭଞ୍ଜ ଜିଲ୍ଲାରେ ପରିବର୍ତ୍ତନ ସପକ୍ଷରେ ଜନମତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ଲୋକସଭା ବିଜେଡ଼ି ହାତରୁ ଖସିଲା-
ବିଜେଡ଼ି ଦଖଲରେ ଥିବା ଜିଲ୍ଲାର ୯ ବିଧାନସଭା ଆସନରୁ ୬ ବିଜେପି ଛଡ଼ାଇ ନେଲା-
ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୮% ମଧ୍ୟରେ ଓ ଜେଏମଏମ ୨୩%  ସିମୀତ
ବିଜେଡ଼ିର ରାଜ୍ୟସଭା ସାଂସଦ ଓ ପୂର୍ବତନ ବିଧାୟକ ପରାସ୍ତ
ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ସାଂସଦ ୬.୫୬% ଭୋଟ ପାଇ ପରାସ୍ତ

ବାରିପଦା(Dillip Mohanty)- ଓଡ଼ିଶାରେ ବିକାଶର ସୂର୍ଯେ୍ୟାଦୟ ମୟୂରଭଞ୍ଜ ମାଟିରୁ ଆରମ୍ଭ ହେବାର ନାରା ନେଇ ବିଜେପି ନିର୍ବାଚନକୁ ଉହ୍ଲାଇଥିଲା । ଲକ୍ଷ୍ୟ ଥିଲା ମୟୂରଭଞ୍ଜ ଲୋକସଭା ଆସନ ସହ ଜିଲ୍ଲାର ୯ ବିଧାନସଭା ଆସନରେ ବିଜୟର ଧ୍ୱଜା ଉଡ଼ାଇବା । କିନ୍ତୁ, ବିଜେପି  ତାର ଲକ୍ଷ୍ୟ ପଥରେ ପହଁଞ୍ଚିବାରେ ସକ୍ଷମ ହୋଇନଥିଲେ ମଧ୍ୟ ମୟୂରଭଞ୍ଜ ଲୋକସଭା ଓ ୬ ବିଧାନସଭା ଆସନକୁ ବିଜେଡ଼ିଠାରୁ ଛଡ଼ାଇ ନେବାରେ ସଫଳ ହୋଇଛି । ଜିଲ୍ଲାରେ ପରିବର୍ତ୍ତନ ସପକ୍ଷରେ ଜନମତ ଯାଇଛି । ଖୁଦ୍ ମୁଖ୍ୟମନ୍ତ୍ରୀ ନବୀନ ପ୍ରଚାରର ମଙ୍ଗ ସମ୍ଭାଳିଥିବା ବେଳେ ବିଜେଡ଼ିର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଓ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ବିଜେଡ଼ି ପକ୍ଷରୁ ୨୦୧୪ ନିର୍ବାଚନ ଫଳ ଦୋହରାଇବାର ଆଶା ବିଫଳ ହୋଇଛି । ମେ ୨୩ ଫଳ ପ୍ରକାଶ ପାଇବା ପରେ ବିଜେଡ଼ି, ବିଜେପି ସହ କଂଗ୍ରେସ- ଜେଏମଏମ ମେଣ୍ଟରେ ଆରମ୍ଭ ହୋଇଛି ନିର୍ବାଚନ ପୋଷ୍ଟମଟମ୍ । ନିର୍ବାଚନରେ ପରାଜୟରେ ରହିଥିବା ତୃଟିବିଚୁ୍ୟତିକୁ ସୁଧାରିବା ନିମନ୍ତେ ବିଜେପି, ବିଜେଡ଼ି ପକ୍ଷରୁ ଆରମ୍ଭ ହୋଇଛି ମାନସ ମନ୍ଥନ । ସେହିପରି କଂଗ୍ରେସ ଓ ଜେଏମଏମ ଘର ସଜାଡ଼ିବାରେ ଲାଗିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନୀ ଫଳାଫଳକୁ ନେଇ ଏକଜିଟ ପୋଲ ମିଥ୍ୟା ସାବ୍ୟସ୍ତ ହୋଇଛି । ଜିଲ୍ଲାର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହୋଇଛି । କୌଣସି ପ୍ରାର୍ଥୀ ୫୦% ଭୋଟ ଫାଖ ଛୁଇଁ ପାରିନାହାନ୍ତି । କେବଳ ସାରସକଣା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହୋଇଛି । ୩୫%ରୁ କମ୍ ଭୋଟ ପାଇ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛି । ବାରିପଦା ଆସନରୁ ବିଜେପିରୁ ପ୍ରକାଶ ସୋରେନ ୪୫.୭୪% ହାରରେ ସର୍ବାଧିକ ୭୨,୨୨୫ ଖଣ୍ଡ ଭୋଟ ପାଇ ଏକତରଫା ଭାବେ ୧୯,୪୧୧ ଖଣ୍ଡ ଭୋଟ ବ୍ୟବଧାନରେ ରାଜ୍ୟସଭା ସାଂସଦ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମଙ୍କୁ ପରାସ୍ତ କରିଛନ୍ତି । ସେହିପରି ବିଜେପିର ବଡ଼ସାହି ବିଧାୟକ ସନାତନ ବିଜୁଳି ୪୭.୬୦% ପ୍ରତିଶତ ହାରରେ ୬୯,୦୭୨ ଖଣ୍ଡ ଭୋଟ ପାଇ ୧୧,୧୧୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡ଼ିର ବୃନ୍ଦାବନ ଦାସଙ୍କୁ , ଉଦଳା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଭାସ୍କର ମଢେ଼ଇ ୪୬.୧୬% ହାରରେ ୬୯,୭୨୫ ଖଣ୍ଡ ଭୋଟ ପାଇ ସର୍ବନିମ୍ନ ୧, ୪୩୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡ଼ିର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କୁ, ରାଇରଙ୍ଗପୁର ଆସନରେ ବିଜେପିର ନବଚରଣ ମାଝି ୩୭.୮୦% ହାରରେ ୬୦,୯୦୧ ଖଣ୍ଡ ଭୋଟ ପାଇ ବିଜେଡ଼ିର ବାସନ୍ତୀ ମାର୍ଣ୍ଡିଙ୍କୁ ୨,୮୪୭ ଖଣ୍ଡ ଭୋଟ ବ୍ୟବଧାନରେ, ଯଶୀପୁର ଆସନରେ ବିଜେପିର ଗଣେଶ ରାମ ସିଂ ଖୁଣ୍ଟିଆ ୩୭.୧୪% ହାରରେ ୫୮,୭୦୮ ଖଣ୍ଡ ଭୋଟ ପାଇ ୮,୫୫୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡ଼ିର ଗୋଲକ ବିହାରୀ ନାୟକଙ୍କୁ ଓ ସାରସକଣା ଆସନରୁ ବିଜେପିରୁ ଡ଼ା. ବୁଢ଼ାନ ମୁର୍ମୁ ୩୪.୭୭% ହାରରେ ୫୩,୧୯୭ ଖଣ୍ଡ ଭୋଟ ପାଇ ୬,୮୧୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡ଼ିର ଅମର ସିଂ ଟୁଡ଼ୁଙ୍କୁ ପରାସ୍ତ କରିଛନ୍ତି । ଉକ୍ତ ସାରସକଣା ଆସନରୁ ପୂର୍ବତନ ବିଜେଡ଼ିର ମୟୂରଭଞ୍ଜ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦାଃ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରି ୬.୫୬ ପ୍ରତିଶତ ହାରରେ ମୋଟ ୧୦,୦୩୬ ଖଣ୍ଡ ଭୋଟ ପାଇବାରେ ସକ୍ଷମ ହୋଇପାରିଛନ୍ତି ।
      ଏଥି ସହିତ କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ବାସନ୍ତୀ ହେମ୍ବ୍ରମ ସର୍ବାଧିକ ୪୩.୨୬% ହାରରେ ମୋଟ ୬,୦୦୬୪ ଖଣ୍ଡ ଭୋଟ ପାଇ ବିଜେପିର ପୂର୍ବତନ ବିଧାୟକ ପଦ୍ମ ଚରଣ ହାଇବୁରୁଙ୍କୁ ୮,୭୬୩ ଖଣ୍ଡ ଭୋଟ ବ୍ୟବଧାନରେ, ବାଙ୍ଗିରିପୋଷି ଆସନରେ ବିଜେଡ଼ିର ସୁଦାମ ମାର୍ଣ୍ଡି ୪୨.୯୧% ହାରରେ ୭୨,୦୫୦ ଖଣ୍ଡ ଭୋଟ ପାଇ ବିଜେପିର ସୁଗଦା ମୁର୍ମୁଙ୍କୁ ୧୧,୮୪୪ ଖଣ୍ଡ ଭୋଟ ବ୍ୟବଧାନରେ ଏବଂ ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ରାଜ କିଶୋର ଦାସ ୩୮.୨୩% ହାରରେ ୬୮,୫୫୧ ଖଣ୍ଡ ଭୋଟ ପାଇ ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ୬,୭୦୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
ସେହିପରି ବିଜେଡ଼ି ଓ ବିଜେପିକୁ ଟକ୍କର ଦେବା ନିମନ୍ତେ କଂଗ୍ରେସ ଓ ଜେଏମଏମ ମଧ୍ୟରେ ମେଣ୍ଟ ହୋଇଥିଲା । ୨୦୧୪ ନିର୍ବାଚନରେ କଂଗ୍ରେସ ବଡ଼ସାହି ଓ ଜେଏମଏମ ସାରସକଣା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ସ୍ଥାନରେ ରହିଥିଲା ଓ ନିର୍ବାଚନରେ କଂଗ୍ରେସକୁ ୧୫.୨୬% ହାରରେ ୨,୦୦,୧୧୪ ଓ ଜେଏମଏମକୁ ୧୪.୯୨% ହାରରେ ୧,୭୫,୬୫୩ ଖଣ୍ଡ ଭୋଟ ପଡ଼ିଥିଲା । ତେଣୁ ୨୦୧୯ ନିର୍ବାଚନରେ କଂଗ୍ରେସ-ଜେଏମଏମ ମେଣ୍ଟ ଜିଲ୍ଲାରେ ୩/୪ଟି ଆସନ ଦଖଲ କରିବା ଆଶା ରଖିଥିଲେ ମଧ୍ୟ ଶେଷରେ ଖାତା ଖୋଲିବାରେ ବିଫଳ ହୋଇଛି । ମେଣ୍ଟକୁ ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀରେ  ମୋଟ ୧୪,୧୨,୩୧୬ ପୋଲିଂ ମଧ୍ୟରୁ ୧୩.୨୦% ହାରରେ ୧,୮୬,୪୭୬ ଖଣ୍ଡ ଭୋଟ ମିଳିଛି ଏବଂ ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ, ଜିଲ୍ଲା ସଭାପତି ଫାଗୁ ହାଁସଦାଃ ପ୍ରମୁଖ ପରାସ୍ତ ହୋଇଛନ୍ତି । କଂଗ୍ରେସ ଓ ଜେଏମଏମ ଭୋଟର ସିଂହ ଭାଗ ବିଜେପି ଝୁଲାରେ ପଡ଼ିଛି । ୨୦୧୪ରେ ବିଜେପି ୯ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇ ମୋଟ ପୋଲିଂ ୧୩,୧୧,୫୩୪ ମଧ୍ୟରୁ ୨୨.୬୧% ହାରରେ ମୋଟ ୨,୯୬,୫୩୬ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୯ ନିର୍ବାଚନରେ ଭୋଟ ବୃଦ୍ଧି ପାଇ ୩୯.୪୫% ହାରରେ ୫,୫୭,୧୮୨ ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେଡ଼ି ଖାତାକୁ ୨୦୧୪ରେ ୩୪.୦୯% ହାରରେ ୪,୪୭,୦୪୪ ଖଣ୍ଡ ଭୋଟ ଆସିଥିବା ବେଳେ ୨୦୧୯ରେ ୩୭.୮୩% ହାରରେ ୫,୩୪,୩୧୮ ଖଣ୍ଡ ଭୋଟ ଯୋଡ଼ି ହୋଇଥିଲା । ସେହିପରି ମୟୂରଭଞ୍ଜ ଲୋକସଭା ଆସନରୁ ୨୦୧୪ ନିର୍ବାଚନରେ ମୋଟ ୧୦,୫୩,୩୯୯ ପୋଲିଂ ମଧ୍ୟରୁ ବିଜେଡ଼ି ୩୭.୩୮% ହାରରେ ୩,୯୩,୭୭୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ୨୫.୭୨% ହାରରେ ୨,୭୦,୯୧୩ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ଜେଏମଏମ ୧୬.୪୨% ହାରରେ ୧,୭୨,୯୮୪ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୩.୫୦% ହାରରେ ୧,୪୨,୧୬୫ ଖଣ୍ଡ ଭୋଟ ପାଇ ଚତୃର୍ଥରେ ରହିଥିଲା । ଏଥି ସହିତ ୨.୨୩% ହାରରେ ମୋଟ ୨୩,୫୧୭ ଭୋଟ ନୋଟାରେ ପଡ଼ିଥିଲା । ମାତ୍ର ୨୦୧୯ ନିର୍ବାଚନରେ ସେହି କଂଗ୍ରେସ ଓ ଜେଏମଏମର ସିଂହ ଭାଗ ଭୋଟ ବିଜେପି ସପକ୍ଷରେ ଆସିଥିଲା । ଫଳରେ ନିର୍ବାଚନରେ ମୋଟ ପୋଲିଂ ୧୧,୨୯,୦୦୦ ଭୋଟ ମଧ୍ୟରୁ ବିଜେପିର ଇଂ ବିଶ୍ୱେଶର ଟୁଡ଼ୁ ୪୨.୮୫% ହାରରେ ୪,୮୩,୮୧୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡ଼ି ୪୦.୬୨% ହାରରେ ୪,୫୮,୫୫୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଏବଂ କଂଗ୍ରେସ-ଜେଏମଏମ ମେଣ୍ଟ ପ୍ରାର୍ଥୀ(ଜେଏମଏମ)କୁ ୧୨.୦୧% ମାତ୍ର ୧,୩୫,୫୫୨ ଖଣ୍ଡ ଭୋଟ ମିଳିଥିଲା । ସେହିପରି ନୋଟାକୁ ୧.୮୯% ହାରରେ ୨୧,୩୫୭ ଖଣ୍ଡ ଭୋଟ ଯାଇଥିଲା ।
                ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ିର ବିଫଳତା ଓ ବିଜେପିର ସଫଳତା ପଛରେ ଅନେକ ଗୁଡ଼ାଏ କାରଣ ଥିବାର ଜଣାପଡ଼ିଛି । ଏହା ମଧ୍ୟରୁ ମୁଖ୍ୟ କାରଣ ଜିଲ୍ଲାରେ ୯ ବିଧାୟକ ମଧ୍ୟରୁ ୮ ଜଣଙ୍କୁ ଟିକଟରୁ ବଞ୍ଚିତ କରାଯିବା । ବିଶେଷ କରି ୩ ଥର ବିଧାୟକ ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିବା ସହ ୨ ଥର ବିଧାନସଭାରେ ଉପବାଚସ୍ପତି ସାନନ୍ଦଙ୍କୁ ଟିକଟ ନଦେବା ବିଜେଡ଼ି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେହିପରି ଦଳରେ ପୁରୁଣାକୁ ଅଣଦେଖା, ଆମଦାନୀକୁ ଗୁରୁତ୍ୱ ଦେବା, ଅସନ୍ତୁଷ୍ଟମାନେ ଦଳ ତ୍ୟାଗ କରିବା, ବିଜେଡ଼ି ଜିଲ୍ଲା ନେତୃତ୍ୱକୁ ଗୁରୁତ୍ୱ ନଦେବା, ଟିକଟ ଚୟନରେ ଦୂରଦୃଷ୍ଟିର ଅଭାବସହ ନିର୍ବାଚନ ମଣ୍ଡଳୀର ନେତାମାନଙ୍କ ପରାମର୍ଶ ନନେବା, ଜିଲ୍ଲା ବିଜେଡ଼ିରେ ଅନେକ ଗୋଷ୍ଠୀର ଆର୍ବିଭାବ ଏବଂ ଦଳୀୟ ସଙ୍ଗଠନରେ ଅସ୍ଥିରତା, ଅମଲା ଶାସନ ଉପରେ ବିଧାୟକଙ୍କ ଭୂମିକା ଗୌଣ୍ୟ ହେବା ଫଳରେ ସାଧାରଣ ଜନତାଙ୍କ ସୁଖଦୁଃଖରେ ସାମିଲ ହେବା କ୍ଷେତ୍ରରେ ବିଧାୟକଙ୍କ ଅସହାୟତା, ପିସି କାରବାର ଓ ଦୁର୍ନୀତି ଉପରେ ଲଗାମ ନ ରହିବା ଆଦିକୁ ନେଇ ଜନସାଧାରଣ ବିଜେଡ଼ି ପ୍ରତି ବିମୁଖ ହୋଇପଡ଼ିଥିଲେ । ତେଣୁ, ବିକଳ୍ପ ଭାବେ ବିଜେପିକୁ ବାଛି ନେଇଥିଲେ। କିନ୍ତୁ, ବିଜେପିରେ ନେତା, କର୍ମୀ ଅଭାବ ଫଳରେ ଜନତାଙ୍କ ନିକଟତର ହୋଇ ନପାରିବାରୁ ଜିଲ୍ଲାରେ ବିଜେଡ଼ି ମୂଳପୋଛ ହେବା ବଦଳରେ ୩ଟି ଆସନକୁ ଦଖଲ କରିବାରେ ସଫଳ ହୋଇପାରିଲା ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।





0
0
0
s2sdefault