ହେଡଲାଇନସ୍:

"ଓଡ଼ିଶାରେ ରେଳବାଇକୁ ଧ୍ୱଂସ କରିବା ଚକ୍ରାନ୍ତ ଚାଲିଛି "

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବିରୋଧରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ଧାରଣା ଓ ବିକ୍ଷୋଭ

ଭୁବନେଶ୍ୱର : ସାଉଥ୍‍ କୋଷ୍ଟ ରେଳବାଇ ଗଠନ ସହ ଏହାର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଣାରେ କରିବା ଏବଂ ୱାଲ୍‍ଟିୟର ଡିଭିଜନ୍‍କୁ ଏଥିରେ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ କେନ୍ଦ୍ର କରୁଥିବା ଆଉ ଏକ ଷଡ଼ଯନ୍ତ୍ର ବିରୋଧରେ ଆଜି ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ପ୍ରତୀକାତ୍ମକ ବିକ୍ଷୋଭ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ଯୁବ, ଛାତ୍ର ଓ ମହିଳା ବିଜେଡିର ବହୁ ସାଂଗଠନିକ କର୍ମକର୍ତ୍ତା, ବିଧାୟକ ଓ କର୍ମୀ ଅଂଶଗ୍ରହଣ କରିଥିଲେ ।

ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମହିଳା ବିଜେଡି ସଭାନେତ୍ରୀ ଡ. ମିନତି ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ  ଏହି ଧାରଣା ଓ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ନେତୃମଣ୍ଡଳୀ କହିଛନ୍ତି ଯେ କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନଆଣିଲେ ବିଜେଡିର ଛାମୁଆ ସଂଗଠନଗୁଡିକ ଆଗାମୀ ଦିନରେ ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇବେ । ଗୋଟିଏ ପଟେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିସ୍ତୃତ ଅଞ୍ଚଳ, ଯେଉଁଠାରୁ ଅଧିକ ପରିମାଣର କୋଇଲା ଓ ଲୁହାପଥର ରେଳ ଦ୍ୱାରା ପଠାଯାଇଥାଏ, ତାହା ପୂର୍ବପରି ବିଳାସପୁର (ଏସ୍‍ଇସିଆର୍‍) ଓ ଚକ୍ରଧରପୁର (ଏସ୍‍ଇଆର୍‍) ଡିଭିଜନ୍‍ ଅଧୀନରେ ପୂର୍ବବତ୍‍ ରହିଥିବାରୁ ଓଡ଼ିଶାର ଜନସାଧାରଣ ନିଜ ରାଜ୍ୟ ଭିତରୁ ସେବା ପାଇବା ଅଧକାରରୁ ବଂଚିତ  ହୋଇଛନ୍ତି । ଏବେ ପୁଣି ୱାଲ୍‍ଟିୟର ରେଳ ଡିଭିଜନ୍‍କୁ ଫାଳ ଫାଳ କରି ବୃହତ୍ତର ଅଂଶକୁ ନୂଆ ରେଳବାଇ ଜୋନ୍‍ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଓ ପ୍ରୟାସ, ଓଡ଼ିଶାର ପୂର୍ବତଟ ରେଳବାଇ ଲାଗି ମୃତୁ୍ୟର ଘଣ୍ଟି ହୋଇଛି । ପୂର୍ବତଟ ରେଳବାଇ ଅଧୀନରେ ଥାଇ ପ୍ରାୟ ସମସ୍ତ ଡିଜେଲ୍‍ ଓ ଇଲେକ୍ଟ୍ରିକ୍‍ ଇଞ୍ଜିନ ଏବଂ ୱାଗନଗୁଡିକର ରକ୍ଷଣାବେକ୍ଷଣ ବିଶାଖାପାଟଣା ନିଆଯାଇ କରାଯାଇଥାଏ । ଗତ ଦେଢ଼ ଦଶନ୍ଧି ଧରି ରେଳବାଇ ଏହି କାର୍ଯ୍ୟ କରିଆସୁଛି । ସେହିପରି ଭାଇଜାଗରେ ଯେଉଁ ଡିଜେଲ୍‍ ସେଡ୍‍ ରହିଛି, ତାହା ହେଉଛି ଦେଶର ସର୍ବବୃହତ ଡିଜେଲ୍‍ ଲୋକୋ ସେଡ୍‍ । ଓଡ଼ିଶାରେ ଏପରି ଡିଜେଲ୍‍ ଇଞ୍ଜିନ୍‍ ସେଡ୍‍ ନାହିଁ । ବିଦୁ୍ୟତ ଚାଳିତ ଇଞ୍ଜିନଗୁଡିକ ଲାଗି ଭାଇଜାଗ୍‍ରେ ଥିବା ଲୋକୋସେଡ୍‍ ପୂର୍ବତଟ ରେଳବାଇରେ ସବୁଠାରୁ ବଡ଼ ଓ ୱାଗନ୍‍ ରକ୍ଷଣାବେକ୍ଷଣ କ୍ଷେତ୍ରରେ ମଧ୍ୟ ସେଇ ସମାନ ଅବସ୍ଥା ରହିଛି । ତା’ସତ୍ତେ୍ୱ ଏହିସବୁ ବ୍ୟବସ୍ଥା ଓ ସୁବିଧାକୁ ପୂର୍ବତଟ ରେଳବାଇ ହାତରୁ କାଢ଼ି ନିଆଗଲେ ଓଡ଼ିଶାରେ ଇଞ୍ଜିନ ଓ ୱାଗନ୍‍ ଯୋଗାଣ କ୍ଷେତ୍ରରେ ରେଳବାଇର ଅବସ୍ଥା ଶୋଚନୀୟ ହୋଇପଡିବ । ଏପରି ମଧ୍ୟ ଦକ୍ଷିଣ-ପୂର୍ବ ରେଳବାଇ ତିନିଭାଗ ହେଲା ବେଳେ ଓଡ଼ିଶାକୁ ବହୁ ଦୁର୍ଦ୍ଧଶା ଭୋଗିବାକୁ ପଡିଥିଲା । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା ଯେ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ବିନିଯୋଗ ପାଇଁ ଲଗାତାର ଅନୁରୋଧ କରିବା ପରେ ମଧ୍ୟ ସମସ୍ତ ରକ୍ଷଣାବେକ୍ଷଣ ଓ ବିନିଯୋଗ ପାଇଁ ବିଶାଖାପାଟଣାକୁ ରେଳବାଇ ବାଛିଚି । ଏହିସବୁ ସୁବିଧା ବିନା ଏବେ ପୂର୍ବତଟ ରେଳବାଇ ଅନ୍ୟ ରେଳବାଇ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବ । ଓଡ଼ିଶାର ଶିଳ୍ପ ଓ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ଦିଗରେ ମଧ୍ୟ ଅସମର୍ଥ ହୋଇପାରେ ।

ଏପରି ଏକ ପଛୁଆ ପଦକ୍ଷେପ ଯୋଗୁ ଅଧିକ ସମ୍ବଳ ପରିବର୍ତ୍ତେ ଅନ୍ୟ ଜୋନ୍‍ଗୁଡିକ ଦୟାରେ ଓଡ଼ିଶାକୁ ରହିବାକୁ ପଡିବ । କେବଳ ସେତିକି ନୁହେଁ, ଇଞ୍ଜିନ୍‍ ଓ ୱାଗନ୍‍ଗୁଡିକର ରକ୍ଷଣାବେକ୍ଷଣ ପାଇଁ ବାହାରେ ଥିବା ଡିଭିଜନ୍‍ଗୁଡିକର ସମର୍ଥନ ପାଇବା ସେମାନଙ୍କ ଦୟା ଉପରେ ନିର୍ଭର କରିବ । ଏହା ଓଡ଼ିଶା ରେଳବାଇର କାର୍ଯ୍ୟଦକ୍ଷତାକୁ ନଷ୍ଟଭ୍ରଷ୍ଟ କରିଦେବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୮ ଫେବୃଆରୀ ୧୬ ତାରିଖରେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏକ ପତ୍ର ଲେଖି ପୂର୍ବତଟ ରେଳବାଇରୁ ୱାଲ୍‍ଟିୟର ଡିଭିଜନ୍‍ର କିଛି ଅଂଶ କାଢ଼ି ନେଇ ଆନ୍ଧ୍ରରେ ନୂଆ ରେଳବାଇ ଜୋନ୍‍ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା  ଉଦ୍ୟମର ପ୍ରତିବାଦ କରିଥିଲେ । ଓଡ଼ିଶାର ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦର୍ଶାଇ ଉଲ୍ଲେଖ କରିଥିଲେ ଯେ ପୂର୍ବତଟ ରେଳବାଇ ଅଧୀନରେ ୩ଟି ପ୍ରସ୍ତାବିତ ନୂଆ ଡିଭିଜନ୍‍ ମୁଖ୍ୟ କାର୍ଯ୍ୟାଳୟ ରାଉରକେଲା, ଯାଜପୁର / ଯାଜପୁର-କେନ୍ଦୁଝର ରୋଡ୍‍ ଓ ରାୟଗଡ଼ାରେ କରାଯାଉ । ଓଡ଼ିଶା ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଦେଇଥାଏ, ଅଥଚ ବିଜେପି ନେତୃତ୍ୱରେ କେନ୍ଦ୍ର ସରକାର ଗୋଟିଏ ବର୍ଷରେ ଟାଣଟୁଣ ନୀତିରେ ୨ହଜାର କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିଥାଏ । ଶିଳ୍ପ, ବନ୍ଦର, ଖଣିଜ ଦ୍ରବ୍ୟ ଓ ବିପୁଳ ବିନିଯୋଗମୂଳକ ପ୍ରକଳ୍ପ ଥାଇ ମଧ୍ୟ ୩ଟି ପ୍ରସ୍ତାବିତ ଡିଭିଜନ୍‍କୁ ନେଇ ଓଡ଼ିଶାରେ ନୂଆ ଜୋନ୍‍ କରାନଯିବା, ଦର୍ଶାଇଥାଏ ଯେ ଓଡ଼ିଶାକୁ କେନ୍ଦ୍ର କିପରି ଚରମ ଅବହେଳା ପ୍ରଦର୍ଶନ କରୁଛି ।

ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆକ୍ଟରେ ନୂତନ ଦକ୍ଷିଣତଟ ରେଳବାଇ ବାଧ୍ୟତାମୁଳକ ନୁହେଁ । ବରଂ ଏହି ଆଇନ୍‍ରେ ନୂଆ ରେଳପଥ ପ୍ରତିଷ୍ଠା  ପ୍ରସ୍ତାବର ପରୀକ୍ଷା କରିବା ପାଇଁ ବ୍ୟବସ୍ଥା ରହିଛି । ରେଳ ମନ୍ତ୍ରାଳୟ ମଧ୍ୟ ଏହି ବ୍ୟବସ୍ଥାନୁଯାୟୀ ଏକ ଉଚ୍ଚସ୍ତରୀୟ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲା । ୨୦୧୬ରେ ଉକ୍ତ କମିଟି ସର୍ବସମ୍ମତି କ୍ରମେ ପୂର୍ବତଟ ରେଳବାଇର କ୍ଷମତା ଓ ଅଧିକାର କାଢ଼ି ନେଇ ଦକ୍ଷିଣ ରେଳବାଇକୁ ଦେବା ଚିନ୍ତାଧାରାକୁ ଅଗ୍ରାହ୍ୟ କରି ଦେଇଥିଲା । ଗତ ୩ବର୍ଷ ଧରି ଏହି ରିପୋର୍ଟକୁ ସାଧାରଣ ଲୋକଙ୍କ ଜାଣିବାକୁ ଦିଆଯାଇନାହିଁ ଓ ଲୁଚାଇ ରଖାଯାଇଛି । ସାଧାରଣ ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ଦକ୍ଷିଣ ରେଳବାଇ ନୂଆ ଜୋନ୍‍ ହେବା କଥା ସ୍ପଷ୍ଟ କରିଦେଉଛି ଯେ ଏହା ପଛରେ ରାଜନୈତିକ ଉଦେ୍ଧଶ୍ୟ ରହିଛି ଓ ସେଥିଲାଗି ଓଡ଼ିଶା ଓ ଓଡ଼ିଶାର ରେଳବାଇ ବିକାଶକୁ ବଳି ପକାଯିବାକୁ ଉଦ୍ୟମ ଚାଲିଛି । ଯଦି ଆନ୍ଧ୍ର କ୍ଷେତ୍ରରେ ବିଜେପି ରାଜନୈତିକ ନିଷ୍ପତ୍ତି ନେଇପାରୁଛି, ତେବେ ଓଡ଼ିଶାର ହକ୍‍ ଦାବି ପୂରଣ କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରୁଛି କାହିଁକି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‍ ଓରାମ୍‍ ଓ ରାଜ୍ୟ ବିଜେପି ଓଡ଼ିଶା ଲାଗି କେବଳ କୁମ୍ଭୀର କାନ୍ଦଣାରେ ବ୍ୟସ୍ତ । ଓଡ଼ିଶାକୁ ୨୦୧୪ରେ ସେମାନେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଲାଗି କହିଥିଲେ ଓ ତାହା କଲେ ନାହିଁ । ମହାନଦୀ ଏବଂ ପୋଲାଭରମ୍‍ ପ୍ରସଂଗରେ ଚୁପ୍‍ଚାପ୍‍ ବସିପଡିଲେ । ସେହିପରି ଓଡ଼ିଶାକୁ ଓ ଏହାର ରେଳବାଇ କ୍ଷେତ୍ରକୁ ନଷ୍ଟବିନଷ୍ଟ କରିବା ଦିଗରେ ଏହା ଏବେ ଆଉ ଏକ ପ୍ରକ୍ରିୟା । ଆନ୍ଧ୍ରବାସୀଙ୍କୁ ସନ୍ତୁଷ୍ଟ କରି ନିର୍ବାଚନରେ ଫାଇଦା ହାସଲ କରିବା ଓ ଓଡ଼ିଶାର ରେଳବାଇ କ୍ଷେତ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିବା ଏବଂ ଓଡ଼ିଶାକୁ ଠକିବା ଯୋଗୁ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ଦଳକୁ ଓଡ଼ିଶାବାସୀ ଉଚିତ୍‍ ସମୟରେ ଉଚିତ୍‍ ଶିକ୍ଷା ଦେବେ ବୋଲି କହିଛନ୍ତି ।

ଆଜିର ଏହି ବିକ୍ଷୋଭ ଓ ଧାରଣାରେ ଦଳର ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ କୁମାର ଦାସବର୍ମା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ସଂପାଦକ ଦେବୁ ମଲ୍ଲିକ, ଯୁବ ବିଜେଡି ମହାସଚିବ ଶିଶିର ପରିଜା, ଉପଦେଷ୍ଟା ଅମରେଶ ଜେନା, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ସନ୍ତୋଷ ବେଜ, ମନ୍ଦାକିନୀ କର, ରାଜକମଲ ଜେନା, ସାଧାରଣ ସଂପାଦକ ଜ୍ୟୋତିରଞ୍ଜନ ଜେନା, ସୁନୀଲ ପଣ୍ଡା, ଦେବାଶିଷ ସିଟ୍‍, ନରେଶ ପାତ୍ର, ପ୍ରମୋଦ କୁମାର ମହାପାତ୍ର, ସଂପାଦକ ଆଲୋକ ଭଟ୍ଟ, ମଳୟ ରଞ୍ଜନ ପତି, ସାଂଗଠନିକ ସଂପାଦକ ରଶ୍ମୀରଞ୍ଜନ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ଅମରଜିତ୍‍ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଉପଦେଷ୍ଟା ଚିନ୍ମୟ ସାହୁ, ଉପ-ସଭାପତି ରାଜେଶ ରାଜ ସ୍ୱାଇଁ, ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ଅସିତ ସାମଲ, ଅପୂର୍ବା ଅପରୂପା, ପ୍ରମୋଦ ପରିଡ଼ା, ମିକୁ ପ୍ରଧାନ, ମନୋଜ ସେନାପତି, ପ୍ରଦୋଷ ସ୍ୱାଇଁ, ଦୀପକ ବେହେରା, ସଂପାଦକ ପ୍ରମୋଦ ପାତ୍ର, ସାଂଗଠନିକ ସଂପାଦକ ସ୍ଥିତପ୍ରଜ୍ଞ ଦାଶ, ଏସ୍‍କେ. ଇମ୍ରାନ୍‍, ସ୍ନେହାଶିଷ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଜୋନ୍‍ ସଭାପତି ଅଜିତ ବେହେରା, ସଦସ୍ୟ ଧର୍ମାନନ୍ଦ ଧଳ, ସଂଜୟ ବିଶୋୟୀ, ଅଭିନ ସାହୁ, ରମାରଞ୍ଜନ ମହାନ୍ତି, ସନ୍ଦିପ ସ୍ୱାଇଁ, ସୁଲତା ଦେଓ, ଏଲିନା ଦାସ, ସୁଲୋଚନା ଦାସ, ରୀନା ଗଡ଼ନାୟକ, ଭାରତୀ ସିଂହ ପ୍ରମୁଖ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଦୃଢ଼ ନିନ୍ଦା କରିଥିଲେ ।

0
0
0
s2sdefault