ହେଡଲାଇନସ୍:

 ‘ସମଦୂରତ୍ୱ’ ହେଉ କି ‘ସମ ପ୍ରୀତି ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନବୀନଙ୍କ ଭାଗ୍ୟବଳ ହେଉ କି କାମର ଫଳ, ଝୁଲି ରହିଛନ୍ତି ଦୁଇଟି ଦଳ 

ଭୁବନେଶ୍ୱର(ମାନସୀ ମିଶ୍ର)

ଯିଏ ଯାହା ମାନନ୍ତୁ ନମାନନ୍ତୁ, ହେଲେ ଜାତୀୟ ରାଜନୀତିରେ ଏବେ ଅପର ହାଣ୍ଡରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ରାଜନୀତି ଯେଉଁଭଳି ଭାବେ ଗୋଳିଆ ହେଉଛି ସେଥିରେ କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ସୁହାଇଯାଉଛି ବିଜେଡିକୁ ବା ନବୀନ ବାବୁଙ୍କୁ । ଏକଦା କଂଗ୍ରେସ ମୁକ୍ତ ଭାରତ ଗଠନ କରିବାର ସଙ୍କଳ୍ପ ନେଇ କମର କଷି ବାହାରିଥିବା ଅମିତ ବିକ୍ରମୀ ମୋଦୀ-ଶାହା ଯୋଡିଙ୍କୁ ହାଲକା ଝଟକା ଲାଗିଛି ଗତ ୫ଟି ରାଜ୍ୟର ନିର୍ବାଚନ ପରେ । ଭୋଟ ହାର ଯାହା ହେଉ ତିନୋଟି ରାଜ୍ୟରେ ଦଳ ହାତରୁ କ୍ଷମତା ସିଧାସଳଖ କଂଗ୍ରେସ ହାତକୁ ଚାଲିଯାଇଛି, ମୁକ୍ତ ହେବା ବଦଳରେ ଯୁକ୍ତ ହୋଇଛି କଂଗ୍ରେସ  । କଂଗ୍ରେସ ସଫଳତାର କାରଣ ଯାହା ବି ହୋଇଥାଇପାରେ, ହେଲେ ରାଜନୀତିରେ ‘ଯୋ ଜିତା ୱହି ସିକନ୍ଦର’ ରୀତିରେ ବାଜି ମାରି ନେଇଛି କଂଗ୍ରେସ । କ୍ଷମତାଠାରୁ ଦୂରେଇ ରହିଥିବା ବିଧୂର କଂଗ୍ରେସ ଏବେ ପୁନର୍ମିଳନ ଆଶାରେ । ଆଉ ବିଜେପି ସାମାନ୍ୟ ଆଶଙ୍କିତ, କାଳେ କିିଛି ଅଘଟଣ ହୋଇଯିବନି ତ, ଏନଡିଏ ଇତିହାସର ପୁନରାବୃତି ହେବନି ତ! ଏହା ସମ୍ଭବ ବି ହୋଇନପାରେ, ହେଲେ ବିଜେପି ପାଇଁ ଏକାକୀ ନିର୍ବାଚନକୁ ଯିବା ଟିକେ କାଠିକର ପାଠ ହେବ ନିଶ୍ଚୟ  । ଇତି ମଧ୍ୟରେ କିଛି ଟାଣୁଆ ସାଥି ହାତ ଛାଡି ଚାଲିଗଲେଣି  ।   ତିନୋଟି ରାଜ୍ୟରେ କ୍ଷମତା ହାତରୁ ଚାଲିଗଲାଣି  । ଏହାକୁ ନେଇ ଦଳ ଭିତରେ ଗଡକରି ଓ ସଂଘପ୍ରିୟଙ୍କ ଭଳି ନେତା କିଛି ପରୋକ୍ଷ ଟାହୁଲି ଟାପରା କରିବା ଆରମ୍ଭ କଲେଣି  । ୨୦୧୪ ନିର୍ବାଚନରେ ନିଜର ଅସ୍ତିିତ୍ୱ ସଙ୍କଟକୁ ଆସିଯାଇଥିବା କଂଗ୍ରେସ(ଅର୍ଥାତ ଲୋକସଭାରେ ବିରୋଧୀ ଦଳ ମାନ୍ୟତାପାଇବା ପାଇଁ ସଂଖ୍ୟା ବି ପାଇନଥିଲା) ଏବେ ନିଜ ସ୍ଥିତି ସଜାଡିବା ପାଇଁ ଉଦ୍ୟମ ୍େଜାରଦାର ଚଳାଇଛି । ପପୁ ବୋଲି ସମାଲୋଚନାର ଶରବ୍ୟ ହୋଇ ଆସୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କିଛିଟା ମ୍ୟାଚ୍ୟୋରଡ୍ (ସଂସଦରେ ଆଖି ମିଟିକାକୁ ଛାଡି) ହୋଇଗଲେଣି  । ବିଜେପିର ସହଯୋଗୀ ପୂର୍ବ ସହଯୋଗୀ ଟିଡିପ, ଶିବସେନା ତାଙ୍କର ପ୍ରଶଂସା କରିବା ଆରମ୍ଭ କଳେଣି  । ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳର ଦବଦବା ଅନେକାଂଶରେ ଅତୁଟ ରହିଛି  । ୨୦୧୯ ପାଇଁ କଂଗ୍ରେସ ବିକଳ ଭାବେ ସାଥୀ ଖୋଜି ଚାଲିଥିବା ବେଳେ ବିଜେପି ବି ହୃଦବୋଧ କଲାଣି ‘ନା, ଏକାକୀ ୨୦୧୯ ସମ୍ଭବ ନୁହେଁ  । ନୂଆ ସାଥୀ ଦରାଣ୍ଡିବାକୁ ହେବ’ । ଆଉ ଏବେ କ୍ଷମତା ବିଧୁର କଂଗ୍ରେସକୁ କ୍ଷମତା ଠାରୁ ଦୂରେଇ ରଖିବା ତଥା କିଛି ଅପ୍ରତ୍ୟାଶିତ ବିଧୂରତାର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଉପରେ ଉପରେ ନହେଲେ ବି ଭିତରେ ଭିତରେ ସାଥି ଖୋଜିବା ଆରମ୍ଭ କଲାଣି  । ତେଣୁ ସମଦୂରତ୍ୱ ଥୋପ ଗିଳାଇ ଦୀର୍ଘ ୯ ବର୍ଷ ହେଲା ରାଜନୀତିରେ ଅପରହାଣ୍ଡରେ ରହି ଆସିଥିବା ବିଜେଡି ଠାରୁ (ଯେକି ବିଜେପିର ପୂର୍ବର ପାର୍ଟନର ବା ବିଜେଡି ଓଡିଶାରେ ବିଜେପି କାନ୍ଧରେ ନାଉ ହୋଇ ଆସିଥିôଲା ବୋଲି କହିଲେ ବି ଅତୁ୍ୟୃକ୍ତି ହେବନି ବିଜେଡି ଗୋଡ ସଳଖ କରି ଠିଆ ହେବା ପଛରେ ତକ୍ରାଳୀନ କେନ୍ଦ୍ର ବିଜେପି ନେତାଙ୍କ ଅବଦାନକୁ ଅସ୍ୱୀକାର କରିହେବନି)  ପୋଟେନସିଆଲ ପାର୍ଟନର କେହି ହୋଇନପାରେ । ରାଜ୍ୟ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ସେମାନଙ୍କ ଆକ୍ରମଣ ଜୋର ରଖିଥିବା ବେଳେ,  ଭୋଟ ଯେିତିକି ପାଖେଇ ଆସୁଛି . ଗତବର୍ଷ ଆସି ‘ଉଖାଡକେ ଫେଙ୍କ ଦୋ’ କହିଯାଉଥିବା ବିଜେପି ନେତୃତ୍ୱଙ୍କ ବିଜେଡି ପ୍ରତି ବା ଓଡିଶା ସରକାରଙ୍କ ପ୍ରତି ଆଚରଣଓ ଉଚ୍ଚାରଣରେ ଟିକେ ନରମ ଭାବ ଆସିଥିବା ଲକ୍ଷ୍ୟ କରାଯାଉଛି  । ଏଭଳି ନରମ ମନୋଭାବର କାରଣ କେନ୍ଦ୍ରୀୟ ନେତାମାନଙ୍କ ରାଜନୈତିକ ଶାଳୀନତା ହୋଇଥାଇପାରେ ବା ସମ୍ଭାବ୍ୟ ପୁନର୍ମିଳନର ସମ୍ଭାବନା କାରଣରୁ ହୋଇଥାଇପାରେ  । 

କଂଗ୍ରେସ ବି କିଛି କମ୍ ଗୁଡ ଖାଇ ବସିନାହିଁ  । ଦଳ ପକ୍ଷରୁ ବିଜେପିକୁ ଆବଶ୍ୟକ ସ୍ଥଳେ ପୋଷ୍ଟ ପୋଲ ପାର୍ଟନର ଭାବେ  ବିବେଚନା କରିବାରେ କିଛି ଅସୁବିଧା ନାହିଁ  । କାରଣ ନବୀନ ବାବୁଙ୍କ ନିଜ କୁର୍ତ୍ତାରେ ୨୦୦୯ ପରଠାରୁ ଯେଉଁ ସମଦୂରତ୍ୱ ଟ୍ୟାଗ୍ ଲଗାଇ ବସିିଛନ୍ତି, ସେ ଭିତରୁ ଅପ୍ରତ୍ୟାଶିତ ପରିସ୍ଥିତିର ଫାଇଦା ବିଜେଡିଠାରୁ ନିଆଯାଇପାରେ ବୋଲି କଂଗ୍ରେସ ଆଶା କରିବା ସ୍ୱାଭାବିକ । ତେଣୁ ଜାତୀୟ ରାଜନୀତିରେ ନିଅଣ୍ଟିଆ ଭରଣା ପାଇଁ ନବୀନ ବାବୁ ବା ବିଜେଡି ଠାରୁ ଆଉ ଅଧିକ ବିଶ୍ୱସ୍ତ ସହଯୋଗୀ (ଭିତରୁ ହେଉ ବା ବାହାରୁ)କେହି ହୋଇନପାରେ । 

ଆଉ ସେଇଥିପାଇଁ ଗତ କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାରେ ନବୀନ ବାବୁ ଚତୁରତାର ସହ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି, ଅର୍ଥାତ କଂଗ୍ରେସ ବା ବିଜେପି କାହାକୁ ଅସନ୍ତୁଷ୍ଟ କରିବାକୁ ଚାହିଁନାହାନ୍ତି ତାଙ୍କର ଚିରାଚରିତ “ସମଦୂରତ୍ୱ” ବଲଟିକୁ ମଇଦାନରେ ଗଡେଇ ଦେଇ, ଯେମିତିକି କଂଗ୍ରେସ ଓ ବିଜେପି ସେ ବଲଟିକୁ ଦେଖି ଗୋଲ କରିବା ଆଶାରେ ନିର୍ବାଚନ ସମୟ ଗଡିଯିବ  । ‘ସମଝଦାରୋ କୋ ଇସାରା କାଫି’ ପରି ଉଭୟ କଂଗ୍ରେସ ଓ ବିଜେପିକୁ ଇସାରାରେ ବାର୍ତ୍ତା ଦେଇ ସେ କହିଦେଇଛନ୍ତି କଂଗ୍ରେସ ଓ ବିଜେପି ବିରୁଦ୍ଧରେ ତୃତୀୟ ବିକଳ୍ପ ପାଇଁ ବିଜେଡି କୌଣସି ମହାଗଠବନ୍ଧନରେ ସାମିଲ ହେବ ନାହିଁ । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ  କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିଆସୁଛି । ଆଗାମୀ ଦିନରେ ବିଜେଡି କୌଣସି ମହାମେଂଟରେ ମଧ୍ୟ ସାମିଲ ହେବ ନାହିଁ ବୋଲି କହି ‘ଭୋଟ ପରେ ଚିନ୍ତା କରିବା’ର ବାର୍ତ୍ତା ଦେଇ ଝୁଲାଇ ରଖିଦେଇଛନ୍ତି ବିଜେପି ଓ କଂଗ୍ରେସକୁ । ମାନେ ଦୁଇ ଦଳ ବିଜେଡି ସହ ନିର୍ବାଚନ ପରବର୍ତ୍ତୀ ବୁଝାମଣା ର ଗୋଲାପୀ ସ୍ୱପ୍ନରେ ଅପାତତଃ ବିଭୋର | କାରଣ ୨୦୧୯ ରେ ପରିଣାମ ଅପ୍ରତ୍ୟାଶିତ ହୋଇ ପାରେ | ଆଉ ଏହା ଖୋଦ ପ୍ରଧାନମନ୍ତ୍ରୀ ମହୋଦୟଙ୍କ ବଡି ଲାଙ୍ଗୁଏଜ ବା ସାଧା ଭାଷାରେ ଆଚରଣ ଓ ଉଚାରଣରୁ ଜଣ ପଡିଯାଉଛି | ବହୁଦିନ ପରେ ଖୋଦ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ତାମିଲନାଡୁରେ ଏକ ସଭାରେ ମେଣ୍ଟ ପାଇଁ ଦ୍ୱାର ଖୋଲା ବୋଲି ମୁକ୍ତ କଣ୍ଠରେ କହିବା ନିଶ୍ଚିତ ଭାବେ ବିଚାରଯୋଗ୍ୟ | ପ୍ରଧାନମନ୍ତ୍ରୀ ମହୋଦୟଙ୍କ ପ୍ରସ୍ତାବ ହୁଏତ ତାମିଲନାଡୁ ପାଇଁ ପ୍ରଯୁଜ୍ୟ ହୋଇଥାଇ ପାରେ, ହେଲେ ଆଭିମୁଖ୍ୟ ଯେତେବେଳେ ନରମ ହେଲାଣି ସେତେବେଳେ  ଆଗକୁ ଆହୁରି ନରମ ହେବା ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ |    

ସେ ତ ଗଲା ଜାତୀୟ କଥା | ଫେରିବା ରାଜ୍ୟ ରାଜନୀତି ଆଉ ନବୀନ ବାବୁଙ୍କ ସମ ଦୂରତା ସୂତ୍ରକୁ | ହେଲେ ନବୀନଙ୍କ ସମଦୂରତ୍ୱର ସଜ୍ଞା ଭାରି ଗହନ  । ପିତାଙ୍କ ନାମ, ବିଜେପିର ସହଯୋଗରେ ରାଜ୍ୟ ରାଜନୀତିରେ ପ୍ରବେଶ କରିଥିବା ନବୀନ ବାବୁ ଯେ ଏଇ ଦୁଇ ଦଶନ୍ଧୀ ଭିତରେ ଜାତୀୟ ରାଜନୀତିରେ ଏକ ବଳିଷ୍ଠ  ତଥା ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟି ଯାଇଛନ୍ତି ତାହା କେହି ଅସ୍ମୀକାର କରିପାରିବେ ନାହିଁ  । ଏହା ତାଙ୍କର ପୂର୍ବ ସୁକୃତ ବା କର୍ମଫଳ ପାଇଁ ହେଉ କି ନିଜ କାମର ଫଳ ହେଉ ବା ଦେଶରେ ସୃଷ୍ଟି ହୋଇଚାଲିଥିବା ରାଜନୈତିକ ଆବଶ୍ୟକତା ହେଉ, ନବୀନ ଏବେ ସାରା ଦେଶର ରାଜନେତାଙ୍କ ପାଇଁ ଏକ ବତୀଘର ପାଲଟିଛନ୍ତି ଆଞ୍ଚଳିକ ଦଳକୁ ନେଇ ଏତେବର୍ଷ “ନଟ୍ ଆଉଟ୍” ବ୍ୟାଟିଂ ଜାରି ରଖି  । ନବୀନଙ୍କ ସମଦୂରତ୍ୱର ସଜ୍ଞା “ସମପ୍ରୀତି” ବା “ସମଭାବ” ବୋଲି ବିବେଚନା କୁହାଯାଇପାରେ । କାରଣ ଜାତୀୟ ରାଜନୀତିରେ ଦୁଇଟି ଛତା ବିଜେପି ନେତୃତ୍ୱାଧିନ ଏନଡିଏ ଆଉ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ  ।  ଆଉ ଦୁଇ ଦଳର କେନ୍ଦ୍ରୀୟ ନେତୃତ୍ୱ ସହ ନବୀନ ବାବୁଙ୍କ ମଧୁର ସମ୍ପର୍କ ସର୍ବଜନ ବିଦିତ  । ଆଉ ସେଇଥି ପାଇଁ ଓଡିଶାରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଥାଇ ଓ ରାଜ୍ୟରେ ସରକାରଙ୍କୁ ଅଣାୟତ୍ତ କଲାଭଳି ବହୁ ପ୍ରସଙ୍ଗ ଥାଇ ରାଜ୍ୟ କଂଗ୍ରେସରେ ବିହନ ଆଶାନୁରୂପ ଗଜା ଧରିଲା ନାହିଁ  । ଓଡିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ନେତାମାନେ( ଯେଉଁମାନେ ଏବେ ଗୁରାଳି ପକାଉଛନ୍ତି) ସେତେବେଳେ ଓଡିଶା କଥା ଭୁଲିଗଲେ । କେନ୍ଦ୍ରମନ୍ତ୍ରୀମାନେ ଆସି ନବୀନ ବାବୁଙ୍କ ସରକାରଙ୍କୁ ଭଲ ସାର୍ଟିଫିକେଟ ଦେଇଗଲେ, ଜୟରାମ ରମେଶଙ୍କୁ ଛାଡି । ଏବେ କିନ୍ତୁ ସ୍ଥିତି ଭିନ୍ନ ଲାଗୁଥିଲେ ପରିସ୍ଥିତି ନାକକୁ ବୁଲାଇକି ଧରିଲା ପରି  । ଏବେ କେନ୍ଦ୍ରରେ ବିଜେପି ସରକାର  । ୨୦୧୪ର ଉଲ୍ଳେଖନୀୟ ସଫଳତା ପରେ ପୂର୍ବୋଦୟ ଲକ୍ଷ୍ୟ ନେଇ ଓଡିଶାକୁ ବିକାଶର ପ୍ରୟୋଗ ଶାଳା(ଯାହା ବିଜେପି କହୁଛି) କରିବାକୁ ଲକ୍ଷ୍ୟ ରଖି ଆରମ୍ଭ ହେଲା ଅଭିଯାନ । ଓଡିଶାରୁ ଦୁଇ ଜଣ ହେଭିୱେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ । ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବହୁ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହ ନବୀନ ବାବୁଙ୍କ ଉତ୍ତମ ସମ୍ପର୍କ ମଧ୍ୟ କାହାକୁ ଅଛପା ନାହିଁ  । ତଥାପି ଅନ୍ୟତମ ପ୍ରମୁଖ ପଭାବଶାଳୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାରା ଓଡିଶାକୁ ଘନଘନ ଗସ୍ତ କରି ପାଦତଳେ ମାଟିନଥିବା ବିଜେପିକୁ ନୂଆ ପରିଚୟ ଦେବା ସହ ବିଜେପି ଭିତରେ ନୂଆ ଉଚ୍ଛାସ ଭରି ଚାଲିଲେ । ସରକାରଙ୍କ ଦୋଷ ତ୍ରୁଟିକୁ ନେଇ ଚାଲିଲା ବିରୋଧ  । ଶୋଇଥିବା ବିଜେପି କ୍ୟାଡର ବି ଉତ୍ସାହିତ ହେଲେ, ସବୁ ଦଳ ପରି ଦଳ ଭିତରେ କିଛିଟା ଟଣାଓଟରା ରହିଲେ ମଧ୍ୟ କାର୍ଯ୍ୟକ୍ରମ ଜାରି ରହିଲା ସରକାରଙ୍କ ବିରୋଧରେ  ।  ଆଉ ନିଜ ପରିକଳ୍ପିତ ରଣନୀତି ଅନୁସାରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ସେକେଣ୍ଡ ପୋଜିସନକୁ ନେଇ ସରକାରଙ୍କ ବିଜେପି ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ କେତେକାଂଶରେ ସକ୍ଷମ ହେଲେ । ବାସ୍ତବିକ ସରକାରଙ୍କୁ ଲାଗିଲା ଯେ ୂରାଜ୍ୟରେ ବିରୋଧୀ ଦଳ ଅଛି ବୋଲି । ଯାହା କଂଗ୍ରେସ ବେଳେ ଓଡିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନେ ଯାହା କରିନଥିଲେ ତାଠାରୁ ବହୁତ କିଛି ଅଧିକ କରି ଦେଖାଇଲେ ଧର୍ମେନ୍ଦ୍ର । ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହାଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା, ଯାହାର ପରିଣାମ ସ୍ୱରୂପ ନବୀନଙ୍କୁ ‘ପୋଡା ଟ୍ରାନ୍ସଫର୍ମର’ ବୋଲି କହିବା ସହ ‘ଉଖାଡ କେ ଫେଙ୍କ ଦୋ’ ବୋଲି ଭରି ସଭାରେ ଉଦଘୋଷଣା କରିଥିଲେ  । ଲାଗୁଥିଲା ନରମରୁ ଗରମ ହେଉଛି କେନ୍ଦ୍ରୀୟ ବିଜେପି ନବୀନଙ୍କ ଉପରେ । ଧର୍ମେନ୍ଦ୍ରଙ୍କ ରଣନୀତି ଅନୁସାରେ ଦ୍ୱିତୀୟ ସ୍ଥାନକୁ (ପଞ୍ଚାୟତିରାଜ ନିର୍ବାଚନରେ) ଯାଇଥିବା ବିଜେପି ବିଧାନସଭା ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେବ  ।  ଆଜି ପର୍ଯ୍ୟନ୍ତ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଥିବା ବେଳେ  ବୋଧହୁଏ ପାଞ୍ଚଟି ରାଜ୍ୟର ଫଳାଫଳ  ଓ ପରିବର୍ତ୍ତନଶୀଳ ରାଜନୈତିକ ସମୀକରଣ ନିଶ୍ଚୟ ବିଜେପିକୁ ବାଧ୍ୟ କରିଥିବ (!)ତା ରଣନୀତି ଉପରେ ପୁନଃଅନୁଶୀଳନ ପାଇଁ  । ଆଗକୁ ଯାହା ହେବ ତାହା ତ ଭବିଷ୍ୟତ, ଆଉ ବର୍ତ୍ତମାନ ଦୃଶ୍ୟପଟ୍ଟରେ ରାଜନୀତିର ଡାଇନାମିକ୍ସ ବିଷୟରେ ପୂର୍ବାନୁମାନ କରିବା ଏକ ପ୍ରକାର ଆଗଚଲା ବା ଆଗକୁହା ଭଳି ହେବ  । ହେଲେ ସେ ଯାହା ବି ହେଉ ଯିଏ ଯେଉଁ ଅଙ୍କ କଷନ୍ତୁ ବା ଯେଉଁ ଗାଣିତିକ ସୂତ୍ର ବି ଆପଣାନ୍ତୁ ନବୀନଙ୍କ ଗୋଟିଏ ନିରାପଦ ଫର୍ମୁଲା ବା ସବୁ ବିଷମ ଯନ୍ତଣାର ମହୌଷଧି   ‘ସମ ଦୂରତ୍ୱ’ ବା ‘ସମଭାବ’ ବା ‘ସମପ୍ରୀତି’ ତାଙ୍କ ରାଜନୈତିକ ସ୍ୱାସ୍ଥ୍ୟକୁ ଏଯାବତ ନିରାପଦ ରଖିପାରିଛି  । 

 

0
0
0
s2sdefault