ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡା/ ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଟାଣୁଆ ନେତା, ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ମାତ୍ର ୬୩ ବର୍ଷ ବୟରେ ଅକାଳ ବିୟୋଗ ଘଟିଛି । 1990ରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀଯୁକ୍ତ ମହାନ୍ତି ଝାରସୁଗୁଡାରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଥିବା ଚଳିତ ବିଧାନସଭାକୁ ପ୍ରଥମ ଥର ପାଇଁ ବ୍ରଜରାଜନଗର ଆସନରୁ ନିର୍ବାଚିତ ହୋଇଥିଲେ । ହୃଦଘାତରେ ଆକ୍ରାନ୍ତ ହୋଇଥିବାବେଳେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସଂଧ୍ୟାରେ ଦେହାନ୍ତ ଘଟିଛି ।
୨୦୦୪ରୁ ୨୦୦୮ ଯାଏଁ ବିଜେଡ଼ିର ସରକାରୀ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଥିଲେ । ୨୦୦୮ରୁ ୨୦୦୯ ଯାଏଁ ବାଚସ୍ପତି ପଦବୀରେ ବସିଥିଲେ କିଶୋର ମହାନ୍ତି । ୨୦୦୯ରୁ ୨୦୧୨ ଯାଏଁ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ରୁ ୨୦୧୯ ଯାଏ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦାୟିତ୍ୱ ତୁଲାଇଥିଲେ କିଶୋର ମହାନ୍ତି । ୧୯୮୪ରେ ଝାରୁସୁଗୁଡ଼ାର କାଉନସିଲରୁ ରାଜନୈତିକ କ୍ୟାରିୟର ଆାରମ୍ଭ କରିଥିଲେ ସେ । ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଝାରୁସୁଗୁଡ଼ାର ପୌରାଧ୍ୟକ୍ଷ ଥିଲେ । ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି
ପୂର୍ବତନ ବାଚସ୍ପତି ଶ୍ରୀ ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ବ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା ।
ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

0
0
0
s2sdefault