ହେଡଲାଇନସ୍:

ଭୟଙ୍କର ଆଶଙ୍କାରେ ଚାଷୀ : ଅକ୍ଟୋପାସ ପରି ବେପାରୀଙ୍କ ଆଙ୍ଗୁଠି ପଶୁ ପଶୁ ବାହା ପଶିଯିବନି ତ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କୃଷକ ଆନ୍ଦୋଳନର କରୁଣ ପରିଣତି : କୃଷି ଆଇନର ଅର୍ଥନୈତିକ ଅସମାନତା 

{କୃଷକ ଆନ୍ଦୋଳନ ସ୍ଥଳୀରୁ ଗ୍ରାଉଣ୍ଡ୍ ରିପୋର୍ଟ}

ନୂଆଦିଲ୍ଲୀ ( ସ୍ୱତନ୍ତ୍ର ପ୍ରତିନିଧି ): ଦିଲ୍ଲୀକୁ ଲାଗିରହିଥିବା ସୀମାରେଖାରେ ଚାଲିଥିବା କୃଷକ ଆନ୍ଦୋଳନ  ବ୍ୟାପକ ହେବାରେ ଲାଗିଥିବା ବେଳେ କୃଷକଙ୍କ ଆତ୍ମହତ୍ୟା ବଢ଼ିବାରେ ଲାଗିଛି  । ଭଟିଣ୍ଡାସ୍ଥିତ ଦୟାଲପୁର ଗାଁର ୨୨ ବର୍ଷ ବୟସ୍କ ଯୁବ ଚାଷୀ କୁର୍ଲାଭ ସିଂ କୃଷକ ଆନେ୍ଦାଳନକୁ ସମର୍ଥ ଜତାଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି  । ଟିକ୍ରୀରେ ଚାଲିଥିବା କୃଷକ ଆନେ୍ଦାଳନରେ କୁର୍ଲାଭ ସିଂ ସାମିଲ ହୋଇ ଗତ ୧୮ତାରିଖରେ ଘରକୁ ଫେରିଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି କୁର୍ଲାଭ ସିଂ ପ୍ରାୟ ୬ଲକ୍ଷ ଟଙ୍କାର କୃଷି ଋଣ କରିଥିଲେ। ସେହିପରି ଗୁରୁହରସାହି ଗ୍ରାମର କୁଲଭୀର ସିଂହ ବେକରେ ଫାଶି ଲଗାଇ କୃଷକ ଆନ୍ଦୋଳନ  ସ୍ଥଳୀରୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି । ଅନ୍ୟପକ୍ଷରେ ସଂରୁର୍ ଗ୍ରାମର ହକମ୍ ସିଂହ କୃଷକ ଆନେ୍ଦାଳନ ସ୍ଥଳୀରେ ସ୍ୱାସ୍ଥ୍ୟ ଖରାପ ହେବାରୁ ମୃତ୍ୟୁବରଣ କରିଛନ୍ତି । ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ସ୍ଥଳୀରେ ସହୀଦ କୃଷକମାନଙ୍କ ଉଦେ୍ଧଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି  । ସେହିପରି ଆସନ୍ତା ୨୭ତାରିଖ ଦିନ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍କୀ ବାତ୍ କହିବେ ସେତେବେଳେ ସମସ୍ତ ଚାଷୀ ଓ କୃଷକ ଆନେ୍ଦାଳନର ସମର୍ଥକମାନେ ଥାଳି ଓ ତାଳି ପିଟିବାକୁ କୃଷକ ନେତାମାନେ ଆହ୍ୱାନ ଦେଇଛନ୍ତି  । ଏଠାରେ ଉଲ୍ଲେଖଯୋଗ୍ୟ ଅବସରପ୍ରାପ୍ତ ସେନା ଅଧିକାରୀମାନଙ୍କ ପରେ ବର୍ତ୍ତମାନ ପଞ୍ଜାବର ବରିଷ୍ଠ  ଅବସରପ୍ରାପ୍ତ  ଆଇଏଏସ୍, ଆଇପିଏସ୍ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅବସରପ୍ରାପ୍ତ ପଦାଧିକାରୀ କୃଷକ ଆନେ୍ଦାଳନକୁ ସମର୍ଥନ ଜତାଇ କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସହୀଦ ହେଉଥିବା କୃଷକମାନଙ୍କର ଦୁଃଖ ଦୁର୍ଦ୍ଧଶାର କରୁଣ କାହାଣୀ ମଧ୍ୟ ବଢ଼ିବାରେ ଲାଗିଛି  । ୨୭ ଦିନରେ ପହଞ୍ଚିଥିବା କୃଷକ ଆନେ୍ଦାଳନସ୍ଥଳୀରେ ଦେଖିବାକୁ ମିଳିଛି ଅନ୍ୟ ଏକ ମର୍ମଦୁନ୍ତ ଘଟଣା  । ସିଂଘୁ ସୀମାରେ ନିରଞ୍ଜନ ସିଂ ନାମକ ଅନ୍ୟ ଏକ କୃଷକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ  ।  ଭାଗ୍ୟବଳରୁ ସାଥୀ କୃଷକମାନେ ତାଙ୍କୁ ଦେଖିଦେଇଥିଲେ ଏବଂ ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ରୋହତକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  । ୨୭ଦିନରେ ପହଞ୍ଚିଥିବା କୃଷକ ଆନ୍ଦୋଳନସ୍ଥଳୀରେ ଆରମ୍ଭ ହୋଇଛି ପ୍ରତିଦିନ ୧୧ଜଣ କୃଷକଙ୍କର ୨୪ ଘଣ୍ଟିଆ ଉପବାସ ଅନଶନ  । ୨୩ ଡ଼ିସେମ୍ବରର କୃଷକ ଦିବସ ଅବସରରେ ମୋଦୀ ସରକାର ସାମିଲ ହୋଇଥିବା ଏନ.ଡ଼ି.ଏର ସମସ୍ତ ସହଯୋଗୀ ରାଜନୈତିକ ଦଳ ସହ  ବିଭିନ୍ନ କୃଷକ ନେତା ଆଲୋଚନା କରିବେ  । ଏହା ସହିତ ଯେଉଁ କେତେକ କୃଷି ସଙ୍ଗଠନ କୃଷି ଆଇନକୁ ସମର୍ଥନ ଜଣାଉଛନ୍ତି ସେହି ସଂଗଠନର ପଦାଧିକାରୀଙ୍କ ସହିତ ମଧ୍ୟ ଆନେ୍ଦାଳନକାରୀ କୃଷକ ନେତାମାନେ ବୈଠକରେ ଆଲୋଚନା କରିବେ  । ପ୍ରାଣ ହରାଉଥିବା କୃଷକମାନଙ୍କର ପରିବାରକୁ ୧କୋଟି ଟଙ୍କାର ଆର୍ଥିକ ସହାୟତା ଏବଂ ଜଣଙ୍କୁ ସରକାରୀ ନିଯୁକ୍ତି ଦେବାକୁ କୃଷକ ଆନେ୍ଦାଳନରେ ଦାବି କରାଯାଇଛି । 

ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନେ୍ଦାଳନ ପରିପ୍ରେକ୍ଷୀରେ ଦେଖିବାକୁ ମିଳୁଛି କେତେକ କରୁଣ ପରିଣାମର ପ୍ରତିଛବି  । ୧୨ଡ଼ିସେମ୍ବର ଦିନ ଅମୃତସରର ବଗ୍ଗା ଗ୍ରାମର ବଲବୀର୍ ସିଂଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହୋଇଗଲା  । ସିଂଘୁ କୃଷକ ଆନେ୍ଦାଳନସ୍ଥଳୀରୁ ଫେରିଲା ବେଳେ ତାଙ୍କର ମୃତ୍ୟୁ ହେଲା  । ଘର ଓ ପରିବାର ବଲ୍ବୀର୍ଙ୍କ ରୋଜଗାର ଉପରେ ନିର୍ଭର କରି ଭରଣପୋଷଣ ହେଉଥିଲା  । ଆଜି ବଲବୀରଙ୍କ ପରିବାର ତାଙ୍କର ମୃତ୍ୟୁ ପରେ ଭବିଷ୍ୟତର ଅନ୍ଧକାରକୁ ଦେଖି ଦେଖି ନିଜ ଦୁଃଖ ଦୁର୍ଦ୍ଧଶାର ବିପତ୍ତିରେ ପାଗଳପରାୟ ହେଉଛନ୍ତି  । 

ବଲବୀରଙ୍କ ପତ୍ନୀ ସର୍ଵଜୀତ କୌର୍ ଏବଂ ତାଙ୍କର ଦୁଇ ସନ୍ତାଙ୍କ ନିକଟରେ ବର୍ତ୍ତମାନ ବଡ଼ ଚିନ୍ତା ହୋଇଛି ଘର ଚଳିବ କିପରି ଏବଂ ଋଣ ଟଙ୍କା ସୁଝାହେବ କିପରି ? ବଲବୀରଙ୍କ ସାନପୁଅ ଲବପ୍ରୀତ  ସିଂ ଆସନ୍ତା ଜାନୁୟାରୀ ୧୫ତାରିଖରେ ବିବାହ କରିଥାନ୍ତେ  । ବିବାହ ପ୍ରସ୍ତୁତି ପାଇଁ ବଲ୍ବୀର୍ ନିଜ ଘରକୁ କୃଷକ ଆନେ୍ଦାଳନ ସ୍ଥଳୀରୁ ଫେରୁଥିଲେ  । ୫ବର୍ଷ ପୂର୍ବରୁ ନିଜ ଝିଅ ମନପ୍ରୀତ  ବିବାହ ପାଇଁ ବଲବୀର ୫ଲକ୍ଷ ଟଙ୍କା ବ୍ୟାଙ୍କରୁ  ଋଣ କରିଥିଲେ  । ସେହିବର୍ଷ ବଲବୀରଙ୍କ ଘର ଛାତ ଭୁଷୁଡ଼ି ପଡ଼ିଥିଲା । ଆଉ ଛାତ ପକାଇ ପାରିନଥିଲେ  । ପଲିଥିନ୍ ଟାଣି ଜୀବନ କାଟୁଥିଲେ  । ଆର୍ଥିକ ଦୁରାବସ୍ଥାର ଦୁର୍ଦ୍ଧିନରେ ଯେତେବେଳେ ବଲବୀରଙ୍କ ପରିବାର ଦିନ କାଟୁଥିଲେ ଠିକ୍ ସେତିକିବେଳେ ବଲବୀରଙ୍କ  ଦେହାନ୍ତ ହୋଇଗଲା  । 

ବର୍ତ୍ତମାନ ୫ଲକ୍ଷ ଟଙ୍କାର ଋଣ ଭାର ଉପରେ ପୁଣି ୬୦ହଜାର ଟଙ୍କାର ଆଉ ଏକ କରଜର ବୋଝ  । ଶୁଦ୍ଧିକ୍ରିୟା କରିବା ପାଇଁ ଉଧାର ଆସିଥିଲା ୬୦ହଜାର ଟଙ୍କା  । ଧାର ଉଧାର କରି ବଲ୍ବୀର୍ଙ୍କ ଶୁଦ୍ଧିକ୍ରିୟା ତ ହୋଇଗଲା ହେଲେ, ବର୍ତ୍ତମାନ କରଜ ଟଙ୍କା ସୁଝା ହେବ କିପରି ? ଗତ ଶନିବାର ୧୯ତାରିଖ ଦିନ ବଲ୍ବୀର୍ଙ୍କ ଶୁଦ୍ଧିକ୍ରିୟା ଅବସରରେ ସର୍ଵଜୀତ ଏହା ବଖାଣିଥିଲେ ଗଣମାଧ୍ୟମ ନିକଟରେ  । 

"ନୂଆ କୃଷି ଆଇନ୍ ଲାଗୁହେଲେ ଆମ ଜମି ଚାଲିଯିବ  । ଗାଁଗଣ୍ଡାର ଚାଷବାସକୁ କମ୍ପାନୀ ନିୟନ୍ତ୍ରଣ କରି ମଣ୍ଡି ବ୍ୟବସ୍ଥା ବନ୍ଦ ହେବ  । ଦି ତିନିଟା ଘରୋଇ କମ୍ପାନୀ ବା ବେପାରୀ ଚାଷୀଙ୍କ ଭାଗ୍ୟ ଓ ଭବିଷ୍ୟତ ନିୟନ୍ତ୍ରଣ କରିବେ |  କୃଷି ଆଇନ ଆମମାନଙ୍କ ଜୀବନର ହସଖୁସି ଜଳାଞ୍ଜଳି ଦେଇଦେବ । ଶିଳ୍ପପତି  ବେପାରୀଙ୍କ ଜାଲରେ ଫସି ଆମ ଜୀବନ ଯନ୍ତ୍ରଣା ପାଲଟିଯାଇ ଥିବା ବେଳେ   ଆଉ ଆମ ସଂସାର ଉଜୁଡ଼ିଲା ବେଳେ ଏ ସରକାର ପିଠିରେ ପଡ଼ିବାକୁ ନଥିବେ | ଏହି କୃଷି ଆଇନ୍ ପ୍ରତ୍ୟାହାର ନହେଲେ ଆମ୍ଭେମାନେ ଆମ ଜମିରେ ମୂଲ ଲଗିବା" ବୋଲି ମାନ୍ସା ଗ୍ରାମର ୨୬ ବର୍ଷ ବୟସ୍କ ଜିତେନ୍ଦର ସିଂ ନିଜର ଚାଷୀଭାଇମାନଙ୍କୁ  ଏକଦା ଏକଥା କହୁଥିଲେ  । ହେଲେ ସେହି ଜିତେନ୍ଦର୍ ସିଂ ଆଜି ସେଇ ସାଥୀମାନଙ୍କ ନିକଟରୁ ବିଦାୟ ନେଇ ସମାଧିରେ ଶୋଇ ଯାଇଛନ୍ତି  । ସିଂଘୁ କୃଷକ ଆନ୍ଦୋଳନସ୍ଥଳୀକୁ ନିଜ ଗାଁ ଗଣ୍ଡାର କୃଷକ ଭାଇମାନଙ୍କ ନିକଟକୁ ଖାଦ୍ୟ ସାମଗ୍ରୀ ନେଇ ଯାଉଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ଜିତେନ୍ଦର ପ୍ରାଣ ହରାଇଲେ । ଗତ ଶନିବାର ଦିନ ତାଙ୍କର ମଧ୍ୟ ଅନ୍ତେଷ୍ଟିକ୍ରିୟା ଶେଷ ହୋଇଛି । 

ଗତ ୨ ନଭେମ୍ବର ଦିନ ଜିତେନ୍ଦରଙ୍କର ବିବାହ ହୋଇଥିଲା  । ଜିତେନ୍ଦରଙ୍କର ପତ୍ନୀ ଗୁର୍ବିନ୍ଦର କୌର୍ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ବେଳେ ବେଳେ ବିଳବିଳେଇ ହୋଇ ବେହୋସ ହେଉଛନ୍ତି  । ବଡ଼ ଧୁମଧାମରେ  ଜିତେନ୍ଦରଙ୍କର ବିବାହ ଉତ୍ସବ ହୋଇଥିଲା  । ବିବାହର ୪୦ଦିନ ପୁରିଯାଇଥିବା ବେଳେ ଆଜି ବିରହରେ ଗୁରବିନ୍ଦର କବାଟ ବାହାରକୁ ଚାହିଁ ରହି ପାଗେଳୀ ଭଳି ଯାହାକୁ ଦେଖୁଛନ୍ତି ଖାଲି ପଚାରୁଛନ୍ତି, ଜିତେନ୍ଦର କେତେବେଳେ ଆସିବେ?

କୃଷକ ଆନ୍ଦୋଳନର ଏହି ଦୁଃଖ ଦୁର୍ଦ୍ଧଶାର ଛବି କେବେ ଲିଭିବ ତାହା ଆଜି ବି ଅସ୍ପଷ୍ଟ  । କିନ୍ତୁ ଏହାରି ଭିତରେ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ପ୍ରାନ୍ତରେ ଆନେ୍ଦାଳନ ବ୍ୟାପିଗଲାଣି ଏବଂ କୃଷି ଆଇନ ବିରୋଧରେ ମତ ପ୍ରକାଶ ପାଇଲାଣି । ଏପରିକି କୃଷି ସମ୍ପର୍କିତ ତିନୋଟି ଆଇନ କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କ ପାଇଁ ତ୍ରୁଟିଯୁକ୍ତ ବୋଲି ଦେଶର ବିଭିନ୍ନ କୃଷି ଅର୍ଥ ନୀତିଜ୍ଞମାନେ ଦାବୀ କରିଛନ୍ତି  । କୃଷି ଆଇନ ଦେଶରେ ଏକ ଅର୍ଥନୈତିକ ଅସମାନତା ସୃଷ୍ଟି କରିବ ବୋଲି କେତେକ ଅର୍ଥନୀତିଜ୍ଞମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେତାଇ ଦେଇ ପତ୍ର ଲେଖିଛନ୍ତି  । ଏହି କୃଷି ଅର୍ଥନୀତିଜ୍ଞମାନେ ଦର୍ଶାଇଛନ୍ତି, ସ୍ଥାନୀୟ କୃଷିଜାତ ଦ୍ରବ୍ୟର ବଜାରକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ଭୂମିକାକୁ ଗୌଣ କରିଦେବା ଏକ ତ୍ରୁଟିପୂର୍ଣ୍ଣ ଆଭିମୁଖ୍ୟ । କାରଣ ସ୍ଥାନୀୟ ପ୍ରଶାସନ କୃଷକମାନଙ୍କର ପହଞ୍ଚରେ ଥିଲା ଏବଂ ଆପାତତଃ କୃଷକମାନଙ୍କ ପ୍ରତି ଉତ୍ତର ଦାୟୀ ଥିଲା । କୃଷି ଆଇନ୍ ଲାଗୁହେବା ପରେ ସ୍ଥାନୀୟ ପ୍ରଶାସନ କୃଷକମାନଙ୍କ ନିକଟରୁ ଦୂରେଇ ଯିବ ଏବଂ ଉତ୍ତରଦାୟୀ ରହିବ ନାହିଁ  । 

ଦ୍ୱିତୀୟ ସମସ୍ୟାଟି ହେଲା ଯେ, ଏହି ନୂଆ କୃଷି ଆଇନ ଗୁଡିକ ବାସ୍ତବରେ କୃଷିଜାତ ଦ୍ରବ୍ୟ ବିପଣନ କମିଟୀର ବଜାରରେ ଏକ ଅନିୟନ୍ତ୍ରିତ ଅବସ୍ଥା ସୃଷ୍ଟି କରିବାର ବ୍ୟବସ୍ଥା କରିଛି । ଏ.ପି.ଏମ.ସି. ମଣ୍ଡି ସହ ସମାନ୍ତରାଳ ଭାବେ ଏହି ଅନିୟନ୍ତ୍ରିତ ବଜାର ବ୍ୟବସ୍ଥା କାର୍ଯ୍ୟ କରିବ । ନିୟନ୍ତ୍ରିତ କୃଷିଜାତ ଦ୍ରବ୍ୟ ବିପଣନ କମିଟୀରେ କୃଷିଜାତ ଦ୍ରବ୍ୟର ବ୍ୟାପକ ହେରଫେର କରିବାର କୌଣସି ସମ୍ଭାବନା ନଥିଲା, ମାତ୍ର ନୂତନ କୃଷିଜାତ ବିପଣନ ଅଞ୍ଚଳରେ ହେରଫେର ଘଟିପାରିବ । ଏହାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନାହିଁ  । 

ତୃତୀୟତଃ ଏ.ପି.ଏମ.ସି. ବଜାରରେ ପ୍ରତ୍ୟହ ନିଲାମ କୃଷିଜାତ ଦ୍ରବ୍ୟର ମୂଳ ମୂଲ୍ୟ ନିର୍ଦ୍ଧାରଣ କରୁଥିଲା । ଏବେ ଏହା କରା ନ’ଗଲେ ବିଭାଜିତ ବଜାରଗୁଡ଼ିକ ଏକଚାଟିଆ କାରବାର ପାଇଁ ବାଟ ଫିଟାଇବ । ୨୦୦୬ ମସିହାରେ ଏ.ପି.ଏମ.ସି. ଆଇନ ଉଚ୍ଛେଦ କରାଯିବା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଥିଲା । ନୂତନ କୃଷି ଆଇନ୍ରେ ଏପରି ବ୍ୟବସ୍ଥା ରହିନାହିଁ  । ପୁନଶ୍ଚ ଭାଗଚାଷୀ ଓ କୃଷି ଶ୍ରମିକଙ୍କ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଏହି କୃଷି ଆଇନ ନିଶ୍ଚିତ ରୂପେ ବିପଦ ମୁହଁକୁ ନେଇଯିବ  । ଅନ୍ୟପଟେ କୃଷକର ସାମାଜିକ ଓ ପରିସଂସ୍ଥାନଗତ ବ୍ୟବସ୍ଥା ଭୂଷୁଡ଼ି ପଡ଼ିବ  । 

ଚତୁର୍ଥ ସମସ୍ୟା ହେଲା ଯେ କ୍ଷୁଦ୍ର ଓ ନାମମାତ୍ର କୃଷକ ଏବଂ କମ୍ପାନୀଗୁଡ଼ିକ ମଧ୍ୟରେ ରହିଥବା ବ୍ୟାପକ ତାରତମ୍ୟ ଯୋଗୁଁ ସେମାନଙ୍କ ମଧ୍ୟରେ ବହୁ ଅଲିଖିତ ରାଜିନାମା ସୃଷ୍ଟି ହୋଇପାରେ ଯେଉଁ କ୍ଷେତ୍ରରେ କୃଷକ ନ୍ୟାୟ ପାଇବାର ସମ୍ଭାବନା କ୍ଷୀଣ । ପୁନଶ୍ଚ ଯେଉଁ କୃଷକ ନିଜ ପରିବାର ପାଇଁ ଭାରତରେ ଓଳିଏ ଖାଇବା ଯୋଗାଡ଼ କରିପାରୁନାହାନ୍ତି ସେହି ନାମମାତ୍ର କ୍ଷୁଦ୍ର ଚାଷୀମାନେ ବଡ଼ ବଡ଼ କୃଷି କଣ୍ଟ୍ରାକ୍ଟର ଓ କମ୍ପାନୀମାନଙ୍କ ସହିତ ନ୍ୟାୟିକ ପ୍ରକ୍ରିୟାରେ ତଳ କୋର୍ଟରୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଦୌଡ଼ି ଭାରତୀୟ ନ୍ୟାୟ ବ୍ୟବସ୍ଥାରେ କିପରି ଅର୍ଥ ଖର୍ଚ୍ଚ କରି ନ୍ୟାୟ ପାଇବେ ତାହା ଏକ ମୁଖ୍ୟ ପ୍ରଶ୍ନ  । ଏଠାରେ ଉଲ୍ଲେଖ ଯୋଗ୍ୟ ଅନେକ ଗ୍ରାମୀଣ କୃଷକ ଭାରତରେ ନିଜ ଜୀବଦ୍ଧଶାରେ ଆର୍ଥିକ ଅଭାବ କାରଣରୁ ଜିଲ୍ଲା କଲେକ୍ଟର ଅଫିସ୍ ଦେଖିନଥାନ୍ତି, ଏପରିକି ଗରିବ ଓ ଅଭାବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟସେବା ପାଇଁ ଯାଇପାରନ୍ତି ନାହିଁ । ଏ ପରିପ୍ରେକ୍ଷୀରେ ସେହିଭଳି କୃଷକ କୃଷି କଣ୍ଟ୍ରାକ୍ଟର ଓ କମ୍ପାନୀମାନଙ୍କ ସହିତ ନ୍ୟାୟିକ ପ୍ରକ୍ରିୟାରେ କେଶ୍ ଦାୟର କରିବାକୁ କିପରି ଜିଲ୍ଲାପାଳଙ୍କ ସଦର ମହକୁମା କାର୍ଯ୍ୟାଳୟକୁ ଯିବ ଏବଂ ଏହି ସବୁ କାର୍ଯ୍ୟ ପାଇଁ ଅର୍ଥ ପାଇବ କେଉଁଠୁ ବୋଲି କୃଷି ଅର୍ଥନୀତିଜ୍ଞମାନେ ପ୍ରଶ୍ନ କରି ଆଶ୍ଚର୍ଯ୍ୟ ହୋଇଛନ୍ତି  । ସେମାନେ ପ୍ରଶ୍ନ କରିଛନ୍ତି ଆଜି ଭାରତର କୃଷକ ମାସିକ ମାତ୍ର ୬୪୨୬ଟଙ୍କା ରୋଜଗାର କରିଥାଏ  । ଅନେକ ସମୟରେ କୃଷକର ଏହି ଆୟ ଯଥେଷ୍ଟ ହ୍ରାସ ମଧ୍ୟ ପାଇଥାଏ ମାତ୍ର ଏକ ପଇସା ବୃଦ୍ଧି ହୋଇନଥାଏ  । ଯେତେବେଳେ ପ୍ରାକୃତିକ ଦୁର୍ବିପାକର କୃଷକ ସମ୍ମୁଖୀନ ହୁଏ ସେତେବଳେ କୃଷକ ସର୍ବସ୍ୱାନ୍ତ ହୋଇଯାଏ, ତେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୃଷକ ନ୍ୟାୟ ପାଇବାକୁ ଅର୍ଥ ଆଣିବ କେଉଁଠୁ ?

ନୂତନ କୃଷି ଆଇନରେ ଏହା ସ୍ପଷ୍ଟ ପରିଲକ୍ଷିତ ହେଉଛି କୃଷିଜାତ ଦ୍ରବ୍ୟର ମୂଲ୍ୟ ଶୃଙ୍ଖଳର ଏକତ୍ରୀକରଣ ଫଳରେ “ବଡ଼ ହୁଅ ନହେଲେ ବାହାରିଯାଅ” ମାନସିକତା ସ୍ପଷ୍ଟ ହୋଇପାରେ । ଅନ୍ୟ ଦେଶମାନଙ୍କରେ ଏହା ଘଟିଛି । ଫଳସ୍ୱରୂପ କ୍ଷୁଦ୍ର ଓ ନାମମାତ୍ର କୃଷକ ଏବଂ ସ୍ଥାନୀୟ ବ୍ୟବସାୟୀମାନେ ବ୍ୟବସ୍ଥାରୁ ବାହାରିଯିବାକୁ ବାଧ୍ୟ ହୋଇଛନ୍ତି । ଏପରି ପୃଷ୍ଠାଭୂମିକରେ ନୂତନ ଆଇନଗୁଡ଼ିକର କେତୋଟି ଧାରା ଏବଂ ଉପଧାରା ବଦଳାଇ ଦେଲେ କୃଷକମାନଙ୍କର ସମସ୍ୟାର ସମାଧାନ ହୋଇଯିବ ନାହିଁ । ପୁନଶ୍ଚ ଏହି କୃଷି ଆଇନ ଭବିଷ୍ୟତରେ ଖାଉଟିମାନଙ୍କର ସୁରକ୍ଷା ପାଇଁ ଧ୍ୟାନ ଦେଇନାହିଁ  । ଅନିୟନ୍ତ୍ରିତ ମୂଲ୍ୟ ବୃଦ୍ଧିକୁ କିପରି ନିୟନ୍ତ୍ରଣ କରାଯିବ ସେଥିପ୍ରତି କୌଣସି ଦୃଷ୍ଟି ଦିଆଯାଇନାହିଁ  । 

ଭାରତ ସ୍ୱାଧୀନ ହେବା ସମସାମୟିକ ସମୟରେ ପ୍ରାୟ ୮୫% ଭାରତୀୟ ଚାଷବାସ କରୁଥିଲେ ଏବଂ ସେହି ସମୟରେ ଦେଶର ଖାଦ୍ୟ ଶସ୍ୟ ଉତ୍ପାଦନ ଥିଲା ୫୦୦ଲକ୍ଷ ଟନ୍   । ଭାରତର ଆବଶ୍ୟକ ହେଉଥିବା ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ୧୯୫୦ ମସିହାର ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ପ୍ରଥମେ କୃଷିକୁ ଗୁରୁତ୍ୱ ଓ ମାନ୍ୟତା ଦିଆଯାଇଥିଲା  । ୧୯୯୧ ମସିହାର ଆର୍ଥିକ ସୁଧାର ନୀତି ଆସିବା ପରେ କୃଷିରୁ ଧ୍ୟାନ ହଟିଯାଇ ମୁଖ୍ୟତଃ ଶିଳ୍ପ ପ୍ରଭୃତି ଅନ୍ୟ କ୍ଷେତ୍ରରେ ସରକାର ମନୋନିବେଶ କରିଥିଲେ  । ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ (ଓଇସିଡ଼ି) ର ବର୍ତ୍ତମାନ ରିପୋର୍ଟ କହୁଛି, ଭାରତରେ ଗତ ୨ଦଶନ୍ଧି ମଧ୍ୟରେ କୃଷକର ଆୟରେ ବିଶେଷ କିଛି ଉନ୍ନତି ହୋଇନାହିଁ  । ୨୦୦୧ରୁ ୨୦୧୧ ମସିହାର ଜନଗଣନା ରିପୋର୍ଟ ଆଧାରରେ କୃଷକଙ୍କ ମୋଟ୍ ସଂଖ୍ୟାରୁ ୭୭ଲକ୍ଷ ହ୍ରାସ ଘଟିଛି  । ୧୯୯୫ ମସିହା ପରଠାରୁ  ଏନ୍.ସି.ଆର.ବି ରିପୋର୍ଟକୁ ଅନୁଧ୍ୟାନ କଲେ ଦେଖାଯାଉଛି କ୍ରମାଗତ କୃଷକଙ୍କ ଆତ୍ମହତ୍ୟା ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ସୁଦ୍ଧା ଏହା ୩ଲକ୍ଷରୁ ଉର୍ଧ୍ଵ  ହେଲାଣି  । ପି.ସାଇନାଥଙ୍କ ଭଳି ଦେଶର ବିଶିଷ୍ଟ କୃଷି ସାମ୍ବାଦିକଙ୍କ ମତରେ କୃଷକଙ୍କ ଆତ୍ମହତ୍ୟା ସଂଖ୍ୟା ଯାହା ଦର୍ଶାଯାଉଛି ତାହାଠାରୁ ଯଥେଷ୍ଟ ଅଧିକ  ।  

ପି. ସାଇନାଥ ଏହି କୃଷି ଆଇନକୁ ସମାଲୋଚନା କରି କହିଛନ୍ତି, କୃଷକମାନଙ୍କର ଆଇନଗତ ସୁରକ୍ଷା ଓ ନିରାପତ୍ତାକୁ ଏହି କୃଷି ଆଇନ ସୁରକ୍ଷା ଦେବାରେ ସଫଳ ହେବ ନାହିଁ ବରଂ ସେମାନଙ୍କର ନ୍ୟାୟିକ ଅଧିକାରଗୁଡିକୁ ଅପହରଣ କରିଦେବ । କୃଷକମାନେ କମ୍ପାନୀ ଓ କର୍ପୋରେଟ୍ ମାନଙ୍କ ଦୟାରେ ବଂଚିବେ  ଏବଂ ସେମାନଙ୍କ ଦ୍ୱାରା ଶୋଷଣର ଶିକାର ହେବେ । ଏଥିରୁ ମୁକ୍ତି ପାଇବା ପାଇଁ କୃଷି ଆଇନ କୌଣସି ପ୍ରକାର ସୁରକ୍ଷା କୃଷକଙ୍କୁ ଦେବାକୁ ପ୍ରତିଶୃତି ଦେବାରେ ବିଫଳ ହୋଇଛି । କୃଷି ଆଇନ କୃଷକମାନଙ୍କ ପାଇଁ ନିଶ୍ଚିତ ରୂପେ ଏକ ମୃତ୍ୟୁସମ ବହିଷ୍କାର ତଥା ଅଦ୍ଭୁତ ଭାବେ କୃଷକମାନଙ୍କର ନ୍ୟାୟିକ ଅଧିକାରକୁ  କାଢି ଫୋପାଡି ଦେଇଛି । 

୨୦୨୦ମସିହାରେ ଭାରତର କୃଷକଙ୍କର ଦୈନିକ ରୋଜଗାର ୨୧୪ଟଙ୍କା ହୋଇଥିôବା ବେଳେ  ଦେଶରେ କୃଷିକ୍ଷେତ୍ର ପ୍ରାୟ ୫୦% ଲୋକଙ୍କୁ ନିଯୁକ୍ତି ସୁଯୋଗ ମାଧ୍ୟମରେ ରୋଜଗାର ଦେଇଥାଏ ଏବଂ ଦେଶର ଜିଡ଼ିପିରେ କୃଷି ୧୬% ଯୋଗଦାନ କରିଥାଏ  । ବିଶିଷ୍ଟ କୃଷି ବିଶେଷଜ୍ଞ ଡ.ଜି.ଏସ୍. କୌଶଲ୍ କୁହନ୍ତି କୃଷକମାନଙ୍କୁ ସରକାରଙ୍କ ପକ୍ଷରୁ ""ପ୍ରୋସେସିଂ ଫାର୍ମିଂ'' ପାଇଁ ବିଶେଷ ଭାବରେ ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ଯୋଗାଇବା ସହିତ ଏହାକୁ ପ୍ରୋତ୍ସାହନ କରିବାକୁ ଯୋଜନା ପରିଚାଳନା କରିବା ଦରକାର  । ବର୍ତ୍ତମାନର କୃଷି ଆଇନରୁ  ପ୍ରୋସେସଡ଼୍ ଫାର୍ମି ମାଧ୍ୟମରେ କମ୍ପାନୀ ଅଧିକ ଲାଭ ପାଇବେ  । ବାସ୍ତବରେ କୃଷି ଓ କୃଷକଙ୍କ ପାଇଁ ଏହା ବିଶେଷ ଲାଭବାନ୍ ହେବନାହିଁ  ବରଂ ଉଭୟ କୃଷକ ଓ ଖାଉଟି ଶୋଷଣ ହେବାର ଅଧିକ ସମ୍ଭାବନା ରହିଛି  । ବେପାରୀ ସବୁ ବେଳେ ବେପାରୀ , ସବୁବେଳେ ନିଜ ଫାଇଦାରେ | ଆଙ୍ଗୁଠି ପୁରାଉ ପୁରାଉ ଧୀରେ ଧୀରେ ଅକ୍ଟୋପାସ ଭଳି ସମଗ୍ର ଚାଷ ବ୍ୟବସ୍ଥାକୁ ଶିଳ୍ପପତି ବେପାରୀ ଗ୍ରାସ କରିଯିବନି ତ, ଏଇ ଅନିଶ୍ଚିତ ଆଶଙ୍କାରେ ଚାଷୀଙ୍କ ଛାତି ଥରି ଉଠୁଛି | 

0
0
0
s2sdefault