ହେଡଲାଇନସ୍:

"ଆତ୍ମନିର୍ଭର ହେବା ବାଧ୍ୟତାମୂଳକ, ଭାରତ ଏହି ସ୍ୱପ୍ନକୁ ଅବଶ୍ୟ ସାକାର କରି ଦେଖାଇବ" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

 ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ଆମକୁ ଆଉ ଏକ ମନ୍ତ୍ର- ‘ମେକ୍‌ ଫର୍‌ ୱାର୍ଲ୍ଡ’ ଆପଣାଇବାକୁ ହେବ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ): 74ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସକ ଲାଲକିଲ୍ଲାଠାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ଼-19 ପରିଚାଳନା ସଂପର୍କୀତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗର ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼-19 ପରିଚାଳନାର ଅଂଶବିଶେଷ ସ୍ୱରୂପ ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀ ଘରୋଇ ଭାବେ ଉତ୍ପାଦନ କରାଯାଉଛି । ଏହା ଦେଶର ଅର୍ଥନୀତିର ପୁନରୁତ୍ଥାନ କରିବାରେ ସହାୟକ ହୋଇଛି ଏବଂ ଏଥିରେ ଦେଶର ମଧ୍ୟବିତ୍ତ ବର୍ଗଙ୍କ ଉପରେ ସରକାର ଗୁରୁତ୍ୱ ଆରୋପ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ଆତ୍ମ ନିର୍ଭର ଭାରତର ବିଶେଷ ମହତ୍ତ୍ୱ ରହିଛି ଏବଂ ଦେଶର ଏଭଳି ଦୁର୍ଦ୍ଦିନରେ ସମସ୍ତ ଭାରତୀୟ ଏଥିପ୍ରତି ସେମାନଙ୍କର ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଛନ୍ତି । 130 କୋଟିରୁ ଅଧିକ ଭାରତୀୟ ଏବେ “ଆତ୍ମନିର୍ଭର” ହେବାକୁ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ଯାହାକି ଏଭଳି କରୋନା ମହାମାରୀ ସମୟରେ ସେମାନଙ୍କର ବଜ୍ର ନିଷ୍ପତ୍ତି ବୋଲି କୁହାଯାଇପାରେ । “ଆତ୍ମ ନିର୍ଭର ହେବା ବାଧ୍ୟତାମୂଳକ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଭାରତ ଏହି ସ୍ୱପ୍ନକୁ ଅବଶ୍ୟ ସାକାର କରି ଦେଖାଇବ । ମୋର ସେମାନଙ୍କର ସାମର୍ଥ୍ୟ ଉପରେ ଦୃଢ ବିଶ୍ୱାସ ରହିଛି, ଆସ୍ଥା ଅଛି ଏବଂ ମୋର ସହ ଭାରତୀୟଙ୍କ ସାମର୍ଥ୍ୟରେ ମୁଁ ବିଶ୍ୱାସୀ । ଥରେ ଆମେ କିଛି କରିବୁ ବୋଲି ସିଦ୍ଧାନ୍ତ ଗ୍ରହଣ କଲେ, ଆମେ ସେତେବେଳ ପର୍ଯ୍ୟନ୍ତ ବିଶ୍ରାମ ନେଇ ନଥାଉ ଯେତେ ପର୍ଯ୍ୟନ୍ତ ସେହି ଲକ୍ଷ୍ୟ ହାସଲ କରାଯାଇ ନପାରିଛି” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

74ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଳାର ମଞ୍ଚ ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ଭିତ୍ତିଭୂମି କ୍ଷେତ୍ରକୁ ବିପୁଳ ଭାବେ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମର ଘୋଷଣା କରିଥିଲେ । ସେ କହିଲେ ଯେ ଜାତୀୟ ଭିତ୍ତିଭୂମି ପାଇପଲାଇନ୍‌ (ଏନଆଇପି) ପ୍ରକଳ୍ପ ଜରିଆରେ ଦେଶର ସାମଗ୍ରିକ ଭିତ୍ତିଭୂମିକୁ କିଭଳି ଭାବେ ତ୍ୱରିତ ବିକାଶ ଜରିଆରେ ଆଗକୁ ଆଗେଇ ନିଆଯାଇପାରିବ ତାହା ଉପରେ ସରକାର ଗୁରୁତ୍ୱ ଆରୋପ କରୁଛନ୍ତି ।  ସେଥିପାଇଁ ଏନଆଇପିରେ 110 ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଲେ ଯେ ଏଥିପାଇଁ 7,000ଟି ପ୍ରକଳ୍ପକୁ ଏଯାବତ୍‌ ଚିହ୍ନଟ କରାଯାଇ ସାରିଛି ଏବଂ ସେସବୁ ବିଭିନ୍ନ ସେକ୍ଟରର ବୋଲି ସେ ସୂଚନା ଦେଇଥିଲେ । ଜାତୀୟ ଭିତ୍ତିଭୂମି ପାଇପଲାଇନ୍‌ ପ୍ରକଳ୍ପ ଦେଶକୁ କୋଭିଡ଼-19 ପ୍ରଭାବରୁ ମୁକୁଳାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏନଆଇପି ଏଭଳି ଏକ ପ୍ରକଳ୍ପ ଯାହା ଭାରତର ଭିତ୍ତିଭୂମି ସୃଷ୍ଟି ପ୍ରୟାସରେ ବୈପ୍ଳବିକ ପରିବର୍ତ୍ତନ ଘଟାଇବ । ଏହାଦ୍ୱାର ଅନେକ ନୂଆ ନୂଆ ପ୍ରକଳ୍ପମାନ ସୃଷ୍ଟି ହେବ ଯେଉଁଥିରୁ ଆମର କୃଷକମାନେ, ଯୁବକ ଯୁବତୀମାନେ, ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ବର୍ତ୍ତମାନ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ଆମକୁ ଆଉ ଏକ ମନ୍ତ୍ର- ‘ମେକ୍‌ ଫର୍‌ ୱାର୍ଲ୍ଡ’କୁ ଆଗକୁ ଆଗେଇ ନେବାକୁ ପଡ଼ିବ ।

ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉଦ୍‌ବୋଧନରେ କଣ କହିଥିଲେ ଏଇଠି ଉପସ୍ଥାପନା ଲରିଛୁ ତା ମୁଖ୍ୟାଂଶ, ପଢନ୍ତୁ 

1  “ଆତ୍ମ ନିର୍ଭର ହେବା ବାଧ୍ୟତାମୂଳକ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଭାରତ ଏହି ସ୍ୱପ୍ନକୁ ଅବଶ୍ୟ ସାକାର କରି ଦେଖାଇବ ।"

2. କରୋନା ମହାମାରୀର ଏହି ଅସାଧାରଣ ସମୟରେ କରୋନା ଯୋଦ୍ଧାମାନେ ସେବା ପରମ ଧର୍ମ ମନ୍ତ୍ରରେ କାର୍ଯ୍ୟ କରୁଛନ୍ତି । ଆମର ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଆମ୍ବୁଲାନ୍ସ କର୍ମଚାରୀ, ସଫେଇ କର୍ମଚାରୀ, ପୁଲିସ କର୍ମଚାରୀ, ସେବା ଯୋଗାଣକାରୀ ବ୍ୟକ୍ତିବିଶେଷ ଏବଂ ଆହୁରି ଅନେକ ଲୋକ ଦିନରାତି 24 ଘଣ୍ଟା ନିରନ୍ତର କାର୍ଯ୍ୟ କରୁଛନ୍ତି ।

3. ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଦେଶର ବିଭିନ୍ନ ଭାଗରେ ଘଟିଥିବା ଜୀବନହାନି ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ବିପନ୍ନ ଲୋକମାନଙ୍କୁ ଏହି ଅସୁବିଧା ସମୟରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପୁନଃ ପ୍ରତିଶ୍ରୁତି ଦେଇଛନ୍ତି ।

4. ଭାରତର ମୁକ୍ତି ସଂଗ୍ରାମ ସମଗ୍ର ବିଶ୍ୱକୁ ଅନୁପ୍ରାଣିତ କରିଥିଲା । ବିସ୍ତାରବାଦୀ ବିଚାର ଅନେକ ଦେଶକୁ ଦାସତ୍ୱ ଶୃଙ୍ଖଳରେ ବାନ୍ଧି ରଖିଥିଲା । ଏପରିକି ପ୍ରଚଣ୍ଡ ଯୁଦ୍ଧ ସମୟରେ ଭାରତ ତାହାର ମୁକ୍ତି ସଂଗ୍ରାମକୁ ଦୁର୍ବଳ ଓ ପ୍ରଭାବିତ ହେବାକୁ ସୁଯୋଗ ଦେଇ ନ ଥିଲା ।

5. କରୋନା ମହାମାରୀ ସମୟରେ 130 କୋଟି ଭାରତୀୟ ଆତ୍ମନିର୍ଭରଶୀଳ ହେବାର ସଂକଳ୍ପ ନେଇଥିଲେ ଏବଂ ଆତ୍ମନିର୍ଭରତା ଭାରତୀୟମାନଙ୍କ ମନରେ ରହିଛି । ଏହି ସ୍ୱପ୍ନ ଏକ ଶପଥରେ ପରିଣତ ହେଉଛି । ଆଜି 130 କୋଟି ଭାରତୀୟଙ୍କ ପାଇଁ ଆତ୍ମନିର୍ଭର ଭାରତ ଏକ ମନ୍ତ୍ର ପାଲଟିଛି । ମୋ ଦେଶବାସୀଙ୍କ ଦକ୍ଷତା, ବିଶ୍ୱାସ ଓ ସାମର୍ଥ୍ୟ ଉପରେ ମୁଁ ଦୃଢ ବିଶ୍ୱାସୀ । କିଛି ଗୋଟିଏ କରିବା ପାଇଁ ଆମେ ନିଷ୍ପତ୍ତି ନେଲେ ସେହି ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବାରେ ବିଶ୍ୱାସ କରୁନା ।

6.  ସାଂପ୍ରତିକ ବିଶ୍ୱ ଆନ୍ତଃ ସଂଯୋଜିତ ଏବଂ ଆନ୍ତଃ ନିର୍ଭରଶୀଳ । ଏବେ ବିଶ୍ୱ ଅର୍ଥନୀତିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସମୟ । ଏଥିପାଇଁ ଭାରତକୁ ଆତ୍ମନିର୍ଭର ହେବାକୁ ପଡିବ । କୃଷିଠାରୁ ଆରମ୍ଭ କରି ମହାକାଶ ଓ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଗଠନ କରିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିବା ଦ୍ୱାରା ନୂଆ ନିଯୁକ୍ତି ସୁଯୋଗ ଯୁବ ସମାଜ ପାଇଁ ସୃଷ୍ଟି ହେବ ଏବଂ ଏହାଦ୍ୱାରା ସେମାନଙ୍କର  ଦକ୍ଷତା ଓ କୁଶଳତା ବୃଦ୍ଧି ପାଇଁ ନୂତନ ସମ୍ଭାବନାର ସୂତ୍ରପାତ ହେବ । ଏହା ଘେନି ମୁଁ ଦୃଢ ଆଶାବାଦୀ ।

7. ଅଳ୍ପ କେଇମାସ ଆଗରୁ ଆମେ ଏନ୍‌-95 ମାସ୍କ, ପିପିଇ କିଟ୍ସ ଏବଂ ଭେଣ୍ଟିଲେଟର ଆଦି ବିଦେଶରୁ ଆମଦାନୀ କରୁଥିଲୁ । ଏବେ ଆମେ କେବଳ ଏନ୍‌-95 ମାସ୍କ, ପିପିଇ କିଟ୍‌ ଏବଂ ଭେଣ୍ଟିଲେଟର ଆଦି ଏହି ମହାମାରୀ ସମୟରେ ଉତ୍ପାଦନ କରୁନାହୁଁ, ବରଂ ସେସବୁକୁ ସମଗ୍ର ବିଶ୍ୱକୁ ରପ୍ତାନୀ କରିବାରେ ସକ୍ଷମ ହୋଇଛୁ ।

8. ମେକ୍‌ ଇନ୍‌ ଇଣ୍ଡିଆ ବ୍ୟତୀତ ଆମକୁ ମଧ୍ୟ ମେକ୍‌ ଫର୍‌ ୱାଲର୍ଡ ମନ୍ତ୍ରକୁ ଗ୍ରହଣ କରିବାକୁ ପଡିବ ।

9. ନ୍ୟାସନାଲ ଇନ୍‌ଫ୍ରାଷ୍ଟ୍ରକଚର ପାଇପ ଲାଇନ ପ୍ରୋଜେକ୍ଟ ମାଧ୍ୟମରେ 110 ଲକ୍ଷ କୋଟି ଟଙ୍କା ବିନିଯୋଗରେ ଆମର ଭିତ୍ତିଭୂମି ପ୍ରକଳ୍ପଗୁଡିକ ଅଧିକ ସୁଦୃଢ ହେବ । ଏବେ ଆମେ ମଲ୍‌ଟି ମଡେଲ କନେକ୍‌ଟିଭିଟି ଇନ୍‌ଫ୍ରାଷ୍ଟ୍ରକଚର ଉପରେ ଗୁରୁତ୍ୱ ଦେବୁ । ସାଇଲୋ ମଧ୍ୟରେ ଆଉ ଆମେ ସୀମିତ ହୋଇ କାମ କରିପାରିବୁ ନାହିଁ । ଆମକୁ ସମନ୍ୱିତ ଓ ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ବିଭିନ୍ନ କ୍ଷେତ୍ରର ପ୍ରାୟ 7000 ପ୍ରକଳ୍ପକୁ ଚିହ୍ନଟ କରାଯାଇଛି । ଭିତ୍ତିଭୂମି କ୍ଷେତ୍ରରେ ଏହା ଏକ ନୂଆ ବିପ୍ଳବ ସୃଷ୍ଟି କରିବ ।

10. କେତେକାଳ ଆମେ ଆଉ ଅପେକ୍ଷା କରିବା ଓ ଦେଶର ଖଣିଜ ସଂପଦ ଏକ ଫିନିସିଡ୍‌ ପ୍ରଡ୍‌କ୍ଟରେ ପରିଣତ ହୋଇ ଦେଶକୁ ଫେରିବ ସେ ପର୍ଯ୍ୟନ୍ତ ଅନାଇ ବସିବା ? ଏକଦା  ଆମର କୃଷି ଅତ୍ୟନ୍ତ ପଛୁଆ ଥିଲା । ସେତେବେଳେ ସବୁଠୁ ବଡ ସମସ୍ୟା ଥିଲା ଦେଶର ଖାଦ୍ୟ ସମସ୍ୟା କିପରି ପୂରଣ କରିବା । ଏବେ ସମଗ୍ର ଭାରତକୁ ଆମେ ଖାଦ୍ୟଶସ୍ୟରେ ଆତ୍ମନିର୍ଭଶୀଳ କରି ବିଶ୍ୱର ଅନେକ ରାଷ୍ଟ୍ରର ଆବଶ୍ୟକତା ପୂରଣ କରିପାରୁଛୁ । ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ, କେବଳ ଆମଦାନୀ ହ୍ରାସ କରିବା, ଏହା ମଧ୍ୟ ଆମର ଦକ୍ଷତା ଓ ସୃଜନଶୀଳତା ବୃଦ୍ଧି କରିବାକୁ ଉଦ୍ଦିଷ୍ଟ ।

11. ଭାରତରେ ଏବେ ଯେଉଁ ସଂସ୍କାର ଚାଲିଛି ସମଗ୍ର ବିଶ୍ୱ ତାହାକୁ ଦେଖୁଛି । ଫଳରେ ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ପ୍ରଭାବ ବୃଦ୍ଧି ପାଇ ସବୁ ରେକର୍ଡ ଭାଙ୍ଗିଛି । କରୋନା ମହାମାରୀ ସମୟରେ ମଧ୍ୟ ଏଫ୍‌ଡିଆଇ କ୍ଷେତ୍ରରେ 18 ଶତାଂଶ ଅଭିବୃଦ୍ଧି ଘଟିଛି ।

12. ଦେଶର ଗରିବଙ୍କ ଜନଧନ ଆକାଉଣ୍ଟରେ ଲକ୍ଷ ଲକ୍ଷ କୋଟି ଟଙ୍କା ସିଧାସଳଖ ଜମା ହେବ ଏକଥା କିଏ କେବେ କଳ୍ପନା କରିଥିଲା କି ? କିଏ କେବେ ଭାବିଥିଲା କି କୃଷକମାନଙ୍କୁ ଉପକୃତ କରିବା ପାଇଁ ଏପିଏମ୍‌ସି ଆଇନରେ ଏଭଳି ଏକ ବିରାଟ ପରିବର୍ତ୍ତନ ଆସିବ ବୋଲି ?  ୱାନ୍‌ ନେସନ୍‌- ୱାନ୍‌ ରେସନ କାର୍ଡ, ୱାନ୍‌ ନେସନ୍‌ ୱାନ୍‌ ଟ୍ୟାକ୍‌ସ, ଇନ୍‌ସଲ୍‌ଭେନ୍‌ସି ଏଣ୍ଡ ବ୍ୟାଙ୍କରପ୍‌ସି କୋର୍ଡ, ବ୍ୟାଙ୍କ ମର୍ଜର ଆଦି ଦେଶରେ ଆଜି ବାସ୍ତବତାର ରୂପ ନେଇଛି ।

13. ଆମେ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ କରିଛୁ । ନୌସେନା ଏବଂ ବାୟୁସେନାରେ ମହିଳାମାନଙ୍କୁ ଯୋଦ୍ଧାଭାବେ ସାମିଲ କରାଯାଇଛି । ମହିଳାମାନେ ଏବେ ନେତୃତ୍ୱ ନେଉଛନ୍ତି । ଆମେ ତିନିତଲାକର ଉଚ୍ଛେଦ କରିଛୁ । ମହିଳାମାନଙ୍କୁ ଏକ ଟଙ୍କା ମୂଲ୍ୟରେ ସାନିଟାରି ପ୍ୟାଡ୍‌ ଯୋଗାଉଛୁ ।

14. ଆମକୁ କୁହାଯାଇଛି ‘ସାମର୍ଥ୍ୟମୂଳ ସ୍ୱାତନ୍ତ୍ର୍ୟମ୍‌, ଶ୍ରମମୂଳମ୍‌ ବୈଭବମ୍‌’ । ଏକ ସମାଜର ଶକ୍ତି ଏବଂ ଯେକୌଣସି ରାଷ୍ଟ୍ରର ସ୍ୱାଧୀନତାର ଶକ୍ତି, ସମୃଦ୍ଧି ଓ ପ୍ରଗତିର ଉତ୍ସ ହେଲା ଶ୍ରମ ଶକ୍ତି ।

15. ସାତ କୋଟିରୁ ଅଧିକ ଗରିବ ପରିବାରଙ୍କୁ ବିନା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି । ରାସନ କାର୍ଡ ଥିବା ଏବଂ ନ ଥିବା 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦଶସ୍ୟ ପ୍ରଦାନ କରାଯାଇଛି । ପ୍ରାୟ 90 କୋଟି ଲୋକଙ୍କ ବ୍ୟାଙ୍କ ଖାତାକୁ ଡାଇରେକ୍ଟ ଟ୍ରାନ୍ସଫର ବ୍ୟବସ୍ଥାରେ ଅର୍ଥ ପଠାଯାଇଛି । ଗରିବ ଲୋକମାନଙ୍କୁ ସେମାନଙ୍କ ଗାଁରେ ନିଯୁକ୍ତି ସୁଯୋଗ ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି ।

16. ଭୋକାଲ ଫର୍‌ ଲୋକାଲ, ରି-ସ୍କିଲ୍‌, ଅପ୍‌ ସ୍କିଲ୍‌ ଆଦି ଅଭିଯାନ ଏକ ଆତ୍ମନିର୍ଭରଶୀଳ ଅର୍ଥନୀତି ସୃଷ୍ଟି କରିବ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡିବ ।

17. ବିକାଶ କ୍ଷେତ୍ରରେ ଦେଶର ଅନେକ ଅଞ୍ଚଳ ପଛରେ ପଡିଯାଇଛି । ଦେଶର ଏଭଳି 110ଟି ଆକାଂକ୍ଷୀ ଜିଲ୍ଲାକୁ ବଛାଯାଇ ସ୍ୱତନ୍ତ୍ର ଉଦ୍ୟମକ୍ରମେ ସେଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ନିଯୁକ୍ତି ବ୍ୟବସ୍ଥା ସୃଷ୍ଟି କରାଯାଉଛି ।

18. ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରାଧିକାର ରହିଛି । ତାହାହେଲା- ଆତ୍ମନିର୍ଭର କୃଷି ଏବଂ ଆତ୍ମନିର୍ଭର କୃଷକ । ଆଧୁନିକ ଭିତ୍ତିଭୂମି ଚାଷୀଙ୍କୁ ଯୋଗାଇଦେବା ପାଇଁ ଅଳ୍ପ ଦିନ ପୂର୍ବେ ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଗଠନ କରାଯାଇଛି ।

19. ଏହି ଲାଲକିଲ୍ଲାରୁ ଗତବର୍ଷ ମୁଁ ଜଳ ଜୀବନ ମିଶନ କଥା ଘୋଷଣା କରିଥିଲି । ଆଜି ଏହି ମିଶନ ଅଧୀନରେ ପ୍ରତିଦିନ ଏକ ଲକ୍ଷ ଗୃହକୁ ଜଳ ସଂଯୋଗ ଯୋଗାଇ ଦିଆଯାଉଛି ।

20. ମଧ୍ୟବିତ୍ତ ପରିବାରରୁ ସୃଷ୍ଟି ହେଉଥିବା ବୃତ୍ତିଧାରୀମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି । ଏହି ମଧ୍ୟବିତ୍ତ ଶ୍ରେଣୀ ସୁଯୋଗ ଆବଶ୍ୟକ କରେ ଏବଂ ସରକାରୀ ହସ୍ତକ୍ଷେପରୁ ମୁକ୍ତି ଚାହେଁ ।

21. ପ୍ରଥମ ଥର ପାଇଁ ମଧ୍ୟ ଆପଣମାନଙ୍କ ନିମନ୍ତେ ଗୃହ ଋଣର ଇଏମ୍‌ଆଇରେ ରିଆତି ପ୍ରଦାନ ବ୍ୟବସ୍ଥା କରାଯାଇଛି । 6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପରିଶୋଧ ଉପରେ ଏହି ସୁବିଧା ମିଳୁଛି । ଗତବର୍ଷ 25 ହଜାର କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯାଇ ଅସଂପୂର୍ଣ୍ଣ ରହିଥିବା ହଜାର ହଜାର ଘରକୁ ସଂପୂର୍ଣ୍ଣ କରିବାକୁ ଉଦ୍ୟମ ଚାଲୁ ରହିଛି ।

22. ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ଦେଶରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ମଧ୍ୟ ଆଧୁନିକ ଭାରତ, ନୂଆ ଭାରତ ଓ ସମୃଦ୍ଧ ଭାରତ ନିର୍ମାଣରେ ବିଶେଷ ମହତ୍ୱ ରଖେ । ଏହି ବିଚାରରେ ଦେଶ ଏକ ନୂଆ ଶିକ୍ଷାନୀତି ପାଇଛି ।

23. କରୋନା ମହାମାରୀ ସମୟରେ ଡିଜିଟାଲ ଇଣ୍ଡିଆ କ୍ୟାମ୍ପେନର ଭୂମିକା କ’ଣ ତାହା ଦେଖିବାକୁ ମିଳିଲା । ଗତ ମାସରେ ପ୍ରାୟ 3 ଲକ୍ଷ କୋଟି ଟଙ୍କାର କାରବାର କେବଳ ଭିମ୍‌ ୟୁପିଆଇ ମାଧ୍ୟମରେ ହୋଇଛି ।

24. 2014 ପୂର୍ବରୁ ଦେଶର ମାତ୍ର 60ଟି ପଞ୍ଚାୟତରେ ଅପ୍‌ଟିକାଲ ଫାଇବର ବ୍ୟବସ୍ଥା ପହଞ୍ଚିଥିଲା । ଗତ 5 ବର୍ଷ ମଧ୍ୟରେ ଦେଶର 1.5 ଲକ୍ଷ ଗ୍ରାମପଞ୍ଚାୟତକୁ ଅପ୍‌ଟିକାଲ ଫାଇବର ସୁବିଧା ଯୋଗାଇ ଦିଆଯାଇଛି । ଆସନ୍ତା ଏକ ହଜାର ଦିନ ମଧ୍ୟରେ ଦେଶର ସବୁ 6 ଲକ୍ଷ ଗାଁକୁ ଅପ୍‌ଟିକାଲ ଫାଇବର ସଂଯୋଗ ଯୋଗାଇ ଦିଆଯିବ ।

25. ଆମ ଅଭିଜ୍ଞତା କହୁଛି ଯେ ନାରୀଶକ୍ତି ପାଇଁ ଦେଶରେ ଯେତେବେଳେ ଏକ ସୁଯୋଗ ଆସିଛି ସେମାନେ ଭାରତ ନିମନ୍ତେ ଗୌରବ ଆଣିଛନ୍ତି ଏବଂ ମାତୃଭୂମିକୁ ସୁଦୃଢ କରିଛନ୍ତି । ଆଜି ମହିଳାମାନେ କେବଳ କୋଇଲା ଖଣି ଭିତରେ କାମ କରୁନାହାନ୍ତି, ସେମାନେ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଉଛନ୍ତି ଏବଂ ଆକାଶର ନୂଆ ଉଚ୍ଚତାକୁ ଛୁଉଁଛନ୍ତି ।

26. ଦେଶରେ ଖୋଲିଥିବା 40 କୋଟି ଜନଧନ ଆକାଉଣ୍ଟ ମଧ୍ୟରୁ 22 କୋଟି ଆକାଉଣ୍ଟ କେବଳ ମହିଳାଙ୍କର । କରୋନା ମହାମାରୀ ସମୟରେ ଏପ୍ରିଲ, ମେ ଓ ଜୁନ୍‌ ମାସରେ ପ୍ରାୟ 3 ହଜାର କୋଟି ଟଙ୍କା ସିଧାସଳଖ ମହିଳାଙ୍କ ଜମାଖାତାକୁ 3 ମାସରେ ହସ୍ତାନ୍ତରିତ ହୋଇଛି ।

27. କରୋନା ମହାମାରୀ ଯେତେବେଳେ ଆରମ୍ଭ ହେଲା ଏହି ରୋଗର ପରୀକ୍ଷା ପାଇଁ ଦେଶରେ ଗୋଟିଏ ମାତ୍ର ପରୀକ୍ଷାଗାର ଥିଲା । ଏବେ ଏହି ସଂଖ୍ୟା ସାରା ଦେଶରେ 1400ରେ ପହଞ୍ଚିଛି ।

28. ଆଜିଠାରୁ ସମଗ୍ର ଦେଶରେ ଏକ ଅତି ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହାର ନାମ ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ହେଲ୍‌ଥ ଆଇଡି ପ୍ରଦାନ କରାଯିବ । ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ । ଆମର ସବୁ ପରୀକ୍ଷା, ପ୍ରତ୍ୟେକ ରୋଗ, କେଉଁ ଡାକ୍ତର ଆପଣଙ୍କୁ କେଉଁ ଔଷଧ ଦେଇଛନ୍ତି, କେବେ ଦେଇଛନ୍ତି, ଆପଣଙ୍କର ରିପୋର୍ଟ କ’ଣ ଆଦି ସମସ୍ତ ତଥ୍ୟ ଏହି ହେଲ୍‌ଥ ଆଇଡିରେ ରହିବ ।

29. ଆଜି ଏକ କିମ୍ବା ଦୁଇ ନୁହେଁ, ତିନୋଟି କରୋନା ଟିକା ଭାରତରେ ଟେଷ୍ଟିଂ ପର୍ଯ୍ୟାୟରେ ପହଞ୍ଚିଛି । ବୈଜ୍ଞାନିକମାନଙ୍କଠାରୁ ସବୁଜ ସଂକେତ ମିଳିବା ମାତ୍ରେ ଏସବୁ ଟିକାର ଗଣଉତ୍ପାଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ପ୍ରସ୍ତୁତ ।

30. ଚଳିତ ବର୍ଷଟି ମଧ୍ୟ ଜମ୍ମୁ କଶ୍ମୀର ପାଇଁ ଏକ ନୂଆ ବିକାଶ ଯାତ୍ରାର ବର୍ଷ । ଏହି ବର୍ଷଟି ମଧ୍ୟ ଜମ୍ମୁ କଶ୍ମୀରର ମହିଳା ଓ ଦଳିତଙ୍କ ପାଇଁ ଅଧିକାର ସାବ୍ୟସ୍ତର ବର୍ଷ । ଏହା ମଧ୍ୟ ଜମ୍ମୁ କଶ୍ମୀରର ଶରଣାର୍ଥୀମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପ୍ରଦାନର ବର୍ଷ । ଏହା ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଯେ ଜମ୍ମୁ କଶ୍ମୀରର ଲୋକାଲ ବଡି ପ୍ରତିନିଧିମାନେ ସକ୍ରିୟତା ଏବଂ ସମ୍ବେଦନଶୀଳତା ପ୍ରଦର୍ଶନ କରି ବିକାଶର ଏକ ନୂଆ ଯୁଗ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

31. ଗତବର୍ଷ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ଏହି ଅଞ୍ଚଳର ଲୋକଙ୍କ ପୁରୁଣା ଦାବି ପୂରଣ ହୋଇଛି । ହିମାଳୟର ସୁଉଚ୍ଚ କ୍ଷେତ୍ରରେ ଅବସ୍ଥିତ ଲଦାଖ ବିକାଶର ନୂଆ ଉଚ୍ଚତା ଛୁଇଁବାକୁ ଏବେ ଅଗ୍ରସର । ସିକ୍କିମ ଯେପରି ଜୈବିକ ରାଜ୍ୟ ବା ଅର୍ଗାନିକ ଷ୍ଟେଟ ହେବାର ମର୍ଯ୍ୟାଦା ପାଇଛି, ଆଗାମୀ ଦିନରେ ଲଦାଖ ମଧ୍ୟ ସେହିଭଳି ଏକ ଅଙ୍ଗାରମୁକ୍ତ ଅଞ୍ଚଳଭାବେ ନିଜର ପରିଚୟ ହାସଲ କରିବ । ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

32. ଦେଶର 100ଟି ବଛାବଛା ସହରରେ ପ୍ରଦୂଷଣ ରୋକିବା ପାଇଁ ଏକ ସ୍ୱତନ୍ତ୍ର ସାମଗ୍ରିକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।

33. ଜୈବ ବିବିଧତାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଭାରତ ସଦାସର୍ବଦା ଯତ୍ନଶୀଳ । ନିକଟ ଅତୀତରେ ଭାରତର ବାଘ ସଂଖ୍ୟା ଦ୍ରୁତଗତିରେ ବଢିଛି । ଏସୀୟ ସିଂହଙ୍କ ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ଦେଶରେ ଏବେ ପ୍ରୋଜେକ୍ଟ ଲାୟନ ବା ସିଂହ ସଂରକ୍ଷଣ ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ । ଏହାଛଡା ପ୍ରୋଜେକ୍ଟ ଡଲ୍‌ଫିନକୁ ମଧ୍ୟ କାର୍ଯ୍ୟକାରୀ କରାଯିବ ।

34. ନିୟନ୍ତ୍ରଣ ରେଖାରୁ ପ୍ରକୃତ ନିୟନ୍ତ୍ରଣ ରେଖା ଯାଏଁ ଆମ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ଉପରେ ଯିଏ ଆଖି ପକାଇ ଥାଉନା କାହିଁକି, ସମଗ୍ର ଦେଶ ଏବଂ ପ୍ରତିରକ୍ଷା ବାହିନୀ ତାହାର ଉଚିତ ଜବାବ ଦେଇଛି । ଆମ ପାଇଁ ଦେଶର ସାର୍ବଭୌମତ୍ୱ ସର୍ବୋଚ୍ଚ । ଏହି ସଂକଳ୍ପ ପୂରଣ ପାଇଁ ଆମ ଯବାନ ଓ ଦେଶବାସୀ କ’ଣ କରିପାରନ୍ତି ତାହା ଲଦାଖରେ ସମଗ୍ର ବିଶ୍ୱ ଦେଖିଛି ।

35. ଦକ୍ଷିଣ ଏସିଆରେ ବିଶ୍ୱ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକ ବାସ କରନ୍ତି । ସହଯୋଗ ଓ ଅଂଶୀଦାରୀ ଭିତ୍ତିରେ ଏହି ବିପୁଳ ଜନସଂଖ୍ୟାର ପ୍ରଗତି ଏବଂ ସମୃଦ୍ଧି ପାଇଁ ଆମେ ଅପାର ସମ୍ଭାବନା ସୃଷ୍ଟି କରିପାରିବା ।

36. ଦେଶର ନିରାପତ୍ତାରେ ଆମ ସୀମାନ୍ତ ଓ ଆମ ଉପକୂଳ ଭିତ୍ତିଭୂମିର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ହିମାଳୟର ଉତ୍ତୁଙ୍ଗ ଶିଖର ହୋଇପାରେ କିମ୍ବା ଭାରତ ମହାସାଗରର ଦ୍ୱୀପପୁଞ୍ଜ ସମୂହ, ଆଜି ସବୁଠି ସଡ଼କ ଓ ଇଣ୍ଟରନେଟ ସଂଯୋଗର ଅଭୂତପୂର୍ବ ସଂପ୍ରସାରଣ ଘଟିଛି ।

37. ଆମ ଦେଶରେ 1300ରୁ ଅଧିକ ଛୋଟବଡ ଦ୍ୱୀପ ରହିଛି । ସେଗୁଡିକର ଭୌଗୋଳିକ ସ୍ଥିତି ଏବଂ ଦେଶର ବିକାଶରେ ସେସବୁର ଗୁରୁତ୍ୱକୁ ବିଚାରକୁ ନେଇ ସେଥିମଧ୍ୟରୁ କେତେକ ବଛାବଛା ଦ୍ୱୀପରେ ନାନାପ୍ରକାର ବିକାଶମୂଳକ ଯୋଜନା ଆରମ୍ଭ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପରେ ଆଗାମୀ 1000 ଦିନ ମଧ୍ୟରେ ଲାକ୍ଷାଦ୍ୱୀପକୁ ମୁଖ୍ୟ ଭାରତୀୟ ଭୂଖଣ୍ଡ ସହ ଯୋଡିବା ପାଇଁ ସମୁଦ୍ର ତଳେ ଅପ୍‌ଟିକାଲ ଫାଇବର କେବୁଲ ବିଛାଯିବ ।

38. ଦେଶର 173ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍‌ସିସିର ସଂପ୍ରସାରଣ କରାଯିବ । ଏହି ଯୋଜନାରେ ଏକ ଲକ୍ଷ ନୂଆ ଏନସିସି କ୍ୟାଡେଟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । ଏଥିରେ ମଧ୍ୟ ଏକ ତୃତୀୟାଂଶ ଝିଅ ସ୍ୱତନ୍ତ୍ର ତାଲିମ ପାଇବେ ।

39. ଆମର ନୀତି, ଆମର ପ୍ରକ୍ରିୟା, ଆମର ଉତ୍ପାଦ- ଏ ସମସ୍ତ ଶ୍ରେଷ୍ଠ ହେବା ଉଚିତ । ତେବେ ଯାଇ ଆମେ ‘ଏକ ଭାରତ- ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବା ।

40. ‘ଇଜ୍‌ ଅଫ୍‌ ଲିଭିଂ’ର ସବୁଠୁ ବଡ ହିତାଧିକାରୀ ହେଉଛନ୍ତି ମଧ୍ୟବିତ୍ତ ଶ୍ରେଣୀ । ଶସ୍ତା ଇଣ୍ଟରନେଟଠାରୁ ଆରମ୍ଭ କରି ସ୍ୱଳ୍ପ ମୂଲ୍ୟର ବିମାନ ଟିକେଟ, ହାଇୱେଠାରୁ ଆରମ୍ଭ କରି ଆଇ-ୱେଜ ଏବଂ ସୁଲଭ ମୂଲ୍ୟର ଗୃହଠାରୁ ଆରମ୍ଭ କରି ଟିକସ ହ୍ରାସ ଏ ସମସ୍ତ ପଦକ୍ଷେପ ଦେଶର ମଧ୍ୟବିତ୍ତ ଶ୍ରେଣୀକୁ ସଶକ୍ତ କରିବ ।(PIB)

 

 

0
0
0
s2sdefault