ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା, ବିଜେ ଯହିଁ ଶ୍ରୀ ଶ୍ରୀ ହରି ବଳଦେବ ଜୀଉ
||ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନକରି ସେହିଠାରୁ ନିଜ ଗଡ଼କୁ ଫେରି ଆସିବାର ନିଷ୍ପତ୍ତି ନେଇ ନିଜ ଅନ୍ତରର ଗଭୀର ଦୁଃଖ , କ୍ଷୋଭ ଓ ନୈରାଶ୍ୟ ଭାବ ମହାପ୍ରଭୂଙ୍କୁ ଜଣାଇଥିଲେ । ନିଜ ଭକ୍ତର ବେଦନାକୁ ସହ୍ୟ କରି ନପାରି ସେହି ଫେରନ୍ତା ରାତ୍ରିରେ ମହାପ୍ରଭୂ ଶ୍ରୀଜଗନ୍ନାଥ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କୁ ଦର୍ଶନ ଦେଇ “ତୁ ମୋର ପୂଜା ଅଧିକାର ପାଇଛୁ, ଏଠାରୁ ଫେରି ନିଜ ଗଡ଼ରେ ମୋର ମନ୍ଦିର ନିର୍ମାଣ କରିବା ସହିତ ଚତୁର୍ଦ୍ଧା ମୂର୍ତ୍ତି ପ୍ରତିଷ୍ଠା କର , ସେହି ମନ୍ଦିରରେ ଦୈନିକ କିଛି ସମୟ ପାଇଁ ବିରାଜମାନ ହେବି ଓ ଏହି ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ସର୍ବଜନ ବିଦିତ ହେବ” ବୋଲି ସ୍ୱପ୍ନାଦେଶ ଦେଇଥିଲେ | ||
ବାରିପଦା(ଅରବିନ୍ଦ ଦାସ)- ମହାପ୍ରଭୂ ଶ୍ରୀଜଗନ୍ନଥ ବାରିପଦାଠାରେ ଶ୍ରୀଶ୍ରୀହରି ବଳଦେବ ଜୀଉ ବାରିପଦା ନାମରେ ଚତୁର୍ଦ୍ଧା ମୂର୍ତ୍ତି ଧାରଣ କରି ପୀଠାସୀନ ଓ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦା ନାମରେ ପୂଜା ପାଇ ଆସୁଛନ୍ତି ।
ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଖ୍ରୀଷ୍ଟାବ୍ଦ ୧୫୭୫ରେ ଶେଷ ହୋଇଥିଲା । ମନ୍ଦିରର ନିର୍ମାଣ ପଛରେ ଏକାଧିକ କିମ୍ବଦନ୍ତୀ ରହିଥିବାର ଜଣାପଡ଼ିଛି । ତନ୍ମଧ୍ୟରୁ ସର୍ବାଧିକ ଗ୍ରହଣୀୟ ଲୋକ କଥାଟି ହେଲା- ମୟୂରଭଞ ଗଡ଼ଜାତ ରାଜ୍ୟର ମହାରାଜା ନୀଳକଣ୍ଠ ଭଞ୍ଜ ୧୫୬୫ ଖ୍ରୀଷ୍ଟାବ୍ଦରେ ଦେହାନ୍ତ ହେବା ପରେ ତାଙ୍କ ପୁତ୍ର ବୈଦ୍ୟନାଥ ଭଞ୍ଜ ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲେ ଓ ଶାସନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଈଷ୍ଟଦେବ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ ମନସ୍ଥ କରି ସୈନ୍ୟସାମନ୍ତ ପରିବେଷ୍ଟିତ ରାଜକୀୟ ସମବିଭ୍ୟାହାରରେ ଶ୍ରୀକ୍ଷେତ୍ରକୁ ଯାତ୍ରା କରିଥିଲେ । ପୁରୀ ଉପକଣ୍ଠ ଅଠରନଳା ନିକଟରେ ପହଁଞ୍ଚିବା ବେଳକୁ ରାତ୍ରି ହୋଇ ଯାଇଥାଏ । ତେଣୁ ମହାରାଜା ଆଗକୁ ଅଗ୍ରସର ନହୋଇ ସେହିଠାରେ ବିଶ୍ରାମ ନେଲେ । ମହାରାଜା ବିଶ୍ରାମ ନେଉଥିବା ଅବସରରେ ପୁରୀ ଗଜପତିଙ୍କ ସୀମାନ୍ତ ରକ୍ଷୀ ମହାରାଜା ବୈଦ୍ୟନାଥ ଭଞ୍ଜ ସୈନ୍ୟସାମନ୍ତ ଧରି ପୁରୀ ସହର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଗଜପତି ମୁକୁନ୍ଦ ଦେବଙ୍କ ନିର୍ଦ୍ଦେଶ ରହିଥିବାର ସନ୍ଦେଶ ପହଁଞ୍ଚାଇ ଥିଲେ । ଏଥି ସହିତ ମହାରାଜା ଇଚ୍ଛାକଲେ ସାଧା ପୋଷାକରେ ଏକା ଯାଇ ମହାପ୍ରଭୂଙ୍କୁ ଦର୍ଶନ କରି ଆସି ପାରିବେ ବୋଲି ଗଜପତିଙ୍କର ବାର୍ତ୍ତା ଜଣାଇ ଦେଇଥିଲେ । ଏହା ସ୍ୱାଭିମାନୀ ମୟୂରଭଞ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ହୃଦୟକୁ ବ୍ୟଥିତ କରାଇବା ସହିତ ତାଙ୍କର ପଦମର୍ଯ୍ୟାଦା ପ୍ରତି ଘୋର ଅପମାନ ଥିଲା । ତେଣୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନକରି ସେହିଠାରୁ ନିଜ ଗଡ଼କୁ ଫେରି ଆସିବାର ନିଷ୍ପତ୍ତି ନେଇ ନିଜ ଅନ୍ତରର ଗଭୀର ଦୁଃଖ , କ୍ଷୋଭ ଓ ନୈରାଶ୍ୟ ଭାବ ମହାପ୍ରଭୂଙ୍କୁ ଜଣାଇଥିଲେ । ନିଜ ଭକ୍ତର ବେଦନାକୁ ସହ୍ୟ କରି ନପାରି ସେହି ଫେରନ୍ତା ରାତ୍ରିରେ ମହାପ୍ରଭୂ ଶ୍ରୀଜଗନ୍ନାଥ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କୁ ଦର୍ଶନ ଦେଇ “ତୁ ମୋର ପୂଜା ଅଧିକାର ପାଇଛୁ, ଏଠାରୁ ଫେରି ନିଜ ଗଡ଼ରେ ମୋର ମନ୍ଦିର ନିର୍ମାଣ କରିବା ସହିତ ଚତୁର୍ଦ୍ଧା ମୂର୍ତ୍ତି ପ୍ରତିଷ୍ଠା କର , ସେହି ମନ୍ଦିରରେ ଦୈନିକ କିଛି ସମୟ ପାଇଁ ବିରାଜମାନ ହେବି ଓ ଏହି ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ସର୍ବଜନ ବିଦିତ ହେବ” ବୋଲି ସ୍ୱପ୍ନାଦେଶ ଦେଇଥିଲେ ।
ମହାପ୍ରଭୂଙ୍କଠାରୁ ଆଜ୍ଞା ପାଇ ମହାରାଜା ମାହାଆନନ୍ଦରେ ନିଜ ଗଡ଼କୁ ପ୍ରତ୍ୟାବର୍ତ୍ତନ କରି ରାଜ ଜ୍ୟୋତିଷକୁ ଡକାଇ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଶୁଭ ସମୟ ବାହାର କରିଥିଲେ । କଳ କଳ ନାଦିନୀ ବଳଙ୍ଗ ନଦୀ କୂଳସ୍ଥ ଏକ ରମଣୀୟ ସ୍ଥାନ ଚିହ୍ନଟ କରାଯାଇ ମନ୍ଦିର ନିର୍ମାଣର ଶୁଭ ଦିଆଯାଇଥିଲା ।
ଅନ୍ୟ ଏକ ଐତିହାସିକ ମତରେ ଷୋଡ଼ଶ ଶତାବ୍ଦୀ ସମୟରେ ଶ୍ରୀଚୈତନ୍ୟ ଦେବଙ୍କ ଭକ୍ତି ରସର ଯେଉଁ ମହାପ୍ଳାବନ ସଂଗଠିତ ହୋଇଥିଲା,ତାର ପ୍ରଭାବରେ ମୟୂରଭଞ ରାଜ ବଂଶ ତାଙ୍କର ପାରମ୍ପରିକ ଶାକ୍ତ ଧର୍ମକୁ ତ୍ୟାଗ କରି ବୈଷ୍ଣବ ଧର୍ମକୁ ଆପଣେଇ ନେଇଥିଲେ । ଏଥି ସହିତ ରସିକାନନ୍ଦଙ୍କ ଶିଷ୍ୟତ୍ୱ ତଥା ନିର୍ଦ୍ଦେଶରେ ମୟୂରଭଞ ମହାରାଜା ନୀଳକଣ୍ଠ ଭଞ ମନ୍ଦିର ନିର୍ମାଣ କାର୍ଯ୍ୟର ପରି କଳ୍ପନା କରିଥିଲେ ଓ ତାଙ୍କର ପୁତ୍ର ମହାରାଜ ବୈଦ୍ୟନାଥ ଭଞ ତାହାକୁ ସାକାର ରୂପ ଦେଇଥିଲେ । ବର୍ତ୍ତମାନ ମଧ୍ୟ ବିଶ୍ୱାସ ରହିଛି ମହାପ୍ରଭୂ ଶ୍ରୀଜଗନ୍ନାଥ,ଭ୍ରାତା ବଳଦେବ ଓ ଭଗିନୀ ସୁଭଦ୍ରାଙ୍କ ସହିତ ପ୍ରତ୍ୟହ କିଛି ସମୟ ନିମନ୍ତେ ବାରିପଦା ମନ୍ଦିରରେ ବିରାଜମାନ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ସେଥି ପାଇଁ ପୁରୀ ଶ୍ରୀମନ୍ଦିର ସଦୃଶ ନିଳାଦ୍ରୀ ମହୋଦୟ ନିର୍ଦ୍ଦେଶିତ ସମସ୍ତ ନୀତି ନିୟମ ବାରିପଦା ମନ୍ଦିରରେ ପାଳିତ ହୋଇଆସୁଛି ।ଏହା ବ୍ୟତୀତ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ ନୀଳାଚଳ ସଦୃଶ ତିନି ଗୋଟି ରଥ ପ୍ରସ୍ତୁତ ହୋଇଥାଏ; ଯାହା ଅନ୍ୟ କୌଣସି ପୁରାତନ ମନ୍ଦିରରେ ବିରଳ । ଅନ୍ୟାନ ବିଭିନ୍ନ ଐତିହାସିକ ଓ ଆଧ୍ୟାତ୍ମିକ କାରଣ ଯୋଗୁଁ ଶ୍ରୀଶ୍ରୀହରିବଳଦେବ ଜୀଉ ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ସର୍ବଜନ ସ୍ୱୀକୃତ ।
ମନ୍ଦିର ନିର୍ମାଣ ଶୈଳୀ- ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ବାରିପଦା ଶ୍ରୀମନ୍ଦିରର ନକ୍ସା ଓ ନିର୍ମାଣ କାର୍ଯ୍ୟ ସମାପନ ହୋଇଥିଲା । ଜନଶ୍ରୁତି ଅନୁସାରେ – ମହାରାଜା ବୈଦ୍ୟନାଥ ଭଞ ଅଭିମାନଭରା ହୃଦୟରେ ପୁରୀରୁ ଫେରି ଆସିବା ପରେ ପୁରୀ ଗଜପତି ନିଜର ଭୂଲ ବୁଝିପାରି ବା ଭିନ୍ନ ମତରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ସ୍ୱପ୍ନାବିଷ୍ଟ ହୋଇ ବାରିପଦାଠାରେ ମନ୍ଦିର ନିର୍ମାଣ ନିମନ୍ତେ ସମସ୍ତ ନକ୍ସା,ସୁଦକ୍ଷ କାରିଗର ଓ ମିସ୍ତ୍ରୀ ପଠାଇବା ସହିତ ମନ୍ଦିରର ନୀତି ନିୟମ ସମ୍ବନ୍ଧରେ ସମସ୍ତ ତଥ୍ୟ ଓ ପରାମର୍ଶ ଯୋଗାଇ ଦେଇଥିଲେ । ବାରିପଦାଠାରେ ଶ୍ରୀଶ୍ରୀହରିବଳଦେବ ଜୀଉ ମନ୍ଦିର କଳିଙ୍ଗ ରେଖା ଶୈଳୀରେ ନିର୍ମିତ । ମହାପ୍ରଭୂଙ୍କ ବିଜେ ସ୍ଥଳୀ ୨୦୦ x ୨୦୦ ପରିମିତ ଜମି ଉପରେ ବାରିପଦା ପୌରପରିଷଦର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏବଂ ମନ୍ଦିରର ଉଚ୍ଚତା ୮୪ଫୁଟ ୭ଇଞ୍ଚ । ଚୁର୍ତୁପାଶ୍ୱର୍ରେ ନିର୍ମିତ ମେଘନାଦ ପ୍ରାଚୀର । ପ୍ରାଚୀର ପୂର୍ବରେ ସିଂହଦ୍ୱାର ଓ ଉତ୍ତରରେ ଗଜଦ୍ୱାର । ସିଂହଦ୍ୱାର ସମ୍ମୁଖରେ ୨୧ ଫୁଟ ଉଚ୍ଚର ଅରୁଣସ୍ତମ୍ଭ । ସ୍ତମ୍ଭ ଓ ସିଂହଦ୍ୱାର ମଧ୍ୟବର୍ତ୍ତୀ ସ୍ଥାନରେ ପଦ୍ମପୃଷ୍ଠ ବିରାଜମାନ । ଦେଉଳ ପଛକୁ ଦକ୍ଷିଣ-ପଶ୍ଚିମରେ ରନ୍ଧନଶାଳ ଏବଂ ଉତ୍ତର-ପୂର୍ବ ଦିଗରେ ନୀତି, ପ୍ରସାର ନିମନ୍ତେ ବ୍ୟବହୃତ ଜଳଉତ୍ସ କୂପ ରହିଛି । ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ଋଷଭ ମୁନୀ ମହାବୀର ହନୁମାନଙ୍କ ପ୍ରତିମା ପୂଜାପାଉଛନ୍ତି । ପୂରୀ ମନ୍ଦିର ନିର୍ମାଣ ଢ଼ାଞ୍ଚାରେ ସିଂହଦ୍ୱାରରେ ପତିତପାବନ, ପ୍ରବେଶ ପଥର ବାମ(ଦକ୍ଷିଣପୂର୍ବ)ରେ ବଟେଶ୍ୱର ମହାଦେବ, କଳ୍ପବଟ, ବଟଗଣେଶ, ଐଶାନ୍ୟରେ ସ୍ନାନ ମଣ୍ଡପ, ବେଢ଼ା ମଧ୍ୟରେ ମା ଲକ୍ଷ୍ମୀ, ମା ବଢେ଼ା କାଳିକା ; ମଲ୍ଲିକେଶ୍ୱର , ଅବଲୋକିତେଶ୍ୱର ମହାଦେବ, ନବ ଗ୍ରହ, ବାଲାଜୀ ମହାପ୍ରଭୂ, ସୀତାରାମ, ହରଗୌରୀ ବରାହ, ମହାଦେବ, ନୃସିଂହ, ବାମନ, ରାମକୃଷ୍ଣ, ସରସ୍ୱତୀ, ଲକ୍ଷ୍ମନାରାୟଣ, ରାଧାକୃଷ୍ଣ ସହ ସିଂହଦ୍ୱାର ନିକଟରେ ଅନନ୍ତ ପୂଜାପାଉଛନ୍ତି । ଏଥି ସହ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ମନ୍ଦିର ବେଢ଼ା ପରିସରରେ ବୈଦ୍ଧ ଓ ଜୈନମୁନିମାନଙ୍କର ମୂର୍ତ୍ତି ସ୍ଥାପନ ସର୍ବଧର୍ମ ସମ୍ମାନକୁ ପ୍ରମାଣିତ କରାଇଛି ।
ମନ୍ଦିର ନୀତି- ରାଜଦରବାର ସମୟରେ ପ୍ରଚଳିତ ସମସ୍ତ ଦେବନୀତି ସରକାର ଅବ୍ୟାହତ ରଖିବେ ବୋଲି ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଚୁକ୍ତିନାମା(ମାର୍ଜାର ଏଗ୍ରିମେଣ୍ଟ)ରେ ମୁଖ୍ୟ ପ୍ରସଙ୍ଗ ରହିଥିଲା । ତଦନୁଯାୟୀ ରାଜଦରବାର ଅମଳରେ ମନ୍ଦିରରେ ପାଳନ କରାଯାଉଥିବା ମହାପ୍ରଭୂଙ୍କ ସମସ୍ତ ଦୈନନ୍ଦିନ ନୀତି ଓ ପାର୍ବଣୀ ନୀତିର ବିଷଦ ବିବରଣୀ ଏକ ରେଜିଷ୍ଟାରରେ ଲିପିବଦ୍ଧ କରାଯାଇଛି, ଯାହା ଡଉଲ ରେଜିଷ୍ଟାର ଭାବେ ନାମିତ ହୋଇଛି । ଉକ୍ତ ଡଉଲ ରେଜିଷ୍ଟାରରେ ଦୈନନ୍ଦିନ ଭୋଗର ପରିମାଣ, ପାର୍ବଣ ରୀତିନୀତି, ବସ୍ତ୍ର ସଜ, ଉପଢୌକନ, ସେବାୟତମାନଙ୍କ ଜାଗିରି, ପ୍ରସାଦ ପ୍ରାପ୍ୟ, ରଥଯାତ୍ରା ପରମ୍ପରା ଆଦି ସବିଶେଷ ବିବରଣୀ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ଏଥିସହ ୮୬ ଜଣ ସେବାୟତ ଅହୋରାତ୍ର ମହାପ୍ରଭୂମାନଙ୍କ ସେବାରେ ରହି ମନ୍ଦିରର ରୀତିନୀତି ସମ୍ପାଦନ କରିଥାନ୍ତି ।
ଦୈନନ୍ଦିନ ନୀତି – ମନ୍ଦିରରେ ଦୈନିକ ଭୋଗରେ ଦଳା ଖେଚୁଡ଼ି ଓ ରାମରୋଚକ ବ୍ୟଞ୍ଜନକୁ ନେଇ ପ୍ରସ୍ତୁତ ଗଟୋ ଭୋଗ ଭକ୍ତମାନଙ୍କ ନିକଟରେ ପ୍ରସିଦ୍ଧ ଓ ଆଦୃତ । ସେହିପରି ଆରିସାପିଠା ଭୋଗ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଛି । ପୁରୀ ଶ୍ରୀମନ୍ଦିରରେ ପାଳନ ହେଉଥିବା ସମସ୍ତ ପର୍ବ ପର୍ବାଣୀ ପ୍ରାୟତଃ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପାଳିତ ହୋଇଥାଏ । ମହାପ୍ରଭୂଙଯକ ସକାଳ ଆଳତୀ ପ୍ରାତଃ ସାଢେ଼ ୫, ଅବକାଶ ବାଲ୍ୟ ଭୋଗ ପ୍ରାତଃ ୬, ଖେଚୁଡ଼ି ଭୋଗ ପୂର୍ବାହ୍ନ ୧୦, ଅରୁଆ ଭୋଗ ୧୧, ପହଡ଼ ସାଢେ଼ ୧୧, ପହଡ଼ ଭଙ୍ଗା , ପଣା ଠାଆ ସନ୍ଧ୍ୟା ସାଢେ଼ ୫,ସନ୍ଧ୍ୟା ଆଳତୀ ସନ୍ଧ୍ୟା ସମୟରେ, ପୁରୀ ମୋହନ ଭୋଗ ରାତି ୮, ମୋଟା ଅରୁଆ ଭୋଗ ରାତି ୧୦ ଓ ବଡ଼ସିଂହାର ବେଶ ଓ ପହଡ଼ ରାତି ସାଢେ଼ ୧୦ରେ ସମ୍ପନ୍ନ ହୋଇଥାଏ ।
ମନ୍ଦିରର ସମ୍ପତ୍ତି- ୧୯୬୫ରେ ବାରିପଦା ସିଭିଲ ଜଜଙ୍କ ଅଧ୍ୟକ୍ଷତାରେ ବସିଥିବା ଟ୍ରିବ୍ୟୁନାଲର ରାୟ ଆଧାରରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କ ସମ୍ପତ୍ତି ୨୧,୭୫୨.୭୯ଏକର ଏବଂ ରାଜଦରବାର ସମୟରୁ ମହାପ୍ରଭୂଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ମୂଲ୍ୟବାନ ମଣି ବୈଦୁର୍ଯ୍ୟ ମଣ୍ଡିତ ବିଭିନ୍ନ ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାର ରହିଥିବାର ଜଣାପଡ଼ିଥିଲା । କିନ୍ତୁ, ମହାପ୍ରଭୂ ନାବାଳକ ହୋଇଥିବା ବେଳେ ତାଙ୍କ ସମ୍ପତ୍ତିକୁ କେହି ନେଇନପାରିବାର ଆଇନକାନୁନ ରହିଲେ ମଧ୍ୟ ଉକ୍ତ ସମ୍ପତ୍ତିକୁ ଚଞ୍ଚକତା କରି କେତେକ ସରକାରୀ ଚାକିରୀଆ, ସମାଜର ପ୍ରଭାବଶାଳୀ ବ୍ୟକ୍ତି/ ଅନୁଷ୍ଠାନ ନିଜସ୍ୱ ନାମକୁ ନେଇ ଦଖଲ କରୁଛନ୍ତି । ଏଥି ସହିତ ସରକାର ମାର୍ଜାର ଚୁକ୍ତିନାମାକୁ ଉଲ୍ଲଙ୍ଘନ କରି ମହାପ୍ରଭୂଙ୍କ ସମ୍ପତ୍ତି ରକ୍ଷଣାବେକ୍ଷଣ କରିବା ପରିବର୍ତ୍ତେ ସମ୍ପତ୍ତିର ସିଂହ ଭାଗ ସରକାରୀ ରେକର୍ଡ ଭୁକ୍ତ କରାଇ ନେଇଛନ୍ତି । ସେହିପରି ଡଉଲ ରେଜିଷ୍ଟରରେ ଲିପିବଦ୍ଧ ହୋଇଥିବା ମହାପ୍ରଭୂଙ୍କ ରୀତିନୀତି, ପାର୍ବଣୀ ଆଦି ସମସ୍ତ କାର୍ଯ୍ୟରେ ବିଘ୍ନ ଘଟିବାରେ ଲାଗିଛି । ମୟୂରଭଞ୍ଜ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଗଡ଼ଜାତ ରାଜ୍ୟରେ ଥିବା ସମସ୍ତ ମଠ, ମନ୍ଦିରମାନଙ୍କରେ ଠାକୁରମାନଙ୍କ ସେବା କାର୍ଯ୍ୟରେ ବିଘ୍ନ ନ ଘଟିବା ନିମନ୍ତେ ମିଶ୍ରଣ ଚୁକ୍ତିରେ ଗୁରୁତ୍ୱ ଦେଇବା ସହ କୋଟି କୋଟି ଟଙ୍କାର ସମ୍ପତି ପ୍ରଦାନ କରିଯାଇଥିବା ସମୟରେ ସରକାର ଏବଂ ଜିଲ୍ଲା ପ୍ରଶାସନ ଉକ୍ତ ଚୁକ୍ତିନାମାକୁ କାର୍ଯ୍ୟକାରୀ କାରାଇବା କ୍ଷେତ୍ରରେ ବିଫଳ ହୋଇଛନ୍ତି ।
ରଥଯାତ୍ରା - ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ର ପରେ ଦ୍ୱିତୀୟ ବୃହତ୍ତମ ରଥଯାତ୍ରାର ମାନ୍ୟତା ପାଇଛି । ମହାରାଜା ବୈଦ୍ୟନାଥ ଭଞ୍ଜଙ୍କୁ ମହାପ୍ରଭୂଙ୍କ ସ୍ୱପ୍ନାଦେଶ ଅନୁସାରେ ଶ୍ରୀକ୍ଷେତ୍ର ଧାମ ପୁରୀର ଶ୍ରୀଗୁଣ୍ଡିଚା ଯାତ୍ରାର ପରବର୍ତ୍ତି ଦିନ ବାରିପଦାରେ ରଥଯାତ୍ରା ହୋଇଥାଏ । ପୁରୀରେ ମହାପ୍ରଭୂ ଧାଡ଼ି ପହଣ୍ଡରେ ବିଜେ ହେଉଥିବା ବେଳେ ବାରିପଦାରେ ଗୋଟି ପହଣ୍ଡିରେ ବିଜେ କରନ୍ତି । ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣିବାର ଐକିକ ପରମ୍ପରା ୧୯୭୫ରୁ ପ୍ରଚଳିତ ରହିଆସିଛି । ବାରିପଦା ଦେବୋତ୍ତର ବିଭାଗ ଓ ଜିଲ୍ଲାପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପବିତ୍ର ଶ୍ରପଞ୍ଚମୀରୁ ରଥ କାଠ ଅନୁକୂଳ, ଅକ୍ଷୟ ତୃତୀୟାରେ ଅଖରେ ଚକ ଲାଗି କାର୍ଯ୍ୟ ସମ୍ପନ୍ନ ହେବାପରେ ୨୩ ହାତ ୧୨ ଆଙ୍ଗୁଳି ଉଚ୍ଚତା ଓ ୧୬ ଚକ ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ୨୩ ହାତ ୬ ଅଙ୍ଗୁଳି ଓ ୧୪ ଚକ ସହିତ ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ଓ ୨୨ ହାତ ୧୪ ଅଙ୍ଗୁଳି ଓ ୧୨ ଚକ ସହିତ ଦେବୀ ସୁଭଦ୍ରାଙ୍କ ବିଜୟା ରଥର ନିର୍ମାଣ କରାଯାଇଥାଏ । ଏହାବ୍ୟତୀତ ମହାରାଜାଙ୍କ ଅମଳରୁ ବାରିପଦା ସାନଜଗନ୍ନାଥ ମହାପ୍ରଭୂଙ୍କ ରଥକୁ ବଡ଼ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ପରବର୍ତ୍ତୀ ଦିନ ସକାଳ ସମୟରେ କେବଳ ୧୪ ବର୍ଷରୁ କମ ବାଳକବାଳିକାମାନେ ଟାଣିବାର ପରମ୍ପରା ରହିଆସିଛି । ଏଠାରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ଭଉଣୀ ସୁଭଦ୍ରା ଗୋଟାଏ ରଥରେ ବସି ଜନ୍ମବେଦୀକୁ ଯାତ୍ରା କରିଥାନ୍ତି ।