ହେଡଲାଇନସ୍:

 ବିକାଶର ସୂତ୍ର - ଅ-ଆ-ଇ-ଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଞ୍ଚାନନ କାନୁନଗୋ

ମହାମାରୀ କରୋନାର ଏକ ଅତ୍ୟାଧୁନିକ ଆଲୋଚନା ଉତ୍ସଟି ଇଂରେଜୀରେ ୱେବ୍ନାର ଯାହା ଏକ ସେମିନାରର ରୂପାନ୍ତର ବୋଲି ଧରାଯାଉଛି । ଏକ ସମୟରେ ଘରେ ବସି ଜୁମ୍ ସଜାଡ଼ି ଲିଙ୍କ ବ୍ୟବହାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଥାଇ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ହେଉଛି । ସଂଯୋଜକ ବା ଆୟୋଜକଙ୍କୁ ବିନା ଅର୍ଥ ବ୍ୟୟରେ ଏକ ସୁନ୍ଦର ଆଲୋଚନାଟିଏ କରିବାର ସୁଯୋଗ ମହାମାରୀ କରୋନା ସମୟର ଏକ ଚମତ୍କାର ଉଦ୍ଭାବନ  । ସେହିପରି ଏକ ଆଲୋଚନାଚକ୍ରରେ ‘ଅନ୍ୱେଷଣ’ ନାମକ ସଂସ୍ଥାର କିଛି ବନ୍ଧୁଙ୍କର ଅନ୍ୱେଷଣ ଥିଲା ଯେ, ଓଡ଼ିଶାକୁ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼  କରିବାକୁ କେଉଁ ପ୍ରକାର ନୀତି  ଅବଲମ୍ବନ କରିବାକୁ ହେବ? ଆଲୋଚନା ଭାଷଣ ସର୍ବସ୍ୱ ନ ହୋଇ ସିଦ୍ଧାନ୍ତମୁଳକ ଅନ୍ୱେଷଣ ଥିଲା । ଆଲୋଚକ ଯେତିକି ସଂପର୍କିତ ଥିଲେ ତା’ଠାରୁ ଅଧିକ ଅନୁସନ୍ଧିତ୍ସୁ  ଥିଲେ ଯୋଗଦାନକାରୀ ପ୍ରଶ୍ନକର୍ତ୍ତାମାନେ । ଏଥିରେ ଯେଉଁ ମୁଖ୍ୟ କଥାଟି ଥିଲା ତାହା କେତେଦିନ ଧରି କହିଚାଲିଥିବା ଓ ଶୁଣି ଚାଲିଥିବା ଯେ ‘ସଂପଦଭରା ଓଡ଼ିଶା କେବଳ ଦାରିଦ୍ର୍ର୍ୟରେ ଭରପୁର’ । 

ଏହା ସତ୍ୟଯେ, ୧୯୭୪ ମସିହା ବେଳର ପ୍ରଥମ ଦାରିଦ୍ର୍ୟ ଆକଳନ ସମୟରେ ରାଜ୍ୟର ୬୬% ଲୋକ ଧାର୍ଯ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ ଏବେ ତାହା ଓଡ଼ିଶାରେ ନିତି ଆୟୋଗର ତଥ୍ୟ ଅନୁସାରେ ୩୩%କୁ ଖସିଥିବାର ହିସାବ ଆସୁଛି । କିନ୍ତୁ ଏହା ସମଗ୍ର ଦେଶରେ ଥିବା ରାଜ୍ୟମାନଙ୍କ ଭିତରେ ସେହି ତଳଭାଗରେ ଅର୍ଥାତ ଖରାପସ୍ଥିତିରେ ପାଞ୍ଚଟି ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ସେ ସମୟରେ ଦେଶରେ, ୧୯୭୧ରେ ରାଜ୍ୟର ଲୋକସଂଖ୍ୟା ୨ କୋଟି ୧୯ ଲକ୍ଷ ଥିଲା ।  ଏହାର ୬୬% ଅର୍ଥାତ ଦୁଇ ତୃତୀୟାଂଶ ବା ୧ କୋଟି ୪୮ ଲକ୍ଷ ଲୋକ ଦାରିଦ୍ର୍ୟ ଭିତରେ ଥିଲେ ।  ଏବେ ତାହା ଏକ ତୃତୀୟାଂଶ ଅର୍ଥାତ ସେହି ୧ କୋଟି ୪୮ ଲକ୍ଷ ପାଖାପାଖି ଅଛି । ଅନ୍ୟଏକ ବିଡ଼ମ୍ବନା ହେଉଛି ସରକାର ଏକ ଟଙ୍କିଆ ଚାଉଳ ଦେଉଥିବା  ପରିବାର ସଂଖ୍ୟା ୯୬ ଲକ୍ଷ । ଏହା ମଧ୍ୟରୁ ପ୍ରଧାନମନ୍ତ୍ରୀ ଗରିବୀ ଯୋଜନାରୁ ୯୩ ଲକ୍ଷ ପରିବାର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ନାମରେ ୩ ଲକ୍ଷ ଅଧିକ ପରିବାରକୁ ଦିଆଯାଇଥାଏ । ଏହି ହିସାବଟି ରାଜ୍ୟର ପାଖାପାଖି ୩ କୋଟି ୩୬ ଲକ୍ଷ ଲୋକଙ୍କୁ ଦାରିଦ୍ରରୁ ସୁରକ୍ଷା ନିମନ୍ତେ ଖାଦ୍ୟ ସାହାଯ୍ୟ ଦିଆଯାଉଥାଏ । ଏହା କାଢ଼ିଦେଲେ ଦାରିଦ୍ର୍ୟର ବାସ୍ତବ ରୂପ ଜଣା ପଡ଼ିଯିବ । କଙ୍କାଳସାର ଚେହେରାଟି ଉପରୁ ପୋଷାକ କାଢ଼ିଦେଲେ ଶରୀର କଙ୍କାଳ ସାରରୂପ ଦେଖିବାକୁ ମିଳିବ । 

‘ଅନ୍ୱେଷଣ’ ଗୋଟିଏ, ଦାରିଦ୍ର୍ୟମୁକ୍ତ ଓଡ଼ିଶା ଖୋଜିବା ଅଭିପ୍ରାୟରେ ଯେ ସୃଷ୍ଟି ଏହା ଆଲୋଚନା ଆୟୋଜକ କରିଥିବା ଯୋଗଦାନକାରୀ ବକ୍ତା ଏବଂ ପ୍ରଶ୍ନକର୍ତ୍ତାମାନଙ୍କ ପ୍ରଶ୍ନରୁ ଜଣା ପଡ଼ୁଥିଲା । ଏହାର ସ୍ପଷ୍ଟ ଉତ୍ତର ହେଉଛି ଯେ, ଓଡ଼ିଶାର ଆର୍ଥିକସ୍ଥିତିରେ ବିକାଶ ଓ ଏକ ସମୃଦ୍ଧ ଶକ୍ତିଶାଳୀ ଓଡ଼ିଶା ସୃଷ୍ଟି ପାଇଁ ରାଜ୍ୟର ଲୋକଙ୍କ ଭିତରେ ଭରି ରହିଥିବା ଅନ୍ତର୍ନିହିତ ଶକ୍ତିର ଅନ୍ୱେଷଣ । ଏହି ଶକ୍ତି ଜାଣି ପାରିଲେ ତା’ର ଉପଯୁକ୍ତ ଓ ସମୟଭିତ୍ତିକ ବିନିଯୋଗ କଲେ ହିଁ ବ୍ୟକ୍ତି ଓ ରାଜ୍ୟର ସର୍ବାଙ୍ଗୀନ ଓ ସର୍ବକାଳୀନ ଉନ୍ନତ୍ତି ହୋଇପାରିବ । ସେହି ଆଧାରରେ ଏକ ସୂତ୍ର ଅ, ଆ, ଇ, ଉ ଉପସ୍ଥାପିତ ହେଉଛି । ଓଡ଼ିଶାରେ ବର୍ତ୍ତମାନର ଆୟ-ବ୍ୟୟସ୍ଥିତି (ବଜେଟ) ଏବଂ ବଜେଟ ବାହାରୁ ପ୍ରାପ୍ତ (ଅଫ୍ ବଜେଟ)ସାହାଯ୍ୟରେ ପାଞ୍ଚବର୍ଷରେ ଗୋଟିଏ ସୁସ୍ଥ - ସଶକ୍ତ - ଦାରିଦ୍ର୍ୟମୁକ୍ତ ଓ ବିପର୍ଯ୍ୟୟ ମୁକ୍ତ ଓଡ଼ିଶା ଦେଖିବାକୁ ସମସ୍ତେ ଚାହାଁନ୍ତି । 

‘ଅ’-ଅନୁଭବ, ଅଭିଜ୍ଞତା ଆମ ପାଖରେ ଅଛି । ଅତୀତକୁ ନିନ୍ଦା ନ କରି ଅନୁଶୀଳ ନ କରିବା ଆବଶ୍ୟକ । ଅଜ୍ଞତା ଓ ଅନ୍ଧତ୍ୱରୁ ମୁକ୍ତ ହେଲେ ଅନୁଭବ ଓ ଅଭିଜ୍ଞତା ସବୁରୁ ସ୍ପଷ୍ଟଜାଣି ହେବ ଓ ସେଥିରେ ଥିବା ତୃଟିପୂର୍ଣ୍ଣ ଦିଗ ଗୁଡ଼ିକ ସଂଶୋଧନ କରିବାର ପନ୍ଥା ନିର୍ଣ୍ଣୟ କରିହେବ । 

‘ଆ’- ଆକର୍ଷଣ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ । ରାଜ୍ୟରେ ଏହାକୁ  Priority  ବା  ପ୍ରାଥମିକତା କୁହାଯାଇପାରେ । ପ୍ରକୃତି ରାଜ୍ୟକୁ ଅନେକ ସଂପଦରେ ଭରି ଦେଇଛି । ମାନବ ସଂପଦ(Human Resources), ଜଳ ସଂପଦ  (Water Resources), ଜଙ୍ଗଲ ସମ୍ପଦ  (Forest Resources), କୃଷି ସମ୍ପଦ  (Agriculture Resources) ଏବଂ ମାଟିତଳେ ଥିବା ଖଣିଜ ସଂପଦ (Mineral Resources) ରେ ଓଡ଼ିଶାର ପ୍ରାଚୁର୍ଯ୍ୟ ସ୍ୱୀକାର କରିବାକୁ ହୁଏ ।  ଆମର ଶାସକ ଓ ଜନସାଧାରଣ କେଉଁ ସଂପଦ ପ୍ରତି ଆକର୍ଷିତ ହୁଅନ୍ତି ବା  ପ୍ରାଥମିକତା ଦେଇ ଆପଣାନ୍ତି ତାହାହିଁ ବିଚାର୍ଯ୍ୟ । ଗତ ତିନି ଦଶନ୍ଧି ଧରି ଏହି ରାଜ୍ୟଟି ମାଟିତଳ ସଂପଦ ଆଡେ଼ ଅଧିକ ଆକର୍ଷିତ ହୋଇଆସିଛି ଓ ଅନ୍ୟଦିଗ ଗୁଡ଼ିକୁ ଗୁରୁତ୍ୱ ଦେଲାନାହିଁ । ରାଜ୍ୟର କୃଷି, ଜଳ, ମାନବ ସଂପଦ ଓ ଜଙ୍ଗଲ ସଂପଦକୁ ପୂର୍ଣ୍ଣ ବ୍ୟବହାର ନକରି ଆବଶ୍ୟକ ବିକାଶଧାରାକୁ ଶକ୍ତ କରିବା ଘୋଷିତ ହେଲା । ରାଜ୍ୟମାନଙ୍କ ଭିତରେ କେରଳ ତା’ର ଗଠନ ସମୟରୁ ମାନବ ସମ୍ବଳ ସଜାଡ଼ିବାରେ ଲାଗିଲା ।  ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଖୁବ୍ ଅଧିକ ଗୁରୁତ୍ୱ ଦେଲା । ଏହି  ରାଜ୍ୟଟିରେ ନିଯୁକ୍ତି କ୍ଷେତ୍ର ପ୍ରଶସ୍ଥ ହେଲା । ଦେଶ ଭିତରେ ଓ ବିଦେଶରେ କୁଶଳୀମାନେ ରାଜ୍ୟ ଭିତରକୁ ପ୍ରଭୁତ ଅର୍ଥ ବୋହି ଆଣିଲେ । ଆଭ୍ୟନ୍ତରୀଣ ଆୟରେ ପରିଶ୍ରମର ଆୟ ଯୋଡ଼ି ହୋଇଗଲା । ତେଣୁ ରାଜ୍ୟଟି ଅଧିକରୁ ଅଧିକ ସମୃଦ୍ଧି ଓ ସବଳ ହେବାରେ ଲାଗିଛି । ସମଗ୍ର ଦେଶରେ ଏ ରାଜ୍ୟରେ ସ୍ଥାୟୀ ବିକାଶ ଧାରା  ଆକଳନ କରି ନିତୀ ଆୟୋଗ ଅନୁସାରେ ଏହି ରାଜ୍ୟ ୧୦୦ ରୁ ୭୪ ଅଙ୍କ (ପଏଣ୍ଟ) ହାସଲ କରି ସର୍ବୋଚ୍ଚ ସ୍ଥାନରେ ରହିଛି ।  ଅନେକ ଦିନ ଧରି ଏପରି ଭଲ ଓ ଶୀର୍ଷ ସ୍ଥିତିରେ କେରଳ ରହି ଆସିଛି । ଏଠି ବଞ୍ଚିବାର ବୟସସୀମା ହାରାହାରି ୭୮ ବର୍ଷ ବୟସ ଟପି ସାରିଲାଣି । ଏକ ସୁସ୍ଥ ଦୀର୍ଘ ଜୀବନ ସହିତ ଭଲ ଶାସନ  (Good Governance)  ଓ ସୁଖର ଜୀବନ ବିତାଉଛନ୍ତି । କେରଳ ଲୋକଙ୍କ ଚିନ୍ତାଧାରା ମଧ୍ୟ ଅତ୍ୟନ୍ତ ନିଆରା । ସେମାନେ ବ୍ୟକ୍ତି କେନ୍ଦ୍ରିକ ରାଜନିତୀରେ ବିଶ୍ୱାସ କରିନଥାନ୍ତି । ବରଂ ଗୋଷ୍ଠୀ  କୈନ୍ଦି୍ରକ ରାଜନିତୀରେ ଓ ପଞ୍ଚାୟତ ବ୍ୟବସ୍ଥା ଦୃଢ଼ କରିବା ଦିଗରେ ଅଛନ୍ତି । ପାଞ୍ଚ ବର୍ଷରେ ସରକାର ବଦଳେ । ଲୋକେ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଚାହାନ୍ତି । ଆମ ରାଜ୍ୟବାସୀ ଓ ରାଜ୍ୟ ସରକାର କେରଳ ବ୍ୟବସ୍ଥା  (Keral Model) ପ୍ରତି ଆକର୍ଷିତ ନ ହୋଇ ବିଶେଷତଃ ଗୁଜୁରାଟ ବ୍ୟବସ୍ଥା Gujurat Model)  ପ୍ରତି ଆକର୍ଷିତ । ସେଥିପାଇଁ ଗୁଜୁରାଟ ପରି ପାଖରେ ସବୁ ଥାଇ ଆମ ରାଜ୍ୟ ପଛରେ ପଡ଼ିଛି । 

‘ଇ’-ଆକର୍ଷଣ ବା ଆଗ୍ରହ ଥିବା ପ୍ରତ୍ୟେକ ବ୍ୟକ୍ତି ବା ବ୍ୟବସ୍ଥାର ‘ଇଚ୍ଛାଶକ୍ତି’ ହିଁ ମୁଖ୍ୟ । ଏହା ଉପରେ କାର୍ଯ୍ୟର ତ୍ୱରିତ ସଫଳତା ଓ ତ୍ୱରାନ୍ୱିତ ଅର୍ଥନିତି ନିର୍ଭର କରେ । ଏଠି ଯେତେ ଆଳୁ ମିଶନ, ପିଆଜ ମିଶନ ଓ ଅନ୍ୟାନ୍ୟ ମିଶନ ମାନ ଘୋଷଣା ହୋଇଛି, ସେ ସବୁ ବଡ଼ ବଡ଼ ଘୋଷଣା ଓ କାର୍ଯ୍ୟପ୍ରତି ଅନାଶକ୍ତ ଭାବ ଓ ତଦ୍ଜନିତ ଇଚ୍ଛାଶକ୍ତି ଅଭାବ ହେତୁ ସଫଳତା ଯଥା ସମୟରେ ଆସି ପାରିଲା ନାହିଁ । ଏହା ଅନୁଧ୍ୟାନ ଓ ଅନୁଶୀଳନ କରି ସିଦ୍ଧାନ୍ତରେ ପହଂଚି ହେବ ଓ ଦେଖିହେବ ଯେ, ଆନ୍ତରିକତା ନଥାଇ ବଡ଼ ଘୋଷଣା କେବଳ ଏକ ପ୍ରବଞ୍ଚନାମାତ୍ର । ଯେଉଁଥିପାଇଁ ସଫଳତା ମିଳି ନାହିଁ ।  ଘୋଷଣାଗୁଡ଼ିକ ନିଜ ପାଇଁ ମଧ୍ୟ ପ୍ରବଞ୍ଚନା । ବିକାଶ ଆକଳନବେଳେ ଭାବିବା ଉଚିତ୍ ଯେ, ଏହି ବିକାଶ ସ୍ଥାୟୀ ତଥା ସମସ୍ତଙ୍କ ପାଇଁ ହିଁ ହେବ । ବ୍ୟକ୍ତିର ବିକାଶ ସହିତ ଅଞ୍ଚଳ ଅଞ୍ଚଳ ଭିତରେ ବା ଗୋଷ୍ଠୀ  ଗୋଷ୍ଠୀ  ମଧ୍ୟରେ ଥିବା ତାରତମ୍ୟ କମିବ ।  ସମାଜ ବ୍ୟକ୍ତିକୁ ନେଇ ଗଠିତ । ଆର୍ଥିକ ବିକାଶ ହେଲେ ଦାରିଦ୍ର୍ୟ କମିବ, ଗାଁର ବିକାଶ ହେବ । ସର୍ବୋପରି ରାଜ୍ୟର ଓ ସମାଜର ବିକାଶ ସଂଗଠିତ ଓ ସଂଭବ ହେବ ।

‘ଉ’ - ଏହି ଅନ୍ତର୍ନିହିତ ଶକ୍ତି ସଂପର୍କରେ ଆମେ ସଚେତନ ଅଛେ । ଏସବୁକୁ ପ୍ରକୃତି ଦତ୍ତ ଓ ମାନବ ସମ୍ବଳକୁ ୧୮୬୬ ନ ଅଙ୍କ ପୂର୍ବରୁ ସ୍ଥିତିକୁ ପରଖିଲେ ଏ ଜାତୀର ମଣିଷମାନେ ପରିଶ୍ରମି, ବିଭିନ୍ନ ଭାବରେ ବିଭିନ୍ନ ସମୟରେ ଉତ୍ତମ କୌଶଳଯୁକ୍ତ ହୋଇ ରହିଥିଲେ । ପରିଶ୍ରମିମାନେ ସାତଦରିଆପାରି ହୋଇ ବେପାର ବାଣିଜ୍ୟ କରୁଥିଲେ । ଏମାନଙ୍କ କୌଶଳ  ଓ କାରିଗରୀ ପ୍ରସ୍ତୁତ ମନ୍ଦିର ଗୁଡ଼ିକର ଉତ୍କର୍ଷତା ଏବେ ବି ଦୃଶ୍ୟମାନ । ଜଳ ସଂପଦ ଏ ରାଜ୍ୟର ଚାଷ ଓ ଜଙ୍ଗଲକୁ ଶ୍ରୀବୁଦ୍ଧି କରି ଆସିଛି । ଜଳବାୟୁର ପରିବର୍ତ୍ତନ ସତ୍ୱେ ଏବେ ବି ଏ ରାଜ୍ୟରେ ବର୍ଷକୁ ହାରାହାରି ୫୪/୫୫ ଇଂଚ ବା ୧୪୫୦ ମି.ମି. ବର୍ଷା ହୋଇଥାଏ । ରାଜ୍ୟର ମାଟି ଉର୍ବର ହେଉ ବା ଅନୁର୍ବର ହେଉ ଆବଶ୍ୟକ ସମସ୍ତ ଚାଷ ପାଇଁ ଅଧିକ ଉପଯୁକ୍ତ । ଏକ ସମୟର (୧୯୫୧) ରେ ଦେଶର ୫% ଧାନ ଏ ରାଜ୍ୟ ହିଁ ବହନ କରୁଥିଲେ । ପ୍ରଶସ୍ତ ସମୁଦ୍ର ତଟ ଓ ପ୍ରାକୃତିକ ଜଳ ଜଙ୍ଗଲ ଉତ୍ପାଦନରେ ବଡ଼ ସହାୟକ ହୋଇଥାଏ । ସବୁ ଅତ୍ୟାବଶ୍ୟକ ପଦାର୍ଥରେ ସ୍ୱାବଲମ୍ବୀ ହେବା ସହିତ ଦେଶ ଓ ବିଦେଶକୁ ଯୋଗାଇବାର ସାମର୍ଥ୍ୟ ଏ ମାଟି, ପାଣି, ପବନ, ମଣିଷର ଅଛି ।

ରାଜ୍ୟର କୃଷି ଓ ମତ୍ସ୍ୟ ସଂପଦ ସହିତ ବନଜ ସଂପଦ ଏକ ବଡ଼ ପ୍ରକୃତିଦତ୍ତ ଉତ୍ସ । ଏଥିରେ ରାଜ୍ୟର ଅଧିବାସୀ ଯେତିକି ଆତ୍ମ ନିର୍ଭରଶୀଳ ହେବ ଦେଶ ମଧ୍ୟ ଏଥିରୁ ସେତିକି ଲାଭବାନ ହେବାର ପ୍ରାକୃତିକ ସ୍ଥିତି ଅଛି । 

ଏ ସଂପଦ ସମେତ ରାଜ୍ୟ ମାଟିତଳେ ଥିବା ଖଣିଜ, କୋଇଲା, ଲୁହାପଥର, କ୍ରୋମାଇଟ, ମାଙ୍ଗାନିଜ୍ ଏପରିକି ହୀରାପଥରର ଖଣିମାନ ରହି ଆସିଛି । 

ଯେଉଁ କାର୍ଯ୍ୟପ୍ରତି ଆକର୍ଷିତ ହେବା ସେଥିସହିତ ସମସ୍ତ ଇଚ୍ଛାଶକ୍ତି ଯୋଡ଼ିବା ସହିତ ଉତ୍ସାହ ଓ ଉଦ୍ଧୀପନାର ସହ କାର୍ଯ୍ୟ କଲେ ସେହି କାର୍ଯ୍ୟଟି ଶୀଘ୍ର ସଂପାଦିତ ହୋଇଥାଏ ।

ଏକଥା ଦୃଢ଼ ଭାବରେ କୁହାଯାଇପାରେ ଯେ ଏତେସବୁ ସଂପଦ ଭାରତର ଅନ୍ୟ କୋ÷ଣସି ରାଜ୍ୟରେ ଏକ ସମୟରେ ଏତେ ପରିମାଣରେ ମନେ ନାହିଁ । ପ୍ରଚୁର ସୌର ଶକ୍ତି ଆମ ରାଜ୍ୟରେ ରହିଛି । 

ଖଣିଜ ସଂପଦର ବ୍ୟବହାର କଲେ ଭଲ । ଏହାର ଅବିଚାରିତ ବ୍ୟବହାର ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ । କିନ୍ତୁ ଏଥିପ୍ରତି ଏକପ୍ରକାର ଆକର୍ଷିତ ହୋଇ କାଳତିପାତ କରୁଥିବା ଶାସକ ବର୍ଗ ନିଜର ଶ୍ରୀବୃଦ୍ଧି ବା ପୁଞ୍ଜିବୃଦ୍ଧି କରିପାରନ୍ତି । ରାଜ୍ୟବାସୀ ବା ରାଜ୍ୟମାନଙ୍କର ସର୍ବାଙ୍ଗିନ ଉନ୍ନତିରେ ଏହା ସହାୟକ ନୁହେଁ । ମୋଟାମୋଟି ଭାବେ ଅନ୍ତର୍ନିହୀତ ଶକ୍ତିର ଯଥାର୍ଥ ଠାବ, ଆକର୍ଷିତ ହେବା ଦିଗର ପ୍ରାଥମିକତା, ଇଚ୍ଛାଶକ୍ତିର ଦୃଢ଼ତା, ନିଜ ଭିତରେ ଥିବା ଉତ୍ସାହ ଉଦ୍ଧୀପନା ଓ ଉନ୍ନାଦନାର ଯଥାଶୀଘ୍ର କର୍ଯ୍ୟ ସଂପାଦନ କଲେ ଆମେ ଆମର ଓ ରାଜ୍ୟର ସମୃଦ୍ଧି ନିଶ୍ଚୟ ଘଟାଇ ପାରିବା । 

0
0
0
s2sdefault