.ସ୍ୱାମୀହନ୍ତା ପତ୍ନୀଙ୍କ ସମେତ ୪ ଗିରଫ
.ହତ୍ୟା ପାଇଁ ସ୍ତ୍ରୀ ବାସନ୍ତି ଦେଇଥିଲା ସୁପାରି
ବାଲେଶ୍ୱର/ ujjwal Kar ,: ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିବା ପତ୍ନୀ ଯେ ସ୍ୱାମୀର ଜୀବନ ନେଇପାରେ ତାହାର ନିଚ୍ଛକ ପ୍ରମାଣ ମିଳିଛି ଏଇ ବାଲେଶ୍ୱରରେ । ଗତ ୧୭ ତାରିଖରେ ହଳଦୀପଦା ପାଣ୍ଡି ନିକଟସ୍ଥ ନହରପାଟଣା ଛକରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ଉପରୁ ସହଦେବଖୁଣ୍ଟା ପୁଲିସ ପର୍ଦ୍ଧା ହଟାଇଛି । ସୁପାରୀ କିଲର ଦ୍ୱାରା ସ୍ୱାମୀ ହତ୍ୟା କରିଥିବା ମାମଲାରେ ପତ୍ନୀ ବାସନ୍ତି ବେହେରାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସର କହିବାନୁସାରେ ୧୭ ତାରିଖରେ ନହରପାଟଣାରୁ ଉଦ୍ଧାର ଅଜଣା ବ୍ୟକ୍ତିଙ୍କ ମୃତଦେହ ମାଧବ ବେହେରାଙ୍କର ବୋଲି ଜାଣିବା ପରେ ତଦନ୍ତ ପ୍ରକିୟା ଆରମ୍ଭ ହୋଇଥିଲା । ଘଟଣା ସ୍ଥଳରୁ ମିଳିଥିବା ପ୍ରମାଣ ଏବଂ ପାରିପାଶ୍ୱିର୍କ ଅବସ୍ଥାକୁୁ ଦୃଷ୍ଟିରେ ରଖି ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣା ପଡ଼ିଥିଲା । ହତ୍ୟା ହୋଇଥିବା ମାଧବ ଜଣେ ମଦ୍ୟପ ହୋଇଥିବା ବେଳେ ପ୍ରାୟତଃ ଦୈନିକ ସେ ନିଜ ସ୍ତ୍ରୀ ବାସନ୍ତୀକୁ ନିର୍ଯ୍ୟାତନା ଦେଉଥିଲେ । ତା’ର ଅତ୍ୟାଚାରରୁ ମୁକ୍ତି ପାଇବାକୁ ପତ୍ନୀ ବାସନ୍ତି ନିଜ ଭିଣୋଇ ଗଣେଶ୍ୱରପୁର ଅଂଚଳ ଜାରକାପଦା ଗ୍ରାମର ଭାଗୀରଥି ପାତ୍ର ଓରଫ୍ ବାଙ୍ଗୁରୁଙ୍କ ସହ ଆଲୋଚନା କରିଥିଲେ । ଏହି ଯୋଜନାରେ ବାସନ୍ତି ନିଜର ଭାଇ ସୁଦର୍ଶନ ନାଥଙ୍କ ଶାଳକ ବସ୍ତା ଥାନା ଅନ୍ତର୍ଗତ ନଳବାହାର ଗୁଣ୍ଡୁରିପଦା ଗ୍ରାମର ଆକାଶ ଦାଶ ଓରଫ ପାଣ୍ଟୁୁଙ୍କୁ ସାମିଲ କରାଯାଇଥିଲା । ପାଣ୍ଟୁ ମାଧବକୁ ଜୀବନରୁ ମାରି ଦେବାକୁ ଯୋଜନା ପ୍ରସ୍ତୁତ କରି ଏଥିପାଇଁ ପଚାଶ ହଜାର ଟଙ୍କା ଆବଶ୍ୟକ ବୋଲି ବାସନ୍ତିକୁ କହିଥିଲେ । ଏନେଇ ବାଙ୍ଗୁରୁ ନିଜ ବ୍ୟାଙ୍କ ଆକାଉଣ୍ଟରୁ କୋଡିଏ ହଜାର ଟଙ୍କା ଉଠାଇ ପାଣ୍ଟୁଙ୍କୁ ଅଗ୍ରୀମ ଦେଇଥିଲେ । ବାସନ୍ତି ଡିସେମ୍ବର ମାସ ୧୪ ତାରିଖ ଦିନ ଅବଶିଷ୍ଟ ତିରିଶ ହଜାର ଟଙ୍କା ମଧ୍ୟ ପ୍ରଦାନ କରିଥିଲେ । ତେବେ ଏହି ହତ୍ୟାକାଣ୍ଡ ରଚିବା ପାଇଁ ପାଣ୍ଟୁ ସହଯୋଗୀ ଭାବେ ବାଛିଥିଲା ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ସରିଷାକୋଠା ଗ୍ରାମର ବାଂଛାନିଧି ଚଣ୍ଡ ଓରଫ ମଦନକୁ । ୧୭ ତାରିଖ ରାତିରେ ବାଲେଶ୍ୱର ସହରର ଆଇଟିଆଇ ଛକ ଗ୍ୟାରେଜରେ ମୋଟର ସାଇକେଲ ମେକାନିକ ଭାବେ କାର୍ଯ୍ୟ କରୁଥିବା ମଦନ ଏକ ହିରୋ ପ୍ଲେଜର ଗାଡି ନେଇ ପାଣ୍ଟୁ ସହ ମାଧବକୁ ସଙ୍ଗରେ ଧରି ନହରପାଟଣା ଗୋଲେଇ ଯାଇଥିଲେ । ମାଧବକୁ ମଦ ପିଆଇବା ପରେ ନହରପାଟଣା ପୋଲ ଉପରୁ ତାଙ୍କୁ ତଳକୁ ପେଲିବାକୁ ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଲୋକଙ୍କ ଚଳପ୍ରଚଳ ଲାଗି ରହିଥିବାରୁ ସେମାନେ ଏଥିରୁ ନିବୃତ ହୋଇଥିଲେ । ପରେ ପୁଣି ଆଉଥରେ ମଦ ପିଆଇ ସେମାନେ ମାଧବକୁ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ ବୋଲି ଘଟଣାର ମାଷ୍ଟର ମାଇଣ୍ଡ ପତ୍ନୀ ବାସନ୍ତୀ ପୁଲିସ ଆଗରେ ସ୍ୱୀକାର କରିଛି । ୩୦୫/୨୦୧୭ ନଂର ମାମଲାରେ ମୁଖ୍ୟ ଅଭିଯୁକ୍ତ ବାସନ୍ତିଙ୍କ ସମେତ ବାଙ୍ଗୁରୁ, ପାଣ୍ଟୁ ଏବଂ ମଦନକୁ ସହଦେବଖୁଂଟା ପୋଲିସ ଗିରଫ କରି ଅଧିକ ପଚରା ଉଚୁରା ଜାରି ରଖିଛି ବୋଲି ଭାରପ୍ରାପ୍ତ ଥାନାଧିକାରୀ ପରେଶ ରାଉତ ପ୍ରକାଶ କରିଛନ୍ତି । ହତ୍ୟା ପାଇଁ ଦିଆଯାଇଥିବା ୫୦ହଜାର ଟଙ୍କାର ସୁପାରିରୁ ପାଂଟୁ ଏବଂ ମଦନ ଅଧା ଅଧା ବାଂଟି ନେଇଥିଲେ । ମଦନ ଏହି ଅର୍ଥରେ କିଣିଥିବା ଏକ ଏଲଇଡି ଟିଭିକୁ ପୋଲିସ ଜବତ କରିଥିବା ବେଳେ ପାଣ୍ଟୁ ଟଙ୍କାର ହିସାବ ମିଳୁ ନାହିଁ । ସେ ମଦ ନିଶାରେ ଟଙ୍କା ହଜାଇ ଦେଇଛି ବୋଲି ଶ୍ରୀ ରାଉତ କହିଛନ୍ତିା