ହେଡଲାଇନସ୍:

ଗଞ୍ଜେଇ ବ୍ୟବସାୟର ଭୂସ୍ୱର୍ଗ :  ଘଂଟାପଡା ଫାଣ୍ଡି କେବେ ହେବ ଥାନା ?

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କଂଟାମାଳ , ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲାର ଶେଷ ସୀମାରେ ରହିଛି ଘଂଟାପଡା ଯାହା ଏକ ବିଚିତ୍ର ଭୌଗଳିକ ସ୍ଥତି ମଧ୍ୟରେ ଅବସ୍ଥିତ । ଘଂଟାପଡା ଅଂଚଳର ପଶ୍ଚିମରେ ଚିରତ୍ସୋତା ତେଲନଦୀ ସହ ଯୋଡି ହୋଇଛି ଉଭୟ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀରର ପରିସୀମା । ସେହିପରି ଦକ୍ଷିଣରେ ଖଡଙ୍ଗ ନଦୀ ସହ ଯୋଡି ହୋଇଛି କନ୍ଧମାଳ ଓ କଳାହାଣ୍ଡିର ସୀମା ଏବଂ ପୂର୍ବ ଦିଗରେ ରହିଛି ବୌଦ୍ଧ ଜିଲ୍ଲାର ମାତାକୂପା ଏବଂ କନ୍ଧମାଳ ଜିଲ୍ଲାର ବାଳନ୍ଦାପଡା ଘାଟି ସଦୃଶ୍ୟ ପର୍ବତମାଳା । ଭୌଗଳିକ ସ୍ଥିତି ଓ ଅବସ୍ଥିତିକୁ ନେଇ ଦେଖିଲେ ଘଂଟାପଡା ସହ ପଡୋଶୀ ୪ଟି ଯାକ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳ ସହ ସଂପର୍କ ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତକୁ ନେଇ ତର୍ଜମା କଲେ ଘଂଟାପଡା ଅଂଚଳ ସର୍ବଦା ସମ୍ବେଦନଶୀଳ ଅପରାଧ ପ୍ରବଣ ଅଞ୍ଚଳଭାବେ ରହି ଆସୁଛି । ପଡୋଶୀ ଜିଲ୍ଲା ତୁଷରା, ରାମପୁର,ତରଭା ,ବାଲିଗୁଡା, ଫିରିଙ୍ଗିଆ, ତୁଷରା, କମସରା ଆଦି ଥାନାର ବହୁ ଅପରାଧୀ ଏହି ଅଂଚଳକୁ ଆସି ଅପରାଧ ଘଟାଇ ଚାଲୁଥିବା ଏବଂ ସେହି ଥାନାର ଅପରାଧୀ ମାନେ ଆସି ବେଶ ନିର୍ଭୟରେ ଏବଂ ସୁରକ୍ଷିତ ଭାବେ ଆଶ୍ରୟ ନେବାଭଳି ଘଟଣା ଘଟିଚାଲିଥିଲେ ହେଁ  ଘଣ୍ଟାପଡା ପୋଲିସ  ଏହି ଅପରାଧୀ  ମାନଙ୍କ ମୁକାବିଲା କରିବା ସମ୍ଭବ ହୋଇ ପାରୁ ନାହିଁ । ଗତ ୨୦୦୮ କନ୍ଧମାଳର ଦଙ୍ଗା ଏବଂ ଗତ ୬/୭ ବର୍ଷ ହେଲା ବେଧକଡ ଭାବେ ଚାଲି ଆସୁଥିବା ଅବାଧ ଗଞ୍ଜଇ ବ୍ୟବସାୟ ହିଁ ଏହାରି ପ୍ରମାଣ । ମାତ୍ର କେବଳ ଗୋଟିଏ ଫାଣ୍ଡି ଏବଂ କିଛି ହାତ ଗଣତି କର୍ମଚାରୀଙ୍କୁ ନେଇ ରହିଥିବା ଘଂଟାପଡା ଫାଣ୍ଡି ଏହି ଅଂଚଳରେ ଘଟିଚାଲିଥିବା ଅସାମାଜିକ କାର୍ଯ୍ୟର ମୁକାବିଲା ପାଇଁ ଯେ ଯଥେଷ୍ଟ ଏହା ଭାବିକା ଠିକ ନୁହଁ । ଇତି ମଧ୍ୟରେ ଲାବାହିନୀଙ୍କ ପଦଶବ୍ଦ ପଡୋଶୀ ବାଲିଗୁଡାରେ ଶୁଣିବାକୁ ମିଳୁଥିବା ବେଳେ ଏହି ବାହିନୀ ଯେ କୌଣସି ସମୟରେ ଏହି ଅଂଚଳକୁ ସେମାନଙ୍କ ସୁରକ୍ଷିତ ସ୍ଥାନ ବୋଲି ବାଛି ନନେବେ ଏହାକୁ ସୁଦ୍ଧା ଅସ୍ୱୀକାର କରାଯାଇ ନପାରେ । ଏଣୁ ଘଂଟାପଡାକୁ ଏକ ସ୍ୱତନ୍ତ୍ର ଥାନାର ମାନ୍ୟତା ଦେବା ସହ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ କରିବା ଜରୁରୀ ବୋଲି ଅଞ୍ଚଳବାସୀ ଦୀର୍ଘ ୧୦ ବର୍ଷ ହେଲା ଦାବୀ କରି ଆସୁଥିଲେ ହେଁ ରାଜ୍ୟ ସରକାର ଏଥି ପ୍ରତି କର୍ଣ୍ଣପାତ କରୁନଥିବା କୁହାଯାଉଛି ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ଏହାଯେ ଗଡଜାତ ଅମଳରେ ବେଶ ପ୍ରସିଦ୍ଧି ଲାଭ କରିଥିବା ଏହି ଘଂଟାପଡାରେ ଭାରତ ସ୍ୱାଧୀନତା ଲାଭର ୧୧୫ ବର୍ଷ ପୂର୍ବରୁ ଅର୍ଥାତ ୧୮୩୨ ମସିହାରେ ଏକ ଥାନା ସ୍ଥାପନ କରାଯାଇ ଥିବା ବେଳେ ଭାରତ ସ୍ୱାଧୀନତାଲାଭ କରିବାର ୬୧ ବର୍ଷ ପରେ ଆମ ସରକାରବାହାଦୂର ଏବଂ ଧଳାହାତୀଙ୍କ କୁଚକ୍ରାନ୍ତ ଯୋଗୁଁ ଘଂଟାପଡା ଥାନାଟିକୁ  ଗତ ୧୯୮୫ ମସିହାରେ କଂଟାମାଳକୁ ସ୍ଥାନାନ୍ତରିତ କରି ଦିଆ ଯାଇଥିଲା । ଥାନା ସ୍ଥାନାନ୍ତରୀତ ବ୍ୟବସ୍ଥାକୁ ନେଇ ଘଂଟାପଡାବାସୀ ତୀବ୍ର ବିରୋଧ କରିଥିଲେ ହେଁ ଘରୋଇ ବିଭାଗର ଚାପ ସହ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନିକଟରେ ଏହି ବିରୋଧ ଚାପି ହୋଇ ଯାଇଥିଲା । ସେସମୟରେ ରାଜ୍ୟ ସରକାର ରାଇକିଆ, ସାରଙ୍ଗଗଡ,ଗୋଛାପଡା, ପୁରୁଣାକଟକ ଭଳି ସ୍ଥାନରେ ନୂତନ ଥାନା ପ୍ରତିଷ୍ଠା  କରିବାକୁ ନିଷ୍ପତି ନେଇଥିବା ବେଳେ କଣ୍ଟାମାଳରେ ଏକ ନୂତନ ଥାନା ପ୍ରତିଷ୍ଠା  ନକରି ରହିଥିବା ପ୍ରତିଷ୍ଠିତ ପରଂପରାର ବ୍ୟତିକ୍ରମ ଘଟାଇ ଘଣ୍ଟାପଡା ଫାଣ୍ଡିକୁ କଣ୍ଟାମାଳ ସ୍ଥାନାନ୍ତରୀତ କରାଇ ନେଇ ଥିଲେ । 

ବର୍ତ୍ତମାନର ଘଣ୍ଟାପଡା ଅଞ୍ଚଳ ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟି ଥିବା ବେଳେ ଏହି ରାସ୍ତା ଦେଇ ନିୟମିତଭାବେ  କନ୍ଧମାଳ ଜିଲ୍ଲାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ପଡୋଶୀ ଜିଲ୍ଲା ବଲାଙ୍ଗୀର ଓ କଲାହାଣ୍ଡି ଜିଲ୍ଲାର ରେଳ ଓ ବସ ଷ୍ଟେସନକୁ ଯାଇ ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ । ପୋଲିସର ସହାୟତାରେ ଏସବୁ କାର୍ଯ୍ୟ ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ହେଁ ସାଧାରଣ ହୋମଗାର୍ଡମାନେ ହିଁ ଗଞ୍ଜେଇ ରୋକିବା ଡ୍ୟୁଟିରେ  ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି ଯଦ୍ୱାରା ମାଫିଆମାନେ ଖୁଲମଖୁଲାଭାବେ ଏହି ବ୍ୟବସାୟ କରିବାରେ ସଫଳ ହୋଇ ଥାନ୍ତି । ଗତ କିଛି ଦିନ ତଳେ ଫାଣ୍ଡି ଅନ୍ତର୍ଗତ ସିଲେଟପଡା, ସମାକୂପା ଜଙ୍ଗଲରେ ୬ କି୍ୱଣ୍ଟାଲ ଗଞ୍ଜେଇ ଜବତ ହେବା ଘଟଣା ଗଞ୍ଜେଇ ବ୍ୟବସାୟର ବ୍ୟାପକତାକୁ ସୂଚୀତ କରୁଥିଲେ ହେଁ ଘରୋଇ ବିଭାଗର ନୀରବତା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ଘଣ୍ଟାପଡା ଭଳି ଅପରାଧ ପ୍ରବଣ ଅଞ୍ଚଳର ସମସ୍ୟାକୁ ଦୃଷ୍ଟିରେ ରଖିବା ସହ  ଅଂଚଳର ଭୌଗଳିକ ସ୍ଥିତିକୁ ଆଖିଆଗରେ ରଖି ରାଜ୍ୟ ଘରୋଇ ବିଭାଗ ଘଂଟାପଡା ଫାଣ୍ଡିକୁ ଥାନାରେ ପରିଣତ କରିବା ନିମନ୍ତେ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି ।

 

0
0
0
s2sdefault