ହେଡଲାଇନସ୍:

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାକୁ ନିଷିଦ୍ଧାଞ୍ଚଳ ଘୋଷଣା ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ରାସ୍ତା ଅବରୋଧ ଉପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଅଙ୍କୁଶ ଲଗାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳ, ଅଣରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ, ବିକ୍ଷୋଭ ସମାବେଶ ଆଦି ଆୟୋଜନ ହେବା ଫଳରେ ବିକ୍ଷୋଭକାରୀମାନେ ମୁଖ୍ୟରାସ୍ତାକୁ ଅବରୋଧ କରିପକାଇ ଥାନ୍ତି । ଫଳରେ ମୁଖ୍ୟ ରାସ୍ତା ଉପରେ ଯାନବାହନ ଚଳାଚଲ ବାଧାପ୍ରାପ୍ତ ହୋଇଥାଏ । ବିଶେଷ କରି ଉକ୍ତ ମୁଖ୍ୟ ରାସ୍ତା ଦେଇ ଜରୁରୀ ସେବା ପ୍ରଦାନକାରୀ ଯାନ ଯଥା ଆରୋଗ୍ୟ ଦୂତ, ଜନନୀ ସୁରକ୍ଷା(୧୦୨) ଗାଡ଼ି, ୧୦୮ଗାଡ଼ି, ଆମ୍ବୁଲାନ୍ସ ଆଦି ରୋଗୀ ଧରି ଯିବା ଆସିବା କରିଥିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଉକ୍ତ ଗାଡ଼ିଗୁଡ଼ିକୁ କିଛି ସମୟ ନିମନ୍ତେ ଅଟକିବାକୁ ପଡ଼ିଥାଏ । ରୋଗୀମାନଙ୍କ ଚିକିତ୍ସା କ୍ଷେତ୍ରରେ ଗୋଟାଏ ସେକେଣ୍ଡର ବିଳମ୍ବ ଜୀବନ ହାନୀର ସମ୍ଭାବନା ସୃଷ୍ଟି କରାଇଥାଏ । ଏପରିସ୍ଥଳେ ମୁଖ୍ୟ ରାସ୍ତା ଉପରେ ଆନେ୍ଦାଳନକାରୀମାନଙ୍କ ରାସ୍ତା ଅବରୋଧ କାରଣରୁ ୧୦୮, ଜନନୀ ସୁରକ୍ଷା, ଆରୋଗ୍ୟ ଦୂତ, ଆମ୍ବୁଲାନ୍ସ ଆଦି ଯାନଗୁଡ଼ିକ ଅଟକିବା ଏକ ଦୁଖଦାୟକ ଓ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଏଥି ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ମୁଖ୍ୟ ରାସ୍ତା ପାଶ୍ୱର୍ ତଥା କାର୍ଯ୍ୟାଳୟକୁ ଲାଗି ଜିଲ୍ଲା ଜଜ୍ କୋର୍ଟ, ସେସନ ଜଜ୍, ସବଜଜ୍, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଦି ରହିଛି । ଉକ୍ତ ରାସ୍ତା ଉପରେ ଶୋଭାଯାତ୍ରା, ବିକ୍ଷୋଭ, ଡ଼ାକବାଜି ଯନ୍ତ୍ର ଆଦିରେ ଭାଷଣ ଆଦି କୋର୍ଟ କାର୍ଯ୍ୟରେ ବାଧା ପହଁଞ୍ଚାଇଥାଏ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଦିଗରେ ବିଶେଷ ଧ୍ୟାନ ଦେଇ ମୁଖ୍ୟ ରାସ୍ତାକୁ ଏକ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯିବା ଅଥବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ରାସ୍ତାକୁ  ଆନେ୍ଦାଳନ, ଶୋଭାଯାତ୍ରା, ବିକ୍ଷୋଭ ଆଦି କ୍ଷେତ୍ରରେ ଅନୁମତି ପ୍ରଦାନ ନିମନ୍ତେ ଜନସାଧାରଣରେ ଦାବି ହୋଇଛି । 

0
0
0
s2sdefault