ହେଡଲାଇନସ୍:

ମୋ ସ୍କୁଲ ଅଭିଯାନ" ପ୍ରକଳ୍ପର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି ଗଜପତି ଗସ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟରେ ଚାଲିଥିବା "ମୋ ସ୍କୁଲ ଅଭିଯାନ" ପ୍ରକଳ୍ପର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି ଆଜି ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହ  ଜିଲ୍ଲାରେ "ମୋ ସ୍କୁଲ ଅଭିଯାନ" ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ  ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

    ଅଧ୍ୟକ୍ଷା ସୁସ୍ମିତା ବାଗଚି ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ  । ସେଠାରେ ତାଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ଓ ଛାତ୍ର ମାନଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ଅଧ୍ୟକ୍ଷା ବାଗଚି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପରେ ଛାତ୍ର ମାନଙ୍କ ସହ ପାଠପଢ଼ା ଉପରେ ପଚାରି ବୁଝିଥିଲେ । ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ବୃଷ କେତୁ ଦାସଙ୍କ ସମେତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କ ସହିତ  ବିଦ୍ୟାଳୟରେ '"ମୋ ସ୍କୁଲ ଅଭିଯାନ" କାର୍ଯ୍ୟକ୍ରମ କିଭଳି ଚାଲିଛି , ତାହା ପଚାରି ବୁଝିଥିଲେ । 

     ଏଥିରେ ଜିଲ୍ଲା ଶିକ୍ଷାରେ ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ବୃନ୍ଦାବନ ରାଓ , କୁମୁଦ ରଞ୍ଜନ ଦାଶ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

      ତା ପରେ ଅଧ୍ୟକ୍ଷା ସୁସ୍ମିତା ବାଗଚି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ "ମୋ ସ୍କୁଲ ଅଭିଯାନ' ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

    ଜିଲ୍ଲାରେ "ମୋ ସ୍କୁଲ ଅଭିଯାନ" କାର୍ଯ୍ୟକ୍ରମ କିଭଳି ଚାଲିଛି ଏବଂ ଟାୱାର ଅଗ୍ରଗତି କେତେଦୂର ଏବଂ କ'ଣ ସବୁ ହୋଇଛି ତାହା ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ପ୍ରଧାନଶିକ୍ଷକ ଓ ଗୋଷ୍ଠୀ ଶିକ୍ଷାରେ ଅଧିକାରୀ ମାନଙ୍କୁ ଆଉ ଟିକିଏ ଏ ଦିଗରେ ଅଧିକ ଭଲ ସଚେତନ କରି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବା ପାଈଁ ସୁଯୋଗ ଦେବାକୁ କହିଥିଲେ ।         ଅନ୍ୟ ପକ୍ଷରେ ଯେଉଁ ସ୍କୁଲ ଗୁଡ଼ିକ ଏହି ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି, ସେମାନଙ୍କୁ ସାମିଲ କରାଯାଇ  ଶିକ୍ଷା ଓ ଶିକ୍ଷାଦାନର ମାନ ବଢ଼ାଇବାକୁ କହିଥିଲେ । ଏଥି ସହିତ ମୋ ସ୍କୁଲ ପୋର୍ଟାଲ ରେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ପଞ୍ଜିକରଣ କରିବାପାଇଁ କହିଥିଲେ ଏବଂ ଏଥିରେ ଅଧିକରୁ ଅଧିକ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ଜଡ଼ିତ କରିବାପାଇଁ କହିଥିଲେ ।

    ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର , ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ସଂଯୋଜକ ଅମର ଜିତ୍ ସେନ ଏବଂ ପଲ୍ଲିଶ୍ରୀ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ବିଇଓ-ଏବିଇଓ ଓ ପ୍ରଧାନଶିକ୍ଷକ ମାନେ ଯୋଗ ଦେଇଥିଲେ ।

    ପରେ ଅଧ୍ୟକ୍ଷା ସୁସ୍ମିତା ବାଗଚି , ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , " ମୋ ସ୍କୁଲ ଅଭିଯାନ" କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ବହୁତ ଭଲ ଚାଲିଛି । ଏହି " ମୋ ସ୍କୁଲ ଅଭିଯାନ" ପ୍ରକଳ୍ପ କାର୍ଯ୍ୟକ୍ରମ ଗତ ୨୦୧୭ ମସିହା ନଭେମ୍ବର ୧୪ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ ହେବାର ଘୋଷଣା କରିଥିଲେ । ଯେଉଁ କେତେ ଗୁଡିଏ ସ୍କୁଲ ଏହି କାର୍ଯ୍ୟକ୍ରମରେ ଜଡ଼ିତ ହୋଇଛନ୍ତି , ସେମାନଙ୍କ ଏ ଦିଗରେ ସମ୍ପୁର୍ଣ୍ଣ ଆଗ୍ରହ ପ୍ରକାଶ ରଖି କାର୍ଯ୍ୟ କରି ଚାଲିଥିବା ଯୋଗୁଁ , ସେମାନଙ୍କ ଏ ଦିଗରେ ପ୍ରଶଂସା କରିବାର ଅନେକ ଯଥାର୍ଥତା ରହିଛି । ଏମିତି କି ସେମାନେ କ'ଣ ସବୁ ସେବା-କାର୍ଯ୍ୟ ଓ ଅନ୍ୟାନ୍ୟ ସବୁ କରିଛନ୍ତି ସେହି ସମସ୍ତ ତଥ୍ୟ ଆମ ପାଖରେ ପହଞ୍ଚି ଯାଉଛି ।

    ଏହି ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୋ ସ୍କୁଲ ଅଭିଯାନରେ ଆମକୁ ଯେଉଁ ଅନୁଦାନ ଆସିଛି  ତାହା ୩୪ କୋଟି ଟଙ୍କା ଏବଂ ସରକାରଙ୍କ ପକ୍ଷରୁ ଏ ଦିଗରେ ଦିଆ ଯାଇଥିବା ମେଚିଙ୍ଗ ଗ୍ରାଣ୍ଟ ୬୮ କୋଟି ଟଙ୍କା । ଏହି ସମୁଦାୟ ୧୦୨ କୋଟି ଟଙ୍କା  କେବଳ ପୂରାତନ ଛାତ୍ରଛାତ୍ରୀ ଓ ସମାଜର ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ବାରା ହିଁ ସମ୍ଭବ ହୋଇଛି । ଏତଦ୍ ବ୍ୟତିତ , ଅନ୍ୟ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ ସବୁ ହୋଇଛି , ତାହା ମୁଁ ଏଠାକୁ ପରିଦର୍ଶନରେ ନ ଆସିଥିଲେ କଦାପି ଜାଣିପାରି ନ ଥାନ୍ତି । ଏଥିରେ ପୂରାତନ ଛାତ୍ରଛାତ୍ରୀ ଓ ସମାଜର ବଦାନ୍ୟ ଗୋଷ୍ଠୀ ଯେଉଁଭଳି ଭାବେ ଆର୍ଥିକ ସହାୟତା ଓ ବିଭିନ୍ନ ସେବା ଦେଇ ଜଡ଼ିତ ହୋଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଏହାର ତୁଳନା ନାହିଁ । ଏସବୁ ସହିତ ଏହି ଯେଉଁ ସ୍ବତନ୍ତ୍ର ଉଦ୍ୟମ ଓ ପଦକ୍ଷେପ କୁ ଆଗକୁ ଆହୁରି ବଢାଇବାର ଆବଶ୍ୟକତା ରହିଛି ।

    ପରିଦର୍ଶନ ବେଳେ ବିଦ୍ୟାଳୟରେ ପିଲା ମାନଙ୍କୁ ଦେଖିଲି , ସେମାନେ ମୋ ପାଖକୁ ଚାଲିଆସି କଥା ହେଲେ , ପିଲା ମାନଙ୍କ ଠାରୁ ଆମକୁ ସେହିଟା ହିଁ ଦରକାର  ବୋଲି କହିଥିଲେ ।

    ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଅନୁପମ ଶାହା, ନିଜସ୍ୱ ଢାଞ୍ଚାରେ ଶିକ୍ଷାର ମାନ ବଢାଇବା ଓ ଶିକ୍ଷକ ଅଭାବ ସମାଧାନ ପାଇଁ ଆରମ୍ଭ କରିଥିବା  "ଟିଚ୍-ଗଜପତି" ସମ୍ପର୍କରେ ଅଧ୍ୟକ୍ଷା ସୁସ୍ମିତା ବାଗଚି କହିଥିଲେ ଯେ , ଏହା ଏକ ଅନନ୍ୟ ପ୍ରକଳ୍ପ , ଏ ଦିଗରେ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ଓ ପ୍ରେରଣା-ଦାୟକ । ଏହିଭଳି କାର୍ଯ୍ୟକ୍ରମ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ "ଟିଚ୍" ନାମରେ ନିଜ-ନିଜର ଜିଲ୍ଲାର ନାମ ସଂଯୁକ୍ତ କରି ଆରମ୍ଭ କରିବା ଉଚିତ ।

   ମାଟ୍ରିକରେ ପାସ ହାର କମି ଯାଉଥିବା ଏବଂ ଏହି ସମସ୍ୟାକୁ ସୁଧାରିବା  ସମ୍ପର୍କରେ ସେ କହିଥିଲେ  ଯେ , ଏହି ବିଷୟରେ ମୁଁ  ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାରେ ଅଧିକାରୀଙ୍କ ସହିତ ବିଶେଷ ଆଲୋଚନା କରିଛି । ଏମିତି ପାସ ହାର କମି ଯାଉଥିବା ଏବଂ ଏହାକୁ ସୁଧାରିବା ଦିଗରେ କଟକ ଜିଲ୍ଲାରେ ମଧ୍ୟ ଏକ ପ୍ରକଳ୍ପ "ମିଶନ ଜିରୋ ଏଫ" ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଦ୍ବାରା କେହି ଫେଲ ହେବେ ନାହିଁ । ଆଉ ତାହା ସେମାନେ ସେହି " ମିଶନ ଜିରୋ ଏଫ" କୁ   ମୋ ସ୍କୁଲ ଅଭିଯାନ ସହିତ ମିଶାଇ କରୁଛନ୍ତି ,  ଭଲ ସଫଳତାର ସହ ଆଗେଇ ଚାଲିଛି । ଏହି ଗଜପତି ଜିଲ୍ଲାରେ ମଧ୍ୟ କଟକ ଜିଲ୍ଲା ଭଳି "ମିଶନ ଜିରୋ ଏଫ" କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭ ଓ କାର୍ଯ୍ୟକାରିତା ହେଲେ ନିଶ୍ଚିତ ଭାବେ ପିଲାମାନଙ୍କ ପାଶ ହାର ବଢିବା ସହ ପିଲା ମାନେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ବୋଲି କହିଥିଲେ ।

0
0
0
s2sdefault