ହେଡଲାଇନସ୍:

ବିଭିନ୍ନ ଦାବୀ ନେଇ ଡିୱାଇଏଫଆଇର ଯୁବ-ପଦଯାତ୍ରା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ବିଭିନ୍ନ ଦାବୀ ଗୁଡିକୁ ନେଇ ଗଜପତି ଜିଲ୍ଲା କମିଟିର"ଭାରତର ଗଣତାନ୍ତ୍ରିକ ଯୁବ ଫେଡ଼େରେସନ(ଡିୱାଇଏଫଆଇ) ପକ୍ଷରୁ ଜିଲ୍ଲା ଆଦିବାସୀ ଅଧିକାର ମଞ୍ଚ ସହଯୋଗରେ ଜିଲ୍ଲାର କାଶୀନଗର ବ୍ଲକର ଅଲଡା ଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ  ଯୁବ-ପଦଯାତ୍ରା ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

    ଏହି ଅବସରରେ  ସ୍ଥାନୀୟ ନୁଆ ବସ-ଷ୍ଟାଣ୍ଡ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ  ଫେଡ଼େରେସନ ଓ ମଞ୍ଚର ଶତାଧିକ ସଂଖ୍ୟାରେ ମହିଳା ପୁରୁଷ ଦାବୀ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିକ୍ଷୋଭ ସଭା କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

      ମୁଖ୍ୟତଃ ଗଜପତି ଜିଲ୍ଲାରେ ଖାଲିଥିବା ସମସ୍ତ ସରକାରୀ ପଦବୀ ପୂରଣ କରାଯିବା ସହ ବେକାର ଯୁବକଙ୍କୁ ଆତ୍ମନିଯୁକ୍ତି ରୁଣ ଏବଂ ମନରେଗା ଯୋଜନା କାମରେ ବର୍ଷକୁ ୨୦୦ ଦିନର କାମ ଯୋଗାଇ ଦେବା ସମେତ ଦୈନିକ ୬୦୦ ଟଙ୍କା ମଜୁରୀ ଦେବା ଦାବିରେ ଯୁବ-ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

   ଅନ୍ୟ ଦାବୀ ଗୁଡ଼ିକ ମଧ୍ୟରେ କାଶୀନଗର ବ୍ଲକର ଶିଆଳି ଠାରୁ ରେଳିଗୁଡା଼ ଦେଇ ସର୍ପତିଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା , ହରିପୁର ଛକ ଠାରୁ ପେଦାମାଡି ପର୍ଯ୍ୟନ୍ତ ରାସ୍ତା ପୁନଃ ନିର୍ମାଣ କରିବା , ରେଳିଗୁଡା଼ , ଚଂଦ୍ରାୟାପେଟା ଓ ଝଙ୍କାର ଗୁଡା଼ରେ ପାନୀୟ ଜଳର ବ୍ୟବସ୍ଥା କରିବା , ରା-ଉଦୟଗିରି ବ୍ଲକର  ବୋରସିଂ ପଞ୍ଚାୟତକୁ ପାନୀୟ ଜଳ- ଯୋଗାଣ କରିବା ,  ବଞ୍ଚିତ ଥିବା ତିତିଲି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା , ଜିଲ୍ଲାରେ କାର୍ଯ୍ୟରତ ଶିଶୁ ମାନଙ୍କୁ ଉଦ୍ଧାର କରି।ସେମାନଙ୍କ ଶିକ୍ଷାଗ୍ରହଣ ବ୍ୟବସ୍ଥା କରିବା , ଶିଆଳି ଠାରେ ନିର୍ମିତ ଆବାସିକ ବିଦ୍ୟାଳୟରେ ବାଳକ ଛାତ୍ରାବାସ ଆରମ୍ଭ କରିବା ,କାଶୀନଗର ତହସିଲରେ ଦୀର୍ଘ ଦିନରୁ ଦଖଲ  ସରକାରୀ ଜମିର ପଟ୍ଟା ପ୍ରଦାନ କରିବା , ୨୦୦୬ ମସିହା ପୁର୍ବରୁ ଦଖଲ କରି ଚାଷ କରୁଥିବା  ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା ଏବଂ କାଶୀନଗର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ସମେତ ୨୪ ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ ଦେବା ସହ ନିରାମୟ ଯୋଜନାରେ ମାଗଣା ଔଷଧ ବଣ୍ଟନ କରାଯିବା ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ ।

    ଏହି କାର୍ଯ୍ୟକ୍ରମରେ ଡିୱାଇଏଫଆଇ ର ରାଜ୍ୟ ସଭାପତି ସରୋଜ କୁମାର ନାୟକ , ସମ୍ପାଦକ ଜତୀନ ମହାନ୍ତି , ସୁକୁ ଶବର ସଭାପତି ଶୁକୁ ଶବର , ଓଡିଶା ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସଭାପତି ଦଣ୍ଡପାଣି ରଇତ, ମାନସ ଜେନା , ନାଗେଶ୍ ଶବର , ସୁମେଶ୍ କୁଣ୍ଡିଙ୍ଗ ଏବଂ କାର୍ତ୍ତିକ ଶବର ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

0
0
0
s2sdefault