ହେଡଲାଇନସ୍:

ଗଜପତିରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ଶିଶୁ ସୁରକ୍ଷା  ୟୁନିଟ ଆନୁକୂଲ୍ୟରେ  ଜିଲ୍ଲା ସ୍ତରୀୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

 ଏହି  ପ୍ରତିଯୋଗିତାରେ ଜିଲ୍ଲାର ୭ଗୋଟି ବ୍ଲକରୁ ୮୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

      ଏହି ପ୍ରତିଯୋଗିତାରେ  ସାଧାରଣ ବର୍ଗର ପ୍ରତିଯୋଗୀ ମାନଙ୍କୁ ୨ ଟି ଭାଗରେ ଏବଂ ଭିନ୍ନକ୍ଷମ ବର୍ଗର ପ୍ରତିଯୋଗୀ ମାନଙ୍କୁ ୬ ଟି ବିଭାଗରେ ବିଭକ୍ତ କରାଯାଇଥିଲା ।

    ଜାତୀୟ ସ୍ତରରୁ  ଆସିଥିବା ନିର୍ଦ୍ଦେଶାବଳୀ ପ୍ରକାରେ ପ୍ରତି ବର୍ଗର ପ୍ରତିଯୋଗୀ ମାନଙ୍କୁ ଚିତ୍ରାଙ୍କନ ପାଇଁ ଭିନ୍ନ ଭିନ୍ନ ବିଷୟ ବସ୍ତୁ ଦିଆଯାଇଥିଲା । ସେହି ବିଷୟ ବସ୍ତୁ ଗୁଡ଼ିକ ଉପରେ ହିଁ ବିଭିନ୍ନ ବିଭାଗର ପ୍ରତିଯୋଗୀ ମାନେ ଚିତ୍ତାକର୍ଷକ ତଥା ଆକର୍ଷଣୀୟ ମାନର ରଙ୍ଗ-ବେରଙ୍ଗ  ଚିତ୍ରାଙ୍କନ ଆଙ୍କି ଥିଲେ । 

    ଏହି ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ମନୋନୀତ ହୋଇଥିବା ବିଚାରକ ମାନଙ୍କ ଦ୍ବାରା ଚିତ୍ର ଗୁଡ଼ିକର ମୁଲ୍ୟାଙ୍କନ କରାଯାଇ ପ୍ରତି ବର୍ଗରୁ ୫ ଗୋଟି ଲେଖାଏଁ ଚିତ୍ରାଙ୍କନକୁ ମନୋନୀତ କରାଯାଇ ରାଜ୍ୟ ସ୍ତରକୁ ପଠାଯିବା ପାଇଁ ନିଷ୍ପତ୍ତି କରାହୋଇଛି ।

        ଅନ୍ୟ ପକ୍ଷରେ ପ୍ରତି ବର୍ଗରୁ ୩ ଜଣ କୃତି ପ୍ରତିଯୋଗୀଙ୍କୁ ଆଗାମୀ ଦିନରେ ଯେ କୌଣସି ହେଲେ ଜିଲ୍ଲା ସ୍ତରୀୟ ଉତ୍ସବରେ ସମ୍ମାନିତ ସହ ପୁରସ୍କୃତ କରିବାର ନିଷ୍ପତ୍ତି ନିଆଯାଇଛି ।

   ଏହି ପ୍ରତିଯୋଗିତାର ବିଚାରକ ଭାବେ ସୁନିତା ମିଶ୍ର , ପ୍ରସନ୍ନ କୁମାର ପଣ୍ଡା ଏବଂ ମୁରଲୀ ଧର ପରିଛା ପ୍ରମୁଖ ଯୋଗଦେଇ ନିଜର ମୂଲ୍ୟାଙ୍କନ କାର୍ଯ୍ୟ ସମ୍ପନ୍ନ କରିଥିଲେ ।

     ଏହି କାର୍ଯ୍ୟକ୍ରମରେ  ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ  , ଜିଲ୍ଲା ବିଜ୍ଞାନ ନିରୀକ୍ଷକ  ସାତ୍ମିକ କୁମାର ପଟ୍ଟନାୟକ ,  ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବି. ବୃନ୍ଦାବନ  ରାଓ  ପ୍ରମୁଖ  ଯୋଗଦେଇ  , ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛୋଟ ଛୋଟ  ପିଲା ମାନଙ୍କ ମନ ମଧ୍ୟରେ ଚିତ୍ରାଙ୍କନ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କ ମନୋନୀତ ଚିତ୍ର ଗୁଡିକୁ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଦର୍ଶିତ କରାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

     ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଚାଇଲଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ-ସଦସ୍ୟା ମାନେ  ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault