ହେଡଲାଇନସ୍:

ମୟୂରଭଞ୍ଜ ପୁଲିସର ପାରିବା ପଣିଆ ଶୁଣିବେ ?? ଶୁଣିଲେ ମୁଣ୍ଡରେ ହାତ ଦେବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିବୀତ ସ୍ତ୍ରୀକୁ ମୃତ ଦର୍ଶାଇ ନିର୍ଦ୍ଦୋଷ ସ୍ୱାମୀ ଓ ଶ୍ୱଶୁରକୁ ଜେଲ ପଠାଇଥିଲା ପୁଲିସ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ପୁଲିସ ଏକ ଜିବୀତ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ନିର୍ଦ୍ଦୋଷ ସ୍ୱାମୀ ଓ ଶ୍ୱଶୁରକୁ ବଳପୂର୍ବକ ଜେଲ ପଠାଇ ନିଜର ପାରିବା ପଣିଆର ପରିଚୟ ଦେଇଥିବା ବିଷୟକୁ ନେଇ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏଥି ସହିତ ଦୀର୍ଘ ୫ ବର୍ଷ ପୂର୍ବେ ମୟୂରଭଞ୍ଜ ପୁଲିସ କରିଥିବା ଭୂଲକୁ ପୁଣି ଥରେ ଦୋହରାଇଥିବାର ପରିଲକ୍ଷିତ ହୋଇଛି ।  ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୁଲିସ ସର୍କଲ ଅଧିନରେ ଥିବା ବାଦାମପାହାଡ଼ ଥାନା ଅଧୀନସ୍ଥ ଚୁଆପାଣି ପଞ୍ଚାୟତ ପୁରୁଣାପାଣି ଡ଼ିହି(ଧାଙ୍ଗିଡ଼ିମତା) ଗ୍ରାମର ନବବଧୂ ରାଇମଣି ବାଙ୍କିରା ବାହାଘରର ପ୍ରାୟ ଦେଢ଼ ମାସ ପରେ ଘରୁ ହଠାତ୍ ନିରୁଦ୍ଧିଷ୍ଟ ହୋଇଯାଇଥିଲେ । ଏହାକୁ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରବର୍ତ୍ତି ସମୟରେ ଏପ୍ରିଲ ୨୭ ଉକ୍ତ ଥାନା ଅଧୀନରେ ଥିବା ପାହାଡ଼ପୁର ଜଙ୍ଗଲରୁ ଏକ ଅର୍ଦ୍ଧଦଗ୍ଧ ଯୁବତୀର ଶବ ପୁଲିସ ଉଦ୍ଧାର କରିବା ପରେ ଯୁବତୀର ଶବକୁ ନବବଧୂ ରାଇମଣିର ଦର୍ଶାଇ ଏବଂ ରାଇମଣିକୁ ତାର ସ୍ୱାମୀ ସଞ୍ଜୟ ନାଏକ ଓ ଶ୍ୱଶୁର ସୁନାରାମ ଓରଫ ମଙ୍ଗଲ ନାଏକ ହତ୍ୟା କରି ପ୍ରମାଣ ନଷ୍ଟ କରାଇବା ନିମନ୍ତେ ଜଙ୍ଗଲରେ ନିଆଁ ଲଗାଇ ପୋଡ଼ି ଦେଇଥିବାର ମିଥ୍ୟା ରେକର୍ଡ  ପ୍ରସ୍ତୁତ କରି ରାଇମଣିର ସ୍ୱାମୀ ସଞ୍ଜୟ ଓ ଶ୍ୱଶୁର ସୁନାରାମଙ୍କ ଉପରେ ଥାର୍ଡ଼ ଡ଼ିଗ୍ରୀ ପ୍ରୟୋଗ କରି ସ୍ୱିକାରୋକ୍ତି ନେଇ ଦୁଇ ଜଣଙ୍କୁ ମିଥ୍ୟା ହତ୍ୟା ମାମଲାରେ ଫସାଇ ବାଦାମପାହାଡ଼ ପୁଲିସ ତରବରିଆ ଭାବେ ନିଜର ପାରିବା ପଣିଆକୁ ଜାହିର କରିବା ନିମନ୍ତେ କୋର୍ଟ ଚାଲାଣ କରାଇ ଦେଇଥିଲେ । ନିର୍ଦ୍ଦୋଷରେ  ଜେଲର ଚାରିକାନ୍ଥ ମଧ୍ୟରେ ପୁଅ ସଞ୍ଜୟ ଓ ବାପ ସୁନାରାମ ପ୍ରାୟ ଦୁଇ ମାସ ରହିବା ପରେ ପରେ ଜୁଲାଇ ୧୭ରେ ରାଇମଣି ଫେରି ଆସିବା ପରେ ତାକୁ କେହି ହତ୍ୟା କରି ନାହିଁ, ସେ ମୃତ ନୁହେଁ  ଜିବୀତ ବୋଲି ଜଣାପଡ଼ିଥିଲା । ଏହି ବିଷୟ ଆଖିପିଛୁଲାକେ ଚାରିଆଡେ଼ ଖେଳି  ଯିବା ପରେ ବାଦାମପାହାଡ଼ ପୁଲିସର ଚେତାପଶିଥିଲା । ନିଜର ଭୂଲ ଜାଣି ପାରିବା ପରେ ଏହାକୁ ଚପାଇବା ନିମନ୍ତେ ଉଦ୍ୟମ ଚଳାଇଥିଲା । ଏହି ସମୟରେ ହୋ ମହାସଭା ନିର୍ଦ୍ଦୋଷରେ ଜେଲରେ ଥିବା ସଞ୍ଜୟ ଓ ତାର ବାପାଙ୍କୁ ଦୋଷମୁକ୍ତ ଭାବେ ମୁକୁଳାଇବା ନିମନ୍ତେ ଅଣ୍ଟାଭିଡ଼ି ଆଗେଇ ଆସିଥିଲା । ଶେଷରେ ଜୁଲାଇ ୨୭ରେ ଅଦାଲତର ହସ୍ତକ୍ଷେପ ପରେ ସଞ୍ଜୟ ଓ ସୁନାରାମ ବାପ ଓ ପୁଅ ଦୋଷ ମୁକ୍ତ ଭାବେ ଜେଲରୁ ବାହାରକୁ ବାହାରିବାର ରାସ୍ତା ପରିଷ୍କାର ହୋଇଥିଲା ଏବଂ ଜୁଲାଇ ୨୮ରେ ବାହାରକୁ ବାହାରି ଆସିଥିଲେ ।  ତେବେ ଜଙ୍ଗଲରୁ ବାଦାମପାହାଡ଼ ପୁଲିସ ଉଦ୍ଧାର କରିଥିବା ଅର୍ଦ୍ଧଦଗ୍ଧ ଯୁବତୀର ଶବର ପରିଚୟ, ତାକୁ କିଏ କେଉଁ ଅବସ୍ଥାରେ ଓ କାହିଁକି ଜଙ୍ଗଲରେ ଆଣି ପୋଡ଼ି ହତ୍ୟାକରିଥିଲା ତାହା ଏବେ ଏକ ପ୍ରଶ୍ନବାଚୀ ହୋଇରହିଛି ।
ଏହି ପ୍ରକାରର ଘଟଣା ମୟୂରଭଞ୍ଜ ଜିଲ୍ଲାରେ ନୂଆ ନୁହେଁ । ପୂର୍ବରୁ ୨୦୧୨ରେ ମୋରଡ଼ା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାସ ସମାନ ଭୂଲ କରି ବସିଥିଲେ । ଏଥି ନିମନ୍ତେ ତାଙ୍କ ବିରୋଧରେ ବାରିପଦା ଅଦାଲତରେ ମାମଲା ଚାଲିଛି ଓ କୋର୍ଟରେ ଆତ୍ମ ସର୍ମପଣ କରି ଜାମିନରେ ଯାଇଛନ୍ତି । ସୂଚନା ଯୋଗ୍ୟ ଯେ, ମୋରଡ଼ା ଥାନା ଅନ୍ତର୍ଗତ ଧଡ଼ାସାହି ଗ୍ରାମର ଶୁକଦେବ ବୈଦିକ ରୀତିରେ ଶୁଳିଆପଦା ଥାନା ଆନ୍ତର୍ଗତ ଭୂବନ ସିଙ୍କର କନ୍ୟା ଲିିଲିକୁ ୨୦୦୬ ମସିହାରେ ବିବାହ କରିଥିଲା । ଶୁକଦେବ ଓ ଲିଲିଙ୍କ ଔରସରୁ ୨ଟି କନ୍ୟା ସନ୍ତାନ ଜନ୍ମ ନେଇଥିଲା । ଘଟଣା କ୍ରମେ  ଲିଲି  ନିଜ ବାପ ଘର ନିକଟ ଡୁମ୍ବୁରୀ ଗ୍ରାମର ସଜନୀ ଧଳ ନାମକ ଏକ ଯୁବକଙ୍କୁ ଭଲ ପାଇ ଶାଶୁ ଘରୁ ଲୁଚି  ପ୍ରେମିକ ସହ ୨୦୧୨ ମେ ୧୧ ସନ୍ଧ୍ୟା ସମୟରେ ପଳାଇ ଯାଇ ଥିଲା । ଏହା ପରେ  ଲିଲିକୁ ଡୁମ୍ବୁରୀ ଗ୍ରାମର ସଜନୀ ଧଳ  ନେଇ ପଳାଇ ଯାଇଥିବାର ସନେ୍ଦହ କରି ମୋରଡ଼ା ଥାନାରେ ୧୭/୦୫/୨୦୧୨ ରେ ଲିଖିତ ଅଭିଯୋଗ ଆଣିଥିଲା ସ୍ୱାମୀ  ଶୁକ ଦେବ ନାୟକ । ମାତ୍ର ଏହି ସମୟରେ ଗ୍ରାମ ମୁଣ୍ଡରେ ରହିଥିବା କୂଅରେ ଏକ ଯୁବତୀର ଶବ ଭାସୁଥିବାର ଖବର ପହଁଞ୍ଚିିଥିଲା ଥାନା ଅଧିକାରୀ ରଶ୍ମୀରଞ୍ଜନଙ୍କ ନିକଟରେ । ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସ କୌଣସି କାରଣରୁ ଶୁକ ଦେବର ପତ୍ନୀ ନିଖୋଜ ହୋଇଯାଇ ନାହିଁ ତାକୁ ମାରି କୂଅରେ ପକାଇ ଦେଇଥିବାର ଦର୍ଶାଇ ଲିଲିର ସ୍ୱାମୀ ଓ ଭାଇଙ୍କୁ ଏହି ହତ୍ୟାକାଣ୍ଡ ସାମିଲ ରହିଥିବାର ଦର୍ଶାଇ ଏମାନଙ୍କୁ ଥାର୍ଡ଼ ଡ଼ିଗ୍ରୀ ଦେଇ ବଳପୂର୍ବକ ଥାନା ଅଧିକାରୀଙ୍କ ଇଚ୍ଛା ଅନୁସାରେ ବୟାନ ରେକଡ଼ିଂ କରାଇ ନେଇଥିଲେ ।  ୦୨/୦୯/୨୦୧୪ରେ ଲିଲି ବାରିପଦା କୋର୍ଟରେ ପହଁଞ୍ଚି ସେ ମୃତ ନୁହେଁ ଜିବୀତ, ତାକୁ କେହି ମାରି ଦେଇ ନାହାନ୍ତି ବୋଲି ଚିଲେଇବା ପରେ ସମସ୍ତଙ୍କ ନଜରକୁ ଆସିଥିଲେ । କିନ୍ତୁ ଲିଲିଙ୍କ ନିମନ୍ତେ ଏହା ଗୋଟାଏ ପ୍ରକାରର ଅଭିଶାପ ହୋଇଯାଇଥିଲା । ନିଜ ପରିବାର ଛାଡ଼ି ସର୍ଟ ଷ୍ଟେ ମୋମରେ ମାସ ମାସ ରହି ସେ ହିଁ ଲିଲି ବୋଲି ପ୍ରମାଣ ଦେବାକୁ ପଡ଼ିଥିଲା । ଶେଷରେ ସର୍ଟ ଷ୍ଟେ ହୋମରୁ ମୁକୁଳିବା ନିମନ୍ତେ ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତି ଆଦିଙ୍କୁ ଚିଠି ଲେଖିବାକୁ ପଡ଼ିଥିଲା । କ୍ରାଇମ ବ୍ରାଞ୍ଚର ହସ୍ତକ୍ଷେପ ପରେ ଏହି ଘଟଣାରେ ମୋରଡ଼ା ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କ ଉପରେ କ୍ରାଇମବ୍ରାଞ୍ଚ ପକ୍ଷରୁ କେଶ ନମ୍ବର ୮/୨୦୧୬ ଓ ଦଫା ୩୪୪, ୩୪୮ ଓ ୩୪୨ରେ ଏକ ମାମଲା ରୁଜୁ କରାଯାଇଥିଲା ।

0
0
0
s2sdefault