ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ପାରଳାଖେମୁଣ୍ଡି ସହରରେ ପ୍ରବଳ ଉତ୍ସାହ ଉଦିପନାର ସହ ସମ୍ପନ୍ନ ହୋଇଯାଇଛି ଶ୍ରୀଜୀଉଙ୍କ ପଦୀତ୍ରା ବାହୁଡା ଯାତ୍ରା | ପ୍ରଭୁ ଜଗନ୍ନାଥ , ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଫେରୀ ଆସିଛନ୍ତି ଶ୍ରୀମନ୍ଦିର । ଆନ୍ଧ୍ର- ଓଡିଶା ସୀମାନ୍ତରେ ଏହି ପବିତ୍ର ବାହୁଡା ଯାତ୍ରାର ଠାକୁର ଦର୍ଶନ , ପହଣ୍ଡି ବିଜେ ରଥ ଉପରକୁ , ରଥ ଉପରେ ଛେରାପହଁରା ରଥ ଟଣା ପ୍ରଭୃତି କାର୍ଯ୍ୟକ୍ରମ ଦେଖିବା ପାଈଁ ଏଥର ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା ।
ପ୍ରଥମେ ଠାକୁରମାନଙ୍କ ଯଥା ରୀତିନୀତି ପ୍ରକାରେ ପୂଜାବିଧି ଓ ଆଳତି ହେବାପରେ ସେନାପଟା ଲାଗି କରଯାଇଥିଲା ।ଏହି କାର୍ଯ୍ୟକ୍ରମ ସରିବାପରେ ଠାକୁରମାନଙ୍କୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡା ପାଇଁ ରଥ ଉପରକୁ ଧାଡି ପହଣ୍ଡି କରଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ ଓ ପରେ ପ୍ରଭୁ ବଳଭଦ୍ର ,ଭଉଣୀ ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ନିଜ ନିଜ ରଥ ଉପରକୁ ପହଣ୍ଡି କରା ହୋଇଥିଲା । ଛେରାପହଁରା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ମହାରାଜ ଗୋପୀନାଥ ଗଜପତିଙ୍କ ଝିଅ ତଥା ରାଜକନ୍ୟା କଲ୍ୟାଣୀ ଗଜପତି ଠାକୁରମାନଙ୍କ ରଥରେ ଛେରାପହଁରା ଓ ପୂଜାବିଧି ଓ ଆଳତି ପ୍ରଭୃତି କାର୍ଯ୍ୟ ସମ୍ପନ୍ନ କରିଥିଲେ ।
ଏସବୁ ଦେଖିବା ପାଇଁ ବିଭିନ୍ନ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ର ର ପୁରପଲ୍ଲୀ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ଜମା ହୋଇଥିଲେ । ହୁଳହୁଳି , ହରିବୋଲ , ଜୟ ଜଗନ୍ନାଥ , ଘଣ୍ଟ ତାଳ ମୃଦଙ୍ଗ ପ୍ରଭୃତି ଧ୍ବନିରେ ଗୁଣ୍ଡିଚା ପରିବେଶ କମ୍ପି ଉଠିଥିଲା । ଅପରାହ୍ନ ୫ଟା ରେ ଠାକୁରମାନଙ୍କ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କ ରଥକୁ ପୁରୁଷ ଓ ଯୁବକ ମାନେ ଟାଣି ନେଇଥିବା ବେଳେ ମା ସୁଭଦ୍ରା ଙ୍କ ରଥକୁ କେବଳ ମହିଳା ଓ ଯୁବତୀ ମାନେ ଟାଣିଥିଲେ ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା | |