ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ବାହୁଡ଼ା ଯାତ୍ରା
ବାରିପଦା(Dillip Mohanty)- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ରା , ଭଉଣୀ ସୁଭଦ୍ରା ଓ ମହାପ୍ରଭୂ ସୁଦର୍ଶନଙ୍କ ସହିତ ଜନ୍ମବେଦୀରୁ ନବ ଦିବସର ଲୀଳାଖେଳା ଶେଷ କରି ଦକ୍ଷିଣାୟନ ଯାତ୍ରାରେ ରତ୍ନସିଂହାସନକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଏଥି ନିମନ୍ତେ ଜୁଲାଇ ୧୨ ଶୁକ୍ରବାର ଜନ୍ମବେଦୀରେ ଅର୍ଥାତ୍ ମାଉସୀ ମା (ରାଧାମୋହନ) ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ରୀତିନୀତି ଅନୁସାରେ ସକାଳ ସମୟରେ ମଙ୍ଗଳ ଆଳତୀ, ମାଜଣା, ମଇଲମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଅବକାଶ ନୀତି, ମଙ୍ଗଳାର୍ପଣ ଆଦି ସମାପନ ହେବା ପରେ ଖେଚୁଡ଼ି ଭୋଗ ଲାଗି, ପୂର୍ବାହ୍ନ ୯ରୁ ୧୧ ମଧ୍ୟରେ ମହାପ୍ରଭୂ ଦ୍ୱାରିକା ବେଶ ସହ ବିଭିନ୍ନ ପ୍ରକାରର ସୁନା ଅଳଙ୍କାରରେ ସଜ୍ଜିତ ହୋଇ ସୁନାବେଶ ଧାରଣ ପୂର୍ବକ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଏହା ଆଷାଢ଼ ମାସର ଶୁକ୍ଳ ଏକାଦଶୀ ତିଥିରେ ପାଳିତ ହୋଇଥାଏ । ମହାପ୍ରଭୂଙ୍କ ସମସ୍ତ ବେଶ ମଧ୍ୟରେ ଉକ୍ତ ବେଶର ସ୍ୱତନ୍ତ୍ର, ମହତ୍ୱ ରହିଥାଏ । ମହାପ୍ରଭୂ ଶ୍ରୀଜୀଉ ଏହି ବେଶ ମାଧ୍ୟମରେ ଜାତି, ବର୍ଣ୍ଣ, କଳା-ଗୋରା, ଧନୀ-ଦରୀଦ୍ର, ସମ୍ପ୍ରଦାୟର ପରମ ଭକ୍ତ ସମାନ ଭାବେ ଦର୍ଶନ କରିପାରିଥାନ୍ତି । ମହାପ୍ରଭୂଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ବେଳେ କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟିତ ହେଉଥିବା ସମୟରେ ଭକ୍ତମାନେ ବର୍ଷାରେ ଭିଜି ଭିଜି ମହାପ୍ରଭୂଙ୍କ ବେଶକୁ ଦର୍ଶନ କରି ସତଜନ୍ମର ପାପରୁ ମୁକ୍ତିଲାଭ ପୂର୍ବକ ଧର୍ମ ଅର୍ଜନ କରିବା ଉଦେ୍ଧଶ୍ୟରେ ମୟୂରଭଞ୍ଜ ଜିଲ୍ଲା ସହ ଦେଶ ବିଦେଶରୁ ଛୁଟି ଆସିଥିଲେ ଭକ୍ତମାନେ ମାଉସୀ ମା ମନ୍ଦିରକୁ । ସେହିପରି ମଧ୍ୟାହ୍ନ ୧୨ରୁ ଗୋଟାଏ ମଧ୍ୟରେ ମହାପ୍ରଭୂଙ୍କ ନିକଟରେ ପଣା ଠା ଭୋଗ ଲାଗି ହେବା ପରେ ଏହା ସର୍ବସାଧାରଣଙ୍କୁ ପ୍ରସାଦ ଭାବେ ବଣ୍ଟନ କରାଯାଇଥିଲା । ଶେଷରେ ପ୍ରଚଳିତ ନୀତିରୀତି ଓ ପରମ୍ପରା ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହେବା ପରେ ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତବାବୁ ଗ୍ରାମଦେବୀ ଶ୍ରୀଶ୍ରୀ ମା ଅମ୍ବିକା ଠାକୁରାଣୀଙ୍କ ନିକଟରୁ ଖଡ୍ଗ ଓ ଆଜ୍ଞାମାଳ ନେଇ ଦାସୀଙ୍କ ଦ୍ୱାରା ରଥ ପ୍ରଦକ୍ଷଣ , ଦିନ ଅଢେ଼ଇଟାରୁ ସାଢେ଼ ୩ ମଧ୍ୟରେ ଚକାଛଡ଼ା ନୀତି ଓ ମନ୍ଦିରର ପରିଚ୍ଛାଙ୍କ ଦ୍ୱାରା ଛେରା ପହଁରା , ଅପରାହ୍ନ ୫ଟାରୁ ୮ଟା ମଧ୍ୟରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର , ଭଉଣୀ ସୁଭଦ୍ରା ଓ ମହାପ୍ରଭୂ ସୁଦର୍ଶନଙ୍କ ସହ ମାଉସୀ ମା ମନ୍ଦିର(ରାଧାମୋହନ)ରୁ ଗୋଟି ପହଣ୍ଡି ବିଜେରେ ବାହାରି ରଥାରୂଢ଼ ହୋଇ ସାରାରାତି ଖୋଲା ଆକାଶ ତଳେ ଅବସ୍ଥାନ କରିଥିଲେ । ପରବର୍ତ୍ତି ଦିବସ ଅର୍ଥାତ୍ ଜୁଲାଇ ୧୩ ଅପରାହ୍ନ ଅଢେ଼ଇରୁ ସାଢେ଼ ୫ ମଧ୍ୟରେ ପ୍ରଥମେ ମହାପ୍ରଭୂ ଶ୍ରଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ସିଂହଦ୍ୱାର ନିକଟରେ ପହଁଞ୍ଚିବା ପରେ ମହିଳାମାନେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ବଡ଼ଦାଣ୍ଡ ପାଶ୍ୱର୍ରେ ଥିବା ଟାଉନ ଥାନା ସମ୍ମୁଖରେ ପହଁଞ୍ଚତ୍ୱା ପରେ ରଥ ଟଣା କାର୍ଯ୍ୟ ବନ୍ଦ ରହିବ ଏବଂ ପୁଣି ଜୁଲାଇ ୧୪ ଅପରାହ୍ନ ଅଢେ଼ଇଟାରୁ ମହିଳାମାନେ ଦର୍ପଦଳନ ରଥକୁ ଟାଣି ମନ୍ଦିର ବେଢ଼ାରେ ପହଁଞ୍ଚାଇବା ପରେ ପରେ ମାଉସୀ ମା ମନ୍ଦିର ନିକଟରେ ଅପେକ୍ଷାରେ ଥିବା ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇ ଅପରାହ୍ନ ସାଢେ଼ ୫ ମଧ୍ୟରେ ରଥଖଳାରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେହିପରି ବାରିପଦା ସହରରେ ସାନ ଜଗନ୍ନାଥ ମହାପ୍ରଭୂଙ୍କ ସହ ଭ୍ରାତା ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ପହଣ୍ଡି ବିଜେ କରି ରଥାରୂଢ଼ ହୋଇଥିଲେ ।
ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ବାରିପଦା ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଅବିନାଶ କୁମାର, ଏଡ଼ିସନାଲ ଡ଼ିଏସପି ଅଭିମନୁ୍ୟ ନାୟକ, ବାରିପଦା ସଦର ଏସଡ଼ିପିଓ ପି କେ ପଟ୍ଟନାୟକ ଓ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ମହାପ୍ରଭୂଙ୍କ ପହଣ୍ଡି ବିଜେ ସମୟରେ ଶାନ୍ତିଶୃଙ୍ଖଳା ରଖା ସହ ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।