ହେଡଲାଇନସ୍:

ବାଲେଶ୍ୱରରେ ରଥଟଣା ଶେଷ : ବାଲିଘାଟରେ ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱରର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚିଛି । ଗତକାଲି ବିଗ୍ରହମାନଙ୍କୁ ପହଣ୍ଡି ବିଜେ ସହ ରଥାଋଢ଼ କରାଯିବା ପରେ ଆଜି ଭକ୍ତମାନେ ରଥଟାଣି ମହାପ୍ରଭୁଙ୍କୁ ମାଉସୀମା ମନ୍ଦିର ନିକଟରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ସହର ଉପକଣ୍ଠ ବାଲିଘାଟ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧା ଓ ଭକ୍ତିର ସହ ରଥଟଣା ସମ୍ପନ୍ନ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ୩ ରଥକୁ ଟାଣିଥିବା ଦେଖିବାକୁ ମିଳିଥିଲା । ରଥଟଣା ପୂର୍ବରୁ ମନ୍ଦିର କମିଟି ମୁଖ୍ୟ ତଥା ସିନେ ପ୍ରଯୋଜକ ଧ୍ରୁବ ଚନ୍ଦ୍ର ରଣା ତିନି ରଥରେ ଉପବିଷ୍ଟ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଛେରାପହଁରା କରିଥିଲେ । ପରେ ଜୟ ଜଗନ୍ନାଥ ଧ୍ୱନି ଦେଇ ଭକ୍ତମାନେ ଭଜନ କୀର୍ତ୍ତନର ତାଳେ ତାଳେ ରଥଗୁଡ଼ିକୁ ବଇଁଚା ଛକସ୍ଥିତ ମାଉସୀମା ମନ୍ଦିରକୁ ଟାଣି ନେଇଥିଲେ । ତେବେ ବାଲିଘାଟ ରଥଯାତ୍ରାର ବିଶେଷ୍ୱତ ହେଲା ମହିଳାମାନଙ୍କ ରଥଟଣା । ମାଆ ସୁଭଦ୍ରାଙ୍କ ରଥକୁ ପ୍ରତିବର୍ଷ ଭଳି ଏଠାରେ କେବଳ ମହିଳାମାନେ ଟାଣିଥିଲେ । ଶହ ଶହ ମହିଳାଙ୍କ ଗହଣରେ ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ସୁଭଦ୍ରା ରଥଟଣାରେ ସାମିଲ ହୋଇଥିଲେ । ଅନୁରୂପ ଭାବେ ଥାନାଛକଠାରେ ଅଟକି ରହିଥିବା ମୋତିଗଞ୍ଜ ବାଣ୍ଠିଆ ଜଗନ୍ନାଥ ମନ୍ଦିରର ରଥ ମଧ୍ୟ ମାଉସିମା ମନ୍ଦିର ଅଭିମୁଖେ ଟଣା ହୋଇଥିଲା । ଶତାଧିକ ଭକ୍ତ ଉତ୍ସାହ ଉଦ୍ଧୀପନାର ସହ ମୋତିଗଞ୍ଜ ବଜାର ମଧ୍ୟଦେଇ ସିନେମାଛକ ମାଉସୀମା ମନ୍ଦିରରେ ପହଞ୍ଚିଥିଲେ । ସଂଧ୍ୟାରେ ଶ୍ରୀଜୀଉମାନଙ୍କୁ  ଆଡ଼ପ ମଣ୍ଡପକୁ ବିଜେ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଭଜନ କାର୍ଯ୍ୟକ୍ରମ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ଅଟକି ରହିଥିଲେ ।

0
0
0
s2sdefault