ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ଟାଣିଲେ ହଜାର ହଜାର ମହିଳା ଭକ୍ତ ।
ବାରିପଦା(ଦିଲ୍ଲୀପ ମହାନ୍ତି )- ଜନ ସମୂଦ୍ରରେ ଦିଶୁ ନ ଥିଲା ପଥ । ଲକ୍ଷାଧିକ ଭକ୍ତଙ୍କ ଗହଳିଚହଳିରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ଦାଣ୍ଡ । ଜୟ ଜଗନ୍ନାଥ ଧ୍ୱନୀ ସହିତ ଶଙ୍ଖ, ମୃଦଙ୍ଗ, ସଂକୀର୍ତ୍ତନ ଚତୁର୍ଦ୍ଧିଗର ଗଗନ ପବନକୁ ମୁଖରିତ କରି ପାକାଇଥିଲା । ଭିନ୍ନଭିନ୍ନ ବେଶପୋଷାକରେ ଭକ୍ତମାନେ ଅପେକ୍ଷା କରିଥିଲେ ଭାବଗ୍ରାହୀଙ୍କୁ । ଗୁରୁବାର ଆଷାଢ଼ ଶୁକ୍ଳ ତୃତୀୟା ତିଥିରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୂଙ୍କ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ଦୃଶ୍ୟ । ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ଧାମ ପୁରୀର ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ଘୋଷଯାତ୍ରା ନିଆରା ପରମ୍ପରାରେ ପରିପୂର୍ଣ୍ଣ । ଶ୍ରୀକ୍ଷେତ୍ରଧାମ ପୁରୀ ଶ୍ରୀମନ୍ଦିରରେ ପହଣ୍ଡି ବିଜେ ଓ ରଥ ଟଣା ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ସମାପନ ହେଉଥିବା ବେଳେ ବାରିପଦାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଉକ୍ତ ଦିନ ମହାପ୍ରଭୂ ପହଣ୍ଡି ବିଜେରେ ବାହାରି ରଥାରୂଢ଼ ହୋଇ ଓ ପରବର୍ତ୍ତି ଦିନ ଜନ୍ମବେଦୀ ଯାତ୍ରା କରନ୍ତି । ପୁଣି ପୁରୀରେ ଧାଡ଼ି ପହଣ୍ଡିରେ ମହାପ୍ରଭୂ ବିଜେ କରୁଥିବାବେଳେ ବାରିପଦାରେ ଗୋଟି ପହଣ୍ଡିରେ ବିଜେ ହୋଅନ୍ତି । ସେହିପରି ଶ୍ରୀକ୍ଷେତ୍ରଧାମରେ ରଥ ଟଣା ଗୋଟାଏ ଦିନ ସମାପନ ହେଉଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦୁଇ ଦିନ ହୋଇଥାଏ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ୧୯୭୫ଠାରୁ କେବଳ ମହିଳା ଭକ୍ତମାନେ ଟାଣି ଆସିବାର ଏକ ନିଆରା ଯୁଗାନ୍ତକାରୀ ପରମ୍ପରା ସୃଷ୍ଟି ହୋଇଆସିଛି ।
ରଥେତୁ ବାମନଂ ଦୃଷ୍ଟବା , ପୁନର୍ଜନ୍ମ ନ ବିଦ୍ୟତେ ଉକ୍ତିର ସାର୍ଥକତା ଜୁଲାଇ ୫ ଗୁରୁବାର ବାରିପଦା ବଡ଼ଦାଣ୍ଡରେ ପରିଲକ୍ଷିତ ହୋଇଥିଲା । ଲକ୍ଷାଧିକ ଭକ୍ତଙ୍କ ଗହଣରେ ଉଛୁଳି ପଡ଼ିଥିଲା ବଡ଼ଦାଣ୍ଡ । ସର୍ବ ଦର୍ମର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା । ଦେଶ ବିଦେଶ ତଥା ଜିଲ୍ଲା ଓ ଜିଲ୍ଲା ବାହାରୁ ଭକ୍ତମାନେ ପହଁଞ୍ଚି ବଡ଼ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ପାଶ୍ୱର୍ରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସଂଗେ ସଂଗେ ପୂଜାର୍ଚ୍ଚନା ପରିବେଶକୁ ଭକ୍ତି ଭାବନାରେ ରୁଦ୍ଧିମନ୍ତ କରିପକାଇଥିଲା । ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଉଚ୍ଚାରଣରେ ସୃଷ୍ଟି ହୋଇଥିଲା ଏକ ଭାବଗତ ଆଧ୍ୟାତ୍ମିକ ପରିବେଶ । ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ ଓ ସଂକିର୍ତ୍ତନର ଗୁଞ୍ଜରଣରେ ମୁଖରିତ ହୋଇ ଉଠିଥିଲା ବଡ଼ଦାଣ୍ଡ । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚାହିଁ ରହିଥିଲେ ଭକ୍ତମାନେ । ପତିତ ପାବନଙ୍କୁ ଦର୍ଶନ ଦେବା ନିମନ୍ତେ ଭାଇ, ଭଉଣୀଙ୍କ ସହିତ ବଡ଼ଦାଣ୍ଡକୁ ଉହ୍ଲାଇ ଆସିଥିଲେ କାଳିଆ ସାଆନ୍ତେ । ଭାବ ବିନୋଦିଆଙ୍କ ଦର୍ଶନ ଲାଭକରି ଭାବ ବିହ୍ୱଳ ହୋଇପଡ଼ିଥିଲେ ଭକ୍ତମାନେ । କେବଳ ଆଜିର ଦିନରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନ ହୋଇଥାଏ । ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ହୋଇ ଯାଇଥିଲେ ଏକାକାର । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଚତୁର୍ଦ୍ଧାମୂର୍ତ୍ତି । କେତେବେଳେ ଏହି ବ୍ରହ୍ମମୁହୂର୍ତ୍ତ ଆସିବ ତାହାକୁ ଭକ୍ତମାନେ ଆନାଇ ବସିଥିବା ବେଳେ ଚଳିତ ବର୍ଷ ରଥ ନୀତି ନିର୍ଘଣ୍ଟ ଅନୁସାରେ ଅନୁକୂଳ ପାଗ, ଆକାଶରେ ବାଦଲ ଓ ସୂର୍ଯ୍ୟଦେବଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଥିବା ଅବସ୍ଥାରେ ନିର୍ଦ୍ଧାରିତ ସମୟ ଠିକ୍ ଅଢେ଼ଇଟା ସମୟରେ ବଳଭଦ୍ରଙ୍କ ତାଳଧ୍ୱଜ ରଥରୁ ସଂକେତ ଆସିବା ମାତ୍ରେ ଭକ୍ତମାନେ ରଥକୁ ଟାଣି ଅପରାହ୍ନ ପ୍ରାୟ ୪ଟା ସମୟରେ ମାଉସୀ ମା(ରାଧାମୋହନ) ମନ୍ଦିର ନିକଟରେ ପହଁଞ୍ଚାଇ ଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ହଜାର ହଜାର ସଂଖ୍ୟାରେ ମହିଳାମାନେ ଟାଣି ବଡଦାଣ୍ଡର ମଧ୍ୟ ସ୍ଥଳି ବାରିପଦା ଟାଉନ ଥାନା ସମ୍ମୁଖରେ ଅପରାହ୍ନ ସାଢେ଼ ୫ଟା ସମୟରେ ପହଁଞ୍ଚାଇବା ପରେ ପ୍ରଚଳିତ ପରମ୍ପରା ଅନୁସାରେ ରଥଟଣା ବନ୍ଦ ରଖା ଯାଇଥିଲା । ପୁଣି ପରବର୍ତ୍ତି ଦିନ ଅର୍ଥାତ୍ ଶୁକ୍ରବାର ୦୬/୦୭/୨୦୧୯ ଅପରାହ୍ନ ଠିକ୍ ଅଢେ଼ଇଟା ସମୟରେ ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥକୁ ଟାଉନ ଥାନା ନିକଟରୁ ମହିଳାମାନେ ଟାଣି ମାଉସୀ ମା ମନ୍ଦିର ନିକଟରେ ପହଁଚାଇବା ପରେ ମନ୍ଦିର ବେଢ଼ା ନିକଟରେ ଅପେକ୍ଷାରେ ଥବା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥକୁ ଟଣା ଯିବାର କାର୍ଯ୍ୟକ୍ରମ ରହିଅଛି ।
ସେହିପରି ବାରିପଦା ସହରର ଲାଲବଜାରଠାରେ ସାନ ଜଗନ୍ନାଥ ମନ୍ଦିରରେ ଶୁକ୍ରାରବାର ପୂର୍ବାହ୍ନ ସାଢେ଼ ୯ଟାରେ ରଥ ଟଣାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ରଥକୁ କେବଳ ୧୪ ବର୍ଷରୁ କମ୍ ବାଳକବାଳିକାମାନେ ଟାଣିବାର ପରମ୍ପରା ମହାରାଜାଙ୍କ ଅମଳରୁ ରହିଆସିଛ ।
ଭକ୍ତମାନଙ୍କ ଗହଣରେ ନିଜକୁ ହଜାଇ ଦେଇଥିଲେ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବାରିପଦାର ପୂର୍ବତନ ବିଧାୟକ ସାନନ୍ଦ ମାର୍ଣ୍ଡି । ସେହିପରି ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ମୟୂରଭଞ୍ଜ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଜିଲ୍ଲା ଯୁବ ବିଜଦ ସଭାପତି ଜିତେନ୍ଦ୍ର ମହାନ୍ତି, ଙ୍କ ସମେତ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନୁ୍ୟ ନାୟକ, ବାରିପଦା ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ, ବାରିପଦା ସଦର ଏସଡ଼ିପିଓ କେ ପି ପଟ୍ଟନାୟକ ପ୍ରମୁଖ ରଥ ଟଣା କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।
ରଥ ଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଳିତ ବର୍ଷ ୨ ଜଣ ଏଡ଼ିସନାଲ ଏସପି, ୨ ଡ଼ିଏସପି, ୧୦ ଇନ୍ସପେକ୍ଟର, ୧୮ ସବଇନ୍ସପେକ୍ଟର, ୪୦ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର, ୧୩୦ ହୋମଗାଡର଼୍, ୧୮ ପ୍ଲାଟୋନ ଫୋର୍ସ ମୁତୟନ ମୁତୟନ କରାଯାଇଥିଲା । ଏଥି ସହ ସହରରେ ଯାନ ବାହନ ଚଳାଚଳ ଉପରେ କଟକଣା ଲାଗୁକରାଯାଇଛି । ସହରର ବିଭିନ୍ନ ଛକମାନଙ୍କରେ ଟ୍ରାଫିକ ପୋଲିସ ଓ ସାଧା ପୋଷାକଧାରୀ ପୋଲିସ ଆଦି ମୁତୟନ କରାଯାଇଥିଲା । ବଡଦାଣ୍ଡ ରଉଭୟ ପାଶ୍ୱର୍ରେ ରହିଥିବା ଉଚ୍ଚ କୋଠା ସହ ୱାଚ ଟାୱାର ଓ ସିସି ଟିଭି ମାଧ୍ୟମରେ ବଡଦାଣ୍ଡ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକରେ ଚଳାଚଳ କରୁଥିବା ପ୍ରତ୍ୟେକ ଜନସାଧାରଣଙ୍କ ଉପରେ ନଜର ରଖା ଯାଇଥିଲା ।
ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ- ୨୦୧୪ ପୌରନିର୍ବାଚନରେ ଉପନଗରପାଳ ଭାବେ ଜିତେନ୍ଦ୍ର ମହାନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ ସହରର ପରିମଳ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ବାରିପଦା ପୌରପରିଷଦର ରାସ୍ତାଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନିମନ୍ତେ ଦିନ ରାତି ଅକ୍ଳାନ୍ତ ଉଦ୍ୟମ ଜାରି ରଖିଥିଲେ । ପବିତ୍ର ରଥଯାତ୍ରାରେ ସହର ସହିତ ବଡ଼ଦାଣ୍ଡକୁ ବ୍ଲିଚିଂ ପକାଇ ସଫାସୁତୁରା ରଖିବା ନିମନ୍ତେ ଉଦ୍ୟମ ଜାରି ରଖିଥାନ୍ତି । ବର୍ତ୍ତମାନ ଶ୍ରୀମହାନ୍ତି ଉପନଗରପାଳ ନାହାନ୍ତି ସତ କିନ୍ତୁ ସେ ଦେଖାଇଥିବା ମାର୍ଗକୁ ପୌରପରିଷଦ ଓ ପୌରପରିଷଦର ସଫେଇ କର୍ମଚାରୀମାନେ ଅନୁସରଣ କରି ସଫେଇ କାର୍ଯ୍ୟ ଜାରି ରଖିଥିବାର ପରିଲକ୍ଷିତ ହୋଇଛି । ସେହିପରି ୨୪ ଘଣ୍ଟା ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଦିଗ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଥିବାର ଜଣାପଡ଼ିଛି ।