ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶ୍ରେଣୀରେ ୭୫% ଉପସ୍ଥାନ ବାଧ୍ୟତାମୂଳକ
୭୫% ଉପସ୍ଥାନ ନହେଲେ ବର୍ଷ ଶେଷ ପରୀକ୍ଷାରୁ ବଂଚିତ ହେବେ ଛାତ୍ରଛାତ୍ରୀ
ଅନିୟମିତ ପିଲାଙ୍କ ଅଭିଭାବକଙ୍କୁ ଫୋନ ଏସଏମଏସ ରେ ଦିଆଯିବ ସୂଚନା
ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ)
ଉଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଅଣ୍ଟା ଭିଡ଼ିଛି ଉଚ୍ଚଶିକ୍ଷା ବିଭାଗ । ପାଠପଢାକୁ ଉନ୍ନତ ଓ ନିୟମିତ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରିବା ପାଇଁ ଜାରି କରିଛି ନିର୍ଦ୍ଦେଶନାମା । କିଛିଡିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ସରକାରୀ ମହାବିଦ୍ୟାଳୟଗୁଡିକର ଅଧ୍ୟକ୍ଷ ମାନଙ୍କ ସହ ଅନୁଷ୍ଠିତ ବୈଠକରେ ଯେଉଁ ପ୍ରସଙ୍ଗ ଗୁଡିକ ଉପରେ ଗୁରୁତ୍ୱ ଦେଇଥିଲେ ତାହାକୁ ଆଧାର କରି ଆଜି ଜାରି ହୋଇଛି ନିର୍ଦ୍ଦେଶାବଳୀ । ଅଧ୍ୟାପକ ଓ ଅଧ୍ୟାପିକା ମାନେ ୭ ଘଣ୍ଟା ଡିଉଟି କରିବେ । ଏହା ସହିତ ଛାତ୍ର ଛାତ୍ରୀ ମାନଙ୍କର ଶ୍ରେଣୀରେ ୭୫% ଉପସ୍ଥାପନା ରହିବ ।
ବିଭାଗ ପକ୍ଷରୁ ଜାରି ହୋଇଥିବା ପତ୍ରରେ ଉଲ୍ଲେଖ ଅଛି ସରକାରୀ ଓ ସରକାରଙ୍କ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ 7 ଘଣ୍ଟା କାର୍ଯ୍ୟ ବାଧ୍ୟତାମୂଳକ ହେବ । ହେଲେ ଏହା ଅତିଥି ଅଧ୍ୟାପକ ମାନଙ୍କ ପାଇଁ ଲାଗୁ ହେବନାହିଁ, କାରଣ ସେମାନେ ଠିକାରେ ଶ୍ରେଣୀ ଅନୁସାରେ ପ୍ରାପ୍ୟ ପାଇଥାନ୍ତି । କ୍ଲାସ ନେବା ବ୍ୟତୀତ ଅଧ୍ୟାପକ ଅଧ୍ୟାପିକା ମାନେ ଟ୍ୟୁଟୋରିଆଲ କ୍ଲାସ, ବିଳମ୍ବରେ ଆଡ଼ିଥିବା ପିଲାଙ୍କ ପାଇଁ କାରେକ୍ଟିଭ କ୍ଲାସ, ଗବେଷଣା ତଥା ଅନ୍ୟ ସମସ୍ତ ଶୈକ୍ଷିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ । ସେହିପରି ଛାତ୍ରଛାତ୍ରୀ ମାନଙ୍କ ପାଇଁ 75 ପ୍ରତିଶତ ଶ୍ରେଣୀ ବାଧ୍ୟତାମୂକକ ହେବ । ନହେଲେ ସେମାନେ ବର୍ଷଶେଷ ପରୀକ୍ଷା ଦେଇ ପାରିବେ ନାହିଁ । ଅନିୟମିତ ହେଉଥିବା ପିଲାମାନଙ୍କ ଅଭିଭାବକ ମାନଙ୍କୁ ଏସ ଏମ ଏସ ବା ଅନ୍ୟ ମାଧ୍ୟମରେ ଅବଗତ କରାଇବାର ବ୍ୟବସ୍ଥା କରିବା ପାଇଁ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।