ହେଡଲାଇନସ୍:

ନୂଆପଡ଼ା ଜିଲ୍ଲାରେ ଧାନ ବିହନ ଅଭାବ,ଚିନ୍ତାରେ ଚାଷୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦରକାର ୧୬,୮୭୮ କ୍ୱିଣ୍ଟାଲ, ଆସିଛି ୯,୭୯୫ କ୍ୱିଣ୍ଟାଲ

ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲାରେ ଧାନ ମଂଜିର ଅଭାବି ବିକ୍ରି ଦେଖା ଦେଇଛି । ଚାଷୀଙ୍କୁ ସମସ୍ତ କିଶମର ଧାନ ମଂଜି ମିଳିପାରୁନାହିଁ । ଏବେ ଜିଲ୍ଲାକୁ ୧୬,୮୭୮ କ୍ୱିଣ୍ଟାଲ ଧାନ ମଂଜିର ଆବଶ୍ୟକତା ରହିଥିବା ବେଳେ ଏଯାଏଁ ଜିଲ୍ଲାକୁ ୯,୭୯୫ କ୍ୱିଣ୍ଟାଲ ଧାନ ମଂଜି ଆସିଛି । ଜିଲ୍ଲାରେ ଆବଶ୍ୟକତା ଠାରୁ ୭,୦୮୨ କ୍ୱିଣ୍ଟାଲ ଧାନ ମଂଜି କମ ଆସିଛି । ଫଳରେ ଏବେ ଖରିଫ ଧାନ ଚାଷ ପ୍ରଭାବିତ ହେଉଥିବାରୁ ଚାଷୀ ଚିନ୍ତାରେ ପଡି ଯାଇଛନ୍ତି ।
               ଚଳିତ ଖରିପ ଋତୁ ପାଇଁ ଜିଲ୍ଲାରେ ୧,୯୦,୧୦୦ ହେକ୍ଟର ଜମିରେ ଚାଷ କରିବାକୁ କୃଷୀ ବିଭାଗ ଲକ୍ଷ ରଖିଛି । ସେଥିରୁ ୯୪ ,୫୦୦ ହେକ୍ଟର ଧାନ ଚାଷ ହେବ । ଏଥି ପାଇଁ ବିଭିନ୍ନ କିଶମର ୧୬,୮୭୮ କ୍ୱିଣ୍ଟା ଧାନ ମଂଜିର ଆବଶ୍ୟକତା ରହିଛି । ଗତ ୨୮ ତାରିଖ ସୁଦ୍ଧା ଜିଲ୍ଲାକୁ ୯୭୯୫ କ୍ୱିଣ୍ଟାଲ ଧାନ ମଂଜି ଆସିଛି । ସେଥିରୁ ଡିଲର ମାନଙ୍କୁ ୭୩୫୯ କ୍ୱିଣ୍ଟାଲ ଓ ପେକ୍ସକୁ ୨୪୩୬ କ୍ୱିଣ୍ଟାଲ ମଂଜି ବିକ୍ରି ପାଇଁ ଦିଆଯାଇଛି । ଏବେ ବି ଜିଲ୍ଲାକୁ ଆବଶ୍ୟକତା ଠାରୁ ୭,୦୮୨ କ୍ୱିଣ୍ଟାଲ ଧାନ ମଂଜି କମ ଆସିଛି । ଏବେ ଜିଲ୍ଲାର ନୂଆପଡ଼ା ବ୍ଲକକୁ ୧୦୪୧ କ୍ୱିଣ୍ଟାଲ, କୋମନା ବ୍ଲକକୁ ୧୨୬୭, ଖଡ଼ିଆଳ ବ୍ଲକକୁ ୧୬୫୦, ସିନାପାଲି ବ୍ଲକକୁ ୪୧୫୧ ଓ ବୋଡେନ ବ୍ଲକକୁ ୧୬୮୬ କ୍ୱିଣ୍ଟାଲ ଧାନ ମଂଜି ଦିଆ ଯାଇଛି । ଏଭଳି ସ୍ଥିତିରେ ଜିଲ୍ଲାରେ ଧାନ ମଂଜିର ଅଭାବ ଦେଖା ଦେଇଛି । ଚାଷୀ ଧାନ ମଂଜି ପାଇଁ ପେକ୍ସ, ଡିଲର ପାଖରେ ଲମ୍ବାଧାଡି ଲଗାଉ ଥିଲେ ବି ତାକୁ ମଂଜି ମିଳୁନାହିଁ । ଧାନ ମଂଜି ପାଇଁ ଚାଷୀ ବରମ୍ବାର ଡିଲର ଓ ପେକ୍ସକୁ ଧାଁଧପଡ କରି ହଇରାଣ ହରକତ ହେଉଛି । ଏହାର ସୁଯୋଗ ନେଇ ଅନେକ ଡିଲର ମାନେ ମଂଜିକୁ ଚଢାଉ ଦରରେ ବିକ୍ରି କରିବା ଆରମ୍ଭ କରିଛନ୍ତି । ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସରକାରୀ ଦର ଠାରୁ ବେଗ ପିଛା ୨୦ ରୁ ୫୦ ଟଙ୍କା ଅଧିକା ଦରରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଥିରେ ଡିଲର ମାଲିକ ମାନେ ମାଲମାଲ ହେଉଥିବା ବେଳେ ଗରିବ, ଅସହାୟ ଚାଷୀ ଶୋଷଣର ଶୀକାର ହେଉଛନ୍ତି । ଜିଲ୍ଲା କୃଷୀ ବିଭାଗ ପକ୍ଷରୁ କୌଣସି କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଡିଲର ମାଲିକ ମାନଙ୍କୁ ସମର୍ଥନ କଲା ଭଳି କୃଷୀ ବିଭାଗ ଅଧିକାରୀ ହାତ ବାନ୍ଧି ବସିଛନ୍ତି । 
                 ଜିଲ୍ଲାର ଅନେକ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବିକ୍ରି ହେବାକୁ ପଡି ରହିଛି । ଚାଷୀ ଧାନ ବିକ୍ରି କରିନପାରି ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ଓ ଆନେ୍ଦାଳନ କରି ହଇରାଣ ହରକତ ହେଉଛନ୍ତି । ଧାନ ବିକ୍ରି ହୋଇନଥିବାରୁ ଚାଷୀଙ୍କ ହାତରେ କାଣି କଉଡି ଟିଏ ନାହିଁ । ରବି ଋଣ ଟଙ୍କା ପରିଷୋଧ କରିନଥିବାରୁ ଖରିପ ଋଣ ମଂଜୁର ହେଉନାହିଁ । ଏବେ ଚାଷୀଙ୍କୁ ପେକ୍ସ, ବ୍ୟାଙ୍କରୁ ଟଙ୍କା, ମଂଜି, ରାସାୟନିକ ସାର କିଛି ମିଳି ପାରୁନାହିଁ । ଅନ୍ୟପକ୍ଷେ ମୌସୁମୀ ଆସିବା ପରେ କିଛି ଦିନ ହେଲା ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ଚାଷୀ ନିଜ ଚାଷ କାର୍ଯ୍ୟକୁ ଆଗେଇ ନେବାକୁ ଉଦ୍ୟମ କରୁଛି । ଏପଟେ ଚାଷୀଙ୍କ ଧାନ ମଂଜି ନ ମିଳିବା ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇ ଯାଉଛି । ଚାଷୀଙ୍କ ଦୁଃଖ ଶୁଣିବାକୁ ଜିଲ୍ଲା ପ୍ରଶାସନ,କୃଷୀ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ପାଖରେ ସମୟ ନାହିଁ । ଏଭଳି ସ୍ଥିତିରେ ଜିଲ୍ଲାର ଚାଷୀ ଦିନକୁ ଦିନ ଚାଷ କାର୍ଯ୍ୟ ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ତେବେ ଜିଲ୍ଲାର ଚାଷୀଙ୍କୁ ଉପଯୁକ୍ତ ପରିମାଣର ମଂଜି ସରକାରୀ ଦରରେ ଯୋଗାଇ ଦେଲେ ଚାଷୀଙ୍କ ଉନ୍ନତି ହୁଅନ୍ତା ବୋଲି ଜିଲ୍ଲା ପ୍ରଶାସନ ନିକଟରେ ଜିଲ୍ଲାର ଚାଷୀ ଦାବୀ କରିଛନ୍ତି । ଏନେଇ ଜିଲ୍ଲା କୃଷୀ ଉପ ନିଦେ୍ର୍ଧଷକ ଜାହେଦ ମହମ୍ମଦଙ୍କୁ ପଚାରିବାରୁ, ଜିଲ୍ଲା ମୁଖ୍ୟାଳୟରେ ଉପଯୁକ୍ତ ପରିମାଣର ଧାନ ମଂଜି ଗଚ୍ଛିତ ରହିଛି । ଯିଏ ଯେତିକି ପରିମାଣରେ ଧାନ ମଂଜି ମାଗୁଛନ୍ତି, ତାଙ୍କୁ ଆମେ ପ୍ରଦାନ କରୁଛୁ । ଡିଲର ମାନଙ୍କ ପାଖକୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ମଂଜି ପଠାଇଛୁ । ପେକ୍ସ କର୍ମଚାରୀ ମାନେ ଧାନ ମଂଜି ବିକ୍ରି ହେବ ନାହିଁ ବୋଲି ନେଉ ନାହାନ୍ତି । ଯେଉଁ ଚାଷୀଙ୍କୁ ଧାନ ମଂଜି ଦରକାର ଅଛି, ସେମାନେ ଜିଲ୍ଲା କୃଷୀ କାର୍ଯ୍ୟାଳୟ ନିକଟରୁ ନେଇ ପାରିବେ ବୋଲି କହିଥିଲେ ।                                              



0
0
0
s2sdefault