ହେଡଲାଇନସ୍:

ବଣାଇ ଉପଖଣ୍ଡରେ ସାମାଜିକ ସୁରକ୍ଷା ଯୋଜନା ଦିଗହରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କଲେ ସମାଜସେବୀ

 ବଣାଇ/ ହୋରାଚାନ୍ଦ ଦେଉରିଆ - ବଣାଇ ଉପଖଣ୍ଡରେ ସାମାଜିକ ସୁରକ୍ଷା ଯୋଜନା ଦିଗହରା ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ମାନବାଧୀକାର କର୍ମୀ ଶାନ୍ତନୁ କୁସୁମ। ତାସହିତ ବଣାଇ ଉପଖଣ୍ଡରେ ସାମାଜିକ ସୁରକ୍ଷା ଯୋଜନାକୁ କ୍ରିୟାଶୀଳ କରିବା ନିମିତ୍ତ  ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ସମାଜସେବୀ ଶ୍ରୀ କୁସୁମ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତଣ୍ଡିଆଙ୍କ ସହିତ ଆଲୋଚନା କରିବା ସହିତ ବଣାଇ ଉପଖଣ୍ଡର ବିଭିନ୍ନ ବ୍ଳକରେ ଅସହାୟ, ଭିନ୍ନକ୍ଷମ ହିତାଧିକାରୀ ମାନେ ସାମାଜିକ ସୁରକ୍ଷାରୁ ବଞ୍ଚିତ ହୋଇ କେମିତି ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି ତାହା ଗୋଟି ଗୋଟି କରି ବର୍ଣ୍ଣନା କରିଥିଲେ। ତତ୍ ସଙ୍ଗେସଙ୍ଗେ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। ଦାବିପତ୍ରରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ ଗୁରୁଣ୍ଡିଆ ବ୍ଳକ୍ କୁଚେଇତା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମର ହାନା ଟପ୍ନୋ(56) ଆଠ ମାସ ପୁର୍ବରୁ ସଡକ ଦୁର୍ଘଟଣାରେ ସ୍ବାମୀକୁ ହରାଇଥିଲେ ସୁଧା ଏପର୍ଯ୍ୟନ୍ତ ତାଙ୍କୁ ବିଧବା ମିଳିନଥିବା ବେଳେ ସଡକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଥିବା ତାଙ୍କ 13 ବର୍ଷିୟ ପୁଅ ଆଲବନ ଟପ୍ନୋକୁ ଏଯାଏଁ ଆଶାବାଡି ଓ ଭିନ୍ନକ୍ଷମ ଭତ୍ତା ମିଳିନାହିଁ। ସେହିପରି ବଣାଇ ବ୍ଳକ୍ କେନ୍ଦ୍ରୀକଳା ପଞ୍ଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମର ଶାରୀରିକ ଅକ୍ଷମ ବ୍ୟକ୍ତି ଗୋପୀନାଥ ସାହୁ(65) ଓ ରାମଚନ୍ଦ୍ର ସାହୁ(62) ଟ୍ରାଇ ସାଇକେଲ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଲହୁଣୀପଡା ବ୍ଳକ୍ କୁର୍ଡା ପଞ୍ଚାୟତ ଅନ୍ତର୍ଗତ ଲଲେଇ ଗ୍ରାମର ବରଦା ମୋହନ ନନ୍ଦ(90) ଓ ତାଙ୍କ ଧର୍ମପତ୍ନି ସୁନନ୍ଦା ନନ୍ଦ(80) ବାର୍ଦ୍ଧକ୍ୟ ଭତ୍ତା ପାଇପାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି। ତେଣୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ଅତିଶୀଘ୍ର ତାଙ୍କୁ ଭତ୍ତା ଓ ଆବଶ୍ୟକ ଉପକରଣ ପ୍ରଦାନ କରିବା ପାଇଁ ଶ୍ରୀ କୁସୁମ ଦାବି କରିଛନ୍ତି। ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ଭାରତ ଏକ ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ବେଳେ ଏଦେଶର ପ୍ରତ୍ୟେକ ନାଗରିକଙ୍କ ସମାନ ଅଧିକାର ରହିଛି। ହେଲେ ବଣାଇ ଉପଖଣ୍ଡର ବିଭିନ୍ନ ଗ୍ରାମାଞ୍ଚଳରେ ଅସହାୟ, ଭିନ୍ନକ୍ଷମ ଲୋକମାନେ ଯେମିତି ପ୍ରଶାସନିକ ଦୃଷ୍ଟି ଅଢୁଆଳରେ ରହିଯାଉଛନ୍ତି ତାହା ସମ୍ପୁର୍ଣ୍ଣ ରୁପେ ଗଣତନ୍ତ୍ରର ବିରୁଦ୍ଧାଚରଣ ଅଟେ। ତେଣୁ ଅନ୍ୟର ସାହାଯ୍ୟକୁ ଚାତକ ପରି ଅନେଇ ବସିଥିବା ସେଇ ଅସହାୟ, ଭିନ୍ନକ୍ଷମ ହିତାଧିକାରୀଙ୍କ ଦୁଆର ମୁହଁକୁ ସାମାଜିକ ସୁରକ୍ଷା ଯୋଜନାକୁ ପହଞ୍ଚାଇବା ପାଇଁ ଶ୍ରୀ କୁସୁମ ଦାବି କରିଛନ୍ତି। ଅଭିଯୋଗକୁ ଗମ୍ଭୀରତାର ସହ ଅନୁଧ୍ୟାନ କଲାପରେ ସାମାଜିକ ସୁରକ୍ଷା ଅଧିକାରୀ ତଣ୍ଡିଆ ଅତିଶୀଘ୍ର ସମସ୍ତ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ବଣାଇ,ଲହୁଣୀପଡା, ଓ ଗୁରୁଣ୍ଡିଆ ବ୍ଳକର ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ମାନଙ୍କୁ ଅତିଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କଡା ନିର୍ଦେଶ ଦେଇଛନ୍ତି। ଏହି ସାକ୍ଷାତ ଆଲୋଚନା କାଳରେ ଶ୍ରୀ କୁସୁମଙ୍କ ସହିତ ଗଜେନ୍ଦ୍ର ସିଂ, ସମିର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault