Padmapur/Nilambar Deep : ଚୀର ମରୁଡି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଛି । ୧୯୯୩ ମସିହାରେ ତକôାଳିନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜ୍ୟରେ ଥିବା ୧୩ଟି ଜିଲ୍ଲାକୁ ପୁନଃର୍ଗଠନ କରି ୩୦ ଟି ଜିଲ୍ଲା ଗଠନ କରିଥିଲେ । ସେହି ସମୟରେ ମଧ୍ୟ ପଦ୍ମପୁରବାସୀ ତୀବ୍ର ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ପଦ୍ମପୁରବାସୀଙ୍କ ଦାବୀକୁ ଅଣଦେଖା କରି ଅଣଜଳସେଚିତ ଏହି ଉପଖଣ୍ଡକୁ ଜଳସେଚିତ ବରଗଡ ଜିଲ୍ଲାରେ ସାମିଲ କଲେ । ଏହା ଫଳରେ ପଛୁଆ ଅଂଚଳ ପାଇଁ ଉଦ୍ଧିଷ୍ଟ କେବିକେ ଯୋଜନାରେ ସାମିଲ ହେବା ପାଇଁ ପଦ୍ମପୁର ଉପଖଣ୍ଡର ସମସ୍ତ ଯୋଗ୍ୟତା ରହିଥିଲେ ମଧ୍ୟ ଏକ ବିକଶିତ ଜିଲ୍ଲାର ଅଂଶ ହୋଇଥିବାରୁ ଏହା କେବିକେ ଭଳି ଅନେକ ଯୋଜନାରୁ ବଂଚିତ ହୋଇ ଆଜି ପର୍ଯ୍ୟନ୍ତ ଅନୁନ୍ନତ ହୋଇ ପଡିରହିଛି । ଏହାକୁ ନେଇ ପଦ୍ମପୁରବାସୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ଅସନ୍ତୋଷ ଲାଗି ରହିଥିଲେ ମଧ୍ୟ ଏହା ପୁଣି ଥରେ ୨୦୧୮ ମସିହା ଶେଷ ବେଳକୁ ଆନ୍ଦୋଳନ ରୁପ ନେଇଥିଲା । ପଦ୍ମପୁର ନାଗରୀକ କମିଟୀ ନେତୃତ୍ୱରେ ପାଇକମାଲ, ଝାରବନ୍ଦ, ଗାଇସିଲାଟ ଓ ରାଜବୋଡାସମ୍ବର ବ୍ଲକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସମେତ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହା ସହ ଏକ ସମନ୍ୱୟ କମିଟି ଗଠନ କରାଯାଇ ଗତ ଜାନୁୟାରୀ ମାସରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯିବା ସହ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରି ଦିଆଯାଇଥିଲା । ଦୀର୍ଘ ୩୬ ଦିନର ଆନ୍ଦୋଳନ ପରେ ମିଳିତ କ୍ରିୟାନୁଷ୍ଠାନ କମିଟୀର ଏକ ପ୍ରତିନିଧି ଦଳ ସହ ବିଜେଡି, ବିଜେପି ଓ ଅନ୍ୟ ରାଜନୈତିକ ଦଳର ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦଳକୁ ଉକ୍ତ ଦାବୀକୁ ଗୁରୁତର ସହ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । ହେଲେ ଇତି ମଧ୍ୟରେ ସାଧାରଣ ନିର୍ବାଚନ ସରି ରାଜ୍ୟରେ ବିଜେଡି ପୁଣି ଥରେ ସରକାର ଗଠନ କରିଛି । ପଡୋଶୀ ନିର୍ବାଚନ ମଣ୍ଡଳିରୁ ମୁଖ୍ୟମନ୍ତ୍ରୀ ବିପୁଳ ଭୋଟରେ ବିଜୟୀ ହେବା ସହ ପଦ୍ମପୁର ଆସନକୁ ମଧ୍ୟ ବିଜେଡି ନିଜ ଦଖଲକୁ ନେଇଛି । ହେଲେ ପଦ୍ମପୁର ଜିଲ୍ଲା ଦାବୀକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ଆଭାସ କିମ୍ବା ସୁଚନା ନ ମିଳିବାରୁ ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ପଦ୍ମପୁରବାସୀ । ଏହା ସହ ସୋସିଆଲ ମିଡିଆରେ ମଧ୍ୟ ଏବେ ଏହାକୁ ନେଇ ଜୋର ଧରିଛି ତର୍କ ବିତର୍କ । ଅତି ଶିଘ୍ର ସମନ୍ୱୟ ସମିତିର ଏକ ବୈଠକ ଡକାଯାଇ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି କମିଟିର ଆବାହକ ଜଣାଇଛନ୍ତି ।
ରାଜ୍ୟ
ପୁଣି ଯୋର ଧରିଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ
- Hits: 1068