ହେଡଲାଇନସ୍:

ହେ ସରକାର : ଜାଙ୍ଗଲ  ଉପରେ କେବେ ପଡିବ ପ୍ରଶାସନର ନଜର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଆଦିବାସୀ ବହୁଳ ପାହାଡିଆ ଗ୍ରାମ 'ଜାଙ୍ଗଲ'ରେ ରାସ୍ତା ଓ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଆଦିବାସୀ ବହୁଳ ଗ୍ରାମ ଗୁଡିକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁବିଭିନ୍ନ ବିକାଶ ନାମରେ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନାରେ ଖର୍ଚ୍ଚ କରାଯାଉଛି | କିନ୍ତୁ ଏହାର ପଇସାଟିଏ  ହେଲେ ମଧ୍ୟ ସଫଳତା ଗ୍ରାମାଞ୍ଚଳରେ କି ଲୋକଙ୍କ ଠାରେ ପହଞ୍ଚି ପାରୁନି । ବିଭିନ୍ନ କ୍ଷେତ୍ରରେ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି । ହେଲେ ଗ୍ରାମବାସୀଙ୍କ ନିରୀହତା, ଦାରିଦ୍ର୍ୟତା ଓ ସଚେତନର ଅଭାବ ଯୋଗୁଁ ଯୋଜନା କାର୍ଯ୍ୟ ସେମାନଙ୍କ ଠାରେ ପହଞ୍ଚି ପାରୁନି । ଗ୍ରାମାଞ୍ଚଳର ବାସ୍ତବ ଚିତ୍ର, ଦେଶ ସ୍ୱାଧୀନତା ପୂର୍ବରୁ ଯେମିତିଥିଲା ଏବେ ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ସେହିଭଳି  ରହିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।

ଏମିତି ଏକ ଗ୍ରାମ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ପଞ୍ଚାୟତର ଆଦିବାସୀ ବହୁଳ ପାହାଡିଆ ଗ୍ରାମ 'ଜାଙ୍ଗଲ'  । ଗ୍ରାମରେ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ରାସ୍ତାଟିଏ ହେଲାନି କି ପାନୀୟ ଜଳର ମଧ୍ୟ କୌଣସି ସୁବ୍ୟବସ୍ଥା ହୋଇପାଲିଲାନି । ଏଥି ସମେତ ଅନ୍ୟାନ୍ୟ ସର୍ବନିମ୍ନ ମୌଳିକ ସୁବିଧା ଗୁଡିକ ମଧ୍ୟ ଗ୍ରାମରେ ବର୍ଷ ବର୍ଷ ଧରି ସମ୍ପୁର୍ଣ୍ଣ ଭାବେ ଅପହଞ୍ଚ ହୋଇ ପଡିଥିବା ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ ହୋଇ ଏକ ଅଭିଶପ୍ତ ଜୀବନ ବିତାଇ ଆସୁଛନ୍ତି । ଜାଙ୍ଗଲ ଗ୍ରାମରେ ଥିବା ଦୁଇଟି ସାହିରେ ୬୧ଟି ପରିବାରର ପ୍ରାୟ ୩୫୦ ଜଣ ଲୋକ ବସବାସ କରିଆସୁଛନ୍ତି । ଗ୍ରାମରେ ମୁଖ୍ୟ ସମସ୍ୟା କହିଲେ ରାସ୍ତା ଓ ପାନୀୟ ଜଳ । ରାସ୍ତା ଏଠାରେ ମୁଖ୍ୟ ପି.ଡବ୍ଲୁ.ଡି ରାସ୍ତା ଠାରୁ ଜାଙ୍ଗଲ ଗ୍ରାମକୁ ପ୍ରାୟ ୪କିମି ଦୂରତା ଥିବା ବେଳେ  ସେଥି ମଧ୍ୟରୁ ଅଧା ଦୂରତା ପର୍ଯ୍ୟନ୍ତ ରାସ୍ତା ସରକାରୀ ସ୍ତରରେ, ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିର ଦେଢ ଲକ୍ଷ ଟଙ୍କାରେ କିଛିଟା ମାଟି ମୋରମ ପକାଇ କରାଯାଇଛି । ଆଉ ବାକି ରହିଯାଇଥିବା ରାସ୍ତା କାମ ଗ୍ରାମବାସୀ ପାହାଡକାଟି ନିଜସ୍ୱ ପରିଶ୍ରମରେ କରିଛନ୍ତି । କଦର୍ଯ୍ୟ ପଥୁରିଆ  ଖରାପ ରାସ୍ତା ଯୋଗୁଁ  ଗାଡି ମୋଟର, ଆମ୍ୱୁଲାନସ କିଛି ହେଲେ  ଆସିପାରୁନାହିଁ  । ବର୍ଷା ଦିନରେ ଏହି ରାସ୍ତା  କଥା ଆହୁରି ନକହିଲେ ଭଲ । ଯଦି ଗ୍ରାମରେ କେହି ହଠାତ ଜ୍ୱର କି ଗର୍ଭବତୀ କି ପ୍ରସୂତି ମହିଳା କି ଦୁର୍ଘଟଣା ଜନିତ ଜରୁରୀ ଅସୁସ୍ଥ ହୋଇପଡିଲେ ପ୍ରାୟ ଦେଢ କିମି ଦୂରତା ରାସ୍ତା ବୋହି ନେବା ପରେ ହିଁ ଏକ ସ୍ଥାନରୁ ଗାଡି କି ଆମ୍ୱୁଲାନସ ଯୋଗେ ଡାକ୍ତରଖାନାକୁ ନେବା ସମ୍ଭବ ହୋଇଥାଏ ବୋଲି ଗ୍ରାମର ସୁଜନ ଭୁୟାଁ ଅଭିଯୋଗରେ କହିଛନ୍ତି ।

ସେହିଭଳି ଗ୍ରାମରେ ପାନୀୟ ଜଳ ଯୋଗାଇଦେବା ଭଳି ସରକାରୀ ସ୍ତରରେ  କୌଣସି ବ୍ୟବସ୍ଥା ନାହିଁ  । ଏମିତି କି ପାଣି ପାଇଁ ଗ୍ରାମବାସୀଙ୍କ ନିମନ୍ତେ ଗ୍ରାମରେ  କୌଣସି ପୋଖରୀ କି ନଳକୂପ କି କୁଅଟିଏ ମଧ୍ୟ ନାହିଁ । ପାଣି ପାଇଁ ଗ୍ରାମବାସୀ ଅତ୍ୟନ୍ତ ଡହଳବିକଳ ହୋଇପଡି ପାଣି ଟୋପାଏ ପାଇଁ ୨କିମି ଦୂରତାରେ ଥିବା ଜ୍‍ଗଲ ପାହାଡିଆ ଅଞ୍ଚଳ ତଳିଆରେ ବୋହି ଯାଉଥିବା ଝରଣାନାଳରୁ ପାଣି ଆଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ପକ୍ଷରେ ଗ୍ରାମରେ ଥିବା ଶିକ୍ଷା କଥା ନକହିବା ଭଲ । ବିଦ୍ୟାଳୟ ଅଛି  ହେଲେ ୭୦ ବର୍ଷର ପୁରୁଣା ବିଦ୍ୟାଳୟର ପୁରୁଣା ଆଜବେଷ୍ଟ ଛାତ ସାଙ୍ଗକୁ ପୁରୁଣା କାନ୍ଥ, ପ୍ରାୟତଃ ଭଙ୍ଗାଦଦରା ଅବସ୍ଥାରେ ରହିଛି । ବିଦ୍ୟାଳୟରେ ସୀମା ପାଚେରୀ କି ପରିଷ୍କାର ପରିଛନ୍ନତା କି ପାନୀୟଜଳ କି ଭଲ ଶୌଚାଳୟର ବ୍ୟବସ୍ଥା କି ରୋଷେଇ ଘର କି ଭଲବିଦ୍ୟାଳୟ କୋଠାର ବ୍ୟବସ୍ଥା କିଛି ନାହିଁ । ଗ୍ରାମର ଅଙ୍ଗନଵାଡି କେନ୍ଦ୍ର ଗ୍ରାମ ଠାରୁ ପ୍ରାୟ ଦେଢ କିମି ଦୁରରେ ରହିଛି । ଛୋଟ ପିଲା ମାନେ ପାହାଡିଆ ପଥୁରିଆ ରାସ୍ତା ଦେଇ  ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଯିବା ଆସିବାକୁ ବାଧ୍ୟ ହେଉଛନ୍ତି । ଏହା ରାସ୍ତା ଦେଇ ପ୍ରତିଦିନ ନିକଟସ୍ଥ ଗ୍ରାମ ରାଗିଡିି, ବାରଙ୍ଗସିଂ, କିନ୍ତେସିଂ, ମୁନିସିଂ, ତାଳଜିଂ, ରଙ୍ଗଡା, ପ୍ରଭୃତି ଅନେକ ଗ୍ରାମର ଲୋକେ ବିଭିନ୍ନ କ୍ଷେତ୍ରରେ ଯିବା ଆସିବା  ପାଇଁ ନିର୍ଭର କରିଥାନ୍ତି ।

ସେହିଭଳି ପାଣିର ଅଭାବରେ ଗ୍ରାମବାସୀ ମୋ ସ୍ୱଚ୍ଛ ଶୌଚାଳୟ ଯୋଜାର ପାଇଖାନା ଆଉ ବ୍ୟବହାର କରୁନାହାନ୍ତି, ଶୌଚାଳୟ ପାଇଁ ଗ୍ରାମବାସୀ ବାହାର ଖୋଲା ଜଙ୍ଗଲ ପଡିଆକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ଏହିଭଳି ଅନେକ ସମସ୍ୟା ଦେଇ ବର୍ଷ ବର୍ଷ ଧରି ଜୀବନ କାଳକାଟୁଛନ୍ତି ବୋଲି ଗ୍ରାମର ଵାର୍ଡମେମ୍ୱର ଉଡିମେଲାନ ଭୂୟାଁଙ୍କ ସମେତ ଡାନି ଏଲରଇତ, ଏରମାନ ଭୂୟାଁ ,ସୁସାନି ରଇତ, ପ୍ରେମଲତା ଭୂୟାଁ, ଏଲସି ରଇତ, ଏବଂ ଲୁନୀ ରଇତ ପ୍ରମୁଖ ଅଭିଯୋଗରେ କହିଛନ୍ତି ।

ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ବର୍ଷ ବର୍ଷର ରହି ଆସିଥିବା ସମସ୍ୟା ଗୁଡିକ ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦୃଢଦାବୀ କରାଯାଇଛି ।

0
0
0
s2sdefault