ହେଡଲାଇନସ୍:

ରାଜନୀତି ପାଣିପାଗ ବଦଳୁଛି :ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବଡ ଲଢେଇ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡ଼ିକୁ ମହଙ୍ଗା ପଡ଼ିବ ଗୋଷ୍ଠୀ କନ୍ଦଳ 

ପ୍ରବାହିତ ଅନ୍ତସ୍ରୋତ ଖାଇବା  ଏକୂଳ ନଚେତ ସେ କୂଳ 

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୦୮ ଓଡ଼ିଶା ବିଧାନସଭା ପୁର୍ନଗଠନ ସମୟରେ ନୂତନ ଭାବେ ୩୨ନଂ-ବଡ଼ସାହି(ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀ ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ ବଡ଼ସାହି ବ୍ଲକର ସିଂହଭାଗ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ କେତେକ ପଞ୍ଚାୟତ ଖୁଣ୍ଟା ଓ କୁଳିଅଣା ନିର୍ବାଚନ ମଣ୍ଡଳୀରେ ସାମିଲ ଥିଲା । ବାଲେଶ୍ୱର ଲୋକସଭା କ୍ଷେତ୍ରରେ ସାମିଲ ଥିବା ମୟୂରଭଞ୍ଜର ଜିଲ୍ଲାର ବେତନଟୀ ବ୍ଲକର ୨୪ଟି ପଞ୍ଚାୟତ ଓ ବଡ଼ସାହି ବ୍ଲକର ୩୦ଟି ପଞ୍ଚାୟତ ମଧ୍ୟରୁ ୨୧ଟି ପଞ୍ଚାୟତରେ  ଏବଂ ୨୦୧୯ ଜାନୁଆରୀ ୨୧ରେ ପ୍ରକାଶିତ ଭୋଟର ତାଲିକା ଅନୁସାରେ ୯୪,୩୮୨ ପୁରୁଷ, ୯୩,୧୨୧ ମହିଳା ଓ ୯ ଅନ୍ୟାନ୍ୟ ଏହିପରି ମୋଟ ୧,୮୭,୫୧୨ ଭୋଟରକୁ ନେଇ ଗଠିତ ୩୨ନମ୍ବର ବଡ଼ସାହି(ସଂ)  ନିର୍ବାଚନ ମଣ୍ଡଳୀ ରାଜନୀତି ଦୃଷ୍ଟି କୋଣରୁ ଅନେକ ଗୁରୁତ୍ୱ ବହନ କରିଆସୁଛି ।  ଏଠାରେ ଆସନ୍ତା ଏପି୍ରଲ ୨୯ ଚତୁର୍ଥ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ହେଉଥିବା ସମୟରେ ନିର୍ବାଚନ ମଣ୍ଡଳୀ ବିଜେଡ଼ି, ବିଜେପି ଓ କଂଗ୍ରେସ ନିମନ୍ତେ ସମ୍ମାନର ପ୍ରଶ୍ନ ପାଲଟି ଯାଇଛି । ବିଜେଡ଼ି ନିଜର ଦୁର୍ଗ ରକ୍ଷା କରିବା ନିମନ୍ତେ ପ୍ରାଣମୂର୍ଛା ଉଦ୍ୟମ ଚଳାଇଥିବା ବେଳେ ବିଜେପି ଓ କଂଗ୍ରେସ ଏହାକୁ ଦଖଲ କରିବା ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ  ଓ ରଣନୀତି ପ୍ରସ୍ତୁତି ମାଧ୍ୟମରେ ସମରସଜ୍ଜା କରିବାରେ ଲାଗିଛନ୍ତି  । ରାଜନୈତିକ ପାଣିପାଗ ଚକ୍ର ଭଳି ଘୁରିବାରେ ଲାଗିଥିବାରୁ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ରୋଚକ ମୋଡ଼ରେ ପହଁଞ୍ଚିଛି ଓ ପ୍ରବାହିତ ଅନ୍ତଃସ୍ରୋତ ପ୍ରତି ମୁହୂର୍ତ୍ତରେ ଏକୂଳ ସେ କୂଳ ଖାଇବାରେ ଲାଗିଛି । ନିର୍ବାଚନ ମଣ୍ଡଳୀରେ ଦଳ ଡ଼ିଆଁ ଡେଇଁ ପର୍ବ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ଜନତା ଜନାର୍ଦ୍ଧନଙ୍କ ରାୟ କାହା ସପକ୍ଷରେ ଯିବ ଏହାକୁ ପରଖିବା ନେତା ଓ କର୍ମୀମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଇଛି । ତଥାପି ନେତା ଓ କର୍ମୀମାନଙ୍କୁ ମନେଇବା ସହ ଭୋଟରଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରାଇବା ନିମନ୍ତେ ଘର ମୁହାଁ ହୋଇଛନ୍ତି ପ୍ରାର୍ଥୀମାନେ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ପ୍ରଭାହିତ ଅନ୍ତସ୍ରୋତକୁ କଡ଼ା ଟକ୍କର ଦେଉଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ବିକାଶର ଧାରା ଓ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି । ପୁଣି, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ରଣନୀତି ସହ ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱ ସହ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସଂଙ୍ଗଠନ ଏବଂ ଷ୍ଟାର ପ୍ରଚାରକ ଖୁସବୁ ସୁନ୍ଦର, ଆଇଆଇସିସିର ସମ୍ପାଦକ ରୁଦ୍ର ରାଜୁ, ମସ୍ତାନ ଅଲ୍ଲୀ, ପିସିସି ସମ୍ପାଦକ ପଦ୍ମକର ଗୁରୁ, ରାଜ୍ୟ କଂଗ୍ରେସ ଆଦିବାସୀ ସେଲ ସମ୍ପାଦକ ତଥା ଡ଼ାବୁଗାଁ ବିଧାୟକ ଭୂଜବଳ ମାଝି ପ୍ରମୁଖଙ୍କ ମାର୍ଗଦର୍ଶନରେ କଂଗ୍ରେସ ଉଭ୍ୟ ବିଜେଡ଼ି ଓ ବିଜେପିକୁ ଘାଇଲା କରିବାରେ ଲାଗିଛି । ମଇଁଷି ଶିଙ୍ଗ ଫଟା ଯୁଝିଲା ବେଳେ ଗୋଟା ନ୍ୟାୟରେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଭୋଟକୁ ଏକତ୍ରିତ କରାଇବା ନିମନ୍ତେ ସମସ୍ତେ ସଙ୍କଳ୍ପବ୍ଧ ଭାବେ କାର୍ଯ୍ୟଚଳାଇଛନ୍ତି । ଫଳରେ କଂଗ୍ରେସର ବିଧାୟକ ପ୍ରାର୍ଥିନୀ ଦେବଯାନୀ ବେହେରା ଓ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ନବଜ୍ୟୋତିଙ୍କ ସପକ୍ଷରେ ଏକ ଲଢ଼ୁଆ ମାହୋଲ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଭୋଟରମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରାଇଥିବାର ପରିଲକ୍ଷିତ ହୋଇଛି । ପୁଣି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତିକୁ ମୁଖ୍ୟ ଅସ୍ତ୍ର କରି ବିଜେପି ଓ ବିଜେଡ଼ିକୁ ଘାଇଲା କରିବାରେ ଲାଗିଛି ।   

                 ସେହିପରି ୨୦୧୯ ନିର୍ବାଚନରେ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ଜାରି ରହିଥିବା ବିକାଶର ଧାରା, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା, ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱଚ୍ଛ-ନିର୍ମଳ ଭାବମୂର୍ତ୍ତି ପ୍ରତି ରହିଥିବା ଜନସାଧାରଣଙ୍କର ରହିଆସିଥିବା ବିଶ୍ୱାସ, ଶ୍ରଦ୍ଧା ସହ କେନ୍ଦ୍ରୀୟ ଅବହେଳା ଆଦିକୁ ନେଇ ନିର୍ବାଚନ ବୈତରଣୀକୁ ପାଇ ହେବାର ଆଶା ବାନ୍ଧିଛନ୍ତି ୨୦୧୪ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଏବଂ ବିଜେପି ଛାଡ଼ି ବିଜେଡ଼ି ଟିକଟରେ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ବୃନ୍ଦାବନ ଦାସ । ଫଳରେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଶ୍ରୀଦାସକୁ କେତେକ ଅସନ୍ତୋଷ୍ଟ ନେତା ଓ କର୍ମୀମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ପୁଣି ବିଜେଡ଼ିର ଏହି ଅସନ୍ତୋଷ୍ଟ ଗୋଷ୍ଠୀମାନଙ୍କ ମଧ୍ୟରୁ କେତେକ ବିଜେଡ଼ି ପ୍ରାର୍ଥୀ ଭୋଟ କାଟିବାକୁ ଉଦ୍ୟମ ଚଳାଇଥିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଛି । ଶତାଧିକ ବିଜେଡ଼ି କର୍ମୀ ଦଳତ୍ୟାଗ କରି ବିଜେପିରେ ସାମିଲ ହେବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଦଳ ତ୍ୟାଗ କରିଥିବା ବିଜେଡ଼ି ନେତା ଓ କର୍ମୀମାନେ ବାଲେଶ୍ୱର ଲୋକସଭା ସାଂସଦ ତଥା ବର୍ତ୍ତମାନର ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ସିଧାସଳଖ ଭାବେ ଟାର୍ଗେଟ କରିଥିବା ବେଳେ ଦଳ ସେମାନଙ୍କୁ ଅଣଦେଖା କରୁଥିବାର ଅଭିଯୋଗ କରିଥିବା ବେଳେ ବିଜେଡ଼ିରେ କୌଣସି ଅନ୍ତଦ୍ୱର୍ନ୍ଦ ନାହିଁ ଏବଂ ବିଜେଡ଼ି ତ୍ୟାଗ କରି ବିଜେପିରେ କେହି ସାମିଲ ହୋଇଥିବା ବିଷୟରେ କୌଣସି ଖବର ଜିଲ୍ଲା ସଭାପତି ଦେବାଶିଷ ମହାନ୍ତିଙ୍କ ନିକଟରେ ନାହିଁ । ଏହି ଭଳି ପରିସ୍ଥିତି ମଧ୍ୟରେ ବିଜେଡ଼ି ଗତି କରୁଥିବା ବେଳେ ଦଳୀୟ ପ୍ରାର୍ଥୀ ଶ୍ରୀଦାସଙ୍କ ନିମନ୍ତେ ଏକମାତ୍ର ସାହାଭରସା ମୁଖ୍ୟମନ୍ତ୍ରୀ ନବୀନଙ୍କ ପକେଟ ଭୋଟ, ଦଳୀୟ ନେତାଙ୍କ ପ୍ରଚାର ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସମୟରେ ମଣ୍ଡଳୀରେ ଭୋଟରମାନଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରାଇବାକୁ ଆଜି ମାରାଥନ ପ୍ରଚାରରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ବିଜେଡ଼ି ବିଧାୟକ ପ୍ରାର୍ଥୀ ଶ୍ରୀଦାସ ଓ ତାଙ୍କର ସମର୍ଥକମାନେ ନବୀନଙ୍କ ବିଖାଶର ଧାରା, କେନ୍ଦ୍ରର ଅବହେଳା ଓ ବିଜେଡ଼ିର ନିର୍ବାଚନୀ ଇସ୍ତାହାରକୁ ନେଇ ଭୋଟରମାନଙ୍କୁ ପ୍ରଭାବିତ କରାଇବା ନିମନ୍ତେ ଉଦ୍ୟମ ଚଳାଇଆସୁଛନ୍ତି । ନିର୍ବାଚନ ମଣ୍ଡଳୀରେ ବିଜେପିରୁ ଶତାଧିକ ନେତା ଓ କର୍ମୀ ଦଳ ତ୍ୟାଗ କରି ବିଜେଡ଼ିରେ ସାମିଲ ହେବା ପରେ ବିଜେପି କେତେକାଂଶରେ ଦୁର୍ବଳ ହୋଇପଡ଼ିଥିଲା । କିନ୍ତୁ, ବିଜେଡ଼ି ସେହି ଶୁନ୍ୟ ସ୍ଥାନ ପୂରଣ କରିଦେଇଥିବାରୁ ବିଜେପି ପୁଣି ଥରେ ଶକ୍ତିଶାଳୀ ହୋଇପଡ଼ିଥିବାର ପରିଲକ୍ଷିତ ହୋଇଛି । ପୁଣି ବାଲେଶ୍ୱର ଲୋକସଭା ପ୍ରାର୍ଥୀ ବିଜେପି ନେତା ପ୍ରତାପ ଷଢ଼ଙ୍ଗୀଙ୍କ ବଳିଷ୍ଠ  ନେତୃତ୍ୱ ବିଜେପି ପ୍ରାର୍ଥୀ ସନାତନ ବିଜୁଳିଙ୍କ ମନୋବଳକୁ ଦ୍ୱିଗୁଣିତ କରାଇଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ରହିଥିବା ଲହରୀ ବିଜେଡ଼ିକୁ ଶକ୍ତ ଧକ୍କା ପହଁଞ୍ଚାଇବ ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ଏଥି ସହିତ ବିଜେପିର ନିର୍ବାଚନୀ ଇସ୍ତାହାର ମଧ୍ୟ ପ୍ରଭାବଶାଳୀ ହୋଇଥିବାର କୁହାଯାଉଛି । ୨୦୦୯ରୁ ବିଜେଡ଼ି ହାତରେ ରହିଆସିଥିବା ବଡ଼ସାହି ନିର୍ବାଚନ ମଣ୍ଡଳୀକୁ ୨୦୧୯ରେ ବିଜେପି ଦଖଲକୁ ନେବ ବୋଲି ବିଜେପି ଶିବିର ବେଶ ଆଶାବାଦୀ ରହିଥିବାର ସୂଚନା ମିଳିଛି । ତେବେ ବଡ଼ସାହି(ସଂ) ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବାର ସମ୍ଭାବନା ଦେଖାଦେଇଥିବା ବେଳେ ବିଜେପି ଓ ବିଜେଡ଼ି ଦଳରେ ରହିଥିବା ଗୋଷ୍ଠୀ  କନ୍ଦଳ ଦଳ ନିମନ୍ତେ ମହଙ୍ଗା ସାବ୍ୟସ୍ତ ହେବ । ଏଥି ସହିତ ନିର୍ବାଚନ ମଣ୍ଡଳୀରେ ଦେଖାଦେଇଥିବା ନୀରବ ଜନମତ ସହ ପ୍ରବାହିତ ଅନ୍ତସ୍ରୋତ ଏକୂଳ ନଚେତ ସେ କୂଳ ଖାଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବିଏସପିରୁ ସଞ୍ଜୟ ବେହେରା ଓ ସ୍ୱାଧୀନ ଭାବେ  ବୁନାରାଜ ପାତ୍ର, ଜିତେନ୍ଦ୍ର ପାତ୍ର, ଭୀମ ଚରଣ ପାତ୍ର ଓ ରବୀନ୍ଦ୍ର ସେଠୀ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । 

 

0
0
0
s2sdefault