ହେଡଲାଇନସ୍:

ପାଣି ମିଳୁନି..ବିଦ୍ୟୁତ ଆଲୁଅ ଭେଳିକି...ରାସ୍ତା ନାହିଁ : ଆଉ ବିକାଶ ହେଇଛି ଛେନାଗୁଡ଼ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଆଦିବାସୀ ଅଧ୍ୟୁଷିତ ଆଦାନଗୁଡା-ତଳ ଗ୍ରାମରେ ବିକାଶ ଅପହଞ୍ଚ-ଦୁର୍ଦ୍ଦଶାଗ୍ରସ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ବହୁଳ ଅଞ୍ଚଳରେ ଅଞ୍ଚଳବାସୀ ଓ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶଦିଗରେ ସରକାରଙ୍କ ପକ୍ଷରୁ ବ୍ୟାପକ ଅର୍ଥ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରାଯାଉଛି । ହେଲେ କେତେକ ଅଞ୍ଚଳରେ ସେହି ଯୋଜନା କି ବିକାଶର ଟଙ୍କାଟିଏ ହେଲେ ମଧ୍ୟ କୌଣସି ସୁଫଳ ପାଇପାରୁନାହାନ୍ତି ଅଞ୍ଚଳବାସୀ । ତୃଣମୁଳ ସ୍ତରରୁ ଯୋଜନା ଓ ବିକାଶ କାର୍ଯ୍ୟର ସଫଳ ରୁପାୟନ ହୋଇପାରୁନଥିବା ଯୋଗୁଁ ଅଞ୍ଚଳବାସୀଙ୍କ କି ଅଞ୍ଚଳର କୌଣସି ବିକାଶ ଘଟୁନାହିଁ । କୌଣସି ସ୍ତରରେ ହେଲେ ମଧ୍ୟ ଏମାନଙ୍କ ବିକାଶ ପ୍ରତି ପଦକ୍ଷେପ ନିଆଯାଉନାହିଁ । ଅଞ୍ଚଳବାସୀ ସର୍ବନିମ୍ନ ମୌଳିକ ସୁବିଧା ଗୁଡିକରୁ ଦୀର୍ଘ ବର୍ଷ ହେଲା ବଞ୍ଚିତ ହୋଇଆସି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଏକ ଦୁର୍ଦ୍ଦଶା ଜୀବନ ବିତାଇ ଆସୁଛନ୍ତି ଗ୍ରାମବାସୀ  । 

ଏଭଳି ଏକ ଗ୍ରାମ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ ପଞ୍ଚାୟତର ପାହାଡ ତଳି ଅଞ୍ଚଳରେ ଥିବା ଆଦାନଗୁଡା-ତଳ ଗ୍ରାମ । ସ୍ୱାଧୀନତାର ୭୧ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମାଞ୍ଚଳରେ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ଯୋଜନା କାର୍ଯ୍ୟର ବିକାଶଏଠାରେ ବାଟବଣା ହୋଇପଡିଥିବା ଦେଖାଯାଇଛି ।

ଆଦାନଗୁଡା ତଳ ଗ୍ରାମରେ ଶତାଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ବର୍ଷ ବର୍ଷ ଧରି ବିଭିନ୍ନ ସର୍ବନିମ୍ନ ମୌଳିକ ସମସ୍ୟା ଗୁଡିକ ଦେଇ ଗତି କରିଆସୁଛନ୍ତିଏହି ଗ୍ରାମବାସୀ । ସେ ସବୁ ମଧ୍ୟରେ ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ, ରାସ୍ତା ଓ ବିଦ୍ୟୁତ ଆଲୋକ ବ୍ୟବସ୍ଥା ।

ପାନୀୟ ଜଳ ବ୍ୟବସ୍ଥା କହିଲେ ଗ୍ରାମରେ ଗୋଟିଏ କୂପ ଓ ଗୋଟିଏ ନଳକୂପ ରହିଛି । କୂପର ଅପରିଷ୍କାର ଦୁର୍ଗନ୍ଧମୟ ପାଣି ଯୋଗୁଁ ତାହା କିଛି ବର୍ଷ ହେଲା ବ୍ୟବହାର ହୀନ ହୋଇପଡିଛି । ସେହିଭଳି ନଳକୁପ ଯେଉଁ ରହିଛି ତାହା ଦୀର୍ଘ ସମୟ ଧରି ହେଣ୍ଡେଲ ମାରିଲେ ପାଣି ଆସେ ତାହା ପୁଣି ୧୦/୧୨ ହାଣ୍ଡି ପାଣି ଏବଂ କିଛିଟା ଗନ୍ଧ ହେଉଥିବା ପାଣି  । ଗ୍ରୀଷ୍ମ ମାସର ଏହି ପ୍ରଚଣ୍ଡ ଖରା ତାତିରେ ଜଳ ସ୍ତର କମିଯାଇ ଆଉ ଚାରି ପାଞ୍ଚ ଦିନ ପରେ ତାହା ମଧ୍ୟ ଆଉ ଆସିବ ନାହିଁ ।

ପାନୀୟ ଜଳର ଏଭଳି ସଙ୍କଟ ମୟ ଅଭାବନୀୟ ପରିସ୍ଥିତି ଲାଗିଥିବା ଯୋଗୁଁ ଗ୍ରାମର ମହିଳା ମାନେ ଗ୍ରାମଠାରୁ ପ୍ରାୟ ୨କିମି ଦୁରତାରେ ଥିବା ଚନ୍ଦନଗିରି ପାହାଡ ତଳିଆରେ ବୋହିଯାଉଥିବା ନାଳରୁ ଅପରିଷ୍କାର ସିଉଳିଯୁକ୍ତ କାଦୁଅଭରା ପାଣିର  ଉପରୁ ପାଣି ସଂଗ୍ରହ କରି ତାକୁ କନାରେ ଛାଣି ନେଇ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ପାନୀୟ ଜଳର ଅନ୍ୟ ବିକଳ୍ପ ଉପାୟ ନପାଇ ରାସ୍ତା ନଥିବା ଦୂରତାକୁ ଚାଷ ବିଲର ହୁଡା ଦେଇ ପାହାଡ ତଳିଆ ନାଳକୁ ପହଞ୍ଚି ପାଣି ସଂଗ୍ରହ କରିବା ପରେ ପୁଣି ସେଠାରୁ ଅତି କଷ୍ଟ ସ୍ୱୀକାର କରି ପାଣି ଆଣିବାକୁ ହୋଇଥାଏ ଚାଲି ଚାଲି ।

ରାସ୍ତା କହିଲେ ଝୋଲା ଗ୍ରାମଠାରୁ ପ୍ରାୟ ୨କିମି ଦୂରତା ମାଟି ମୋରମ ରାସ୍ତା ଦେଇ ଯିବାକୁ ହୋଇଥାଏ । ମୋରମ ମାଟିର ଧୁଳି ଗୁଡି ଭରା ସେହି ରାସ୍ତାରେ ସାଇକେଲ କି ବାଇକ୍‍ ଯୋଗେ ଗଲେ ଖସିଯିବା ସମ୍ଭାବନା ରହିଥାଏ । ବର୍ଷା ୩ମାସ ରାସ୍ତା ଶୋଚନୀୟ ହୋଇ ରହିଥାଏ । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତାକୁ ସାମିଲ କରାଯିବାକୁ ଦାବୀ କରିଥିଲେ ମଧ୍ୟ ହେଉନାହିଁ ।

ଅନ୍ୟପକ୍ଷରେ ଗ୍ରାମ ଠାରୁ ୧କିମି ଦୂରତାରେ ଅଙ୍ଗନଵାଡି କେନ୍ଦ୍ର ରହିଛି । ସେଠାକୁ ଯିବାକୁ ହେଲେ ଚାଷ ବିଲ ହୁଡା ଦେଇ ଯିବାକୁ ହୁଏ । ସେଭଳି ତଳ ସାହିରୁ ଉପର ସାହିକୁ ଯିବା ପାଇଁ ରାସ୍ତା ନାହିଁ । ଯିବାକୁ ହେଲେ ଚାଷ ବିଲ ହୁଡା ଦେଇ ଯିବା ଆସିବା ହୋଇଥାଏ ।

ବିଦ୍ୟୁତ ଆଲୋକ ବ୍ୟବସ୍ଥା ଅଛି ହେଲେ ନଥିବା ସଙ୍ଗେ ସମାନ  । ଥରେ ଚାଲିଗଲେ କେତେବେଳେ ତାହା ଆସିବ ଠିକ ନାହିଁ ।

ଇନ୍ଦିରା ଆବାସ ଗୃହ ହାତ ଗଣତି ୫/୬ଟି ମିଳିଛି । ଅନେକ ଇନ୍ଦିରା ଆବାସ ଗୃହ ପାଇବା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ମିଳିନି । ଲୋକେ ଚାଳ ଛପର ମାଟି ଘରେ ଅତି ଦୁର୍ଦ୍ଧିନରେ ଦିନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଯାହା ମଧ୍ୟ ମିଳିଛି ତାହା ଅର୍ଦ୍ଧନିର୍ମାଣ ହୋଇ ରହିଛି । ସେଥିରେ ଲୋକେ ରହୁଛନ୍ତି ।

ଗ୍ରାମରେ ସମସ୍ତଙ୍କୁ ମୋ ସ୍ୱଚ୍ଛ ଶୌଚାଳୟ କାର୍ଯ୍ୟକ୍ରମରେ ପାଇଖାନା ହୋଇଛି । ପାଣିର କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ତାହା ବ୍ୟବହାର ହୀନ ହୋଇପଡିଛି । ଲୋକେ ପାଇଖାନାର ବ୍ୟବହାର ନକରି ବାହାରେ ଶୌଚ କରିବାକୁ ଯାଉଛନ୍ତି । ସେହିଭଳି ପାଣିର ବିଶେଷ ସୁବିଧା ନଥିବା ଯୋଗୁଁ ଶତାଧିକ ଚାଷଜମି ଚାଷ କାର୍ଯ୍ୟ ହୋଇନପାରି ଶୁଖିଲା ହୋଇ ପଡିଛି ।  ଏଭଳି ଦୁର୍ଦ୍ଧିନ ଅବସ୍ଥାରେ ଗ୍ରାମବାସୀ ଜୀବନ କଟାଇବାକୁ ବାଧ୍ୟ ହେଉଛନ୍ତି । ବିକାଶ ବାଟ ବଣା ହୋଇ ଗ୍ରାମରେ ଅପହଞ୍ଚ ହୋଇପଡୁଛିବୋଲି ଗ୍ରାମର ପାଉଲ ଶବର, ପ୍ରସାଦ ଶବର, ସାଇବାବୁ ଶବର,ପାର୍ବତୀ ଶବର, ପିଙ୍କି ଶବର, ଶୁଭମା ଶବର ପ୍ରମୁଖ ଅଭିଯୋଗରେ ଜଣାଇଛନ୍ତି ।

 

 

 

 

 

 

 

0
0
0
s2sdefault