ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ବରିଷ୍ଠ ନାଗରିକମାନଙ୍କ ନିରାପତ୍ତା ଓ ସମାଜରେ ସମ୍ମାନର ସହ ଜୀବନଧାରଣ ନିଶ୍ଚିତ କରିବା ପାଇଁ ତଥା ପୋଲିସକୁ ଲୋକଙ୍କ ଅଧିକ ନିକଟତର କରିବା ପାଇଁ ସୁନ୍ଦରଗଡ ପୋଲିସ ପକ୍ଷରୁ ନିଆଯାଉଛି ଅଭିନବ ପଦକ୍ଷେପ | ପୋଲିସକୁ ଲୋକଙ୍କ ଅଧିକ ନିକଟତର ତଥା ଆସ୍ଥାଭଜନ କରାଇବା ଉଦ୍ଦେଶ୍ୟ ନେଇ ତଥା ବରିଷ୍ଠ ନାଗରିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ନିରାକରଣ ପୂର୍ବକ ସହରରେ ଶାନ୍ତି ଶୃଙ୍ଖଳା ତଥା ସହାବସ୍ଥାନ ବଜାୟ ରଖିବା ସକାଶେ ଗଠିତ ଆମ ପୋଲିସ ସମିତିର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଆଗରୁ ଟାଉନ ଥାନା ପରିସରର ଆମ ପୋଲିସ ସମିତିର ବୈଠକ ହେଉଥିବା ବେଳେ ଲଗାତାର ଭାବେ ଦ୍ଵିତୀୟ ଥର ପାଇଁ ଜିଲ୍ଲାର ବରିଷ୍ଠ ନାଗରିକ ମଞ୍ଚଙ୍କ କାର୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ବରିଷ୍ଠ ନାଗରିକ ମାନେ ସହରରେ ଦେଖା ଦେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ତାହାର କେମିତି ନିରାକରଣ କରାଯାଇପାରିବ ଓ ଗତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କେତେ ଅଗ୍ରଗତି ହୋଇଛି ସେ ବିଷୟରେ ଆଲୋଚନା ହୋଇଥିଲା |
ବରିଷ୍ଠ ନାଗରିକମାନଙ୍କ ସ୍ଵାଚ୍ଛନ୍ଦ୍ୟ ଆଉ ନିରାପତ୍ତା ପୋଲିସର ପ୍ରମୁଖ କର୍ତ୍ତବ୍ୟ ଏବଂ ତାକୁ ପୋଲିସ ଅଗ୍ରାଧିକାର ଭିତ୍ତିରେ କରୁଛି |ବରିଷ୍ଠ ନାଗରିକଙ୍କ ନିରାପତ୍ତା ତଥା ଆତ୍ମସମ୍ମାନରେ ସୁରକ୍ଷା ପାଇଁ ପୋଲିସ ପ୍ରତିଶୃତିବଦ୍ଧ ବୋଲି ସୁନ୍ଦରଗଡ ଥାନା ଅଧିକାରୀ ଶ୍ରୀ ବିବଶ୍ୱ ପ୍ରଧାନ କହିଛନ୍ତି | ସହରରେ ଶାନ୍ତି , ଭାଇଚାରା ରଖିବା ସହ ଅପରାଧପ୍ରବଣତା କମାଇବା ପାଇଁ ଶ୍ରୀ ପ୍ରଧାନ ବୈଠକରେ ବରିଷ୍ଠ ନାଗରିକଙ୍କ ସହଯୋଗ ଲୋଡ଼ିଥିଲେ | ସୂଚନାଯୋଗ୍ୟ ଯେ ଏହି ମିଟିଙ୍ଗ ସବୁ ମାସ ଶେଷ ସପ୍ତାହରେ ହୁଏ ଓ ସହର ଓ ସହରବାସୀଙ୍କ ଭଲ ଓ ନିରାପତ୍ତା ତଥା ଆବଶ୍ୟକତା ଉପରେ ବରିଷ୍ଠ ନାଗରିକ ମଞ୍ଚ ଦୃଷ୍ଟି ଆକର୍ଷଣ କରାଇଥାନ୍ତି | ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ଟାଉନ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବରିଷ୍ଟ ନାଗରିକ ମଞ୍ଚ ଉପସ୍ଥିତ ଥିଲେ |